ଆନନ୍ଦପୁର: ଅଟକ ମହିଳା ସରପଞ୍ଚ ସମେତ ୭ ମୁକୁଳିଲେ

anandapur

ଆନନ୍ଦପୁର: ରାସ୍ତା କାମକୁ ନେଇ ଗତକାଲିଠାରୁ ଅଟକ ଥିବା ହାଟଡିହି ବ୍ଲକ କେ. ବାଲିପାଳ ସରପଞ୍ଚ ପୂର୍ଣ୍ଣୀମା ମହାନ୍ତଙ୍କ ସମେତ ୭ ଜଣ ଆଜି ମୁକୁଳିଛନ୍ତି। ପଞ୍ଚାୟତକୁ ସଂଯୋଗ କରୁଥିବା ଚତରାଘାଟି ରାସ୍ତା କାମ  ତୁରନ୍ତ ଆରମ୍ଭ କରିବା, ମିଥ୍ୟା ପଲ୍ଲିସଭାକୁ ବିରୋଧ ଓ ବିଦ୍ୟୁତ୍‌ ଯୋଗାଣ ଭଳି ମୌଳିକ ଦାବି ନେଇ ଶତାଧିକ ପଞ୍ଚାୟତବାସୀ ସରପଞ୍ଚଙ୍କ ସମେତ ୪ ଜଣ ୱାର୍ଡମେମ୍ବର ଏବଂ ୨ ଜଣ ପାନୀୟଜଳ ଯୋଗାଣ କର୍ମଚାରୀଙ୍କୁ ଗତକାଲିଠାରୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିଥିଲେ।

ସରପଞ୍ଚ ଓ ଅନ୍ୟମାନେ ଅଟକ ଥିବା ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା। ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ପଞ୍ଚାୟତବାସୀ ପଞ୍ଚାୟତ ଅଫିସର ସମସ୍ତ କାଗଜପତ୍ର ନିଜ ପାଖରେ ରଖିବା ସହ ସେମାନଙ୍କୁ ମୁକ୍ତ କରିଛନ୍ତି।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତ ଆସୁଛନ୍ତି। ଏପରି ସ୍ଥିତିରେ ଶାସକ ଦଳର ଜନୈକ ମହିଳା ସରପଞ୍ଚଙ୍କୁ ଅଟକ ରଖାଯିବା ଘଟଣା  ଜିଲ୍ଲା ରାଜନୀତିକୁ ସରଗରମ କରିଛି।

Previous ArticleNext Article

Send this to a friend