ଯଶୀପୁର ବ୍ଲକ୍ର ପୋଡ଼ାଗଡ, ବରେହିପାଣି, ଅସ୍ତକୁମାର, ଗୁରୁଗୁଡ଼ିଆ ଓ ଧଳାବଣୀ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାମ ପାଇଁ ମନରେଗାରେ ୩ କୋଟି ୨୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ହେଲେ ସେହି ଅର୍ଥରେ କୌଣସି କାମ ହୋଇନଥିବା ଅଭିଯୋଗ ହୋଇଥିଲା। ମନରେଗା ଅର୍ଥ ଆତ୍ମସାତ ହୋଇଥିବା ନେଇ ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ପରେ ତତ୍କାଳୀନ(ସେତେବେଳର) ଯଶୀପୁର ବିଡ଼ିଓ ଅନୁପମା ଘୋଷ ମାମଲାର ଖୋଳତାଡ଼ କରିଥିଲେ।
ମନରେଗା ମହା ଦୁର୍ନୀତି ହୋଇଥିବା ନେଇ ବିଡିଓ ସୂଚନା ପାଇଥିଲେ। ପାରେ ସେ ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ତା’ପରେ ଜିଲ୍ଲା ପ୍ରଶାସନ ଖୋଳତାଡ଼ କରି ଦୁର୍ନୀତି ହୋଇଥିବା ଜଣାବାକୁ ପାଇଥିଲା। ସେତେବେଳେ ବିଡିଓ ଏନେଇ ୨୫ ଜଣଙ୍କ ନାଁରେ ଯଶୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ୩ ଜଣ ସରପଞ୍ଚ ଓ ଜଣେ ପିଇଓଙ୍କୁ ଗିରଫ କରି ଜେଲ୍ ପଠାଇଥିଲା।
ଗିରଫ ହୋଇଥିବା ସରପଞ୍ଚ ଓ ପିଇଓଙ୍କୁ ଜେରା ବେଳେ ମହା ଦୁର୍ନୀତିର ଖୋଲାସା କରିଥିଲେ। ଏହା ପରେ ଜିଲ୍ଲାପ୍ରଶାସନ ୫ ପଞ୍ଚାୟତର ସରପଞ୍ଚ, ପିଇଓଙ୍କୁ ବହିଷ୍କାର କରିଥିଲେ। ଏଥିସହ ଜଣେ ସହକାରୀ ଯନ୍ତ୍ରୀ, ୨ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ସସ୍ପେଣ୍ଡ କରିଥିଲେ। ପରବର୍ତ୍ତୀ ସମୟରେ ମାମଲା ଭିଜିଲାନ୍ସକୁ ଯାଇଥିଲା। ସେହି ସମୟରେ ସରକାରୀ ବାବୁମାନେ ଫେରାର ହୋଇଥିଲେ। ଭିଜିଲାନ୍ସ ହାତରେ ଧରା ପଡ଼ିନଥିଲେ। କେବଳ ସରପଞ୍ଚ, ଭେଣ୍ଡରଙ୍କୁ ଘନଘନ ଜେରା କରିଥିଲା। ଜେରା ବେଳେ ଦୁର୍ନୀତିର ପରିମାଣ ବଢ଼ିଥିଲା। ତେଣୁ ମାମଲା ଇଡି ହାତକୁ ଯାଇଥିଲା।
ସେପଟେ ସସ୍ପେଣ୍ଡ ହୋଇଥିବା ସରକାରୀ ବାବୁମାନେ ଚାକିରିରେ ପୁଣି ଥରେ ଯୋଗ ଦେଇଥିଲେ। ପ୍ରାୟ ୩ ବର୍ଷ ପରେ ଇଡି ଯଶୀପୁରର ତତ୍କାଳିନ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାୟକ(ବର୍ତ୍ତମାନ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ କନିଷ୍ଠ ଯନ୍ତ୍ରୀ) ଓ ପଡାଗୋଡ ପଞ୍ଚାୟତର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ(ବର୍ତ୍ତମାନ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ କନିଷ୍ଠ ଯନ୍ତ୍ରୀ) ସମୀର କବିଙ୍କୁ ନୋଟିସ୍ କରିଛି। ଆସନ୍ତା ୨୦ ତାରିଖରେ ହାଜର ହେବାକୁ ନୋଟିସ୍ରେ କୁହାଯାଇଛି। ତେବେ ବାକି ୨୨ ଜଣ ଅଭିଯୁକ୍ତଙ୍କ ପାଖକୁ କୌଣସି ନୋଟିସ୍ ଆସିନ ଥିବାରୁ ନାନା କଳ୍ପନାଜଳ୍ପନା ଲାଗି ରହିଛି।
ରିପୋର୍ଟ- କରଞ୍ଜିଆରୁ ଦୀପକ କୁମାର ମହାନ୍ତ
]]>ସୁପ୍ରିମକୋର୍ଟଙ୍କ କହିବା ମୁତାବକ, 'ଘଣ୍ଟା' ଚିହ୍ନକୁ କେବଳ ଅଜିତ ପାଓ୍ୱାରଙ୍କ ଦଳ ହିଁ ବ୍ୟବହାର କରିପାରିବେ। ଏନସିପି ଶରଦଚନ୍ଦ୍ର ପାୱାର ନାମରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁପ୍ରିମକୋର୍ଟ ଶରଦ ଦଳକୁ ଅନୁମତି ଦେଇଛନ୍ତି। ଏଥିସହ ନିର୍ବାଚନୀ ଚିହ୍ନ ରୂପେ ଟ୍ରମ୍ପେଟ୍ ତଥା ତୂରୀ ବ୍ୟବହାର କରିବାକୁ କୋର୍ଟ ସ୍ୱୀକୃତି ଦେଇଛନ୍ତି।
ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ଅନ୍ୟ କାହାକୁ 'ତୂରୀ' ଚିହ୍ନ ନଦେବାକୁ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ନିର୍ବାଚନ ପ୍ରଚାରରେ କୌଣସି ବି ପ୍ରଚାର ସାମଗ୍ରୀରେ ଶରଦ ପାଓ୍ୱାରଙ୍କ ନାଁ କିମ୍ବା ଫଟୋକୁ ଅଜିତ ପାଓ୍ୱାରଙ୍କ ଦଳ ବ୍ୟବହାର କରିପାରିବେ ନାହିଁ ବୋଲି କହିଛନ୍ତି।
ଏହାପୂର୍ବରୁ ମାର୍ଚ୍ଚ ୧୪ରେ ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାରଙ୍କ ଦଳକୁ ତାଗିଦ କରାଯାଇଥିଲା। ଅଜିତଙ୍କ ଗୋଷ୍ଠୀ ଶରଦ ପାୱାରଙ୍କ ଫଟୋ ବ୍ୟବହାର କରିବେ ନାହିଁ ବୋଲି ବିନା କୌଣସି ସର୍ତ୍ତରେ ଲଖିତ ଭାବେ ଗ୍ୟାରେଣ୍ଟି ଦେବାକୁ କହିଥିଲେ ସୁପ୍ରିମକୋର୍ଟ। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ବେଞ୍ଚ ଅଜିତ ପାୱାର ଦଳକୁ ମାର୍ଚ୍ଚ ୧୮ ସୁଦ୍ଧା ଜବାବ ଦାଖଲ କରିବାକୁ କହିଥିଲେ।
ଫେବୃଆରୀ ୬ରେ ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଦଳକୁ ପ୍ରକୃତ ଏନସିପିର ମାନ୍ୟତା ଦେଇଥିଲେ । ସଂଖ୍ୟାଗରିଷ୍ଠତା ଆଧାରରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଥିଲେ। ଅଜିତ ପାୱାର ଗୋଷ୍ଠୀ ଏନସିପିର ନାଁ ଏବଂ ନିର୍ବାଚନ ଚିହ୍ନ ବ୍ୟବହାର କରିପାରିବେ ବୋଲି କହିଥିଲେ। ଏହାର ଗୋଟିଏ ଦିନ ପରେ ନିର୍ବାଚନ ଆୟୋଗ ଶରଦ ପାୱାର ଦଳକୁ 'ଏନସିପି ଶରଦ ଚନ୍ଦ୍ର ପାୱାର' ନାମରେ ନାମିତ କରିଥିଲେ। ତେବେ ତାଙ୍କୁ ନିର୍ବାଚନ ପ୍ରତୀକ ଦିଆଯାଇ ନଥିଲା।
]]>ପିଇଓ ସତ୍ୟ କୁମାର ଘିଭେଲା ଓ ତାଙ୍କର ଜଣେ ସହଯୋଗୀ ଆଜି ବଙ୍ଗୋମୁଣ୍ଡା ସ୍ଥିତ ଏସ୍ବିଆଇକୁ ଯାଇଥିଲେ। ସେଠାରୁ ସତ୍ୟ କୁମାର ଘିଭେଲା ୪ ଲକ୍ଷ ୬୪ ଟଙ୍କା ଉଠାଇଥିଲେ। ଆସନ୍ତାକାଲି ଭତ୍ତା ଦେବାକୁ ସେ ଏହି ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇବା ପରେ ସେ ବାଇକ୍ ଯୋଗେ କଣ୍ଟାବାଞ୍ଜି ସ୍ଥିତ ନିଜ ଘରକୁ ଯାଉଥିଲେ।
ପିଇଓ ସତ୍ୟ କୁମାର ଘିଭେଲା ଓ ତାଙ୍କର ସହଯୋଗୀ ବାଇକରେ କଣ୍ଟାବାଞ୍ଜି ଅଭିମୁଖେ ଯାଉଥିବା ବେଳେ ଏକ ଆପାଚିରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିଥିଲେ। ଦୁର୍ବୃତ୍ତମାନେ ସତ୍ୟ କୁମାର ଘିଭେଲାଙ୍କ ଚଳନ୍ତା ବାଇକ୍କୁ ଧକ୍କା ଦେଇଥିଲେ। ଫଳରେ ସତ୍ୟ କୁମାର ଘିଭେଲା ଓ ତାଙ୍କ ସହଯୋଗୀ ପଡ଼ି ଯାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ବାଇକ୍ ଡିକିରୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଫେରାର ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି।
ପିଇଓ ଓ ତାଙ୍କ ସହଯୋଗୀ ଆହତ ହୋଇଛନ୍ତି। ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ଅନ୍ୟପକ୍ଷରେ ବଙ୍ଗୋମୁଣ୍ଡା ପୁଲିସ ଘଟଣାର ତଦନ୍ତ କରୁଛି।
କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀଙ୍କ ରିପୋର୍ଟ
]]>ଉତ୍ତରପ୍ରଦେଶର ପ୍ରୟାଗରାଜରେ ୪୬ ଲକ୍ଷରୁ ଅଧିକ ଭୋଟରଙ୍କ ମଧ୍ୟରୁ ୧୦୪୯ ଜଣ ସୁପର ସିନିୟର୍ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବ୍ରିଟିଶ ଅମଳରୁ ରାଜନୀତିର ଖେଳ ଦେଖି ଆସୁଛନ୍ତି। ଏବେବି ଏମାନେ ସକ୍ରିୟ ଅଛନ୍ତି। ୧୦୪୯ ଜଣ ସୁପର ସିନିୟର୍ ଭୋଟରଙ୍କ ବୟସ ୧୦୦ରୁ ୧୨୦ ବର୍ଷ ମଧ୍ୟରେ ରହିଛି।
ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଚୂଡ଼ାନ୍ତ ହୋଇଥିବା ଭୋଟର ତାଲିକା ଅନୁଯାୟୀ, ୪୧୪ ପୁରୁଷ ଏବଂ ୪୪୦ ଏଭଳି ମହିଳା ଭୋଟର ଅଛନ୍ତି ଯେଉଁମାନଙ୍କ ବୟସ ୧୦୦ରୁ ୧୦୯ ବର୍ଷ ମଧ୍ୟରେ ରହିଛି। ଏହି ତାଲିକାରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ୧୧୦ ରୁ ୧୧୯ ବର୍ଷ ବୟସ ମଧ୍ୟରେ ତିନି ଜଣ ପୁରୁଷ ଏବଂ ୧୦ ଜଣ ମହିଳା ଭୋଟର ଅଛନ୍ତି। ସେହିପରି ୧୨୦ ବର୍ଷ ବୟସର ଭୋଟର୍ଙ୍କ ମଧ୍ୟରେ ୪୪ ଜଣ ପୁରୁଷ ଓ ୩୮ ଜଣ ମହିଳା ଭୋଟର ଏଥର ପ୍ରୟାଗରାଜରେ ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି।
ଏହି ଭୋଟରମାନେ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। କେବଳ ଏତିକି ନୁହେଁ, ନେହେରୁଙ୍କ ପୂର୍ବରୁ ଅର୍ଥାତ୍ ବ୍ରିଟିଶ୍ ସମୟ ପୂର୍ବରୁ ମଧ୍ୟ ଅନେକ ଲୋକ ରାଜନୈତିକ ମାହୋଲର ମୁକସାକ୍ଷୀ ରହିଛନ୍ତି।
ସୂଚନା ମୁତାବକ, ପ୍ରୟାଗରାଜରେ ମୋଟ ୪୬,୬୪,୫୧୯ ଜଣ ଭୋଟର ଅଛନ୍ତି। ଏଥିମଧ୍ୟରୁ ୨୫,୨୭,୬୭୬ ପୁରୁଷ, ୨୧,୩୬,୨୨୪ ଜଣ ମହିଳା ଓ ୬୧୯ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି।
କହିରଖୁ ଏଥର ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏପ୍ରିଲ ୧୯ରୁ ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହେବ। ଏହା ଜୁନ ୧ ଯାଏ ଚାଲିବ। ୮୦ଟି ଲୋକସଭା ଆସନ ପାଇଁ ଲୋକମାନେ ଏହି ୭ ପର୍ଯ୍ୟାୟରେ ମତଦାନ କରିବେ।
]]>ଖଡ଼ିଆଳ ବ୍ଲକ ବର ପଞ୍ଚାୟତର ବେନ୍ଦ୍ରାବାହାଲ ଗାଁ। ଏହି ଗାଁର ପୋଢ଼ ପଡ଼ାରେ ୧୦୦ରୁ ଅଧିକ ଲୋକ ବସବାସ କରନ୍ତି। ସମସ୍ତେ ପ୍ରାୟତଃ ଚାଷବାସ ଓ ମୂଲ ମଜୁରି ଲାଗି ଚଳନ୍ତି। ପାନୀୟ ଜଳ ସମସ୍ୟା ହେଉଛି ଏହି ଗାଁର ମୁଖ୍ୟ ସମସ୍ୟା। ଆଗରୁ ପଡ଼ାରେ ଦୁଇଟି ନଳକୂପ ଥିଲା। ଗତ ୨ ବର୍ଷ ହେଲା ସେଥିରୁ ଗୋଟିଏ ଅଚଳ ହୋଇଯାଇଛି। କହିବାକୁ ଗଲେ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୨୫ ପରିବାର। ତେଣୁ ସକାଳ ହେଲେ ନଳକୂପ ପାଖରେ ଲାଗୁଛି ପ୍ରବଳ ଭିଡ଼। ପାଣି ନେବା ପାଇଁ ମହିଳାଙ୍କ ଭିତରେ ଲାଗୁଛି ପ୍ରତିଯୋଗିତା। ବେଳେ ବେଳେ ମହିଳାଙ୍କ ଭିତରେ ଠେଲାପେଲା ଓ ମାରପିଟ୍ ହୋଇଥିବାର ନଜିର ରହିଛି। କେବଳ ପିଇବା ପାଇଁ ଏତେ ସଂଘର୍ଷ।
ଗାଧୋଇବା ବା ଅନ୍ୟାନ୍ୟ ନିତ୍ୟ କର୍ମ ପାଇଁ ସାହି ଲୋକଙ୍କୁ ପଡ଼ୋଶୀ ଗାଁକୁ ଯିବାକୁ ପଡ଼ୁଛି। ଏଥିରେ ବେଶୀ ଅସୁବିଧାରେ ବୟସ୍କ ଓ ପିଲାମାନେ ପଡୁଛନ୍ତି। ସେମାନେ ନାନା ଅସୁବିଧାରେ ପଡ଼ୁଛନ୍ତି। ଗାଁରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟା ଦୂର ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ପାଖରେ ବାରମ୍ୱାର ଗୁହାରୀ କରିଛନ୍ତି। ହେଲେ ନିଦା ବିଷ୍ଣୁ ସାଜିଛି ପ୍ରଶାସନ। ସେହି ପଞ୍ଚାୟତର ବେନ୍ଦ୍ରାବାହାଲ ଗାଁକୁ ପାନୀୟ ଜଳ ଯୋଗାଣ ହେଉଛି। ହେଲେ ପୋଢ଼ ପଡ଼ାର ଲୋକମାନେ ଶୋଷରେ ଜୀବନ ଅତିବାହିତ କରୁଛନ୍ତି।
ସୋମବାର ଗାଁର ମହିଳା, ପୁରୁଷମାନେ ନିଜର ପିଲା ଛୁଆଙ୍କୁ ଖଡ଼ିଆଳ ବ୍ଳକ୍ ଅଫିସ୍କୁ ଆସିଥିଲେ। ଦୀର୍ଘ ସମୟ ଧରି ଆନ୍ଦୋଳନ କରିଥିଲେ। ପାନୀୟ ଜଳ ଯୋଗାଇଦେବା ପାଇଁ ଦାବି କରିଥିଲେ। ମାତ୍ର ବିଡିଓ ଅଫିସ୍ ଆସିନଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ଗାଁ ଲୋକମାନେ ଫେରିଯାଇଥିଲେ। ଗାଁକୁ ଫେରିଲା ବେଳେ ଲୋକମାନେ କ୍ଷୋଭର ସହ କହିଛନ୍ତି, ଆମ ଗାଁରେ ଅନେକ ସମସ୍ୟା ରହିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଆମକୁ କିଛି ଦରକାର ନାହିଁ। କେବଳ ପାନୀୟ ଜଳ ଯୋଗାଇ ଦିଆଯାଉ ବୋଲି ଗାଁ ଲୋକେ କହିଛନ୍ତି।
ଗାଁର ଜଗତ ପୋଢ଼ କହିଛନ୍ତି, ଆମ ଗାଁରେ ପାନୀୟ ଜଳ ସମସ୍ୟା ରହିଛି। ଦୁଇଟି ନଳକୂପରୁ ଗୋଟିଏ ଶୁଖି ଯାଇଥିବା ବେଳେ ଅନ୍ୟଟିରୁ କମ୍ ପାଣି ବାହାରୁଛି। ତେଣୁ ପାଣି ଆମେ ବହୁ ଅସୁବିଧାରେ ପଡ଼ୁଛୁ। ଗତବର୍ଷ ସରପଞ୍ଚ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଥିଲେ। ସେ ଯେଉଁ ପାଣି ଯୋଗାଇଥିଲେ, ତାହା ପିଇବା ଯୋଗ୍ୟ ନଥିଲା। ତେଣୁ ଆମେ ଚାହୁଁଛୁ ଆମ ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯାଉ ବୋଲି ଶ୍ରୀ ପୋଢ଼ କହିଛନ୍ତି।
ଗାଁର ଆଉ ଜଣେ ମହିଳା କୁମାରୀ ପୋଢ଼ କହିଛନ୍ତି, ଆମ ଗାଁରେ ପାଣି ନାହିଁ। ଆମ କଥା କେହି ଶୁଣୁନାହାନ୍ତି। କେବଳ ନିର୍ବାଚନ ଆସିଲେ ନେତାମାନେ ଆସୁଛନ୍ତି ଓ ଭୋଟ୍ ମାଗୁଛନ୍ତି। ଭୋଟ୍ ସରିଗଲେ, ଆମ କଥା କେହି ଶୁଣୁନାହାନ୍ତି। ଆମର କିଛି ଦରକାର ନାହିଁ। ଆମକୁ ସପ୍ଲାଇ ପାଣି ଯୋଗାଇ ଦିଆଯାଉ ବୋଲି କୁମାର ପୋଢ଼ କହିଛନ୍ତି।
ରିପୋର୍ଟ-ଖଡ଼ିଆଳରୁ କୁନାଲ୍ ଚରଣ ବେହେରା
]]>ଲୁଟ୍ର ଶିକାର ହୋଇଥିବା ମହିଳାଙ୍କ ନାଁ ମଞ୍ଜୁଲତା ପାଳ। ତାଙ୍କ ଘର ଜଳେଶ୍ୱର ବ୍ଲକ୍ ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତର ପ୍ରହରାଜପୁର ଗାଁରେ। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ତାଙ୍କ ପଡ଼ୋଶୀ ବିଜୟ ମହାନ୍ତିଙ୍କ ସହିତ ଜଳେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାକୁ ଆସିଥିଲେ। କୌଣସି କାର୍ଯ୍ୟ ପାଇଁ ସେ ବ୍ୟାଙ୍କରୁ ୧ ଲକ୍ଷ ୫ ହଜାର ଟଙ୍କା ଉଠାଇ ଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ସେ ଗାଁ ଅଭିମୁଖେ ଫେରୁଥିବା ବେଳେ ଜଳେଶ୍ୱର ବଡ଼ବଜାର-ଅଗ୍ରୱାଲା ରାସ୍ତାର ଚନ୍ଦନା ପାଖରେ ଥିବା ପାର୍ବତୀ ଇଟାଭାଟି ନିକଟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କଠାରୁ ସମସ୍ତ ଟଙ୍କା ଲୁଟ୍ କରି ନେଇଥିଲେ।
ଉକ୍ତ କଳା ପଲସରରେ ୨ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନେ ହେଲ୍ମେଟ୍ ପିନ୍ଧିଥିଲେ। ସେମାନେ ପଛ ପଟୁ ଆସି ହଠାତ୍ ମଞ୍ଜୁଲତାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଥିଲେ। ଏହି ଘଟଣା ନେଇ ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ଜଳେଶ୍ୱରରୁ ଅଜିତ କୁମାର ଦାସଙ୍କ ରିପୋର୍ଟ
]]>ସୂଚନା ଅନୁସାରେ, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ ଦୀର୍ଘବର୍ଷ ଧରି ନିଜର ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ପ୍ରତିକୂଳ ପରିସ୍ଥିତିରେ ଦିନରାତି ପରିଶ୍ରମ କରୁଥିବା ସାମ୍ବାଦିକମାନେ ନିଜ ତଥା ପରିବାରର ନିରାପତ୍ତା ଓ ମୌଳିକ ଆବଶ୍ୟକତା ପୂରଣ ପାଇଁ ସରକାରୀ ସ୍ୱୀକୃତି ସହ ଅବସରକାଳୀନ ପେନସନ୍ ଦାବି କରିଆସୁଛନ୍ତି। ମାତ୍ର କାର୍ଯ୍ୟରତ ସାମ୍ବାଦିକଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ହେୟଜ୍ଞାନ ମନେ କରିଛନ୍ତି। ଯେଉଁଥିପାଇଁ ଦୀର୍ଘ ୧୮ବର୍ଷ ତଳେ ଅର୍ଥାତ୍ ୨୦୦୬ ମସିହାରେ ସାମ୍ବାଦିକମାନଙ୍କୁ ପେନସନ୍ ଦେବା ନିମନ୍ତେ ରାଜ୍ୟ ସରକାରଙ୍କସ୍ତରରେ ଯେଉଁ ତତ୍ପରତା ପ୍ରକାଶ ପାଇଥିଲା ତାହା ଏତେବର୍ଷ ପରେ ବି ବାସ୍ତବ ରୂପ ନେଇପାରିନି।
ନବୀନ ପଟ୍ଟନାୟକ ସରକାରଙ୍କ ଦ୍ୱିତୀୟ ପାଳିରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପେନସନ୍ ପ୍ରଦାନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ତତକାଳୀନ ବିଭାଗୀୟ ସଚିବ ୨୦୦୬ ଜାନୁୟାରୀ ୧୭, ୨୦୦୬ ଫେବୃୟାରୀ ୨୫ ଓ ୨୦୦୬ ଏପ୍ରିଲ ୨୯ତାରିଖରେ ସମସ୍ତ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକମାନଙ୍କୁ ଚିଠି ଲେଖି କାର୍ଯ୍ୟରତ ସାମ୍ବାଦିକମାନଙ୍କ ତାଲିକା ମାଗିଥିଲେ। ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ପେନସନ୍ ଯୋଜନା(ପାରସ୍ପରିକ ଭାଗିଦାରୀ) ଲାଗୁ କରିବାକୁ ଇଚ୍ଛୁକ ଥିବାରୁ ୧୫ଦିନ ମଧ୍ୟରେ ନିଜ ନିଜ ସଂସ୍ଥାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ତାଲିକା ଦେବାକୁ କହିଥିଲେ।
ତେବେ ଏହି ତାଲିକା ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ମାଲିକମାନେ ସେତେବେଳେ ଦେଲେ କି ନାହିଁ ତାହା ଜଣାପଡ଼ିନି। ମାତ୍ର ସରକାର ଯେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ପେନସନ୍ ଯୋଜନା ଲାଗୁ କରିବାକୁ ଚାହାଁନ୍ତି ତା’ର ସନ୍ଦେଶ ଦେଇଥିଲେ। କିନ୍ତୁ ଦୀର୍ଘବର୍ଷ ବିତିଯିବା ପରେ ମଧ୍ୟ ଏହି ପେନସନ ଯୋଜନାକୁ କାହିଁକି ଲାଗୁ କଲେନି ତାହା ବୁଝାପଡ଼ୁନି। ସାମ୍ବାଦିକମାନଙ୍କ ପ୍ରତି ସରକାରଙ୍କ ଅସୂୟା ମନୋଭାବ ଓ ସଂସ୍ଥାର ମାଲିକମାନଙ୍କ ଉପରେ ଚାପ ପକାଇ ନିଜ ମୁତାବକ କାର୍ଯ୍ୟ କରାଇ ନେବାର ଆଭିମୁଖ୍ୟ ଯୋଗୁ ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା ଓ ଭବିଷ୍ୟତ ବିପନ୍ନ ହୋଇପଡ଼ିଛି।
ଗୋଟିଏପଟେ ରାଜ୍ୟ ସରକାରଙ୍କ ପାଖରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୮ହଜାର ସାମ୍ବାଦିକମାନଙ୍କ ତାଲିକା ରହିଛି। ଯେଉଁମାନଙ୍କୁ ରାଜ୍ୟ ସରକାର ନିଜସ୍ୱ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ କରିଛନ୍ତି। ଏହି ସାମ୍ବାଦିକମାନଙ୍କ ପାଇଁ ସରକାର ଚାହିଁଲେ ପେନସନ୍ ଯୋଜନା କାର୍ଯ୍ୟକାରୀ କରିପାରନ୍ତେ। କୌଣସି ସାମ୍ବାଦିକ ୬୦ବର୍ଷ ବୟସ ଅତିକ୍ରମ କଲେ ତାଙ୍କୁ ସରକାର ପେନସନ୍ ସୁବିଧା ଦେଇପାରନ୍ତେ। ଯଦି ୨୦୦୬ ମସିହାରେ ସରକାର ଏଭଳି ଆନ୍ତରିକତା ଦେଖାଉଥିଲେ ତା’ହେଲେ ଏବେ ସେହି ସାମ୍ବାଦିକମାନଙ୍କ ତାଲିକା ଆଧାରରେ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାରେ ଅସୁବିଧା ରହିଲା କେଉଁଠି? ଏପରିକି ନିକଟରେ ବିଭିନ୍ନ ସାମ୍ବାଦିକ ସଂଗଠନ ଏନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଳେ। ମାତ୍ର ତାହା ସରକାରଙ୍କୁ ପ୍ରଭାବିତ କରିପାରିନଥିଲା।
ପଡ଼ୋଶୀ ରାଜ୍ୟଗୁଡ଼ିକରେ ସାମ୍ବାଦିକମାନଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ବିବେଚନା କରି ମୋଟା ଅଙ୍କର ଅବସରକାଳୀନ ପେନସନ ଓ ବିଭିନ୍ନ ପ୍ରକାରର ସୁବିଧାସୁଯୋଗ ଯୋଗାଇ ଦେଉଛନ୍ତି। କିନ୍ତୁ ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ପେନସନ ଯୋଜନା ଭଳି ନିଜସ୍ୱ ନିଷ୍ପତ୍ତିକୁ ନବୀନ ପଟ୍ଟନାୟକ ସରକାର ୧୮ବର୍ଷ ଧରି ଝୁଲାଇ ରଖିଛନ୍ତି। କରୋନା ମହାମାରୀ ଆଳରେ ସଚିବାଳୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପ୍ରବେଶକୁ ରାଜ୍ୟ ସରକାର ଦୀର୍ଘ ୪ବର୍ଷ ଧରି ବନ୍ଦ କରି ରଖିଛନ୍ତି। ସରକାରୀ ସଂସ୍ଥାରୁ ସାମ୍ବାଦିକମାନଙ୍କ ଖବର ସଂଗ୍ରହ ଉପରେ ଅଘୋଷିତ କଟକଣା ଜାରି କରିଥିବା ନବୀନ ପଟ୍ଟନାୟକ ସରକାରଙ୍କ ସଦବୁଦ୍ଧି ଉଦୟ ହେଉ ଓ ରାଜ୍ୟରେ ସାମ୍ବାଦିକମାନଙ୍କୁ ଉଚିତ୍ ସମ୍ମାନ କେବେ ମିଳୁ ବୋଲି ସାଧାରଣରେ ଦାବି ହେଉଛି।
]]>୧୪ ଦିନିଆ ନ୍ୟାୟିକ ହେପାଜତରେ ଥିବା ଏଲଭିଶ ଯାଦବଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି। ପଚରା ଉଚରା ବେଳେ ଏଲଭିଶ ଫାଜିଲପୁରିଆଙ୍କ ପାର୍ଟି କଥା ଉଠାଇଛନ୍ତି। ଫାଜିଲପୁରିଆଙ୍କ ପାର୍ଟିରେ ହିଁ ସାପ ସହ ଭିଡିଓ ତିଆରି କରିଥିବା କଥା ସ୍ୱୀକାର କରିଛନ୍ତି ଏଲଭିଶ।
ଫାଜିଲପୁରିଆଙ୍କ ନାଁ ସାମ୍ନାକୁ ଆସିବା ପରେ ନୋଏଡା ପୁଲିସ ତାଙ୍କୁ ନୋଟିସ ପଠାଇଛି। ତାଙ୍କୁ ପଚରାଉଚରା ପାଇଁ ଡାକାଯାଇଛି। ନିଷିଦ୍ଧ ସାପଙ୍କ ସହ ଏଲଭିଶ ଓ ଫାଜିଲପୁରିଆଙ୍କ ଅନେକ ଭିଡିଓ ସାମ୍ନାକୁ ଆସିଥିଲା? କେଉଁଠି କେଉଁଠି ରେବ୍ ପାର୍ଟି କରାଯାଇଥିଲା। କେଉଁଠି ଓ କିଏ ସାପର ବ୍ୟବହାର କରିଥିଲେ? କେଉଁ କେଉଁ ପାର୍ଟିରେ ନିଶା ପାଇଁ ସାପ ବିଷ ବ୍ୟବହାର ହୋଇଥିଲା? ଏହି ପ୍ରକାରର ପାର୍ଟି କିଏ ଆୟୋଜନ କରେ? ଏ ସମସ୍ତ ପ୍ରଶ୍ନର ଉତ୍ତର ଏବେ ନୋଏଡା ପୁଲିସ ଖୋଜୁଛି।
ରେବ୍ ପାର୍ଟିକୁ ସାପ ଏବଂ ସାପର ବିଷ ଯୋଗାଉଥିବା ଅଭିଯୋଗରେ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା ନୋଏଡା ପୁଲିସ। ପୂର୍ବରୁ ଏଭଳି ଆରୋପକୁ ଅସ୍ୱୀକାର କରୁଥିବା ଏଲଭିଶ ଗିରଫ ପରେ ସମସ୍ତ ଆରୋପକୁ ସ୍ୱୀକାର କରି ସାରିଛନ୍ତି।
ଏଲଭିଶ ଟଙ୍କା ଆୟ କରିବା ସହ ନିଜର ଫଲୋଅର୍ସଙ୍କ ସଂଖ୍ୟା ବଢ଼ାଇବା ପାଇଁ ପାର୍ଟିକୁ ସାପ ଏବଂ ସାପର ବିଷ ଯୋଗାଉଥିଲେ। ସେ କାହାକୁ ଡରନ୍ତି ନାହିଁ ଏବଂ ସେ ସମସ୍ତଙ୍କ ଉପରେ ରାଜ୍ କରନ୍ତି, ଏହି ଧାରଣା ନିଜ ପ୍ରଶଂସକ ମନରେ ଆଣିବା ପାଇଁ ଏଲଭିଶ ଏଭଳି କରୁଥିବା ଜଣାପଡିଛି।
]]>ମୃତ ଛାତ୍ରଙ୍କ ନାଁ ଈଶ୍ୱର ରାଓ। ତାଙ୍କ ଘର ନବରଙ୍ଗପୁର ସହରର ପଟେଲ ମାର୍ଗରେ। ତାଙ୍କ ବାପାଙ୍କ ନାଁ ଜି.ଶେଖର ରାଓ। ଆହତ ଛାତ୍ରଙ୍କ ନାଁ ଆକାଶ ଷଡ଼ଙ୍ଗୀ। ଉଭୟ ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ଯୁକ୍ତ ଦୁଇ ଶେଷ ବର୍ଷର ଛାତ୍ର।
ଆଜି ପରୀକ୍ଷାର ଶେଷ ଦିନ ଥିବା ବେଳେ ଉଭୟ ଈଶ୍ୱର ଓ ଆକାଶ ସ୍କୁଟି ଯୋଗେ ପାପଡ଼ାହାଣ୍ଡି ଯାଉଥିଲେ। ଉଭୟଙ୍କ ପରୀକ୍ଷାକେନ୍ଦ୍ର ପାପଡ଼ାହାଣ୍ଡି ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପଡ଼ିଥିଲା।
ସେମାନେ ପରୀକ୍ଷାକେନ୍ଦ୍ର ଅଭିମୁଖେ ଯାଉଥିବା ବେଳେ ପାପଡ଼ାହାଣ୍ଡି ସ୍ଥିତ ମୃଗ ବିହାର ନିକଟରେ ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଈଶ୍ୱର ରାଓଙ୍କର ମୃତ୍ୟୁ ଘଟିଥିଲା। ପାପଡ଼ାହାଣ୍ଡି ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏହା ସହିତ ପୁଲି ଘଟଣାର ତଦନ୍ତ କରୁଛି।
ଅନ୍ୟପକ୍ଷରେ ଆହତ ଆକାଶ ସାମାନ୍ୟ ଆହତ ହୋଇଛନ୍ତି। ପାପଡ଼ାହାଣ୍ଡି ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ଆକାଶ ପରୀକ୍ଷା ଦେଇଥିଲେ ବୋଲି ଜଣାପଡ଼ିଛି।
ନବରଙ୍ଗପୁରରୁ ନବଘନ ବିଷୋୟୀଙ୍କ ରିପୋର୍ଟ
]]>୪୦ ବର୍ଷ ବ୍ୟବଧାନରେ ତୃତୀୟ ଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କେନ୍ଦୁପାଲି ଗାଁରେ ଆୟୋଜିତ ହେଉଛି ୫୬ ପ୍ରହର ବିଶ୍ୱଶାନ୍ତି ନାମଯଜ୍ଞ। ଏହି ଅବସରରେ ନାମ ସଂକିର୍ତ୍ତନ ସହ ହୋମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଅଢେଇ କୋଟି ବ୍ୟୟରେ କେନ୍ଦୁପାଲି ଗ୍ରାମବାସୀଙ୍କ ଉଦ୍ୟମରେ ଆୟୋଜିତ ଏହି ବିଶ୍ୱଶାନ୍ତି ନାମଯଜ୍ଞ ୯ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଛି। ଅଞ୍ଚଳର ଶାନ୍ତି, ମୈତ୍ରୀ ଓ ସଂହତିର ବାର୍ତ୍ତା ନେଇ ଆୟୋଜିତ ଏଭଳି ଏକ ମହତ କାର୍ଯ୍ୟକ୍ରମର ସଫଳତା ନେଇ ଆୟୋଜକ ଖୁସିବ୍ୟକ୍ତ କରିଛନ୍ତି। ସେପଟେ ଜିଲ୍ଲାପାଳ ଅନ୍ୟା ଦାସ ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦୁପାଲି ଗ୍ରାମବାସୀଙ୍କୁ ପ୍ରଶଂସା କରିଛନ୍ତି।
ବିଶ୍ୱଶାନ୍ତି ନାମଯଜ୍ଞରେ ମନ ମୋହୁଛି ୯୦ ଫୁଟ ଉଚ୍ଚର କୁଞ୍ଜଘର। ୫୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ଏହି କୁଞ୍ଜଘରଟି ମୋଟର ଦ୍ୱାରା ଘୁରୁଛି। ଉପରେ ସତ୍ୟା ଯୁଗର ଚିତ୍ର ଓ ଚରିତ୍ର ରହିଥିବା ବେଳେ ତା’ ତଳକୁ ରହିଛି ତ୍ରେତୟା ଯୁଗର ଚିତ୍ର ଓ ଚରିତ୍ର। ତା’ ତଳକୁ ଦ୍ୱାପର ଯୁଗ ଏବଂ ତଳେ କଳିଯୁଗର ଚିତ୍ର ଓ ଚରିତ୍ରକୁ ସ୍ଥାନିତ କରାଯାଇଛି। ଏହି କୁଞ୍ଜ ଘରକୁ ନିର୍ମାଣ କରିବା ପାଇଁ ତିନିମାସ ସମୟ ଲାଗିଥିଲା।
ରିପୋର୍ଟ- ସୋନପୁରରୁ ରବୀନ୍ଦ୍ର ହୋତା
]]>ଆଜି ନୂଆଦିଲ୍ଲୀରେ ଏକ ଜାତୀୟ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡିର ଦ୍ୱିତୀୟ କ୍ଷମତାଶାଳୀ ନେତା ଭିକେ ପାଣ୍ଡିଆନ ମେଂଟକୁ ନେଇ ସିଧାସଳଖ କିଛି ପ୍ରତିକ୍ରିୟା ରଖିନାହାନ୍ତି। ମାତ୍ର ମେଂଟକୁ ନେଇ ଏକପ୍ରକାର ସ୍ପଷ୍ଟ ଚିତ୍ର ଦେଇଛନ୍ତି । ମେଂଟକୁ ନେଇ ଯାହା କିଛି ହେବ ତାହା ସମସ୍ତେ ଜାଣିବା ବୋଲି କହିଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟରେ ବିଜେଡିକୁ ନିର୍ବାଚନୀ ଗଣିତ ପାଇଁ ବିଜେପିର ଆବଶ୍ୟକତା ନାହିଁ । ସେହିପରି କେନ୍ଦ୍ରରେ ମଧ୍ୟ ସରକାର ଗଢ଼ିବା ପାଇଁ ବିଜେପିକୁ ବିଜେଡିର ସହଯୋଗ ଦରକାର ବୋଲି ସେ ଭାବୁନାହାନ୍ତି। ନବୀନ ପଟ୍ଟନାୟକଙ୍କୁ ପୁଣିଥରେ କ୍ଷମତାକୁ ଫେରିବା ଓ ଲୋକଙ୍କ ସେବା କରିବା ପାଇଁ ମେଂଟର ଆବଶ୍ୟକତା ନାହିଁ।
ବିଜେଡି କ୍ରମାଗତ ଭାବେ ରାଜ୍ୟରେ ତିନିଚତୁର୍ଥାଂଶ ଆସନ ଜିତିବାରେ ସକ୍ଷମ ହେଉଛି । ଗତ ପଂଚାୟତ ନିର୍ବାଚନରେ ୯୦ ପ୍ରତିଶତ ଆସନ ବିଜେଡିକୁ ମିଳିଥିଲା। ବିଜେପିକୁ ମାତ୍ର ୫ ପ୍ରତିଶତ ମିଳିଥିଲା । ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ ନେତା । ରାଜ୍ୟରେ ସରକାର ଗଢ଼ିବା ପାଇଁ ବିଜେଡିକୁ କାହା ସହ ମେଂଟ କରିବାର ଆବଶ୍ୟକତା ନାହିଁ । ସେହିପରି ସମସ୍ତ ସର୍ଭେ କହୁଛି କେନ୍ଦ୍ରରେ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ । କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବା ପାଇଁ ବିଜେଡିର ସହାୟତା ଦରକାର ପଡ଼ିବ ନାହିଁ । ତେଣୁ ନିର୍ବାଚନୀ ଗଣିତ ପାଇଁ ବିଜେଡି କିମ୍ବା ବିଜେପି ଉଭୟଙ୍କୁ ମେଂଟର ଆବଶ୍ୟକତା ନାହିଁ।
ତେବେ ଦୁଇ ମହାନ ନେତା(ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ) ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହୁଁଛନ୍ତି । ଦୁଇ ମହାନ ବ୍ୟକ୍ତିଙ୍କର ରାଷ୍ଟ୍ରନୀତି ଦୃଷ୍ଟିରୁ ଗୁରୁତ୍ୱ ରହିଛି । ଏହା ସହ ରାଜନୀତିର କୌଣସି ଦେଣନେଣ ନାହିଁ । ଏହାର ଭୋଟ୍ ଉଦ୍ଦେଶ୍ୟ ଉଭୟ ବିଜେଡି କିମ୍ବା ବିଜେପି ପାଇଁ ମଧ୍ୟ ନାହିଁ । ତେଣୁ ଏହା ଦୁଇ ବ୍ୟକ୍ତିଙ୍କର ପରସ୍ପର ମଧ୍ୟରେ ଥିବା ବନ୍ଧୁତ୍ୱ । ଯାହାକି ରାଜନୀତିରୁ ଊର୍ଦ୍ଧ୍ୱରେ। ଯାହାକି ବିରଳ ରାଷ୍ଟ୍ରନୀତି।
ସେ ନବୀନ ପଟ୍ଟନାୟକଙ୍କୁ ନିଜର ଗୁରୁ ବୋଲି ଅଭିହିତ କରିବା ସହ ତାଙ୍କର ଅନୁଗାମୀ ଭାବେ ତାଙ୍କୁ ସହାୟତା କରିବା ପାଇଁ ରାଜନୀତିରେ ସାମିଲ ହୋଇଥିବା କହିଛନ୍ତି । ରାଜ୍ୟରେ ନବୀନ ପଟ୍ଟନାୟକ ସରକାର ଏବେ ‘ଧାର୍ମିକ ଗଭର୍ଣ୍ଣାନ୍ସ’ରେ ବିଶ୍ୱାସ କରୁଛନ୍ତି । ତେଣୁ ସବୁ ଧର୍ମର ଲୋକଙ୍କ ବିଶ୍ୱାସ ସହ ଜଡ଼ିତ ଉପାସନାସ୍ଥଳୀର ପୁନରୁଦ୍ଧାର ଉପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିୟାନ, ଶିଖ୍ ଏପରିକି ଆଦିବାସୀଙ୍କ ପୂଜାସ୍ଥଳୀର ବିକାଶ ଦିଗରେ ସରକାର ପଦକ୍ଷେପ ନେଇଛନ୍ତି । ନବୀନ ପଟ୍ଟନାୟକ ସରକାର ସ୍ପିରିଚୁଆଲ ଗଭର୍ଣ୍ଣାନ୍ସରେ ବିଶ୍ୱାସ କରନ୍ତିି । ନବୀନଙ୍କ ପାଇଁ ଲୋକଙ୍କ ସେବା ହେଉଛି ଗୁରୁତ୍ୱପୂର୍ଣ୍ଣ ଓ ସେ ସର୍ବଦା ସେ ଦିଗରେ କାର୍ଯ୍ୟ କରିଥାନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି।
ତେବେ ମେଂଟକୁ ନେଇ ଯାହା ହେବ ତାହା ସମସ୍ତେ ଜାଣିବା ବୋଲି କହି ମେଂଟ ସସପେନ୍ସକୁ ପାଣ୍ଡିଆନ ଜାରି ରଖିବାକୁ ପ୍ରୟାସ କରିଛନ୍ତି।
ଅନ୍ୟପକ୍ଷରେ ଆଜି ବିଜେପିର ବରିଷ୍ଠ ବିଧାୟକ ପ୍ରଦୀପ କୁମାର ନାଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି । ବିଜେପି ଏକାକୀ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି । ସେଥିପାଇଁ ଗାଁକୁ ଚାଲ, ବୁଥକୁ ଚାଲ୍ ଭଳି ଅଭିଯାନ କରୁଛି। ନିଜେ ପ୍ରସ୍ତୁତ ନଥିଲେ କୌଣସି ସ୍ତରରେ ମେଂଟ ହେଲେ ଆଲୋଚନା କରିହେବ ନାହିଁ । ମେଂଟ ନିଷ୍ପତ୍ତି ରାଜ୍ୟ ଶାଖା କରିପାରିବ ନାହିଁ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ହିଁ ଚାହିଁଲେ ମେଂଟ ହୋଇପାରେ । ରାଜ୍ୟ ଯାହା ସ୍ଥିର କରିଛି ତାହା କେନ୍ଦ୍ରକୁ ଜଣାଇବାର ଆବଶ୍ୟକତା ଅଛି । ମେଂଟ ସମ୍ପର୍କରେ କିଛି କହିବାର ଅଧିକାର ମୋର ନାହିଁ । ରାଷ୍ଟ୍ରୀୟ ସଭାପତି ଓ ରାଜ୍ୟ ସଭାପତି ଯାହା କରିପାରିବେ ବୋଲି ଶ୍ରୀ ନାଏକ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଂଟକୁ ନେଇ ଗତ ୧୫ଦିନ ଧରି ଜୋରସୋରରେ ଚର୍ଚ୍ଚା ଚାଲିଥିଲେ ମଧ୍ୟ ଉଭୟ ଦଳର ଶୀର୍ଷ ନେତୃତ୍ୱ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ ଚିତ୍ର ରଖିବାରେ ସକ୍ଷମ ହୋଇନାହାନ୍ତି। ଯେଉଁଥିପାଇଁ ମେଂଟକୁ ନେଇ ଉଭୟ ଦଳର ନେତା ଓ କର୍ମୀ ଦ୍ୱନ୍ଦ୍ୱରେ ରହିଥିବା ଜଣାପଡ଼ିଛି।
]]>ରବିବାର ରାତିରେ ଏହି ଘଟଣା ଘଟିଛି। ବେଙ୍ଗାଲୁରୁର ଏକ ଘରୋଇ ସ୍କୁଲ ନିକଟରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ରାମେଶ୍ୱରମ୍ କାଫେରେ ବିସ୍ଫୋରଣ ହେବା ପରଠାରୁ ଆକ୍ସନ ମୁଡରେ ରହିଛି ପୁଲିସ। ଚାରିଆଡେ ସର୍ଚ୍ଚ ଜାରି ରଖିଛି। ଏହି କ୍ରମରେ ରବିବାର ରାତିରେ ରୁଟିନ୍ ପାଟ୍ରୋଲିଂ ବେଳେ ପୁଲିସ ସ୍କୁଲ ନିକଟରେ ଏକ ଟ୍ରାକ୍ଟର ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଟ୍ରାକ୍ଟରରେ ବିପୁଳ ସାମଗ୍ରୀ ଲଦା ହୋଇଥିଲା। ସନ୍ଦେହ ହେବାରୁ ଏହାକୁ ଅଟକାଇ ଚେକିଂ କରିଥିଲା ପୁଲିସ। ତେବେ ସର୍ଚ୍ଚ ବେଳେ ଟ୍ରାକ୍ଟରର କମ୍ପ୍ରୋସର ଭିତରୁ ଜିଲେଟିନ ଛଡ, ଡିଟୋନେଟର୍ସ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।
କେବଳ ସେତିକି ନୁହେଁ ଉକ୍ତ ଟ୍ରାକ୍ଟରର ଲାଇସେନ୍ସ ଓ ଉପଯୁକ୍ତ କାଗଜପତ୍ର ମଧ୍ୟ ନଥିଲା। ଏହା ପରେ ପୁଲିସ ଟ୍ରାକ୍ଟର ମାଲିକଙ୍କ ବିରୋଧରେ ଏକ ଏଫ୍ଆଇଆର୍ ରୁଜୁ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି।
କହିରଖୁ ଯେ, ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁର ପ୍ରସିଦ୍ଧ ରାମେଶ୍ୱରମ କାଫେରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣ ଆହତ ହୋଇଥିଲା। ପ୍ରଥମେ ସିଲିଣ୍ଡରରେ ନିଆଁ ଲାଗି ଏଠି ବିସ୍ଫୋରଣ ଘଟିଥିବା କୁହାଯାଉଥିଲା। କିନ୍ତୁ ତଦନ୍ତ ପରେ ପୁଲିସ ଓ ଏନ୍ଆଇଏ ଏଠାରେ ଆଇଇଡି ଜରିଆରେ ଜାଣିଶୁଣି ବିସ୍ଫୋରଣ କରାଯାଇଥିବା ଜାଣିବାକୁ ପାଇଥିଲେ। କର୍ଣ୍ଣାଟକ ପୁଲିସ ୟୁଏପିଏ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବା ଏହାର ତଦନ୍ତ ଭାର ଏନ୍ଆଇଏକୁ ଦିଆଯାଇଥିଲା। ଗତ ସପ୍ତାହରେ ଏନ୍ଆଇଏ ଏହି ମାମଲାରେ ଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି।
]]>ଆଜି ମଧ୍ୟାହ୍ନରେ ଝାଞ୍ଜିମୁଣ୍ତାରେ କାଳବୈଶାଖୀ ବର୍ଷା ହୋଇଥିଲା। ବର୍ଷା ଆରମ୍ଭ ହେବା ପୂର୍ବରୁ ହେମସିଂ ନିଜ ଇଟା ଭାଟିକୁ ଯାଇଥିଲେ। ସେ ଇଟାଗୁଡ଼ିକ ଉପରେ ପଲିଥିନ୍ ଘୋଡ଼ାଉ ଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ସେଠାରେ ହିଁ ହେମସିଂଙ୍କ ମୃତ୍ୟୁ ଘଟିଥିଲା। ସଦର ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ସୂଚନାଯୋଗ୍ୟ, ଗତକାଲି ବଜ୍ରପାତରେ ମୟୂରଭଞ୍ଜ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱରରେ ଟଳି ପଡ଼ିଥିଲେ ଜଣେ ଯୁବକ। ସେହିପରି ଏହି ଦୁଇ ଜିଲ୍ଲାରେ ବଜ୍ରପାତରେ ଦୁଇ ଜଣ ଆହତ ହୋଇଥିଲେ।
ନୂଆପଡ଼ାରୁ ମାୟାଧର ସରାଫଙ୍କ ରିପୋର୍ଟ
]]>ଚଳିତ ବର୍ଷ ମାର୍ଚ୍ଚ ୧୧ରେ କେନ୍ଦ୍ର ସରକାର ସିଏଏ ଲାଗୁ କରାଯିବା ନେଇ ଘୋଷଣା କରିଥିଲେ। ଏହି ଆଇନ ଅନୁସାରେ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ବ୍ୟକ୍ତିଙ୍କୁ ଭାରତର ନାଗରିକତା ମିଳିବ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ଥିବା ମୁସଲିମଙ୍କୁ ଛାଡ଼ି ଅନ୍ୟ ଦେଶର ନାଗରିକଙ୍କୁ ସରକାର ନାଗରିକତା ପ୍ରଦାନ କରିବେ।
ସେହିପରି ଗତବର୍ଷ ଭାରତରେ ରହୁଥିବା ଶରଣାର୍ଥୀ ଓ ଗତ ୧୪ ବର୍ଷ ମଧ୍ୟରେ ୫ ବର୍ଷ ଭାରତରେ ଜୀବନ କାଟିଥିବା ଲୋକଙ୍କୁ ମଧ୍ୟ ନାଗରିକତା ଦିଆଯିବ। ଏଥିରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଞ୍ଚଳକୁ ବାଦ ଦିଆଯାଇଛି। ଆଇନରେ ନିର୍ଦ୍ଦିଷ୍ଟ କିଛି ଧର୍ମ ଏବଂ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଭାରତର ନାଗରିକତା ପାଇଁ ଅନୁମତି ମିଳିନଥିବାରୁ କେତେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ଏହାକୁ ବିରୋଧ କରିଥିଲେ।
ଆଇନ କାର୍ଯ୍ୟକାରୀ ନେଇ ସରକାର ଘୋଷଣା କରିବା ପରେ କେତକ ବିରୋଧୀ ଦଳ ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।ସିଏଏ ସମ୍ବିଧାନର ବିରୋଧୀ ଏବଂ ଧର୍ମ ଆଧାରରେ ଭେଦଭାବ ସୃଷ୍ଟି କରୁଛି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଆବେଦନକାରୀଙ୍କ ମଧ୍ୟରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (କେରଳ ଭିତ୍ତିକ ରାଜନୈତିକ ଦଳ) ଏବଂ କଂଗ୍ରେସର ବିରୋଧୀଦଳର ନେତା ଜୟରାମ ରମେଶ ଏବଂ ତୃଣ ମୂଳର ମହୁଆ ମୋଇତ୍ର ସାମିଲ ଥିଲେ।
ଆଜି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରି ସ୍ଥଗିତାଦେଶ ଆବେଦନକୁ ଖାରଜ କରି ଦେଇଛନ୍ତି।
]]>ଝାଡଖଣ୍ଡ ବିଜେପିର ପ୍ରଦେଶ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ ଓ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାବଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସୀତା ସୋରେନ୍ ବିଜେପିରେ ସାମିଲ ହୋଇଛନ୍ତି। ଆଗକୁ ସେ ବିଜେପି ଟିକେଟ୍ରେ ଲୋକସଭା ନିର୍ବାଚନ ଲଢ଼ି ପାରନ୍ତି ବୋଲି କୁହାଯାଉଛି।
ବିଜେପିରେ ସାମିଲ ହେବା ପରେ ସୀତା ସୋରେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, 'ଆଜି ମୁଁ ବିଶାଳ ପରିବାରରେ ସାମିଲ ହୋଇଛି। ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରା ପୂରା ଭାରତ ଓ ବିଶ୍ୱକୁ ପ୍ରଭାବିତ କରୁଛି। ଚାରିଆଡେ ବିକାଶର କାର୍ଯ୍ୟ ଚାଲିଛି। ସମସ୍ତେ ମିଳିତ ଭାବେ ଦେଶର ବିକାଶରେ ସହଯୋଗ କରୁଛନ୍ତି। ଆଜି ସମସ୍ତେ ଏହି ପରିବାରରେ ଯୋଗ ଦେଉଛନ୍ତି। ଝାଡଖଣ୍ଡ ଆଜି ବି ବିକାଶ ଠାରୁ ବହୁ ଦୂରରେ। ଆମକୁ ଝାଡଖଣ୍ଡକୁ ବଞ୍ଚାଇବାକୁ ପଡିବ ଏବଂ ନ୍ୟାୟ ଦେବାକୁ ହେବ। ସେଥିପାଇଁ ମୁଁ ମୋଦି ଜି'ଙ୍କ ପରିବାରରେ ଯୋଗ ଦେଇଛି।'
ଦୁର୍ଗା ସୋରେନଙ୍କ ପତ୍ନୀ ସୀତା ସୋରେନ ଜେଏମଏମର ବିଧାୟକ ଥିଲେ। ସେ ତାଙ୍କର ଇସ୍ତଫାପତ୍ର ପାର୍ଟି ମୁଖ୍ୟ ଶିବୁ ସୋରେନଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ପରିବାର ଓ ପାର୍ଟି ଉପରେ ଅଣଦେଖା ଓ ଷଡଯନ୍ତ୍ର ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି।
]]>ମଣ୍ଟୁ ଓ ଟୁକୁନା ଆଜି ବାଇକ୍ ଯୋଗେ ଛେଳିଗଡ଼ରୁ ଆର.ଉଦୟଗିରି ଅଭିମୁଖେ ଯାଉଥିଲେ। ଡୁମ୍ବା ପାର୍କ ନିକଟରେ ବୁଲାଣି ରାସ୍ତାରେ ବାଇକ୍ଟି ଭାରସାମ୍ୟ ହରାଇ ଏକ ପୋଲରେ ପିଟି ହୋଇ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲା।
ମଣ୍ଟୁ ପାଲ ଓ ଟୁକୁନା ସିଂଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।
ମୋହନାରୁ ମିହିର ଜତିଙ୍କ ରିପୋର୍ଟ
]]>"ଏଲ୍ ଡୋରାଡୋ ଅଫ୍ ଦି ସି" ନାମରେ ନାମିତ ମର୍ଚାଣ୍ଟ ରୟାଲ୍ ଡାର୍ଟମାଉଥ ଅଭିମୁଖେ ଯାଉଥିବା ବେଳେ ୨୩ ସେପ୍ଟେମ୍ବର ୧୬୪୧ ମସିହାରେ କର୍ଣ୍ଣୱାଲ୍ ଉପକୂଳରେ ବୁଡ଼ି ଯାଇଥିଲା। ଖବର ଅନୁଯାୟୀ, ଏହି ଜାହାଜ କୋଟି କୋଟି ପାଉଣ୍ଡ ମୂଲ୍ୟର ସୁନା ଓ ରୂପା ନେଇ ଯାତ୍ରା କରୁଥିବା ଅନୁମାନ କରାଯାଏ। ବର୍ତ୍ତମାନ ଏହି ଜାହାଜର ଠାବ ପାଇଁ ଆରମ୍ଭ ହୋଇଛି ପ୍ରୟାସ।
ହଜି ଯାଇଥିବା ଜାହାଜର ଧ୍ୱଂସାବଶେଷ ଖୋଜିବାର କାର୍ଯ୍ୟ କରୁଥିବା କମ୍ପାନୀ ମଲ୍ଟିବିମ୍ ସର୍ଭିସେସ୍ ଏହି କାର୍ଯ୍ୟକରିବ। ଏହି କମ୍ପାନୀ ଗଭୀର ସମୁଦ୍ରର ୨୦୦ ବର୍ଗମାଇଲ୍ ଅଞ୍ଚଳରେ ଜାହଜର ସନ୍ଧାନ ପାଇଁ ଟେକ୍ନୋଲୋଜିର ସହାୟତା ନେବ। ସେମାନେ ନିଜ ସନ୍ଧାନରେ ମାନବ ବିହୀନ ଅଣ୍ଡରୱାଟର୍ ଭେସେଲ୍ ଏବଂ ଉନ୍ନତ ସୋନାର୍ ଟେକ୍ନୋଲୋଜି ବ୍ୟବହାର କରିବେ।
କମ୍ପାନୀର ମୁଖ୍ୟ ନିଗେଲ୍ ହୋଜ୍ ଏହି ସନ୍ଧାନର ଐତିହାସିକ ମହତ୍ତ୍ୱକୁ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ସନ୍ଧାନରେ ଯାହା ମିଳିବ ତାହାକୁ ଐତିହ୍ୟ ଭାବରେ ଗ୍ରହଣ କରାଯିବ। ଏଥିରୁ କେବଳ ସୁନା-ରୁପା ମିଳିବନି, ବରଂ କୋଟି କୋଟି ଟଙ୍କାର ଜାହାଜର ଧ୍ୱଂସାବଶେଷ ମିଳିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଏହି ସ୍ଥାନରେ କେବଳ ଯେ ମର୍ଚାଣ୍ଟ ରୟାଲ ବୁଡିଯାଇଛି ତାହା ନୁହେଁ, ଅନେକ ଜାହାଜ ଲୀନ ହୋଇଛି। ତେଣୁ କେଉଁଟା ମର୍ଚାଣ୍ଟର ଭଗ୍ନାବଶେଷ ତାହା ଚିହ୍ନଟ କରିବା କଷ୍ଟକର ହେବ। ଏହି ପ୍ରକ୍ରିୟା ସରଳ ନୁହେଁ, ଗଭୀର ଜଳସ୍ତର କାରଣରୁ ସନ୍ଧାନ କରିବା ଚ୍ୟାଲେଞ୍ଜିଂ ହେବ। ତଥାପି ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି କାରଣରୁ ଆମେ ସନ୍ଧାନ କରିବାରେ ସଫଳ ହେବୁ ବୋଲି ନିଗେଲ ଦାବି କରିଛନ୍ତି।
]]>ସୀତା ସୋରେନ କହିଛନ୍ତି, ମୁଁ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସକ୍ରିୟ ସଦସ୍ୟ। ବର୍ତ୍ତମାନ ମୁଁ ଦଳର ବିଧାୟକ ଅଛି। ଅତ୍ୟନ୍ତ ଦୁଃଖ ମନରେ ମୁଁ ମୋର ଇସ୍ତଫା ପତ୍ର ଦାଖଲ କରୁଛି। ମୋର ସ୍ୱାମୀ ସ୍ୱର୍ଗତ ଦୁର୍ଗା ସୋରେନ୍ ଝାଡଖଣ୍ଡ ଆନ୍ଦୋଳନର ଜଣେ ଅଗ୍ରଣୀ ଯୋଦ୍ଧା ତଥା ଜଣେ ମହାନ ବିପ୍ଳବୀ ଥିଲେ। ତାଙ୍କ ମୃତ୍ୟୁ ପରଠାରୁ ମୁଁ ଏବଂ ମୋ ପରିବାର କ୍ରମାଗତ ଅବହେଳାର ଶିକାର ହୋଇଛୁ। ଦଳ ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା ଆମକୁ ଅଲଗା କରାଯାଇଛି, ଯାହା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ।
ସେ ଆହୁରି କହିଛନ୍ତି, 'ମୁଁ ଆଶା କରିଥିଲି ସମୟ ସହିତ ଅବସ୍ଥା ସୁଧୁରିବ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ଘଟିଲା ନାହିଁ। ଦଳ ବର୍ତ୍ତମାନ ସେହି ଲୋକଙ୍କ ହାତକୁ ଚାଲିଯାଇଛି, ଯାହାର ଦୃଷ୍ଟିକୋଣ ଏବଂ ଉଦ୍ଦେଶ୍ୟ ଆମର ମୂଲ୍ୟବୋଧ ଏବଂ ଆଦର୍ଶ ସହିତ ମେଳ ଖାଉ ନାହିଁ। ଏହା ଦେଖି ମୁଁ ଅତ୍ୟନ୍ତ ଦୁଃଖିତ। ଏଥିପାଇଁ ମୁଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତଥା ଜେଏମ୍ଏମ୍କୁ ଛାଡିବା ପାଇଁ ନିଷ୍ପତ୍ତି ନେଇଛି।'
କହିରଖୁ ଯେ, ଜାନୁଆରୀ ୩୧ ତାରିଖରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ସେ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସେ ଫଶିଛନ୍ତି। ହେମନ୍ତ ସୋରେନ୍ ବର୍ତ୍ତମାନ ଜେଲରେ ଅଛନ୍ତି। ତେବେ ହେମନ୍ତ ସୋରେନ୍ ଜେଲ୍ ଯିବା ପରେ ଚମ୍ପାଇ ସୋରେନ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। କୁହାଯାଉଛି ଯେ ସୀତା ଦଳର ଏହି ନିଷ୍ପତ୍ତିରେ ପ୍ରଥମେ ଅସନ୍ତୁଷ୍ଟ ଥିଲେ। ପରେ ତାଙ୍କୁ ମନାଇ ଦିଆଯାଇଥିବା ଦାବି କରାଯାଇଥିଲା।
]]>ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଥିଲେ। ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାପରେ ବନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।
ଆସନ୍ତାକାଲିଠୁ ଶିମିଳିପାଳ କୁଲଡିହା ଅଭୟାରଣ୍ୟ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରାଯିବ ବୋଲି ଚେତାବନୀ ଦେଇଛି ବିଭାଗ। ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ କାଲି ସକାଳୁ ମିଳିତ କମ୍ୱିଂ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।
ଏହାସହ ବନ୍ୟପ୍ରାଣୀ ପିସିସିଏଫ୍ ଶିକାରୀଙ୍କୁ ଚେତାବନୀ ଦେବା ସହ ଅପିଲ କରିଛନ୍ତି ଯେ, ଯଦି କିଏ ଚୋରା ବନ୍ଧୁକ ରଖିଛନ୍ତି, ତୁରନ୍ତ ସରେଣ୍ଡର କରିଦିଅନ୍ତୁ। ନଚେତ ବନ ବିଭାଗ ପୂରା ସଜାଗ ରହିଛି, କାହାରିକୁ ଛଡାଯିବନି।
ସେହିପରି ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଶିକାରୀ ଗୁଳିରେ ଆହତ ହୋଇ SCBରେ ଚିକିତ୍ସିତ ହେଉଥିବା ଦୁଇ ବନ କର୍ମଚାରୀ ବିପଦମୁକ୍ତ ଅଛନ୍ତି । ଜଣଙ୍କ ଶରୀରରେ ଛରା ବନ୍ଧୁକର ଗୁଳି ଲାଗିଛି । ଅପରେସନ କରି ଗୁଳି ବାହାର କରାଯିବ।
]]>ପ୍ରଦୂଷିତ ଦେଶ ତାଲିକାର ତୃତୀୟ ସ୍ଥାନରେ ରହିଛି ଭାରତ। ଭାରତରେ PM2.5 ର ପରିମାଣ ୫୪.୪ ମାଇଗ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟର। ୧୩୪ ଦେଶ ମଧ୍ୟରୁ ବାଂଲାଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ପାକିସ୍ତାନ। ତୃତୀୟ ସ୍ଥାନରେ ରହିଛି ଭାରତ।
ଗତ ବର୍ଷ ଭାରତ ଅଷ୍ଟମ ସ୍ଥାନରେ ଥିଲା। ତେବେ ଚଳିତ ବର୍ଷ ଏହା ତୃତୀୟ ସ୍ଥାନକୁ ଉଠି ଆସିଛି। ଦିଲ୍ଲୀର ବାୟୁମଣ୍ଡଳରେ PM 2.5 ର ପରିମାଣ ହେଉଛି ପ୍ରତି କ୍ୟୁବିକ ମିଟରରେ ୮୯. ୧ ମାଇକ୍ରୋଗ୍ରାମ। ୨୦୧୮ରୁ ଲଗାତର ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟିର ବଦନାମ ମୁଣ୍ଡାଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ବିଶ୍ୱରେ ପ୍ରତିବର୍ଷ ପ୍ରାୟ ସାତ ଲକ୍ଷ ଅକାଳ ମୃତ୍ୟୁ ପାଇଁ ବାୟୁ ପ୍ରଦୂଷଣ ଦାୟୀ। PM2.5 ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ। ବଢ଼ୁଥିବା ପ୍ରଦୂଷଣ ପାଇଁ ଲୋକେ ଆଜମା, କ୍ୟାନସର, ଫୁସଫୁସ୍, ହାର୍ଟ ଆଟାକ ପରି ରୋଗର ଶିକାର ହେଉଛନ୍ତି।
]]>]]>
୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ସମୁଦ୍ର ଉପକୂଳରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ଜାହାଜ ବ୍ଲାକରୋଜ। ଏହି ଜାହାଜରେ ଥିଲା ୨୩,୫୦୦ ମେଟ୍ରିକ ଟନ୍ ଲୁହାପଥର। ଏଥିରେ ଜାହାଜର ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।
ଦୀର୍ଘ ଦିନ ଧରି ଜାହାଜଟି ସମୁଦ୍ରରେ ପଡ଼ି ରହିବାରୁ ସମୁଦ୍ରରେ ତେଲ ଭାସିଥିଲା। ହେଲେ ଏହି ଜାହାଜକୁ କୂଳକୁ ଆଣିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଏବେ ଜାହାଜଟି ପାଣିରେ ସମ୍ପୂର୍ଣ୍ଣ ବୁଡ଼ିଯାଇଛି।
ସିବିଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଛି, ବ୍ଲାକରୋଜ ସୋମାଲିଆର ଜାହାଜ ହୋଇଯାଇଥିବା ବେଳେ ଭାରତୀୟ ସମୁଦ୍ର ସୀମାରେ ବୁଡ଼ି ଯାଇଥିଲା।
ତେଣୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ଜାହାଜ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ୨୦୧୮ ମସିହାରେ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଥିଲା ଜାହାଜ ମନ୍ତ୍ରାଳୟ । ଏନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।
ଏହାପରେ ୨୦୧୯ ମସିହା ନଭେମ୍ବରରେ ସିବିଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇ ଥିଲା। କିଛି ମାସ ପରେ ପୁନର୍ବାର ଏକ ଚିଠି ଦିଆଯାଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଅନୁମତି ଦିଆଯାଇ ନ ଥିଲା।
ଅନ୍ୟ ଦେଶର ଜାହାଜ ଓଡ଼ିଶା ସୀମା ସମୁଦ୍ରରେ ବୁଡ଼ି ଯାଇଥିବା ବେଳେ ତା’ ସମ୍ପର୍କରେ ଅଧିକ ଖୋଳତାଡ଼ କରିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ନ ଥିଲେ। ଫଳରେ ରାଜ୍ୟ ସରକାର ଅନୁମତି ନ ଦେବାରୁ ସିବିଆଇ ତଦନ୍ତ ଆରମ୍ଭ ହୋଇ ପାରିନି। ଏନେଇ ଆଜି ସିବିଆଇ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।
ଆସନ୍ତା ଦୁଇ ସପ୍ତାହ ପରେ ପୁନର୍ବାର ହାଇକୋର୍ଟରେ ଉକ୍ତ ମାମଲାର ଶୁଣାଣି ହେବ । ଏନେଇ ହାଇକୋର୍ଟ କ’ଣ ରାୟ ପ୍ରକାଶ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।
]]>ବିକାଶ ସହାୟ ଗୁଜରାଟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରୁଥିବା ବେଳେ ଗତକାଲି ପଶ୍ଚିମବଙ୍ଗ ସରକାର ବିବେକ ସହାୟଙ୍କୁ ରାଜ୍ୟ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି।
କେବଳ ଯେ, ବିକାଶ ସହାୟ ଏବଂ ବିବେକ ସହାୟ ନୁହଁନ୍ତି ସେମାନଙ୍କ ବଡ଼ ଭାଇ ମଧ୍ୟ ଉଚ୍ଚ ପଦରେ ଅଛନ୍ତି। ଏହି ତିନି ଭାଇ ଏକାଠି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଭାଇ ଆଇପିଏସ ଏବଂ ଅନ୍ୟ ଜଣେ ଭାଇ ରେଭେନ୍ୟୁ ଇନିସ୍ପେକ୍ଟର। ସବୁଠୁ ବଡ଼ କଥା ହେଉଛି ଯେଉଁ ଦୁଇ ଭାଇ ଆଇପିଏସ ଚାକିରି ପାଇଥିଲେ, ସେମାନେ ଏବେ ଡିଜିପି ପାହ୍ୟାରେ।
ଭାରତୀୟ ରାଜସ୍ୱ ବିଭାଗ (ଇଣ୍ଡିଆନ ରେଭେନ୍ୟୁ ଇନିସ୍ପେକ୍ଟର)ରେ ନିଯୁକ୍ତି ପାଇଥିବା ବିକ୍ରମ ସହାୟ ତିନି ଭାଇଙ୍କ ମଧ୍ୟରେ ସବୁଠୁ ବଡ଼। ସେ ବର୍ତ୍ତମାନ ଦିଲ୍ଲୀର ଆୟକର ବିଭାଗରେ କାର୍ଯ୍ୟରତ। ମଝିଆ ଭାଇ ବିକାଶ ସହାୟ ୧୯୮୯ ବ୍ୟାଚ୍ ଏବଂ ବିବେକ ସହାୟ ୧୯୮୮ ବ୍ୟାଚର ଆଇପିଏସ୍ ଅଧିକାରୀ।
ସାନ ଭାଇଙ୍କୁ ଡିଜିପି ପାହ୍ୟା ମିଳିବା ପରେ ବିକାଶ ସହାୟ କହିଛନ୍ତି, ଆମେ ତିନି ଜଣ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ କରୁଥିଲୁ। ଦୁଇ ଭାଇ ଭାରତୀୟ ପୁଲିସ ସର୍ଭିସ୍ (ଆଇପିଏସ୍)ରେ ପ୍ରବେଶ କରିଥିବା ବେଳେ ବଡ଼ ଭାଇ ଭାରତୀୟ ରାଜସ୍ୱ ସେବାରେ ପ୍ରବେଶ କରିଥିଲେ। ଆମେ ଶେଷ ଥର ପାଇଁ ଗତ ବର୍ଷ ଭେଟିଥିଲୁ। ଆମେ ଯେତେବେଳେ ବି ଭେଟୁ ସାଧାରଣତଃ ପୁଲିସ ବିଭାଗ ସହ ଜଡିତ ବିଷୟ ଉପରେ ଆଲୋଚନା କରୁ ବୋଲି ବିକାଶ ସହାୟ କହିଛନ୍ତି।
ପ୍ରକାଶ ଥାଉ କି, ଗତକାଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପଶ୍ଚିମବଙ୍ଗ ଡିଜିପିଙ୍କୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ରାଜ୍ୟ ସରକାର ବିବେକ ସହାୟଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ବିବେକ ସହାୟ ପୂର୍ବରୁ ହୋମଗାର୍ଡର ମହାନିର୍ଦ୍ଦେଶକ ତଥା କମାଣ୍ଡାଣ୍ଟ ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ।
]]>
ଗତକାଲି ବିହାରର ଏନଡିଏ ମେଣ୍ଟର ସିଟ ଭାଗବଣ୍ଟା ଚୂଡ଼ାନ୍ତ ହୋଇଥିଲା। ଏଲଜେପିର ଚିରାଗ ପାଶ୍ୱାନଙ୍କ ଗୋଷ୍ଠୀକୁ ଅଂଶୀଦାର ଭାବେ ଗ୍ରହଣ କରି ୫ଟି ସିଟ୍ ଦିଆଯାଇଛି। କିନ୍ତୁ ପାରଶଙ୍କ ଗୋଷ୍ଠୀକୁ ଗୋଟିଏ ବି ସିଟ୍ ଦିଆଯାଇନଥିଲା, ଯଦିଓ ତାଙ୍କ ଗୋଷ୍ଠୀରେ ୫ ଜଣ ସାଂସଦ ଅଛନ୍ତି। ତେଣୁ ଏହାକୁ ନେଇ ପାରସ ଅସନ୍ତୁଷ୍ଠ ହୋଇ ଇସ୍ତଫା ଦେଇଛନ୍ତି। ସେ ଆରଜେଡି-କଂଗ୍ରେସ ମେଣ୍ଟରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।
ଇସ୍ତଫା ଦେବା ପରେ ପଶୁପତି ପାରସ କହିଛନ୍ତି, 'ଏନ୍ଡିଏ ମିଳିତ ମଞ୍ଚର ଘୋଷଣା ହୋଇସାରିଛି ଏବଂ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଉଛି। କିନ୍ତୁ ମୋ ତଥା ମୋ ଦଳ ପ୍ରତି ଅନ୍ୟାୟ କରାଯାଇଛି। ଏହି କାରଣରୁ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି।'
ଗତ ନିର୍ବାଚନ ବେଳେ ଏନଡିଏ ମେଣ୍ଟରେ ଥାଇ ମଧ୍ୟ ବିହାରରେ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେଇଥିଲେ ଚିରାଗ। ଏହା ଦ୍ୱାରା ନୀତୀଶ କୁମାରଙ୍କୁ ବହୁତ ଘାଟା ହୋଇଥିଲା। ଏପରିକି ତାଙ୍କ ବିଧାୟକ ସଂଖ୍ୟା ୫୦ ବି ଡେଇଁ ପାରିନଥିଲା। ପରେ କିନ୍ତୁ ଚିରାଗ ବଦଳରେ ତାଙ୍କ କାକା ପଶୁପତି ପାରସଙ୍କୁ ନିଜ ସହଯୋଗୀ ଭାବେ ବାଛିଥିଲା ବିଜେପି। କେନ୍ଦ୍ରରେ ତାଙ୍କୁ ମନ୍ତ୍ରୀ ବି କରାଯାଇଥିଲା।
ଏଲଜେପିକୁ ଭାଗ କରି ନିଜ ପଟକୁ ଅନେକ ନେତାଙ୍କୁ ଆଣି ବିଜେପିର ସହଯୋଗୀ ହୋଇଥିଲେ ପାରସ। କିନ୍ତୁ କିଛି ମାସ ପରେ ପରିସ୍ଥିତି ବଦଳି ଯାଇଥିଲା। ପୂରା ବିହାରରେ ପଦଯାତ୍ରା କରି ରାମବିଳାସ ପାଶ୍ୱାନ ପ୍ରକୃତ ଦାୟାଦ ଭାବେ ନିଜକୁ ପ୍ରତିପାଦିତ କରିଥିଲେ ଚିରାଗ ପାଶ୍ୱାନ। ତେଣୁ ନିର୍ବାଚନୀ ଫାଇଦାକୁ ନେଇ ପୁତୁରାକୁ ବିଜେପି ପସନ୍ଦ କରିଥିବା ବେଳେ କାକାଙ୍କୁ ଛାଡ଼ି ଦେଇଛି।
]]>ଏହା ପୂର୍ବରୁ ସୁପ୍ରିମକୋର୍ଟ ଯୋଗଗୁରୁ ରାମଦେବଙ୍କୁ ନୋଟିସ ଜାରି କରି କୋର୍ଟକୁ ଡାକିଥିଲେ। ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ ତିନି ସପ୍ତାହ ମଧ୍ୟରେ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କଠାରୁ କୋର୍ଟ ଉତ୍ତର ମାଗିଥିଲେ। ଏହା ବ୍ୟତୀତ ସୁପ୍ରିମକୋର୍ଟ ପତଞ୍ଜଳିର ବିଜ୍ଞାପନ ପ୍ରକାଶ କରିବା ଉପରେ ମଧ୍ୟ ରୋକ ଲଗାଇ ଦେଇଥିଲେ।
ପ୍ରକୃତରେ ପତଞ୍ଜଳି ଆର୍ୟୁବେଦ କୋର୍ଟକୁ ଏକ ଅଣ୍ଡରଟେକିଂ ଲେଖିକି ଦେଇଥିଲା। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସେ ବିଜ୍ଞାପନ ପ୍ରକାଶିତ କରିଥିଲା। ଏଭଳି ପରିସ୍ଥିତିରେ ଜଷ୍ଟିସ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଉଲ୍ଲାଙ୍କ ବେଞ୍ଚ ଅସନ୍ତୋଷ ବ୍ୟକ୍ତ କରି ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କଠାରୁ ଜବାବା ମାଗିଥିଲେ। କିନ୍ତୁ ଯେତେବେଳେ କୌଣସି ଉତ୍ତର ମିଳିନଥିଲା, ସେତେବେଳେ କୋର୍ଟ ଉଭୟଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉଭୟଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଛନ୍ତି।
କୋର୍ଟ କହିଛନ୍ତି, ଆମେ ପତଞ୍ଜଳିର ବିଜ୍ଞାପନ ଦେଖିଛୁ। ଅଦାଲତରେ ଦିଆଯାଇଥିବା ଅଣ୍ଡରଟେକିଂକୁ ଦୃଷ୍ଟିରେ ରଖି ରାମଦେବଙ୍କୁ ତାଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା କାହିଁକି ଆରମ୍ଭ କରାଯିବା ଉଚିତ ନୁହେଁ ତାହା କହିବାକୁ ହେବ। ସେ ଡ୍ରଗ୍ସ ଏବଂ ମ୍ୟାଜିକ୍ ରେମେଡିଜ୍ ଆକ୍ଟ ୧୯୫୪କୁ ମଧ୍ୟ ଉଲ୍ଲଂଘନ କରିଛନ୍ତି। ଏହି ଆଇନର ଧାରା ୩ ରକ୍ତଚାପ, ମଧୁମେହ, ଆର୍ଥ୍ରାଇଟିସ୍, ଆଜମା ଇତ୍ୟାଦି ରୋଗ ଦୂର କରିବା ପାଇଁ ପ୍ରଚାରକୁ ବାରଣ କରିଛି।
ପତଞ୍ଜଳିଙ୍କ ତରଫରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟକୁ କହିଛନ୍ତି ଯେ ପତଞ୍ଜଳି ସହିତ ବାବା ରାମଦେବଙ୍କର କୌଣସି ସମ୍ପର୍କ ନାହିଁ। କୋର୍ଟ ସେମାନଙ୍କ କଥା ଶୁଣିବା ଉଚିତ୍। ଏହା ଉପରେ ବେଞ୍ଚ କହିଛନ୍ତି, ବାବା ରାମଦେବ ଆମ ନିର୍ଦ୍ଦେଶ ପରେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତାଙ୍କୁ କେବଳ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ତାଙ୍କୁ ଏହାର ଉତ୍ତର ଦେବାକୁ ଦିଅନ୍ତୁ।
ବାସ୍ତବରେ ଭାରତୀୟ ମେଡିକାଲ୍ ଆସୋସିଏସନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି କହିଥିଲେ ଯେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନ ମିଥ୍ୟା ଦାବି କରୁଛି ଏବଂ ଏହା ବିଭ୍ରାନ୍ତିକର ବୋଲି ଅଭିଯୋଗ କରିଥିଲା।
]]>ଗତକାଲି ବନ୍ଧମୁଣ୍ଡା ଅଞ୍ଚଳର ୮ ଛାତ୍ର ପିକନିକ୍ କରିବାକୁ କୋଏଲ ନଦୀ କୂଳକୁ ଯାଇଥିଲେ। ସେମାନେ ସମସ୍ତେ ବନ୍ଧମୁଣ୍ଡା ଅଞ୍ଚଳର ଏକ ଆଇଟିଆଇ କଲେଜ ଛାତ୍ର।
ଘରୁ ସମସ୍ତେ କଲେଜ ଯିବାକୁ ବାହାରିଥିଲେ। ମାତ୍ର କଲେଜ ନ ଯାଇ କୋଏଲ ନଦୀ କୂଳକୁ ପିକ୍ନିକ୍ କରିବାକୁ ଯାଇଥିଲେ। ଖିଆପିଆ କରିବା ପରେ ସମସ୍ତେ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ।
ନଦୀରେ ପାଣି ଶୁଖିଯାଇଥିବା ବେଳେ ଚୋରା ବାଲି ହେଲା କାଳ। ଦୁଇ ସାଙ୍ଗ ପାଣିରେ ବୁଡ଼ି ଯାଇଥିବା ବେଳେ ଅନ୍ୟମାନେ ସେମାନଙ୍କ ପତ୍ତା ପାଇ ପାରି ନ ଥିଲେ। ଏହାପରେ ପିଲାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଅଗ୍ନିଶମ ବିଭାଗ ଓ ପୁଲିସ୍କୁ ଖବର ଦେଇଥିଲେ।
ଅଗ୍ନିଶମ କର୍ମଚାରୀ ଗତ କାଲି ପହଞ୍ଚି ସଙ୍ଗେସଙ୍ଗେ ଖୋଜାଖୋଜି କରି ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ଆଜି ପୁଣି ଥରେ ଖୋଜାଖୋଜି ଆରମ୍ଭ ହୋଇ ଆଉ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ପୁଲିସ୍ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ଉଭୟ ଛାତ୍ରଙ୍କ ପରିବାର ପହଞ୍ଚିଥିବା ବେଳେ ସେମାନଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ।
କୋଏଲ ନଦୀର ଉକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପାଣିରେ ବୁଡ଼ି ଗତ କିଛି ବର୍ଷ ମଧ୍ୟରେ ଶହେରୁ ଊର୍ଦ୍ଧ୍ୱ ଜଣଙ୍କ ଜୀବନ ଗଲାଣି। ତେଣୁ ପାଣି ଭିତରକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ତଥା ପୁଲିସ୍ ପକ୍ଷରୁ ସଚେତନତା କରାଯାଉଥିଲେ ବି କୌଣସି ଫରକ ପଡ଼ୁଥିବା ପରି ଅନୁଭବ ହେଉନାହିଁ। ଏ ଦିଗରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
]]>ମୃତ ମହିଳା ଜଣକ ହେଉଛନ୍ତି ଆଂଶିକା କେଶରୱାନୀ। ସେ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ। ଗତକାଲି ଶାଶୁଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଆଂଶିକାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ତାଙ୍କ ବାପଘର ଲୋକେ ଶାଶୁଘରେ ପହଞ୍ଚି ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଥିଲେ।
ଆଂଶିକାଙ୍କ ଆତ୍ମହତ୍ୟା ପାଇଁ ସେମାନେ ଶାଶୁଘର ଲୋକଙ୍କୁ ଦାୟୀ କରିଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଝଗଡ଼ା ବଢିବା ପରେ ବାପଘର ଲୋକେ ଉତ୍ତ୍ୟକ୍ତ ହୋଇ ଶାଶୁଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ଶାଶୁ ଓ ଶ୍ୱଶୁର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।
ପ୍ରୟାଗରାଜ ଡେପୁଟି ପୁଲିସ କମିଶନର ଦୀପକ ଭୁକେର କହିଛନ୍ତି ଯେ, ଗତକାଲି ରାତି ୧୧ଟାରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ସେମାନେ ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁଇ ପରିବାର ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଚାଲିଥିଲା। ଏହାପରେ ମୃତ ମହିଳାଙ୍କ ବାପଘର ଲୋକ ଶାଶୁଘରେ ନିଆଁ ଲଗାଇ ଦେଇଥିଲେ।
ତୁରନ୍ତ ପାଞ୍ଚ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ରାତି ପ୍ରାୟ ତିନିଟା ସମୟରେ ନିଆଁକୁ ଆୟତ୍ତ କରାଯିବା ପରେ ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ଆଂଶିକାଙ୍କ ଶାଶୁ ଓ ଶ୍ୱଶୁର ବୋଲି ଜଣାପଡିଛି। ଏନେଇ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଡେପୁଟି କମିଶନର କହିଛନ୍ତି।
]]>दिनांक 18/19.03.2024 को थाना मुठ्ठीगंज क्षेत्रांतर्गत घटित घटना के संबंध में पुलिस उपायुक्त नगर @deepakbhuker द्वारा दी गयी बाइट- pic.twitter.com/0FOP11kDwe
— DCP CITY PRAYAGRAJ (@DCPCityPrj) March 19, 2024
ଗତକାଲି ପ୍ରାୟ ୧୭ଟି ଟ୍ରଲରରେ ଜଳ ଦସ୍ୟୁମାନେ ହୁକିଟୋଲା ଫ୍ରଣ୍ଟ ନିଷିଦ୍ଧାଞ୍ଚଳକୁ ଯାଇ ବେଆଇନ ଭାବେ ମାଛ ମାରୁଥିଲେ। ଏହାଦେଖି ସମୁଦ୍ର ମଝିରେ ପାଟ୍ରୋଲିଂ କରୁଥିବା ୧୧ ଜଣିଆ ଟିମ୍ ଏକ ଟ୍ରଲରରେ ସେଠାରେ ପହଞ୍ଚିଥିଲେ। ବନ କର୍ମଚାରୀ ଜଳଦସ୍ୟୁଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ଜଳଦସ୍ୟୁମାନେ ଆକ୍ରାତ୍ମକ ହୋଇ ଉଠିଲେ।
୧୭ଟି ଟ୍ରଲରର ଚକ୍ରବ୍ୟୁହ ଭିତରେ ଫସିଗଲା ବନ କର୍ମଚାରୀଙ୍କ ଟ୍ରଲର। ଏହାପରେ ଜଳଦସ୍ୟୁମାନେ ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ବେଳେ ବନ କର୍ମଚାରୀମାନେ ଫାଙ୍କା ଗୁଳି ଚାଳନା କରି ଜୀବନ ବିକଳରେ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିଲେ।
ଏନେଇ ଟ୍ରଲର ମାଲିକଙ୍କ ନାମରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପୁଲିସ୍ କେବଳ ଘଟଣାସ୍ଥଳ ବୁଲି ଆସି ତଦନ୍ତ ସାରିଛି। ତେବେ ଅଭିଯୁକ୍ତଙ୍କ ପତ୍ତା ମିଳି ପାରିନି।
ପ୍ରତି ବର୍ଷ ନଭେମ୍ବର ୧ରୁ ମେ ୧ ଯାଏ ଗହୀରମଥା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଏ। ଏହି ସମୟରେ କଇଁଛମାନଙ୍କର ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ମାତ୍ର ଏହି ସମୟରେ ଜଳଦସ୍ୟୁମାନେ ଏଠାରେ ଅନୁପ୍ରବେଶ କରି ବେଆଇନ ଭାବ ମାଛ ଧରିଥାନ୍ତି।
ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ କି ଅଯନ୍ତ୍ରପାତି ନାହିଁ ସେମାଙ୍କ ସହ ଲଢ଼ିବା ପାଇଁ । ପୁଲିସ୍ ସୁରକ୍ଷାରେ ସେମାନେ ଭିତରକୁ ଯାଇଥାନ୍ତି।
ମଝି ସମୁଦ୍ରରେ ଜଳଦସ୍ୟୁ ଓ ବନ କର୍ମଚାରୀ ଏପରି ମୁହାଁମୁହିଁ ହେବା ନୂଆ କଥା ନୁହଁ। ଗତ ୭ ତାରିଖରେ ଫାଙ୍କା ଗୁଳି ଚାଳନା କରି ଜଳ ଦସ୍ୟୁଙ୍କ କବଳରୁ ବନ କର୍ମଚାରୀ ମଝି ସମୁଦ୍ରରୁ ମୁକୁଳିଥିଲେ। ଏହାପରେ ୧୪ ତାରିଖରେ ଓ ଗତକାଲି ବି ସମାନ ଘଟଣା ଘଟିଛି। ନିଜ ଜୀବନକୁ ପାଣି ଛଡ଼ାଇ ସମୁଦ୍ର ମଝିକୁ ଯାଉଥିବା ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ତିଳେ ମାତ୍ର ତତ୍ପରତା ପ୍ରକାଶ କରୁ ନ ଥିବା ଅଭିଯୋଗ ହେଉଛି।
ଏନେଇ ରାଜନଗର ବନ ଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଚାନ୍ଦ କହିଛନ୍ତି, ପାଖାପାଖି ୧୦,୧୨ ଟ୍ରଲର ଏକତ୍ରିତ ଭାବେ ମାଛ ଧରୁଥିଲେ। ସେଠାରେ ବନ କର୍ମଚାରୀ ପହଞ୍ଚିବାରୁ ସେମାନେ ତାଙ୍କୁ ଗୋଡ଼ାଇଥିଲେ। ଫଳର ବନ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ରହୁଛି।
ଏଥିସହ ଟ୍ରଲରର ମାଛ ମାରିବାକୁ ଆସିଥିବା ଜଳଦସ୍ୟୁ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବୋଲି ଜଣାଯାଇଛି। ଗହିରମଥା ଅଞ୍ଚଳରେ ବନ କର୍ମଚାରୀ ସବୁବେଳେ ପହରା ଦେଉଥିବା ବେଳେ ସେମାନେ ମାଛ ମାରିବାକୁ ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଫଳରେ ଅଧିକାଂଶ ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।
ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ
]]>ଆଜି ବିଜେପି ଏବଂ ପିଏମକେ ମଧ୍ୟରେ ବୈଠକ ବସିଥିଲା। ଏଥିରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି କେ ଅନ୍ନାମଲାଇ ଏବଂ କେନ୍ଦ୍ର ମନ୍ତ୍ରୀ ଏଲ୍ ମୁରୁଗାନ୍ ଉପସ୍ଥିତ ଥିବାବେଳେ ପିଏମକେ ପକ୍ଷରୁ ଦଳର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡ. ଏସ ରାମାଦୋସ ଯୋଗ ଦେଇଥିଲେ।
ଏହି ଆଲୋଚନା ସମୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଦୁଳ ଦଳ ପକ୍ଷରୁ ଏନେଇ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମୋଟ୍ ୩୯ ଲୋକସଭା ଆସନରୁ ପିଏମକେକୁ ୧୦ ଆସନ ଦିଆଯାଇଥିବା ଅନ୍ନାମଲାଇ କହିଛନ୍ତି।
ପ୍ରକାଶ ଥାଉ କି, ଆଞ୍ଚଳିକ ଗଳ ପିଏମକେ ୧୦ ବର୍ଷ ହେବ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛି। ଏହି ଦଳ ଏନଡିଏ ସହ ମିଳିତ ଭାବେ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନ ଲଢିଥିଲା।
]]>ଗଢ଼ଚିରୋଲି ଏସପିଙ୍କ ସୂଚନା ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ହମଲା କରିବା ଉଦ୍ଦେଶ୍ୟରେ ତେଲଙ୍ଗାନାରୁ କିଛି ନକ୍ସଲମାନେ ଗଢ଼ଚିରୋଲିରେ ପ୍ରବେଶ କରିଥିଲେ। ଏନେଇ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଥିଲା।
୬୦ ଜଣ କମାଣ୍ଡ, ଗଢ଼ଚିରୋଲିର ଏକ ସ୍ୱତନ୍ତ୍ର ୟୁନିଟ୍ ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସର କୁଇକ୍ ଆକ୍ସନ୍ ଟିମକୁ ସେଠାକୁ ପଠାଯାଇଥିଲା।ଆଜି ସକାଳେ ରେପାନପାଲୀ ନିକଟ କୋଲାମାର୍କା ପର୍ବତରେ କମାଣ୍ଡ ଟିମ୍ ଖୋଜାଖୋଜି କରୁଥିବାବେଳେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ କମାଣ୍ଡମାନଙ୍କ ପାଲଟା ଗୁଳିମାଡ଼ରେ ଚାରି ଜଣ ନକ୍ସଲ ନିପାତ ହୋଇଛନ୍ତି।।
ଗୁଳିବିନିମୟ ଥମିବା ପରେ ସେଠାରୁ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି। ମୃତ ନକ୍ସଲମାନେ ଭର୍ଗୀଶ, ମଗ୍ଟୁ, କୁରସଙ୍ଗ ରାଜୁ ଏବଂ କୁଡିମେଟା ଭେଙ୍କଟେଶ ବୋଲି ପୁଲିସ କହିଛି। ସେମାନଙ୍କଠାରୁ AK-୪୭ ବନ୍ଧୁକ, କାର୍ବାଇନ୍, ଦୁଇଟି ପିସ୍ତଲ ସମେତ ଅନ୍ୟାନ୍ୟ ନକ୍ସଲ ସାମଗ୍ରୀ ମଧ୍ୟ ଜବତ ହୋଇଛି।
]]>
ରାଜଧାନୀରେ ଟ୍ରାଫିକ ପୋଷ୍ଟର ରେଡ୍ ସିଗ୍ନାଲ ଡେଇଁଲେ ଆଉ ତ୍ରାହି ନାହିଁ। କେବଳ ଯେ ୩ ମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ ବା DL ବାତିଲ୍ ହେବ ତା ନୁହେଁ, ଗାଡ଼ିକୁ ସିଧାସଳଖ କୋର୍ଟଚାଲାଣ କରାଯିବ। ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏହି ସୂଚନା ଦେଇଛନ୍ତି।
ଟ୍ରାଫିକ ସଚେତନତାକୁ ଜୋରଦାର କରିବାକୁ ଯାଇ ଏପରି ନୂଆ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୁଲିସ୍। ଏହି କ୍ରମରେ ଅଭ୍ୟାସଗତ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ।
ରାଜଧାନୀର ପ୍ରବେଶ ପଥ ତଥା ଜନଗହଳିପୂର୍ଣ୍ଣ ଟ୍ରାଫିକ ଛକରେ ପ୍ରଥମେ ଏହି ନିୟମକୁ କଡ଼ାକଡ଼ି କରାଯାଇଛି। ପରେ ଏହାକୁ ସମଗ୍ର ରାଜଧାନୀରେ ଲାଗୁ କରାଯିବ ।
ଖାଲି ସେତିକି ନୁହେଁ, ଗାଡ଼ି ସହ ଡିଏଲ୍କୁ ସିଜ୍ କରାଯାଇ ସିଧା କୋର୍ଟଚାଲାଣ କରି ଦିଆଯିବ ।ଏଥିସହ ୩ ମାସ ଯାଏଁ ଡିଏଲ୍ ବାତିଲ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଟ୍ରାଫିକ୍ ଡିସିପି।
ଭୁବନେଶ୍ୱର ଟ୍ରାଫିକ ଡିସିପି ପି.କେ.ରାଉତ କହିଛନ୍ତି, ଯିଏ ରେଡ ଲାଇଟ୍ଯିଏ ଡେଇଁବ, ତା’ ଗାଡ଼ି ସିଜ୍ ହେବ ଡିଏଲ୍ ସିଜ୍ ହେବ । କୋର୍ଟ ଯାଇ ସେମାନେ ତାହାକୁ ମୁକୁଳାଇବେ। ଡିଏଲ୍ ସିଜ୍ ହେବା ପରେ ତାହାକୁ ସସ୍ପେଣ୍ଡ କରିବାକୁ ଆରଟିଓକୁ ପଠାଇବୁ।
]]>ସୂଚନା ଅନୁସାରେ, ସିଏଏ ବିରୁଦ୍ଧରେ ସର୍ବୋଚ୍ଚ ଅଦାଲତରେ ୨୦୦ରୁ ଅଧିକ ଆବେଦନ ହୋଇଛି। ଆଜି କୋର୍ଟ ଏ ଉପରେ ଶୁଣାଣି କରିବେ। କଂଗ୍ରେସ ଏବଂ ଆପ୍ ସମେତ ଅନେକ ବିରୋଧୀ ଦଳ ନାଗରିକତା ଆଇନକୁ ବିରୋଧ କରୁଛନ୍ତି। ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ସିଏଏ ସମ୍ବିଧାନର ବିରୋଧୀ ଏବଂ ଧର୍ମ ଆଧାରରେ ଭେଦଭାବ ସୃଷ୍ଟି କରୁଛି।
୧୧ ନଭେମ୍ବର ୨୦୧୯ରେ ସଂସଦରେ ସିଟିଜନ ଆମେଣ୍ଟମେଣ୍ଟ ଆକ୍ଟ ବା ସିଏଏ ବିଲ୍ ପାରିତ ହୋଇଥିଲା। ଏହାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ବିଲ୍ ଆଇନରେ ପରିଣତ ହୋଇଥିଲା। କିନ୍ତୁ ସେବେଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲା। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଅନେକ ରାଜନୈତିକ ସଂଗଠନ ଏହାକୁ ବିରୁଦ୍ଧ କରିଥିଲେ। ସେତେବେଳେ ଆଇନ ବିରୁଦ୍ଧରେ ଅନେକ ଆବେଦନ ଦାଖଲ କରାଯାଇଥିଲା।
ଚଳିତ ବର୍ଷ ମାର୍ଚ୍ଚ ୧୧ରେ କେନ୍ଦ୍ର ସରକାର ଆଇନ ଲାଗୁ କରାଯିବା ନେଇ ଘୋଷଣା କରିଛନ୍ତି। ଏହି ଆଇନ ଅନୁସାରେ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ବ୍ୟକ୍ତିଙ୍କୁ ଭାରତର ନାଗରିକତା ମିଳିବ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ଥିବା ମୁସଲିମଙ୍କୁ ଛାଡ଼ି ଅନ୍ୟ ଦେଶର ନାଗରିକଙ୍କୁ ସରକାର ନାଗରିକତା ପ୍ରଦାନ କରିବେ।
ସେହିପରି ଗତବର୍ଷ ଭାରତରେ ରହୁଥିବା ଶରଣାର୍ଥୀ ଓ ଗତ ୧୪ ବର୍ଷ ମଧ୍ୟରେ ୫ ବର୍ଷ ଭାରତରେ ଜୀବନ କାଟିଥିବା ଲୋକଙ୍କୁ ମଧ୍ୟ ନାଗରିକତା ଦିଆଯିବ। ଏଥିରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଞ୍ଚଳକୁ ବାଦ ଦିଆଯାଇଛି। ଆଇନରେ ନିର୍ଦ୍ଦିଷ୍ଟ କିଛି ଧର୍ମ ଏବଂ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଭାରତର ନାଗରିକତା ପାଇଁ ଅନୁମତି ମିଳିନଥିବାରୁ କେତେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ଏହାକୁ ବିରୋଧ କରୁଛନ୍ତି, ଯାହା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ।
]]>ମା’ ଭୁବନେଶ୍ୱରୀ’ ନାମକ ବସଟି ଗତକାଲି ସନ୍ଧ୍ୟା ବେଳଳ ଭୁବନେଶ୍ୱରରୁ ବାହାରିଥିଲା। ବସ୍ଟି କୁଚିଣ୍ଡା ଅଭିମୁଖେ ଯାଉଥିବା ବେଳେ ଭିତରେ ୩୦ ପାଖାପାଖି ଯାତ୍ରୀ ଥିଲେ। ଖୁଣ୍ଟୁଣି ନିକଟରେ ଏକ ଢାବାରେ ଖିଆପିଆ ପରେ ପୁଣି ଥରେ ବସ୍ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା।
ମାତ୍ର କିଛି ବାଟ ଯିବା ପରେ ହଠାତ୍ ଡ୍ରାଇଭରଜଣକ ଅସୁସ୍ଥତା ଅନୁଭବ କଲେ। ବସ୍ଟି ଦ୍ରୁତ ଗତିରେ ଥିବା ବେଳେ ସେ ଷ୍ଟିଅରିଂ ଛାଡ଼ିଦେଲେ । ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା ଲୁହା ବାଡ଼ ଭାଙ୍ଗି ତଳକୁ ଖସିଯାଇଥିଲା । ବସ୍ରେ ଥିବା ସମସ୍ତ ଯାତ୍ରୀ ସୁସ୍ଥ ଥିବା ଜଣାଯାଇଛି।
ଦୁର୍ଘଟଣା ସ୍ଥଳରେ ଖୁଣ୍ଟୁଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଅସୁସ୍ଥ ହୋଇ ପଡ଼ିଥିବା ଡ୍ରାଇଭରଙ୍କୁ ଖୁଣ୍ଟୁଣୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି।
ବସ୍କୁ କ୍ରେନ୍ ସାହାଯ୍ୟରେ ଉଠାଯାଇଛି। ଏଥିସହ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ଗାଡ଼ିରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ ଦିଆଯାଇଛି।
]]>ଏପରି ଅଘଟଣ ପୁରୀ ସଦର ଅଞ୍ଚଳରେ ଘଟିଛି। ପିଲା ଚୋରି ସନ୍ଦେହରେ ୩ ଯୁବକଙ୍କୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହେଉଛି। ଏହାଦେଖି ଚିନ୍ତା ପ୍ରକଟ କରିଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର। କୌଣସି ଅଜଣା ବ୍ୟକ୍ତି କିମ୍ବା ଏଭଳି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଆକ୍ରମଣ ନ କରିବାକୁ ସେ ଅପିଲ୍ କରିଛନ୍ତି।
ପୁରୀ ସଦର ବ୍ଲକ ଶାସନ ଦାମୋଦରପୁର ପଞ୍ଚାୟତ ଅନ୍ତର୍ଗତ ଗଧିଆପାଟଣା ଓ ପିଳିପିଳା ଅଞ୍ଚଳରେ ଦୁଇ ଜଣ ଏବଂ ପୁରୀ ସଦର ଅନ୍ତର୍ଗତ କୋଇଲାଅଡା ଅଞ୍ଚଳରେ ଆଉ ଜଣେ ଅଚିହ୍ନା ଯୁବକ ବୁଲୁଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା। ସେମାନଙ୍କୁ ଆସିବାର ନିର୍ଦ୍ଦିଷ୍ଟ କାରଣ ପଚାରିବାରୁ କୌଣସି ସଠିକ୍ ଉତ୍ତର ଦେଇ ପାରି ନ ଥିଲେ। ଏପରିକି ସେମାନଙ୍କ କଥାରେ ତାଳମେଳ ରହି ନ ଥିଲା।
ଏହାଦେଖି ସେମାନେ ପିଲା ଚୋରି ଉଦ୍ଦେଶ୍ୟରେ ଗାଁରେ ପଶିଥିବା ଖବର ପ୍ରଚାରିତ ହୋଇଥିଲା। ଏହାପରେ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇ ସେମାନଙ୍କୁ ନିର୍ଧୂମ ପିଟିଥିଲେ। ଲୋକଙ୍କ ମାଡ଼ରେ କାହାର ମୁଣ୍ଡ ଫାଟିଛି ତ କିଏ ଲହୁଲୁହାଣ ହୋଇଛି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକମାନଙ୍କୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା କରୁଛି।
ସେପଟେ ଏଭଳି ଏକାଧିକ ଘଟଣା ନଜରକୁ ଆସିବା ପରେ ଚିନ୍ତା ଓ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ଏସପି ପିନାକ ମିଶ୍ର। ଆଇନକୁ ହାତକୁ ନନେବା ପାଇଁ ସାମାଜିକ ଗଣମାଧ୍ୟମରେ ସେ ଲୋକଙ୍କୁ ଅପିଲ୍ କରିଛନ୍ତି। ଲୋକମାନେ ଯେଉଁମାନଙ୍କୁ ଅଟକ ରଖିଛନ୍ତି ସେମାନେ ମାନସିକ ଅସୁସ୍ଥ ବୋଲି ଆମ ନଜରକୁ ଆସିଛି । ତେଣୁ ଜନସାଧାରଣଙ୍କୁ ଅପିଲ୍ କରାଯାଉଛି ଯେ, କୌଣସି ଅଜଣା ବ୍ୟକ୍ତି କିମ୍ବା ଏଭଳି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଆକ୍ରମଣ କରନ୍ତୁ ନାହିଁ ।
କାହା ଉପରେ ସନ୍ଦେହ ହେଲେ ପୁଲିସକୁ ଖବର ଦିଅନ୍ତୁ । ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କର ପରିଚୟ ଯାଞ୍ଚ କରିବ। କେହି ଆଇନକୁ ହାତକୁ ନେବା ଉଚିତ ନୁହେଁ ବୋଲି ପୁରୀ ଏସପି ସଚେତନ କରିଛନ୍ତି।
]]>ବୃଷ : କୌଣସି କାରଣ ପାଇଁ ମନରେ ଅସ୍ଥିରତା ସହ ଅଳସୁଆପଣ ବୃଦ୍ଧି ହେବ । ସ୍ୱାମୀସ୍ତ୍ରୀ ମଧ୍ୟରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ ।ମାଙ୍ଗଳିକ କାର୍ଯ୍ୟରେ ବାଧାବିଘ୍ନ ଦେଖାଯିବ ଓ ଗୁପ୍ତଶତ୍ରୁ ବୃଦ୍ଧି ହେବେ ।
ମିଥୁନ: ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବା ଫଳରେ ପାରିବାରିକ ତିକ୍ତତା ଦୂରହେବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ଶେଷ କରିବାକୁ ଚାହୁଁଥିବା କର୍ମଟି ପୂରଣ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିବ ।
କର୍କଟ: ସାମାଜିକ କାର୍ଯ୍ୟରେ ମନୋକାମନା ପୂରଣ ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ। ଆୟ ବୃଦ୍ଧି ହେବା ଫଳରେ ଆର୍ଥିକ ଉନ୍ନତି ହେବା ସହ ଗୃହବାହନ ପ୍ରାପ୍ତି ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ ।
ସିଂହ: ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ସରକାରୀ କାମରେ ସଫଳତା ପାଇବେ ଓ ଅଚାନକ ଭାବରେ ଧନ ଲାଭ ହେବ । ଶରୀର ଭଲ ରହିବା ସହ ନୂତନ କର୍ମପ୍ରାପ୍ତି ହୋଇପାରେ ।
କନ୍ୟା: ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ । ସନ୍ତାନର ସୁଖବର ଶୁଣି ଖୁସି ହେବେ ଓ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ ।
ତୁଳା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ଓ ଦୂରଯାତ୍ରା କରି ମନ ଖୁସି ରହିବ ।
ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ।
ଧନୁ: ନୂତନ ବ୍ୟବସାୟ ଆରମ୍ଭ କରିବେ ଓ ବନ୍ଧୁଙ୍କର ସହଯୋଗ ପାଇବେ। ସ୍ୱାସ୍ଥ୍ୟରେ ଅବନତି ଦେଖାଯିବାରୁ ମନ ଭଲ ରହିବ ନାହିଁ । ରାଜନୀତିରେ ଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ ।
ମକର: ରାଜନୀତିରେ କିଛି ନୂଆ ସୁଯୋଗ ଆସିବା ସହ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ ।
କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାସହ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ ପାଇବେ। ବାଦବିବାଦ, କୋର୍ଟ କଚେରୀ ମାମଲା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତକାରରେ ସଫଳ ହେବେ ।
ମୀନ: ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। କର୍ମଯୋଗକୁ ଅଧିକ ମହତ୍ତ୍ୱ ଦେଇ ତଳୁ ଉପର ସ୍ତର ଯାଏ ମାନ୍ୟତା ଅର୍ଜନ କରିବେ। ରାଜନୀତି କ୍ଷେତ୍ରରେ ଦୂର ଯାତ୍ରା କରି ନିଜକୁ ଅସୁସ୍ଥ ମନେ କରିପାରନ୍ତି ।
]]>ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ କିଛି ଶିକାରୀ ପଶିଥିବା ଖବର ପାଇ ଗତ ରାତି ପ୍ରାୟ ୮ଟା ବେଳେ ପାଟ୍ରୋଲିଂ ଟିମ୍ ଜଙ୍ଗଲକୁ ଯାଇଥିଲେ। ସେଠାରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ରାତି ପ୍ରାୟ ୨ଟା ବେଳେ ସେମାନେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉକ୍ତ ସମୟରେ ଜଙ୍ଗଲରେ ଦୁଇ ଶିକାରୀ ଥିବା ବେଳେ ବନ କର୍ମଚାରୀ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ।
ମାତ୍ର ବନ କର୍ମଚାରୀଙ୍କ କବଳରୁ ମୁକୁଳିବାକୁ ଶିକାରୀଦ୍ୱୟ ଗୁଳିମାଡ଼ କରିଥିଲେ। ଏଥିରେ ୨ ବନ କର୍ମଚାରୀଙ୍କ ଦେହରେ ଗୁଳି ବାଜିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଅଛି। ଆଉ ଜଣେ ବନ କର୍ମଚାରୀ ଡେଇଁ ପଡ଼ିଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି।
ଖବର ପାଇ ତୁରନ୍ତ ବନ ବିଭାଗ ପକ୍ଷରୁ ଗୁରୁତର ଦୁଇ ବନ କର୍ମଚାରୀଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୨ ଶିକାରୀଙ୍କୁ ଗିରଫ କରିଛି କୁଳଡିହା ବନ ବିଭାଗ।
]]>ଗାର୍ଲସ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଗ୍ରୀନ୍ସ କ୍ରିକେଟ ଏକାଡେମୀ ଆୟୋଜକ ଏଲଏଲସିସି ବିପକ୍ଷରେ ୫୬ ରନର ବଡ଼ ବିଜୟ ହାସଲ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଗ୍ରୀନ୍ସ ସୁଜାତା ସାହୁଙ୍କ ଅପରାଜିତ ୩୦, ରାଜେଶ୍ୱରୀ ଜେନାଙ୍କ ୨୫ ଓ କ୍ୟାପ୍ଟେନ ସୋନାଲିଶା ସାହୁଙ୍କ ଅପରାଜିତ ୧୪ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୩୨ ରନ କରିଥିଲା।
ଏହାର ଜବାବରେ ଏଲଏଲସିସି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅନନ୍ୟା ଦାସ ଅପରାଜିତ ୨୬ ଓ ଚିରାଶ୍ରୀ ରାଉତ ୧୮ ରନ କରିଥିଲେ ହେଁ ଆଉ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲେ।
ଶେଷରେ ପୂରା ଟିମ ୨୦ ଓଭରରେ ୮ ୱିକେଟ ହରାଇ ୭୪ ରନ କରିବାକୁ ସକ୍ଷମ ହୋଇଥିଲା। ଗ୍ରୀନ୍ସର ୫୬ ରନର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁନି ବଦ୍ରାଙ୍କୁ ଅଞ୍ଜନ ନାୟକ ଓ ଚନ୍ଦନ ମୁଦୁଲୁ ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଦେଇଛନ୍ତି। କୁନି ୩ ଓଭରରେ ମାତ୍ର ୬ ରନ ଦେଇ ୩ ୱିକେଟ ଦଖଲ କରିଛନ୍ତି।
]]>ସ୍କୃତିରେଖା ଅଯୋଧ୍ୟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢନ୍ତି। ଆଜି ତାଙ୍କର ପରୀକ୍ଷା ଥିଲା। ତେଣୁ ସେ ପରୀକ୍ଷା ଦେବା ପାଇଁ ସ୍କୁଲ ଯାଇଥିଲେ। ପରୀକ୍ଷା ସରିବା ପରେ ସେ ଚାଲି ଚାଲି ଘରକୁ ଫେରୁଥିଲେ। ଅଯୋଧ୍ୟା ଛକ ନିକଟରେ ତାଙ୍କୁ ଏକ ଅଟୋ ଧକ୍କା ଦେଇଥିଲା। ସେ ରାସ୍ତା କଡ଼କୁ ଛିଟିକି ହୋଇ ପଡ଼ିଥିଲେ।
ଛାତ୍ରୀଙ୍କୁ ଧକ୍କା ଦେଇ ଅଟୋଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
]]>
ଆଜି ଅପରାହ୍ନରେ ସବିରା ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରେ ଭଦ୍ରକ ଜିଲ୍ଲା ବାଣିତିଆ ଗାଁର ଅକ୍ଷୟ ପାତ୍ର ଓ ତାଙ୍କର ୫ ଜଣ ସାଥୀ ମିଶି ରିଲ୍ସ କରୁଥିଲେ। ଠିକ୍ ସେତିକି ବେଳେ ସେହି ଲାଇନରେ ଯାଉଥିବା ନୀଳାଚଳ ଏକ୍ସପ୍ରେସ୍ ଅକ୍ଷୟଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହେଲେ ତାଙ୍କ ସାଥୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ଆରପିଏଫ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ଅକ୍ଷୟ ଜଣେ ଡ୍ୟାନ୍ସର। ସେ ଯାତ୍ରା ପାର୍ଟିରେ ଡ୍ୟାନ୍ସ କରନ୍ତି। ଆଜି ଅନ୍ୟ ଯୁବକଙ୍କ ସହି ଡ୍ୟାନ୍ସ କରିବା ପାଇଁ ଆସିଥିଲେ। ତା’ପୂର୍ବରୁ ରିଲ୍ସ କରିବା ପାଇଁ ସାଥୀଙ୍କ ସହ ଟ୍ରେନ୍ ଲାଇନ୍କୁ ଯାଇଥିଲେ। ହେଲେ ଦୁର୍ଭାଗ୍ୟକୁ ନୀଳାଚଳ ଏକ୍ସ ନେଇଗଲା ଅକ୍ଷୟଙ୍କ ଜୀବନ। ଆଉ ବାପା-ମାଆଙ୍କ କୋଳରୁ ଛଡ଼ାଇ ନେଲା ଏକମାତ୍ର ପୁଅକୁ।
ରିପୋର୍ଟ-ସୋରରୁ ନୀରଞ୍ଜନ ବେହେରା
]]>ଦୁର୍ଘଟଣା ଖବରକୁ ଅରୁନ୍ଧତୀ ନାଏରଙ୍କ ଉଭଣୀ ନିଶ୍ଚିତ କରିଛନ୍ତି। ଏଥିସହ ବର୍ତ୍ତମାନ ଅରୁନ୍ଧତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଓ ସେ ଭେଣ୍ଟିଲେଟରରେ ରହିଥିବା ମଧ୍ୟ ତାଙ୍କ ଉଭଣୀ କହିଛନ୍ତି।
ଅରୁନ୍ଧତୀଙ୍କ ଭଉଣୀ କହିଛନ୍ତି, “ତାମିଲନାଡୁର ଖବରକାଗଜ ଓ ଟିଭିରେ ପ୍ରକାଶିତ ଖବର ଉପରେ ସ୍ପଷ୍ଟୀକରଣ ରଖିବାକୁ ଚାହୁଁଛୁ। ମୋ ଉଭଣୀ ଅରୁନ୍ଧତୀ ୩ ଦିନ ତଳେ ଗୋଟିଏ ବଡ଼ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେ ତ୍ରିବେନ୍ଦ୍ରମର ଅନନ୍ତପୁରୀ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଭେଣ୍ଟିଲେଟରରେ ରଖି ଡାକ୍ତରମାନେ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି।”
ଅରୁନ୍ଧତୀଙ୍କ ବନ୍ଧୁ ତଥା ସାଥୀ କଳାକାର ଗୋପିକା ଅନୀଲ ସମସ୍ତଙ୍କୁ ଆର୍ଥିକ ସହାୟତା ମାଗିଛନ୍ତି। ମେଡିକାଲ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ଅରୁନ୍ଧତୀଙ୍କ ପରିବାର ସକ୍ଷମ ହେଉ ନଥିବା ସେ କହିଛନ୍ତି। ତେଣୁ ସମସ୍ତେ ଆର୍ଥିକ ସହାୟତା କରନ୍ତୁ ବୋଲି ଗୋପିକା ଅନୁରୋଧ କରିଛନ୍ତି।
୨୦୧୪ରେ ଅରୁନ୍ଧତୀ ତାମିଲ ଫିଲ୍ମରେ ଡେବ୍ୟୁ କରିଥିଲେ। ଏହାପରେ ସେ ତାମିଲ ଇଣ୍ଡଷ୍ଟ୍ରୀରେ ସବୁଠାରୁ ଲୋକପ୍ରିୟ ଚେହେରା ବନି ଯାଇଛନ୍ତି। ୨୦୨୩ରେ ଆୟିରାମ ପୋରକ୍କାସୁକଲ ଫିଲ୍ମରେ ସେ ନଜର ଆସିଥିଲେ।
]]>