ବାକ୍ ସ୍ୱାଧୀନତା ଓ ଅନ୍ଧ ଦେଶପ୍ରେମ

jnu_protest

“ଅଫ୍‌ଜଲ୍‌ ହମ୍ ଶର୍ମିନ୍ଦା ହୈଁ, ତେରେ କାତିଲ୍ ଜିନ୍ଦା ହୈଁ”। “କଶ୍ମୀର କୀ ଆଜାଦୀ ତକ୍ ଜଙ୍ଗ୍ ଚଲେଗୀ, ଜଙ୍ଗ୍ ଚଲେଗୀ; ଭାରତ କୀ ବରବାଦୀ ତବ୍ ଜଙ୍ଗ୍ ଚଲେଗୀ, ଜଙ୍ଗ ଚଲେଗୀ।’’ ଭାରତରେ, ତା’ପୁଣି ଦେଶର ରାଜଧାନୀରେ ଓ ଦେଶର ସବୁଠାରୁ ସଂଭ୍ରାନ୍ତ ବିଶ୍ୱବିଦ୍ୟାଳୟ ପରିସରରେ ଏଭଳି ସ୍ଲୋଗାନ୍ ଦିଆଯାଉଥିବାର ଦୃଶ୍ୟ ଦେଖିଥିବା ଓ ଶୁଣିଥିବା ପ୍ରତ୍ୟେକ ଭାରତୀୟର ରକ୍ତ ଟକ୍ ମକ୍ ହୋଇ ଫୁଟିବା ସ୍ୱାଭାବିକ।

କିନ୍ତୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ସ୍ଲୋଗାନ୍ ଦେଉଥିବା ଲୋକମାନଙ୍କୁ କ’ଣ ଶାସ୍ତି ଦିଆଯିବା ଉଚିତ୍ ? ବିନା ବିଚାରରେ ଆଜୀବନ କାରାଦଣ୍ଡ ? ନା ଇସ୍‌ଲାମିକ୍ ଷ୍ଟେଟ୍‌ ବା ଆଇଏସ୍‌ର ପଦାଙ୍କ ଅନୁସରଣ କରି ଏମାନଙ୍କର ମୁଣ୍ଡକାଟ କରାଯିବା ଦରକାର ? ଯଦି ହଁ, ତେବେ ଭାରତ ଭଳି ଏକ ଉଦାର, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ରାଷ୍ଟ୍ର ଓ ପାକିସ୍ତାନ ଭଳି ଏକ ମୌଳବାଦୀ, ଧର୍ମୀୟ ରାଷ୍ଟ୍ର ମଧ୍ୟରେ ଫରକ୍ କ’ଣ? ଏଭଳି କଲା ପରେ ଭାରତରେ ଆଇନର ଶାସନ (‘ରୁଲ୍ ଅଫ୍ ଲ’) ଚାଲେ ବୋଲି ଆମେ ଆଉ ଦାବି କରି ପାରିବା କି?

ଏ ପ୍ରସଙ୍ଗରେ ଆଇନ୍ ବେଶ୍ ସ୍ପଷ୍ଟ। ୧୯୬୨ ମସିହାରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪ (କ)ର ତର୍ଜମା କରି ମାନ୍ୟବର ସୁପ୍ରିମକୋର୍ଟ ସ୍ପଷ୍ଟ କରି ସାରିଛନ୍ତି ଯେ କୌଣସି ଭାଷଣ, ବକ୍ତବ୍ୟ ବା ଲେଖା ଯେତେ ଜଘନ୍ୟ ବା ଦେଶ ବିରୋଧୀ ହେଲେ ମଧ୍ୟ ଯେପର୍ଯ୍ୟନ୍ତ ଏହା ହିଂସାତ୍ମକ କାର୍ଯ୍ୟକଳାପର ରୂପ ନ ନେଇଛି ବା ଏଭଳି କାର୍ଯ୍ୟକଳାପକୁ ଉତ୍ସାହିତ ନ କରିଛି, ସେ ପର୍ଯ୍ୟନ୍ତ ଏହା  ‘ଦେଶଦ୍ରୋହ’ର ପରିସରଭୁକ୍ତ ହେବ ନାହିଁ । ତେଣୁ ଫେବୃଆରୀ ୯ ତାରିଖରେ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ଭାରତ ବିରୋଧୀ ସ୍ଲୋଗାନ୍ ଦେଇଥିବା ବିଚ୍ଛିନ୍ନତାବାଦୀମାନଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନ୍‌ର ଅନ୍ୟ ଦଫାରେ ମକଦ୍ଦମା ରୁଜୁ କରାଯାଇ ପାରିବ ସିନା; ସେମାନଙ୍କ ବିରୁଦ୍ଧରେ ‘ଦେଶଦ୍ରୋହ’ ଦଫା ଲଗାଯାଇ ପାରିବ ନାହିଁ।

ବିଡ଼ମ୍ୱନା ହେଉଛି ଦିଲ୍ଲୀ ପୁଲିସ୍ ଏହି ବିଚ୍ଛିନ୍ନତାବାଦୀମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ବେଳେ ଜେ.ଏନ୍‌.ୟୁ ଛାତ୍ର ୟୁନିୟନ୍‌ର ସଭାପତି କହ୍ନୈୟା କୁମାରଙ୍କ ବିରୁଦ୍ଧରେ ‘ଦେଶଦ୍ରୋହ’ ଦଫା ଲଗାଇ ତାଙ୍କୁ କୋର୍ଟ ଚାଲାଣ କରିଛି। ଅଥଚ ଭାରତ ବିରୋଧୀ ସ୍ଲୋଗାନ୍ ବାଜିରେ ସେ ସାମିଲ୍ ଥିବା ସମ୍ପର୍କରେ ପୁଲିସ୍ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ଉପସ୍ଥାପନ କରିପାରିନାହିଁ। ଅପରପକ୍ଷରେ କେବଳ ଅଦାଲତରେ ନୁହେଁ, ଗିରଫ ହେବାର ଅବ୍ୟବହିତ ପୂର୍ବରୁ ଜେଏନୟୁ ଛାତ୍ରଙ୍କୁ ସମ୍ବୋଧନ କରି ଦେଇଥିବା ଏକ ଭାଷଣରେ କହ୍ନୈୟା କେବଳ  ଯେ ଭାରତୀୟ ସମ୍ୱିଧାନ ପ୍ରତି ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି ତା’ନୁହେଁ; ଫେବୃଆରୀ ୯ରେ ବିଶ୍ୱବିଦ୍ୟାଳୟ ପରିସରରେ ଦିଆଯାଇଥିବା ଭାରତ ବିରୋଧୀ ସ୍ଲୋଗାନ୍ ବାଜିକୁ ସ୍ପଷ୍ଟ ଭାବେ ନିନ୍ଦା ମଧ୍ୟ କରିଛନ୍ତି।

ପଟିଆଲା ହାଉସ୍ କୋର୍ଟ ପରିସରରେ କହ୍ନୈୟାଙ୍କୁ ହାଜର କଲା ବେଳେ କଳାକୋଟ୍ ପିନ୍ଧା ଆଇନଜୀବୀମାନେ ଯେଉଁଭଳି ଭାବେ ତାଙ୍କୁ, ତାଙ୍କ ସମର୍ଥକମାନଙ୍କୁ ଓ ସମବେତ ସାମ୍ବାଦିକମାନଙ୍କୁ ଆକ୍ରମଣ କଲେ, ତାକୁ ଯଦି ଦେଶପ୍ରେମର ନିଦର୍ଶନ ଆଖ୍ୟା ଦିଆଯାଇ ସମର୍ଥନ କରାଯାଏ, ତେବେ ତା’ଠାରୁ ଦୁର୍ଭାଗ୍ୟଜନକ ବୋଧହୁଏ ଆଉ କିଛି ହେବ ନାହିଁ। ଏଭଳି କାର୍ଯ୍ୟ ଯେ କେହି କଲେ ତାହା ନିନ୍ଦନୀୟ ହେବ। କିନ୍ତୁ ଯଦି ଆଇନର ରକ୍ଷକମାନେ ଏଭଳି କରନ୍ତି, ତାହା ଅତ୍ୟନ୍ତ ଗର୍ହିତ ବିବେଚିତ ହେବା ଉଚିତ।

କହ୍ନୈୟାଙ୍କ ବିରୋଧରେ ତ କେବଳ ଦେଶ ବିରୋଧୀ ସ୍ଲୋଗାନ୍ ଦେବାର ଅଭିଯୋଗ ଲାଗିଛି। ନଭେମ୍ବର ୨୬,୨୦୦୮ରେ ମୁମ୍ବାଇ ଆକ୍ରମଣର ନରହନ୍ତା ଅଜମଲ୍ କସାବକୁ ମଧ୍ୟ ଭାରତୀୟ ନ୍ୟାୟିକ ପ୍ରକ୍ରିୟାର ସଂପୂର୍ଣ୍ଣ ସୁଯୋଗ ଦିଆଯାଇଥିଲା। ଏହା ଅନେକ ଦେଶବାସୀଙ୍କୁ କ୍ଷୁବ୍ଧ କରିଥିଲା ସତ; କିନ୍ତୁ ଏହା ଆଉ ଥରେ ପ୍ରମାଣିତ କରିଥିଲା ଯେ ଭାରତରେ ସମ୍ବିଧାନ ଓ ଆଇନର ଶାସନ ଚାଲିଛି। ଏହା ସ୍ପଷ୍ଟ କରିଥିଲା ଯେ ଉପଯୁକ୍ତ ତଥ୍ୟ, ପ୍ରମାଣ ଭିତ୍ତିରେ ଜଣକୁ ଦୋଷୀ ସାବ୍ୟସ୍ତ କରିବା ଓ ତାକୁ ଦଣ୍ଡବିଧାନ କରିବାର ଅଧିକାର କେବଳ ଅଦାଲତର ଅଛି, ଆଉ କାହାରି ନୁହେଁ। ନ୍ୟାୟ ପ୍ରଦାନ ଓ ଦଣ୍ଡବିଧାନର ଅଧିକାର ଯଦି ଜନତାଙ୍କ ଉପରେ ଛାଡ଼ି ଦିଆଯାଏ, ତେବେ ଦେଶରେ ଯେ ଭୟଙ୍କର ଅରାଜକତା ବ୍ୟାପିବ, ଏଥିରେ ସନ୍ଦେହ ନାହିଁ। ତେଣୁ ପଟିଆଲା ହାଉସ୍ କୋର୍ଟରେ କହ୍ନୈୟାଙ୍କୁ ହାଜିର କଲାବେଳେ ଦିଲ୍ଲୀ ପୋଲିସ୍ ତାଙ୍କୁ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ଉଚିତ୍ ଥିଲା। କିନ୍ତୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍ ସତ୍ତ୍ୱେ ଯେପରି ଭାବେ ତାଙ୍କ ଉପରେ ଓ ଅନ୍ୟମାନଙ୍କ ଉପରେ ଆକ୍ରମଣ ହେଲା, ତାହା ନ୍ୟାୟପାଳିକାର ଗରିମାକୁ ତ କ୍ଷୁର୍ଣ୍ଣ କଲା; ଅଧିକନ୍ତୁ ଦେଶର କ୍ରମବର୍ଦ୍ଧିଷ୍ଣୁ ଅରାଜକତାର ଏକ ବଳିଷ୍ଠ ନିଦର୍ଶନ ପାଲଟିଲା।

ଅନ୍ଧ ଦେଶପ୍ରେମରେ ଉଦ୍‌ବୁଦ୍ଧ ସଂକୀର୍ଣ୍ଣମନା ଭାରତୀୟମାନେ ବୁଝିପାରୁ ନାହାନ୍ତି ଯେ କଳା କୋଟ୍ ପିନ୍ଧି ଥିବା ଦଳେ ଗୁଣ୍ଡାଙ୍କର ଏ କାର୍ଯ୍ୟକୁ ସମର୍ଥନ କରି ସେମାନେ ଦେଶର କେତେ କ୍ଷତି କରୁଛନ୍ତି। ସେମାନେ ଜାଣି ପାରୁ ନାହାନ୍ତି ଯେ ତାଙ୍କର ଏ କାର୍ଯ୍ୟ ଦ୍ୱାରା ଉଭୟ ସୋସିଆଲ୍ ମିଡିଆ ଓ ମୁଖ୍ୟସ୍ରୋତର ଗଣମାଧ୍ୟମରେ ଅସଲ ପ୍ରସଙ୍ଗ (ଜେ.ଏନ୍.ୟୁ ପରିସରରେ ଭାରତ ବିରୋଧୀ ସ୍ଲୋଗାନ୍ ବାଜି) ହଜି ଯାଇ ଛାତ୍ର, ସାମ୍ବାଦିକ ଓ ଅନ୍ୟମାନଙ୍କ ଉପରେ ଆକ୍ରମଣ ମୁଖ୍ୟ ପ୍ରସଙ୍ଗ ପାଲଟିଗଲା।

ଏଥର ଏହି ‘ଅସଲ ପ୍ରସଙ୍ଗ’କୁ ଆସିବା। ଜେ.ଏନ୍.ୟୁ ଯେ ଆରମ୍ଭରୁ ବିଦ୍ରୋହୀ, ବାମପନ୍ଥୀ, ଅତିବାମପନ୍ଥୀ ଚିନ୍ତାଧାରାର ଏକ ଏନ୍ତୁଡ଼ିଶାଳ ଭାବେ ଗଢ଼ି ଉଠିଛି, ସେକଥା କାହାରିକୁ ଅଛପା ନାହିଁ। ସେଠାରେ କେବଳ ଛାତ୍ର ସମାଜ ନୁହେଁ, ଶିକ୍ଷକମାନେ ମଧ୍ୟ ଏଭଳି ଚିନ୍ତାଧାରାରେ ଉଦ୍‌ବୁଦ୍ଧ, ଏ କଥା ସର୍ବଜନବିଦିତ। ସେଇଥିପାଇଁ ଅନେକ ସମୟରେ ସେଠି ସାଧାରଣ ଭାବେ ସରକାର ବିରୋଧୀ, ହିନ୍ଦୁ ବିରୋଧୀ, ଏପରିକି ଦେଶ ବିରୋଧୀ ବୋଲି ପରିଗଣିତ ହେଉଥିବା ଚିନ୍ତାଧାରାକୁ ପ୍ରଶ୍ରୟ ମିଳି ଆସିଛି। ଯେପର୍ଯ୍ୟନ୍ତ କ୍ୟାମ୍ପସ୍‌ରେ ଉଗ୍ରବାମବାଦର ରାଜୁତି ଚାଲିଥିଲା, ସେପର୍ଯ୍ୟନ୍ତ କିଛି ସମସ୍ୟା ନ ଥିଲା। ସମସ୍ୟା ଆରମ୍ଭ ହେଲା ଯେତେବେଳେ ନବେ ଦଶକ ପରଠାରୁ ଭାରତୀୟ ରାଜନୀତିରେ ଭାରତୀୟ ଜନତା ପାର୍ଟି (ବି.ଜେ.ପି)ର ଅଭ୍ୟୁଦୟ ସହ ତାଳ ଦେଇ ଏହାର ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି) ଜେ.ଏନ୍.ୟୁ ପରିସରରେ ନିଜର କାୟା ବିସ୍ତାର କରିବା ଆରମ୍ଭ କଲା। କଥା କଥାରେ ବାକ୍ ସ୍ୱାଧୀନତାର ଦ୍ୱାହି ଦେଉଥିବା ବାମପନ୍ଥୀମାନେ କିନ୍ତୁ ଦକ୍ଷିଣପନ୍ଥୀ ଚିନ୍ତାଧାରର ପ୍ରଚାର, ପ୍ରସାରକୁ ଆଦୌ ବରଦାସ୍ତ କରିପାରିଲେ ନାହିଁ ଏବଂ ଏହାକୁ ପ୍ରତିହତ କରିବା ପାଇଁ ସବୁ ମତେ ଚେଷ୍ଟା କଲେ। ଫଳରେ ଉଭୟ ଚିନ୍ତାଧାରା ମଧ୍ୟରେ ସଂଘର୍ଷ ହେଲା, ଯାହା ବେଳେବେଳେ ହିଂସାର ରୂପ ନେଲା। ଜେ.ଏନ୍.ୟୁରେ ଏହି ପରସ୍ପର ବିରୋଧୀ ଚିନ୍ତାଧାରା ମଧ୍ୟରେ ସଂଘର୍ଷ କାଳକ୍ରମେ ଦେଶର ଅନ୍ୟ ଅଞ୍ଚଳକୁ ଗ୍ରାସ କରିବା ଆରମ୍ଭ କଲା। ବିଶେଷ କରି ‘ହିନ୍ଦୁ ହୃଦୟ ସମ୍ରାଟ୍’ ଭାବେ ଅଭିହିତ ନରେନ୍ଦ୍ର ମୋଦୀ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଏହି ସଂଘର୍ଷ ଆହୁରି ତୀବ୍ର, ଶାଣିତ ହେଲା। ହିନ୍ଦୁତ୍ୱର ପ୍ରତୀକ ନରେନ୍ଦ୍ର ମୋଦୀଙ୍କୁ ଦୀର୍ଘ ପାଞ୍ଚ ବର୍ଷ ଧରି ଦେଶର ପ୍ରଧାନମନ୍ତ୍ରୀ ଭାବେ ‘ବରଦାସ୍ତ’ କରିବା ତଥାକଥିତ ଧର୍ମନିରପେକ୍ଷ, ଉଦାର ଓ ବାମପନ୍ଥୀ ଶକ୍ତିଗୁଡ଼ିକ ପକ୍ଷରେ କଷ୍ଟକର ହେଲା। ବିହାର ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ‘ଅସହିଷ୍ଣୁତା’ ପ୍ରସଙ୍ଗ ଏଭଳି ଶକ୍ତିମାନଙ୍କର ଅଶ୍ୱସ୍ତି ଓ ଅସହିଷ୍ଣୁତାର ପରିପ୍ରକାଶ ଥିଲା।

ଏ ଦୁଇ ଚିନ୍ତାଧାରା ମଧ୍ୟରେ ସଂଘର୍ଷ ଯେ ଆଗାମୀ ଦିନମାନଙ୍କରେ ଆହୁରି ଶାଣିତ ହେବ, ତାହା ଏବେଠାରୁ ଜଳଜଳ ହୋଇ ଦେଖାଯାଉଛି। ବିଚାରଧାରାର ଏ ସଂଘର୍ଷ ବୌଦ୍ଧିକ ସଂଘାତ ମଧ୍ୟରେ ସୀମିତ ରହିଲେ କିଛି ଅସୁବିଧା ନାହିଁ। ବରଂ ସମୁଦ୍ରମନ୍ଥନ ପରି ଏଥିରୁ କିଛି ଅମୃତ ବାହାରିପାରେ ବୋଲି ଆଶା କରାଯାଇପାରେ। କିନ୍ତୁ ଯଦି ଏହା ହିଂସାର ରୂପ ନିଏ, ତେବେ ଏହା ଦେଶ ପାଇଁ ବିପଜ୍ଜନକ ହେବ, ଏଥିରେ ସନ୍ଦେହ ନାହିଁ। ଏଭଳି ସ୍ଥିତି ଯେପରି ନ ଉପୁଜେ, ସେଥିପାଇଁ ଉଭୟ ପକ୍ଷର ଦାୟିତ୍ୱ ରହିଛି। ବାକ୍ ସ୍ୱାଧୀନତାର କଥା କହୁଥିବା ବାମପନ୍ଥୀମାନଙ୍କୁ ସ୍ୱୀକାର କରିବାକୁ ହେବ ଯେ ଯେତେ ଅପ୍ରିୟ ହେଲେ ମଧ୍ୟ ଦକ୍ଷିଣପନ୍ଥୀମାନଙ୍କର ମଧ୍ୟ ବାକ୍ ସ୍ୱାଧୀନତା ଅଛି, ନିଜ ମତବାଦର ପ୍ରଚାର, ପ୍ରସାର କରିବାର ଅଧିକାର ଅଛି। ସେମାନଙ୍କୁ ବୁଝିବାକୁ ହେବ ଯେ ଫେବୃଆରୀ ୯ରେ ଜେ.ଏନ୍.ୟୁ ପରିସରରେ ଯେଉଁ ଭାରତ ବିରୋଧୀ ସ୍ଲୋଗାନ୍‌ମାନ ଦିଆଗଲା, ତାହା ଯଦି ବାକ୍ ସ୍ୱାଧୀନତାର ପରିସରଭୁକ୍ତ ତେବେ ସାକ୍ଷୀ ମହାରାଜ, ମହନ୍ତ ଅବୈଦ୍ୟନାଥ ଓ ସାଧ୍ୱୀ ରିତାମ୍ଭରାଙ୍କ ପରି ନେତାମାନଙ୍କର ଉଗ୍ର ସାମ୍ପ୍ରଦାୟିକ ଭାଷଣ ମଧ୍ୟ ସେହି ‘ବାକ୍ ସ୍ୱାଧୀନତା’ର ଅଂଶବିଶେଷ ବୋଲି ସ୍ୱୀକାର କରିବାକୁ ହେବ।

ଅପରପକ୍ଷରେ ଦେଶପ୍ରେମରେ ଅନ୍ଧ ଲୋକଙ୍କୁ ମଧ୍ୟ ସହିଷ୍ଣୁତାର ପରିଚୟ ଦେବାକୁ ହେବ। ଯେତେ ରାଷ୍ଟ୍ର ବିରୋଧୀ ମନେ ହେଲେ ମଧ୍ୟ ପ୍ରତିପକ୍ଷର ମତକୁ ସମ୍ମାନ ଦେବାକୁ ପଡ଼ିବ। ଏଭଳି ମତକୁ ଗ୍ରହଣ ନ କଲେ ମଧ୍ୟ ଗୋଟିଏ ମୁକ୍ତ, ଉଦାର, ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ରାଷ୍ଟ୍ରରେ ଏଭଳି ମତର ରହିବାର ଅଧିକାର ଅଛି, ତାହା ସ୍ୱୀକାର କରିବାକୁ ପଡ଼ିବ। ସମସ୍ତଙ୍କୁ ମହାନ୍ ଫରାସି ଦାର୍ଶନିକ ଭୋଲଟେୟାରଙ୍କର ସେହି କାଳଜୟୀ ଉକ୍ତି ମନେ ରଖିବାକୁ ପଡ଼ିବ, ଯାହା ଗଣତନ୍ତ୍ରର କଷଟି ପଥର ପାଲଟି ସାରିଛି। ‘I disapprove of what you say, but I will defend to death your right to say it’ (ତୁମେ ଯାହା କହୁଛ, ମୁଁ ତାକୁ ସ୍ୱୀକାର କରେ ନାହିଁ, କିନ୍ତୁ ଏଭଳି କହିବା ପାଇଁ ତୁମର ଅଧିକାରକୁ ମୁଁ ମରିବା ପର୍ଯ୍ୟନ୍ତ ସମର୍ଥନ କରିବି)।

Previous ArticleNext Article

1 Comment

Send this to a friend