ଭାଷା ପାଇଁ ସଂଗ୍ରାମ

baishnabaparida

baishnabaparida

ବୈଷ୍ଣବ ଚରଣ ପରିଡ଼ା, ସାଂସଦ

ପୃଥିବୀ ଇତିହାସରେ କେବଳ ସ୍ୱାଧୀନତା, ଗଣତନ୍ତ୍ର ଓ ମାନବିକ ଅଧିକାର ପାଇଁ ବିପ୍ଳବ ଓ ଗଣସଂଗ୍ରାମମାନ ଯେ ହୋଇଛି ତା’ ନୁହେଁ, ନିଜର ପ୍ରିୟ ମାତୃଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ବି ଯୁଗାନ୍ତକାରୀ ଆନ୍ଦୋଳନମାନ ଘଟିଛି। ଏହିସବୁ ସଂଗ୍ରାମରେ ଏଭଳି ଗୋଟିଏ ଗୋଟିଏ ଘଟଣା ଘଟିଛି ଯାହା ନିର୍ଦ୍ଦିଷ୍ଟ ଏକ ଜାତିର ଗତିପଥକୁ ବଦଳାଇଦେବା ସହିତ ମାନବଜାତିର ଅଗ୍ରଗତି କ୍ଷେତ୍ରରେ ଆଲୋକର ବର୍ତ୍ତିକା ଭଳି କାର୍ଯ୍ୟ କରୁଛି। ସେହିଭଳି ଏକ ଐତିହାସିକ ଘଟଣା ଘଟିଥିଲା ୧୯୫୨ ମସିହା ଫେବୃଆରୀ ୨୧ ତାରିଖରେ ତତ‌କାଳୀନ ପୂର୍ବ ପାକିସ୍ତାନରେ। ୧୯୪୭ ମସିହାରେ ଧର୍ମ ଭିତ୍ତିରେ ପାକିସ୍ତାନ ସୃଷ୍ଟି ହେଲା ପରେ ସେଠାରେ ଊର୍ଦ୍ଦୁ ଭାଷାକୁ ପାକିସ୍ତାନର ରାଷ୍ଟ୍ରଭାଷା ରୂପେ ଘୋଷଣା କରାଯାଇଥିଲା। ଉଭୟ ପଶ୍ଚିମ ଓ ପୂର୍ବ ପାକିସ୍ଥାନ (ବାଂଲାଦେଶ) ରେ ଊର୍ଦ୍ଦୁରେ ସମସ୍ତ ସରକାରୀ କାର୍ଯ୍ୟ, ନ୍ୟାୟାଳୟ ଓ ଶିକ୍ଷାଦାନ ଏହି ଭାଷାରେ ଚାଲିବା ପାଇଁ ନିର୍ଦ୍ଦେଶନାମା ଜାରି ହେଲା। ଏହାଦ୍ୱାରା ପୂର୍ବ ପାକିସ୍ତାନ ଅଧିବାସୀମାନଙ୍କର ମାତୃଭାଷା ବଙ୍ଗଳା ଲୋପ ପାଇବାକୁ ବସିଲା। ସେମାନେ ନିଜର ପ୍ରିୟ ମାତୃଭାଷା ବିରୋଧରେ ପାକିସ୍ତାନର ଏହି ସ୍ୱେଚ୍ଛାଚାରୀ ଷଡ଼ଯନ୍ତ୍ରକୁ ରୋକିବା ପାଇଁ ସେଦିନର ପୂର୍ବ ପାକିସ୍ତାନର ବୁଦ୍ଧିଜୀବୀ, ଛାତ୍ର ଓ ଜାତୀୟତାବାଦୀ ରାଜନୈତିକ ଦଳମାନେ ଆଗେଇ ଆସିଥିଲେ। ସେତେବେଳକାର ଉଭୟ ପାକିସ୍ତାନର ମୋଟ ଜନସଂଖ୍ୟା ଥିଲା ୬୫ କୋଟି ଏବଂ ତନ୍ମଧ୍ୟରୁ ୪୪ କୋଟି ଥିଲେ ବଙ୍ଗାଳୀ। ବଙ୍ଗାଳୀମାନେ ବଡ଼ ସ୍ୱାଭିମାନୀ ଜାତି ଏବଂ ନିଜ ମାତୃଭାଷାର ବଡ଼ ଉପାସକ। କଥା କଥାକେ ସେମାନେ ମାତୃଭାଷା ପ୍ରେମରେ ବିଭୋର ହୋଇ କହି ପକାନ୍ତି, ‘ଆହା ମରି ବାଂଗଲା ଭାଷା, ମୋଦେର ଜୀବନ, ମୋଦେର ଆଶା।’ ସେମାନଙ୍କ ମାତୃଭାଷାକୁ ଧ୍ୱଂସ କରିଦେବା ପାଇଁ ପାକିସ୍ତାନର ଷଡଯନ୍ତ୍ର ବିରୁଦ୍ଧରେ ସେମାନେ ପ୍ରତ୍ୟକ୍ଷ ଆନ୍ଦୋଳନ ଆରମ୍ଭ କରିଦେଲେ।

ଧର୍ମର ଆକର୍ଷଣ ଅପେକ୍ଷା ମାତୃଭାଷା ପ୍ରତି ପ୍ରେମ ସେମାନଙ୍କୁ ଅଧିକ ଆକୃଷ୍ଟ କରିଥିଲା। ପାକିସ୍ତାନ ସରକାରର ବଙ୍ଗଳା ଭାଷା ବିରୋଧୀ ନୀତି ବିରୁଦ୍ଧରେ ପୂର୍ବ ପାକିସ୍ତାନ ବିଧାନସଭାରେ ଏକ ପ୍ରସ୍ତାବ ପାସ୍ ‌କରି ବଙ୍ଗଳା ଭାଷାକୁ ସରକାରୀ ଭାଷା ତଥା ଶିକ୍ଷାର ମାଧ୍ୟମ ରୂପେ ଘୋଷଣା କରାଗଲା।

ପାକିସ୍ତାନର ସ୍ୱେଚ୍ଛାଚାରୀ ସରକାର ପୂର୍ବ ପାକିସ୍ତାନରେ ମୁଣ୍ଡ ଟେକି ଉଠୁଥିବା ଭାଷା ସୁରକ୍ଷା ଆନ୍ଦୋଳନକୁ ଦବେଇ ଦେବା ପାଇଁ ସବୁପ୍ରକାର ଦମନମୂଳକ ଆକ୍ରମଣ ଆରମ୍ଭ କରିଦେଲା। ଯାହା ଫଳରେ ଶହ ଶହ ଲୋକ କ୍ଷତ ବିକ୍ଷତ ହେଲେ ଓ ହଜାର ହଜାର ଛାତ୍ର, ଯୁବକ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କୁ ଗିରଫ କରାଗଲା। ଏହାଦ୍ୱାରା ଭାଷା ଆନ୍ଦୋଳନ ଦବି ନ ଯାଇ ପୂର୍ବ ପାକିସ୍ତାନର ରାଜଧାନୀ ଢ଼ାକାରୁ ଅନ୍ୟ ସହରକୁ ବ୍ୟାପିବାକୁ ଲାଗିଲା। ଆନ୍ଦୋଳନର କେନ୍ଦ୍ରବିନ୍ଦୁ ଥିଲା ଢାକାର ବିଭିନ୍ନ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ ଓ ମେଡ଼ିକାଲ କଲେଜଗୁଡ଼ିକ। ଫେବୃଆରୀ ୨୧ ତାରିଖ ଦିନ ସମଗ୍ର ଢ଼ାକା ସହରକୁ ଅଚଳ କରିଦେବା ପାଇଁ ଧର୍ମଘଟର ଡାକରା ଦିଆଗଲା। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିଷେଦ୍ଧାଜ୍ଞାକୁ ଭଙ୍ଗ କରି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବାହାରି ପ୍ରାଦେଶିକ ବିଧାନସଭା ଆଡ଼କୁ ଆଗେଇ ଯାଇଥିଲେ। ଅବସ୍ଥା ଅସମ୍ଭାଳ ହେବାରୁ ପାକିସ୍ତାନୀ ଅର୍ଦ୍ଧ ସାମରିକ ବାହିନୀ ଆକ୍ରମଣ ଆରମ୍ଭ କରିଦେଲା। ଯାହା ଫଳରେ ଘଟଣାସ୍ଥଳରେ ଚାରି ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା ଏବଂ ହଜାର ହଜାର ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ବଣର ନିଆଁପରି ଭାଷା ସୁରକ୍ଷା ଆନ୍ଦୋଳନ ସମଗ୍ର ପୂର୍ବ ପାକିସ୍ତାନକୁ ଗ୍ରାସ କରିବାକୁ ବସିଲା।

ଆନ୍ଦୋଳନର ବ୍ୟାପକତା ଓ ତୀବ୍ରତାକୁ ଲକ୍ଷ୍ୟ କରି ପାକିସ୍ତାନର ସମ୍ୱିଧାନ ପ୍ରଣୟନକାରୀ ସଭା ଊର୍ଦ୍ଦୁ ସହିତ ବଙ୍ଗଳାକୁ ପାକିସ୍ତାନର ଜାତୀୟ ଭାଷା ରୂପେ ସ୍ୱୀକୃତି ପ୍ରଦାନ କଲା। ସେହିଦିନଠାରୁ ପୂର୍ବ ପାକିସ୍ତାନର ସମସ୍ତ ନ୍ୟାୟିକ ଓ ଶିକ୍ଷାଦାନର କାର୍ଯ୍ୟ ଚାଲିଲା ବଙ୍ଗଳା ଭାଷାରେ। ଏହା କେବଳ ପାକିସ୍ତାନର ବଙ୍ଗାଳୀମାନଙ୍କ ପାଇଁ ନୁହେଁ ପୃଥିବୀର ସମସ୍ତ ବଙ୍ଗଭାଷୀମାନଙ୍କ ପାଇଁ ଥିଲା ଏକ ଐତିହାସିକ ବିଜୟ। ଏହି ଘଟଣାଟି ପୂର୍ବ ପାକିସ୍ତାନରେ ସଂଗଠିତ ପରବର୍ତ୍ତୀ ବହୁ ଗଣସଂଗ୍ରାମ ପାଇଁ ପ୍ରେରଣାର ଉତ୍ସରେ ପରିଣତ ହୋଇଥିଲା। ପାକିସ୍ତାନରୁ ମୁକ୍ତହୋଇ ସ୍ୱାଧୀନ ବାଂଲାଦେଶ ପ୍ରତିଷ୍ଠା ହେଲା ପର୍ଯ୍ୟନ୍ତ ଯେଉଁ ବୈପ୍ଳବିକ ପ୍ରକ୍ରିୟାର ସୂତ୍ରପାତ ହୋଇଥିଲା ତା’ର ଶୁଭାରମ୍ଭ ଘଟିଥିଲା ଏହି ଭାଷା ସୁରକ୍ଷା ଆନ୍ଦୋଳନ ମଧ୍ୟରୁ। ଏହି ସଂଗ୍ରାମର ସ୍ପୁଲିଙ୍ଗ କ୍ରମଶଃ ବାଂଲାଦେଶର ବୈପ୍ଳବିକ ଜାତୀୟ ମୁକ୍ତି ସଂଗ୍ରାମରେ ପରିଣତ ହୋଇଥିଲା। ଶେଷକୁ ବାଂଲାଦେଶ ପାକିସ୍ତାନରୁ ସଂପୂର୍ଣ୍ଣ ରୂପେ ଅଲଗା ହୋଇଗଲା। ବଂଗଳା ହେଲା ବାଂଲାଦେଶର ଜାତୀୟ ଭାଷା।

୧୯୫୬ ମସିହାରେ ଆୱାମି ଲିଗ୍ ସରକାର ପୂର୍ବ ପାକିସ୍ତାନରେ କ୍ଷମତାକୁ ଆସିଲା ପରେ ମୁଖ୍ୟମନ୍ତ୍ରୀ ଆତାଉର ରହମନ ଖାଁ ନିର୍ଦ୍ଦେଶ ଦେଇଥିଲେ ୧୯୫୨ ଫେବୃଆରୀ ୨୧ ଭାଷା ଆନ୍ଦୋଳନରେ ସହୀଦ ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଏକ ସହୀଦ ମିନାର ଢ଼ାକାରେ ନିର୍ମାଣ କରିବା ପାଇଁ। ତତକାଳୀନ ପୂର୍ବ ପାକିସ୍ତାନର ପ୍ରଖ୍ୟାତ ସ୍ଥପତି ହମିଦୁର ରହମନ ଏହାକୁ ଏପରି ବହୁରଙ୍ଗ ମଣ୍ଡିତ କାଚ ଦ୍ୱାରା ନିର୍ମାଣ କରିଛନ୍ତି ଯେ ସୂର୍ଯ୍ୟକିରଣ ତା’ ଉପରେ ପ୍ରତିଫଳିତ ହେଲେ ଦିନର ବିଭିନ୍ନ ସମୟରେ ଏହା ଭିନ୍ନଭିନ୍ନ ରଂଗରେ ବର୍ଣ୍ଣିଳ ହୋଇଉଠେ। ପୃଥିବୀର ବିଭିନ୍ନ ଦେଶରୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ଓ ରାଷ୍ଟ୍ରନେତାମାନେ ଆସି ଏଇ ସ୍ମୃତିସ୍ତମ୍ଭ ଦେଖି ଆତ୍ମହରା ହୋଇପଡ଼ନ୍ତି। ନିଜର ପ୍ରିୟ ମାତୃଭାଷାକୁ ରକ୍ଷା କରିବା ପାଇଁ ଗୋଟାଏ ଜାତି ବିଶେଷ କରି ଛାତ୍ର ଯୁବକମାନେ ଏପରି ଆତ୍ମବଳି ଦେଇପାରନ୍ତି ଦେଖି ସେମାନଙ୍କ ମୁଣ୍ଡ ନଇଁଯାଏ। ମନରେ ଉଚ୍ଛୁଳି ଉଠେ ନିଜର ମାତୃଭାଷା ଓ ମାତୃଭୂମି ପାଇଁ ଅସରନ୍ତି ମମତା। ଯେଉଁ ଜାତି ତା’ର ମାତୃଭାଷା ଓ ସ୍ୱାଭିମାନ ପାଇଁ ପ୍ରାଣ ଦେଇପାରେ ସିଏ ହିଁ କେବେ ପରାଜିତ ହୁଏନାହିଁ କି ତା’ର ଭାଷା ସଂସ୍କୃତିର କେବେ ବିଲୟ ଘଟେ ନାହିଁ।

ଆଧୁନିକ ମାନବ ସମାଜର ଇତିହାସରେ ନିଜର ମାତୃଭାଷା ପାଇଁ ଏଭଳି ଆତ୍ମବଳିଦାନ ଓ ଏହାର ପ୍ରେରଣାମୟ ସ୍ମୃତିକୁ ସମ୍ମାନ ଦେଇ ୟୁନେସ୍କୋର ସଦସ୍ୟ ରାଷ୍ଟ୍ରମାନେ ୧୯୯୯ ନଭେମ୍ବର ୧୭ ତାରିଖରେ ଫେବୃଆରୀ ୨୧କୁ ଆନ୍ତର୍ଜାତିକ ମାତୃଭାଷା ଦିବସ ରୂପେ ଘୋଷଣା କରିଥିଲେ।

୨୦୦୮ମସିହାରେ ଜାତିସଂଘ ଏହାକୁ ସାରା ବିଶ୍ୱରେ ପାଳନ କରିବା ପାଇଁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲା। ପୃଥିବୀରେ ବହୁ ଭାଷା ଓ ସଂସ୍କୃତି ବିଦ୍ୟମାନ। ପ୍ରତ୍ୟେକ ଜାତିର ପରିଚୟ ହେଉଛି ତା’ର ଭାଷା। ଭାଷା ମରିଗଲେ ଜାତି ମରିଯାଏ। ସାହିତ୍ୟ ସଂସ୍କୃତିର ବାହକ ହେଉଛି ଭାଷା। ଭାଷା ହିଁ ମଣିଷ ସହିତ ମଣିଷକୁ, ଜାତି ସହିତ ଜାତିକୁ ଓ ସଂସ୍କୃତି ସହିତ ସଂସ୍କୃତିକୁ ଯୋଡ଼ିଥାଏ। ଭାଷା ହେଉଛି ଜାତିର ସବୁଠାରୁ ବଡ଼ ସଂପଦ। ଗୋଟିଏ ଜାତି ଉପରେ ଅନ୍ୟ ଏକ ଜାତିର ଭାଷାକୁ ଲଦି ଦେବା ହେଉଛି ଏକ ସାମ୍ରାଜ୍ୟବାଦୀ ଚିନ୍ତାଧାରା। ଔପନିବେଶିକ ଯୁଗରେ ୟୁରୋପର ଉପନିବେଶୀ ଶାସକମାନେ ଏସିଆ, ଆଫ୍ରିକାର ବହୁ ଭାଷାକୁ ମାରି ଦେଇଛନ୍ତି କିମ୍ବା ସେସବୁ ଉପରେ ଇଂରେଜୀ, ଫରାସୀ, ପତ୍ତୃର୍ଗୀଜ ଭାଷାକୁ ଲଦି ଦେଇଛନ୍ତି। ଉପନିବେଶ ଗୁଡ଼ିକୁ ଶାସନ କରିବାର ଅସ୍ତ୍ରରୂପେ ସେମାନେ ନିଜ ଭାଷାକୁ ବ୍ୟବହାର କରିଛନ୍ତି। ଆଜି ବି ସେସବୁ ଭାଷାର ପ୍ରଭାବ ସ୍ଥାନୀୟ ଭାଷାମାନଙ୍କର ଅଗ୍ରଗତି ପଥରେ ଅନ୍ତରାୟ ସୃଷ୍ଟି କରୁଛି। ଔପନିବେଶିକ ଶାସକମାନେ ଉପନିବେଶମାନଙ୍କର ସ୍ୱଚ୍ଛଳ ମଧ୍ୟବିତ୍ତ ଶ୍ରେଣୀକୁ ନିଜର ଏହି ଉଦ୍ଦେଶ୍ୟ ସାଧନରେ ବ୍ୟବହାର କରିଥା’ନ୍ତି। ଜଗତୀକରଣ ଯୁଗରେ ପୃଥିବୀର ତଥାକଥିତ ପ୍ରଭାବଶାଳୀ ଭାଷାମାନେ ଛୋଟ ଛୋଟ ଭାଷାମାନଙ୍କୁ ଗ୍ରାସ କରିବାକୁ ବସିଛନ୍ତି। ଯା’ ଫଳରେ ପୃଥିବୀର ୬ ହଜାରରୁ ଅଧିକ ଭାଷା ମଧ୍ୟରୁ ଅଦ୍ଧେର୍କ ଭାଷା ଆଜି ବିପଦାପନ୍ନ। ଏହି ନକାରାତ୍ମକ ଚିନ୍ତାଧାରାକୁ ବିରୋଧ କରିବା ପାଇଁ ଜାତିସଂଘ ସର୍ବଦା ଆହ୍ୱାନ ଦେଇ ଆସିଛି। ପ୍ରତ୍ୟେକ ଭାଷାକୁ ବଂଚାଇ ରଖିବା ଏବଂ ଭାଷାଗତ ଓ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ସହିତ ପ୍ରତ୍ୟେକ ମାତୃଭାଷାର ସୁରକ୍ଷା ଓ ବିକାଶ କରିବା ଆନ୍ତର୍ଜାତିକ ଭାଷା ଦିବସର ଆହ୍ୱାନ। ଏହି ଐତିହାସିକ ଦିବସ ଓ ବାଂଲାଦେଶର ଭାଷା ସୁରକ୍ଷା ସଂଗ୍ରାମରୁ ଆମ ଦେଶ ତଥା ଆମ ରାଜ୍ୟ ବହୁତ କିଛି ଶିଖିବାର ଅଛି।

ଭାରତର ଜାତୀୟ ଭାଷାମାନଙ୍କର ସୁରକ୍ଷା ଏବଂ ଔପନିବେଶିକ ଗୋଲାମୀର ପ୍ରତୀକ ଇଂରେଜୀ ଭାଷା କବଳରୁ ଆମର ମାନସିକତାକୁ ମୁକ୍ତ କରି ନିଜର ମାତୃଭାଷାକୁ ସ୍ଥାନଦେବା ପାଇଁ ଏହା ସର୍ବଦା ପ୍ରେରଣା ଯୋଗାଇଥାଏ। ସ୍ୱାଧୀନତା ପରେ ଭାରତର ଅନ୍ୟ ରାଜ୍ୟମାନେ ଆଜି ନିଜ ନିଜର ମାତୃଭାଷାକୁ ରାଜଭାଷା ରୂପେ ଗ୍ରହଣ କରି ପ୍ରଶାସନିକ, ନ୍ୟାୟାଳୟ, ଶିକ୍ଷା ତଥା ବିଧାନସଭାରେ ବ୍ୟବହାର କରୁଥିଲାବେଳେ ଆମେ ବିଧାନସଭାରେ ଲଢ଼ାଇ କରୁଛେ ଇଂରେଜୀରେ ବିଧେୟକ ଆସିବ ନା ଓଡ଼ିଆରେ ଆସିବ। ଯେଉଁ ବିଧାନସଭାରେ ୧୯୫୪ ମସିହାରେ ପୂଣ୍ୟାତ୍ମା ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ଐତିହାସିକ ସରକାରୀ ଭାଷା ଆଇନ ପାସ୍ ହୋଇଥିଲା ଏବଂ ଯେଉଁଥିରେ ନିର୍ଦ୍ଦେଶ ଥିଲା ବିଧାନସଭା ଠାରୁ ଆରମ୍ଭ କରି ସମସ୍ତ ସରକାରୀ, କୋର୍ଟ କଚେରୀ ଓ ଶିକ୍ଷାଦାନ ଆଦି କାର୍ଯ୍ୟ ଓଡ଼ିଆ ଭାଷାରେ ଚାଲିବ। ପରିତାପର କଥା ସେହି ପବିତ୍ର ବିଧାନସଭାରେ ଆଜି ଉକ୍ତ ଆଇନକୁ ଭଙ୍ଗକରି ଆମ ନିଜ ମାତୃଭାଷାକୁ ଅପମାନିତ କରାଯାଉଛି, ବିଦେଶୀ ଇଂରେଜୀ ଭାଷାରେ ରାଜ୍ୟର ଶାସନ ଚାଲିଛି। ଆମେ ଆମ ଭାଷାକୁ ପ୍ରଶାସନ, ବିଚାର ବିଭାଗ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ମାରି ଦେଇଛେ। ଏବେ ଶିକ୍ଷା କ୍ଷେତ୍ରରେ ମାରିଦେବା ପାଇଁ ଉଦ୍ୟମ ଚାଲିଛି। ତା’ର ପ୍ରମାଣ ହେଉଛି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ସମସ୍ତ ସରାକାରୀ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କୁ ପ୍ରେରିତ ନିର୍ଦ୍ଦେଶ। ଯୁକ୍ତ ୨ ଏବଂ ଯୁକ୍ତ ୩ ମହାବିଦ୍ୟାଳୟମାନଙ୍କରେ ଓଡ଼ିଆ ପରିବର୍ତ୍ତେ ସମସ୍ତ ବିଷୟ ଇଂରେଜୀରେ ପଢ଼ାଇବା ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଭାଷା ସୁରକ୍ଷା ପାଇଁ ସାରା ଓଡ଼ିଶାରେ ଆନ୍ଦୋଳନ ଚାଲିଥିଲା ବେଳେ ସରକାରଙ୍କର ଓଡ଼ିଆ ଜାତି ପ୍ରତି ଏହା ଅପମାନ ବ୍ୟତୀତ ଆଉ କ’ଣ ହୋଇପାରେ।

ଗାନ୍ଧିଜୀ କହିଥିଲେ, ସ୍ୱାଧୀନତାର ଅର୍ଥ ହେଉଛି ଲୋକଙ୍କ ଭାଷାରେ ଲୋକଙ୍କ ଶାସନ। ଲୋକଙ୍କ ଭାଷାରେ ଅର୍ଥାତ ନିଜ ମାତୃଭାଷାରେ ଶାସନ, ନ୍ୟାୟାଳୟ, ବ୍ୟବସାୟ, ବାଣିଜ୍ୟ ଓ ଶିକ୍ଷା ବ୍ୟବସ୍ଥା ନଚାଲିଲେ ଲୋକଙ୍କ ଶାସନ ପ୍ରତିଷ୍ଠା ହୋଇ ପାରିବ ନାହିଁ। ଆମର ବ୍ରିଟିଶ ଗୋଲାମୀ ମାନସିକତା ହେତୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତୀୟ ଅଂଚଳକୁ ଆମର ପ୍ରତିବେଶୀ ରାଜ୍ୟମାନଙ୍କର ଭାଷାଗୁଡ଼ିକ ଗ୍ରାସ କଲା ବେଳେ ସମଗ୍ର ରାଜ୍ୟକୁ ଇଂରେଜୀ ହିନ୍ଦୀ ଗ୍ରାସ କରି ବସିଲାଣି। ସରକାରୀ ଓଡ଼ିଆ ବିଦ୍ୟାଳୟମାନଙ୍କରେ ଓଡ଼ିଆ ପଢ଼ାଇବା ପାଇଁ ଓଡ଼ିଆ ଶିକ୍ଷକ ପଦବୀ ନାହିଁ। ଓଡ଼ିଆ ଭାଷାକୁ ଡିଜିଟାଲ ଭାଷାରେ ପରିଣତ କରି ତା’ର, ବ୍ୟବହାର ପାଇଁ ସରକାର ପଦକ୍ଷେପ ନ ନେଇ ସମସ୍ତ ସରକାରୀ କାର୍ଯ୍ୟ ଇଂରେଜୀ କଂପ୍ୟୁଟର ଜରିଆରେ କରିବାକୁ ବ୍ୟାପକ ଯୋଜନା କରୁଛନ୍ତି। ଓଡ଼ିଶାରେ ସବୁକାର୍ଯ୍ୟ ଇଂରେଜୀରେ ଚାଲିଥିବା ହେତୁ ଓଡ଼ିଆରେ ଉଚ୍ଚଶିକ୍ଷା ଲାଭ କରିଥିବା ଓଡ଼ିଆ ଯୁବକମାନେ ଆଜି ପାନ ଦୋକାନ ଓ ଚାହା ଦୋକାନ କରି ଜୀବିକା ନିର୍ବାହ କରୁଛନ୍ତି। ଫଳରେ କିଏ କାହିଁକି ଓଡ଼ିଆ ପଢ଼ିବାକୁ ଆଗ୍ରହ ପ୍ରକାଶ କରିବ। ପୂର୍ବ ପାକିସ୍ତାନ ବା ବର୍ତ୍ତମାନ ବାଂଲାଦେଶର ବଙ୍ଗାଳୀମାନଙ୍କ ମାତୃଭାଷାକୁ ଲୋପକରିବା ନିମିତ୍ତ ପାକିସ୍ତାନ ସିନା ସେମାନଙ୍କ ଉପରେ ଊର୍ଦ୍ଦୁ ଭାଷା ଲଦି ଦେଇଥିଲା। ବଙ୍ଗାଳୀମାନଙ୍କ ମଧ୍ୟରୁ ବଙ୍ଗଳାଭାଷା ଓ ବଙ୍ଗାଳୀ ସଂସ୍କୃତିକୁ ଲୋପ କରି ତା’ ସ୍ଥାନରେ ଊର୍ଦ୍ଦୁ ଓ ପଞ୍ଜାବୀ ସଂସ୍କୃତିକୁ ଚାପି ଦେବାକୁ ଚେଷ୍ଟା କରିଥିଲା। ସେମାନେ ଏହା କରିବାରେ ସଫଳ ହୋଇଥିଲେ ବଂଗଳା ଭାଷା ଲୋପ ପାଇବା ସହିତ ବାଂଲାଦେଶର ବଙ୍ଗାଳୀମାନଙ୍କର ପରିଚୟ ଲିଭି ଯାଇଥା’ନ୍ତା। ସେମାନେ ଚିରଦିନ ପାଇଁ ପଶ୍ଚିମ ପାକିସ୍ତାନର ଦାସତ୍ୱର ବନ୍ଧନରେ ବାନ୍ଧି ହୋଇ ରହିଥା’ନ୍ତେ। କିନ୍ତୁ ସ୍ୱାଭିମାନୀ ବଙ୍ଗାଳୀମାନେ ତାହା କରିବାକୁ ଦେଇନଥିଲେ, ପାକିସ୍ଥାନର ବର୍ବର ଅତ୍ୟାଚାର ଆଗରେ ମୁଣ୍ଡ ନୁଆଁଇ ନଥିଲେ। ଶେଷକୁ ପାକିସ୍ତାନ ମୁଣ୍ଡ ନୁଆଁଇ ଥିଲା ସେମାନଙ୍କ ଆଗରେ। ବଙ୍ଗଳାଭାଷାକୁ ଜାତୀୟ ଭାଷାରୂପେ ସ୍ୱୀକୃତି ଦେବାକୁ ବାଧ୍ୟ ହୋଇଥିଲା। ବଙ୍ଗଳାଦେଶରେ ନିଜ ମାତୃଭାଷାରେ ଶାସନ, ନ୍ୟାୟ ଓ ସଂଚାର କାର୍ଯ୍ୟ ଚାଲିଥିଲା। କିନ୍ତୁ ଆଜି ଓଡ଼ିଶାରେ ବିଦେଶୀ ସରକାର ନୁହଁ ଆମ ସରକାର ଓ ଅଫିସରମାନେ ଓଡ଼ିଆ ଭାଷାକୁ ମାରିଦେବା ପାଇଁ ଉଦ୍ୟମ କରି ଚାଲିଛନ୍ତି। ଆମ ଓଡ଼ିଆମାନଙ୍କ ମଧ୍ୟରେ ଥିବା ସ୍ୱାଭିମାନର ନିଆଁକୁ ଦୀର୍ଘ ୪୦୦ ବର୍ଷର ପରାଧୀନତା ଲିଭାଇ ଦେଇଛି। ମଧୁବାବୁ, ଫକୀରମୋହନ, ଗୌରୀଶଙ୍କର, ଗଙ୍ଗାଧର ପ୍ରମୁଖଙ୍କ ଦ୍ୱାରା ଉତ୍କଳ ସମ୍ମିଳନୀ ମାଧ୍ୟମରେ ଯେଉଁ ଜାତିପ୍ରେମ ସୃଷ୍ଟି ହୋଇଥିଲା ତା’ ଫଳରେ ଓଡ଼ିଆ ଭାଷା ବଂଚିପାରିଥିଲା ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ଓଡ଼ିଶାର ଏହି ବରପୁତ୍ରମାନଙ୍କର ତିରୋଧାନ ପରେ ସେମାନଙ୍କ ସୃଷ୍ଟ ଓଡ଼ିଆ ଜାତୀୟତାବୋଧ ଓ ଭାଷା ପ୍ରେମ ଓଡ଼ିଆମାନଙ୍କ ଠାରେ ପୁଣି ଦୁର୍ବଳ ହୋଇପଡ଼ିଥିଲା। ବିଶେଷ କରି ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ସେଥିପ୍ରତି କେହି ବିଶେଷ ଧ୍ୟାନଦେଲେ ନାହିଁ। ଇଂରାଜୀ ଭାଷାର ଗୋଲାମିର ପ୍ରଭାବରେ ନିଜର ମାତୃଭାଷାର ସୁରକ୍ଷା କରିବାକୁ ଓଡ଼ିଶାର ରାଜନେତା ଓ ବୁଦ୍ଧିଜୀବୀମାନେ ବି ଭୁଲିଗଲେ। ସ୍ୱାଧୀନତା ପରେ ଭାରତର ସମସ୍ତ ରାଜ୍ୟରେ ନିଜର ମାତୃଭାଷା ରାଜଭାଷାର ସମ୍ମାନ ପାଉଥିଲା ବେଳେ ଆମ ରାଜ୍ୟରେ ଓଡ଼ିଆ ଭାଷାର ଆଜି ଚାକରାଣୀର ମର୍ଯ୍ୟାଦା ବି ପାଉନାହିଁ। ମଧୁବାବୁଙ୍କ ପରେ ଓଡ଼ିଶାକୁ ଏବଂ ଓଡ଼ିଆ ଭାଷାକୁ ଭଲପାଉଥିବା ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ପ୍ରଣୀତ ଭାଷା ଆଇନକୁ କାର୍ଯ୍ୟକାରୀ ନକରି ଆମେ ଅଳିଆଗଦାକୁ ଫିଙ୍ଗିଦେଇ ନଥାନ୍ତୁ। କୌଣସି ଜାତିର ମାତୃଭାଷାକୁ ଅପମାନିତ କରି ସେ ଜାତିର ସମ୍ମାନକୁ ବୃଦ୍ଧି କରି ହୁଏ ନାହିଁ। ଓଡ଼ିଆ ଭାଷାକୁ ଭିତ୍ତି କରି ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ଇତି ମଧ୍ୟରେ ୭୯ ବର୍ଷ ବିତିଗଲାଣି। ଓଡ଼ିଆ ଭାଷା ଓଡ଼ିଆ ଜାତିର ସରକାରୀ ଭାଷାରୂପେ ମାନ୍ୟତା ପାଇପାରିଲା ନାହିଁ। ଇତି ମଧ୍ୟରେ ଓଡ଼ିଶାର ଅର୍ଥନୈତିକ ଅଗ୍ରଗତି ହୋଇଛି। କିନ୍ତୁ ଓଡ଼ିଆ ଭାଷାର ଅଗ୍ରଗତି ପରିବର୍ତ୍ତେ ଏହାର ଅବକ୍ଷୟ ଘଟି ଚାଲିଛି। ଏଥିପାଇଁ ବିଗତ ଏବଂ ବର୍ତ୍ତମାନ ସରକାରଙ୍କର ଓଡ଼ିଆ ଭାଷାପ୍ରତି ଅବହେଳା ଏବଂ ଇଂରେଜୀ ଭାଷାପ୍ରତି ଅତ୍ୟଧିକ ପ୍ରେମ ଓଡ଼ିଆ ଭାଷାର ବ୍ୟବହାର ମୁଖ୍ୟତଃ ଦାୟୀ। ଓଡ଼ିଆ ଭାଷା ଜାଗାରେ ଇଂରେଜୀ, ହିନ୍ଦୀ ଓ ତେଲୁଗୁର ବ୍ୟବହାର ବଢ଼ୁଛି। ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ଇଂରାଜୀର ବ୍ୟବହାର ବଢ଼ିଥିବା ହେତୁ ଓଡ଼ିଆ ଭାଷା ଜୀବନ ଜୀବିକାର ଭାଷା ହୋଇପାରୁ ନାହିଁ। ତେଣୁ ପିଲାମାନେ ଓଡ଼ିଆ ପଢ଼ିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଇଂରେଜୀ ମାଧ୍ୟମ ବିଦ୍ୟାଳୟଗୁଡିକ ଓଡ଼ିଶାରେ ଛତୁ ଫୁଟିଲା ପରି ମୁଣ୍ଡଟେକି ଉଠିଲେଣି। ବର୍ତ୍ତମାନର ରାଜ୍ୟ ସରକାର ଏବଂ ଅଫିସରମାନେ ଏହାକୁ ପ୍ରୋତ୍ସାହିତ କରୁଛନ୍ତି। ଗଣମାଧ୍ୟମ, ବିଶେଷକରି ବୈଦ୍ୟୁତିକ ଗଣମାଧ୍ୟମର ଭାଷା ବିକୃତ ହେବାରେ ଲାଗିଛି। ଓଡ଼ିଆ ଶବ୍ଦ ପରିବର୍ତ୍ତେ ସେମାନେ ଇଂରେଜୀ ଓ ହିନ୍ଦୀ ଶବ୍ଦ ସବୁ ବ୍ୟବହାର କରୁଛନ୍ତି। ଏହାର ପ୍ରଭାବ ବର୍ତ୍ତମାନର ଯୁବ ପିଢ଼ି ଉପରେ ପଡୁଛି। ବିଶେଷକରି ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ପିଲାମାନେ ଓଡ଼ିଆ ପରିବର୍ତ୍ତେ ଇଂରେଜୀ-ହିନ୍ଦୀ-ଓଡ଼ିଆ ମିଶା ଏକ ଖେଚୁଡ଼ି ଭାଷା ବ୍ୟବହାର କଲେଣି। ସରକାରୀ ସ୍ତରରେ ଓଡ଼ିଆ ଭାଷା ପ୍ରତି ଅବହେଳା ଏବଂ ଆମ ନୂଆ ପିଢ଼ିଙ୍କର ଓଡ଼ିଆ ଭାଷା ପ୍ରତି ବିତସ୍ପୃହତା ଓଡ଼ିଆ ଭାଷା ପାଇଁ ଏକ ଦୁର୍ଦ୍ଦିନର ସଂକେତ ପ୍ରଦାନ କରୁଛି। ଉନବିଂଶ ଶତାବ୍ଦୀର ଶେଷଭାଗରେ ବ୍ରିଟିଶ ଶାସନ କାଳରେ ଭାଷା ସୁରକ୍ଷା ଆନ୍ଦୋଳନ କରି ଓଡ଼ିଶାର ବରପୁତ୍ରମାନେ ମାତୃଭାଷାକୁ ବଂଚାଇଥିଲେ। ଓଡ଼ିଶା ପ୍ରଦେଶ ଗଠନର ୭୮ ବର୍ଷ

ପରେ ଓଡ଼ିଆ ଭାଷାର ସଂକଟ ବେଳେ ପୁଣି ଆଉ ଏକ ଭାଷା ସୁରକ୍ଷା ଆନ୍ଦୋଳନର ଆବଶ୍ୟକତା ଦେଖାଦେଇଛି। ଆସନ୍ତୁ ସମସ୍ତେ ଏହି ଭାଷା ସୁରକ୍ଷା ଆନ୍ଦୋଳନର ମହାଯଜ୍ଞରେ ପୁଣି ଥରେ ଯୋଗଦେବା- ନିଜର ପ୍ରିୟ ମାତୃଭାଷାକୁ ରକ୍ଷା କରିବା, ସମ୍ମାନ ଦେବା।

ଆବାହକ, ଭାଷା ସୁରକ୍ଷା ସମ୍ମିଳନୀ

ଏନ୍-୩/୧୨, ଆଇ.ଆର.ସି ଭିଲେଜ୍

ଭୁବନେଶ୍ୱର-୧୫, ମୋ-୯୪୩୭୩୦୧୪୧୩

(ଏ ମତାମତ ସଂପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ)

Previous ArticleNext Article

Send this to a friend