ବନ୍ଦ ଓ ଧର୍ମଘଟର ପରିଭାଷା କ’ଣ ହିଂସାତ୍ମକ ଆଚରଣ ?

Hartal-violence

୧୯୯୭ ଓ ୨୦୦୪ ମସିହାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦୁଇଟି ପୃଥକ ପୃଥକ ରାୟ ପ୍ରକାଶ କରିଥିଲେ ଯେ, ‘କୌଣସି ସଙ୍ଗଠନ, ଅନୁଷ୍ଠାନ ଓ ରାଜନୈତିକ ଦଳ ଦ୍ୱାରା ଡାକରା ଦିଆଯାଉଥିବା ବନ୍ଦ ଓ ଧର୍ମଘଟ (ହରତାଳ) ଆଦି ବେଆଇନ୍‌ ଓ ଅସମ୍ୱିଧାନିକ। ଏପରି ବନ୍ଦ‌ ଓ ଧର୍ମଘଟ ମାଧ୍ୟମରେ କୌଣସି ଜନସାଧାରଣଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିପାରିବେ ନାହିଁ। ସାଧାରଣ ଲୋକମାନଙ୍କ ପ୍ରତି ସମସ୍ୟା ସୃଷ୍ଟି କରିପାରିବେ ନାହିଁ। ସେମାନଙ୍କ ଜୀବନ ପ୍ରତି କୌଣସି ବିପଦ ସୃଷ୍ଟି କରିବାର ଅଧିକାର ମଧ୍ୟ ନାହିଁ। ସରକାରୀ ଓ ବ୍ୟକ୍ତିଗତ ସମ୍ପତ୍ତିକୁ ନଷ୍ଟ କରିପାରିବେ ନାହିଁ। ଜନସାଧାରଣଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି କରିପାରିବେ ନାହିଁ। ବନ୍ଦ‌ ଓ ଧର୍ମଘଟ ସମୟରେ ଯଦି ସାଧାରଣ ଲୋକମାନଙ୍କର ଯାତାୟାତରେ କୌଣସି ବ୍ୟକ୍ତି ବା ବନ୍ଦ‌ଡାକରା ଦେଇଥିବା ରାଜନୈତିକ ଦଳ ବା ସଙ୍ଗଠନର କର୍ମୀମାନେ କୌଣସି ବାଧା ସୃଷ୍ଟି କରନ୍ତି ତେବେ ତାଙ୍କ ବିରୋଧରେ ଥାନାରେ ଏତଲା ଦେଇପାରିବେ। ଆହୁରି ମଧ୍ୟ ବନ୍ଦ‌ ଓ ଧର୍ମଘଟ ସମୟରେ ହେଉଥିବା କ୍ଷୟକ୍ଷତିର ଭରଣା ଡାକରା ଦେଇଥିବା ରାଜନୈତିକ ଦଳ ବା ସଙ୍ଗଠନଠା କରିବ।”

ତେବେ ଏଠାରେ ପ୍ରଶ୍ନ ଉଠେ, ଆଜିର ରାଜନୈତିକ ଦଳମାନେ କ’ଣ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଠାରୁ ଉର୍ଦ୍ଧ୍ୱରେ ? ବନ୍ଦ ଓ ଧର୍ମଘଟ ଡାକରା ଦେଉଥିବା ଦଳର ରାଜନେତା ଓ ତୃଣମୂଳ ସ୍ତରର କର୍ମୀମାନେ ବନ୍ଦ‌ ଓ ଧର୍ମଘଟ ମଧ୍ୟରେ ପ୍ରଭେଦ ଜାଣିଛନ୍ତି କି? ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ଉକ୍ତ ରାୟ ସମ୍ପର୍କରେ ରାଜନେତାମାନେ ସେମାନଙ୍କ କର୍ମୀମାନଙ୍କୁ ଅବଗତ କରାଇଛନ୍ତି କି? ବନ୍ଦ‌ ଓ ଧର୍ମଘଟ ସମୟରେ ହେଉଥିବା ହିଂସାତ୍ମକ ଆଚରଣ, କ୍ଷୟକ୍ଷତି, ଅପ୍ରୀତିକର ପରିସ୍ଥିତି ଆଦି ପାଇଁ ଦାୟୀ କିଏ ? କାହା ସ୍ୱାର୍ଥରେ ଆନ୍ଦୋଳନ, ଧର୍ମଘଟ ଓ ବନ୍ଦ‌ ଆଦି ଡାକରା ଦିଆଯାଉଛି ? ଯଦି ସାଧାରଣ ନାଗରୀକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି କରାଯାଉଛି ତେବେ ବନ୍ଦ‌, ଧର୍ମଘଟ ଓ ଆନ୍ଦୋଳନରେ ସାଧାରଣ ଜନତା କାହିଁକି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ?

ଦେଶରେ ପେଟ୍ରୋଲ ଓ ପେଟ୍ରୋଲିୟମ ଉତ୍ପାଦଗୁଡିକର ଅତ୍ୟଧିକ ଦର ବୃଦ୍ଧି ଯୋଗୁଁ ଚଳିତମାସ ୧୮ ତାରିଖ ସୋମବାର ଦିନ ସାରା ରାଜ୍ୟରେ ବିଜୁ ଜନତା ଦଳ ଶାନ୍ତିପୂର୍ଣ୍ଣ ଭାବେ ପାଞ୍ଚ ଘଣ୍ଟିଆ ହରତାଳ ଡାକରା ଦେଇଥିଲେ। ସକାଳ ୭ଟା ଠାରୁ ମଧ୍ୟାହ୍ନ ୧୨ଟା ଯାଏଁ ଜନଜୀବନ ଏକ ପ୍ରକାର ଠପ‌ ହୋଇଯାଇଥିଲା। ଏପରି ସ୍ଥଳେ ଜରୁରୀ କାମରେ ବାହାରକୁ ବାହାରୁଥିବା ଲୋକମାନେ ବିଜେଡି କର୍ମୀମାନଙ୍କ ଆକ୍ରୋଶର ଶୀକାର ହୋଇଥିଲେ। ଫଳସ୍ୱରୂପ, କେଉଁଠି ଗାଡି ଭଙ୍ଗା ତ କେଉଁଠି ସାଧାରଣ ନାଗରୀକମାନଙ୍କୁ ବାଡେଇବା ପାଇଁ ଗୋଡାଇବା ଭଳି ଦୃଶ୍ୟ ପ୍ରତୀୟମାନ ହେଉଥିଲା। ଏପରି କି ‘ମା’କୁ ସମ୍ମାନ’ର ସ୍ଳୋଗାନ ଦେଉଥିବା ବିଜେଡିର ଉତ୍‌ଶୃଙ୍ଖଳିତ କର୍ମୀମାନେ ନିଶାଶକ୍ତ ଅବସ୍ଥାରେ ମହିଳା, ଶିଶୁ, ରୋଗୀ, ବରିଷ୍ଠ ନାଗରୀକଙ୍କୁ ମଧ୍ୟ ବାଦ‌ ଦେଇ ନଥିଲେ। କେତେକ ସ୍ଥାନରେ ଆମ୍ୱୁଲାନ୍ସକୁ ଅଟକାଇ ଥିଲେ ତ କେଉଁଠି ସ୍କୁଲ୍‌ ଯାଉଥିବା କୋମଳମତି ଶିଶୁମାନଙ୍କୁ ଭୟଭୀତ କରିଥିଲେ। ଏପରି କି ଜଣେ ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବାଡେଇବାକୁ ମଧ୍ୟ ପଛେଇ ନଥିଲେ। ଯଦିଓ ପୋଲିସ‌ ତତ୍ପରତା ଦେଖାଇ ନିଜ ଆଡୁ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଛି, ତଥାପି ସବୁଠୁ ଚିନ୍ତାଜନକ ବିଷୟ ଯେ, ଅନେକ ସ୍ଥାନରେ ନାବଳକମାନେ ମଧ୍ୟ ଏପରି ଧର୍ମଘଟରେ ସାମିଲ‌ ହେଉଛନ୍ତି ଓ ହାତରେ ଢେଙ୍ଗାବାଡି ଧରି ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଯାହାକି ଏକ ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଦୌ ଶୁଭ ସୂଚକ ନୁହେଁ। ଏଠାରେ କେବଳ ଏତିକି କୁହାଯାଇପାରେ ଯେ, ଶାସକ ଦଳ କର୍ମୀମାନେ ଧର୍ମଘଟର ପ୍ରକୃତ ଅର୍ଥ ବୁଝିନାହାଁନ୍ତି ବା ସେମାନଙ୍କର ନେତା ସେମାନଙ୍କୁ ବୁଝାଇ ନାହାଁନ୍ତି ! ଯାହା ଦ୍ୱାରା ଶାନ୍ତିପୂର୍ଣ୍ଣ ଧର୍ମଘଟ ଏକ ହିଂସାତ୍ମକ ବନ୍ଦ‌ ରୂପ ନେଇଥିଲା। ଏହାଦ୍ୱାରା କ୍ଷତି କାହାର ହେଲା ତାହା ବିଜେଡି ନିଶ୍ଚିତ ଭାବେ ଅନୁଶୀଳନ କରିବା ଉଚିତ‌।

bjd1ଏହା ଦଳକୁ ସହାୟକ ହେବ କି ଭୋଟ‌ ବ୍ୟାଙ୍କ ଉପରେ ପ୍ରଭାବ ପକାଇବ ? ଏହି ଧର୍ମଘଟ ଦ୍ୱାରା ଲୋକଙ୍କ ଭାବନାକୁ ଆଘାତ ଲାଗିଛି କି ? ରାଜ୍ୟରେ ବଢୁଥିବା ଭାରତୀୟ ଜନତା ଦଳର ଶକ୍ତିକୁ ଏହା ଖୋରାକ‌ ଯୋଗାଇବ କି?

କହିବା ବାହୁଲ୍ୟ ଯେ, ଦେଶ ଚଳାଇବା ପାଇଁ ତଥା ଲୋକଙ୍କ ସମସ୍ୟା ବୁଝିବା ପାଇଁ ଆମେ ରାଜନୈତିକ ନେତାଙ୍କୁ ନିର୍ବାଚିତ କରିଥାଉ, ଜନସାଧାରଣଙ୍କୁ ହଇରାଣ କରିବା ପାଇଁ ନୁହେଁ। ଯଦି ରାଜ୍ୟ ଶାସକ ଦଳ କେନ୍ଦ୍ର ସରକାରଙ୍କ ତୈଳ ଦର ବୃଦ୍ଧିକୁ ପ୍ରତିବାଦ କରିବାର ଥିଲା ତେବେ ଅନ୍ୟ ଉପାୟ ମଧ୍ୟ ଚିନ୍ତା କରି ପାରିଥା’ନ୍ତା। ସାଧାରଣ ଲୋକାମାନଙ୍କୁ ହଇରାଣ ନକରି ଶାସକ ଦଳର ନିର୍ବାଚିତ ଲୋକ ପ୍ରତିନିଧିମାନେ ବିରୋଧ ପ୍ରଦର୍ଶନ ସ୍ୱରୂପ ରାଜ୍ୟପାଳଙ୍କୁ ସ୍ମାରକପତ୍ର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଶାସକ ଦଳର ପଞ୍ଚାୟତ କର୍ମୀମାନେ ବ୍ଲକ‌ ଆଦି ସ୍ଥାନରେ ବିକ୍ଷୋଭ ଓ ଶୋଭାଯାତ୍ରା କିମ୍ୱା ଲୋକସଭା ଓ ରାଜ୍ୟସଭାକୁ ନିର୍ବାଚିତ ସଦସ୍ୟ/ସଦସ୍ୟାମାନେ ସେଠାରେ ବିରୋଧ ପ୍ରଦର୍ଶନ କରି ପାରିଥା’ନ୍ତେ। ତୃଣମୂଳ ସ୍ତରର କର୍ମୀମାନଙ୍କ ଦ୍ୱାରା ହିଂସାତ୍ମକ ଧର୍ମଘଟ (ଯାହାକି ଆଇନ୍‌ତଃ ନୁହେଁ) କରିବାର ଯଥାର୍ଥତା ନାହିଁ। ଯଦି ବାସ୍ତବରେ ତୈଳ ଦର ବୃଦ୍ଧି ଲୋକଙ୍କ ଉପରେ ପ୍ରଭାବ ପକାଇଛି, ତେବେ ରାଜ୍ୟ ସରକାର ପେଟ୍ରୋଲ‌ ଓ ପେଟ୍ରୋଲିୟମ ଉତ୍ପାଦରେ ରାଜ୍ୟର ମୂଲ୍ୟଯୁକ୍ତ କରରେ ମଧ୍ୟ ରିହାତି ଦେଇପାରିଥା’ନ୍ତେ। ଏହା ଦ୍ୱାରା ଲୋକମାନଙ୍କର ଆକ୍ରୋଶ ପରିବର୍ତ୍ତେ ନିଜର ସ୍ଥିତି ମଧ୍ୟ ଦୃଢ ହୋଇପାରିଥା’ନ୍ତା। କିମ୍ୱା ଏଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭଳି ପଥ ମଧ୍ୟ ଆପଣା ଯାଇପାରିଥା’ନ୍ତା। ତୈଳ ଦର ବୃଦ୍ଧି ପ୍ରତିବାଦ ସ୍ୱରୂପ ସ୍ୱର୍ଗତ ବିଜୁ ପଟ୍ଟନାୟକ ଯେପରି ସାଇକେଲ୍‌ରେ ବିଧାନସଭା ଏବଂ ଅଟଳ ବିହାରୀ ବାଜପେୟୀ ଯେପରି ଶଗଡରେ ଲୋକସଭାକୁ ଯାଇଥିଲେ ସେପରି କିଛି ନୂଆ ଉପାୟ ମଧ୍ୟ ଚିନ୍ତା କରାଯାଇ ପାରିଥା’ନ୍ତା।

ଶାସକ ଦଳର ବର୍ତ୍ତମାନ ୧୧୭ ଜଣ ବିଧାୟକ, ୨୦ ଜଣ ଲୋକସଭା ଓ ଆଠ ଜଣ ରାଜ୍ୟସଭା ସାଂସଦ ସମେତ ପ୍ରାୟ ଶତାଧିକ ପଞ୍ଚାୟତ ପ୍ରତିନିଧି ରହିଛନ୍ତି। ସାରା ରାଜ୍ୟର ଶାସକ ଦଳର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧିମାନେ ଗୋଟିଏ ଦିନ ପାଇଁ ମଟର ଚାଳିତ ଯାନ ବ୍ୟବହାର ନକରି ସାଇକେଲ କିମ୍ୱା ଚାଲି ଚାଲି କର୍ମସ୍ଥଳୀକୁ ଯାଇ ମଧ୍ୟ ବିରୋଧ ପ୍ରଦର୍ଶନ କରି ପାରିଥା’ନ୍ତେ। ଏପରି କରିଥିଲେ ହୁଏତ ବହୁ ସାଧାରଣ ଜନତା ବିରୋଧ ସ୍ୱରୂପ ଗୋଟିଏ ଦିନ ପାଇଁ ମଟର ଚାଳିତ ଯାନ ବ୍ୟବହାର କରି ନଥା’ନ୍ତେ।

BJDଶେଷରେ ଏକ ବିକଶିତ ଦେଶ ଜାପାନର ଉଦାହରଣ ନିଆଯାଇପାରେ। ଜାପାନରେ ମଧ୍ୟ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିରୋଧ ପ୍ରଦର୍ଶନ କରାଯାଏ। ମାତ୍ର ଆମେ ଏଠାରେ କର୍ମବିହୀନ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ସେମାନେ କର୍ମଠ ଭାବେ ବିରୋଧ ପ୍ରଦର୍ଶନ କରିଥା’ନ୍ତି। ଉଦାହରଣ ସ୍ୱରୂପ, ମନେକର ପାରିଶ୍ରମିକ ବୃଦ୍ଧି ପାଇଁ ଏକ ଜୋତା କାରାଖାନାର କାରୀଗରମାନେ ଆନ୍ଦୋଳନ କରିବାର ଅଛି। ତେବେ ସେମାନେ କାମ ନ କରି ବିରୋଧ କରି ନଥା’ନ୍ତି। ବରଂ ଦୈନିକ କାମ କରି ମଧ୍ୟ ବିରୋଧ ପ୍ରଦର୍ଶନ କରନ୍ତି। ସେମାନେ ଦୈନିକ କାମକୁ ଯାଆନ୍ତି ଏବଂ ନିଷ୍ପତି କ୍ରମେ ସମସ୍ତ କାରୀଗର କେବଳ ଗୋଟିଏ ପାଦ ପାଇଁ (ମନେକର ବାମ ପାଦ) ଜୋତ ତିଆରି କରନ୍ତି। ଫଳରେ କମ୍ପାନୀ ବା କାରଖାନା ବନ୍ଦ ହେଲା ନାହିଁ, କଞ୍ଚାମାଲ୍‌ ମଧ୍ୟ ଖର୍ଚ୍ଚ ହେଲା, ଉତ୍ପାଦନ ଚାଲୁ ରହିଲା, ମାତ୍ର କାରଖାନା ଉତ୍ପାଦଗୁଡିକୁ ବିକ୍ରି କରିପାରିଲା ନାହିଁ ଫଳରେ କ୍ଷତି ସହିବାର ପରିସ୍ଥିତି ସୃଷ୍ଟି ହେଲା। ଏହାକୁ କୁହାଯାଏ ସକରାତ୍ମକ ବିରୋଧ ପ୍ରଦର୍ଶନ। ଏପରି କରିବା ଦ୍ୱାରା ଦେଶର ଅର୍ଥନୀତିରେ କୌଣସି ପ୍ରଭାବ ପଡିଲା ନାହିଁ, ହିଂସାତ୍ମକ ତଥା ଅପ୍ରୀତିକର ପରିସ୍ଥିତିକୁ ମଧ୍ୟ ଏଡାଯାଇ ପାରିଲା ଓ ଶେଷରେ ଦାବି ମଧ୍ୟ ପୂରଣ ହୋଇପାରିଲା। ଶେଷରେ କେବଳ ଏତିକି କୁହାଯାଇପାରେ ଯେ ଏକ ପ୍ରଗତିଶୀଳ ରାଷ୍ଟ୍ରରେ ରାଜନୈତିକ ବନ୍ଦ ଓ ଧର୍ମଘଟର ମାଧ୍ୟମ ଏପରି ହେବା ଜରୁରୀ ଯେପରି ଏହା ଦେଶର ଅର୍ଥନୀତି ଓ ଜନସାଧାରଣଙ୍କ ଉପରେ ନକରାତ୍ମକ ପ୍ରଭାବ ନ ପକାଏ। ରାଜନୈତିକ ଦଳମାନେ ବିରୋଧ ପ୍ରଦର୍ଶନ ପାଇଁ ଏପରି ଉପାୟ ଅବଲମ୍ୱନ କରିବା ଉଚିତ‌ ଯାହାଦ୍ୱାରା ଲୋକମାନେ ହଇରାଣ ନହୋଇ ବରଂ ସ୍ୱତଃ ସାମିଲ‌ ହେବେ।

ଉମାକାନ୍ତ ପାତ୍ର

ଥାଲକୁଡି, ମଙ୍ଗଳପୁର, ଯାଜପୁର

୯୪୩୯୭୫୦୧୭୫

Previous ArticleNext Article

Send this to a friend