ଜଗନ୍ନାଥଙ୍କୁ ଖୋଲା ଚିଠି

Surdarshan

Surdarshanହେ ଜଗନ୍ନାଥ,

ଏ ଅକିଞ୍ଚନର ପ୍ରଣାମ ନେବେ, ଆଉ ଏଭଳି ଖୋଲା ଚିଠି ଆପଣଙ୍କୁ ଲେଖିବାର ପ୍ରୟାସ କରିଥିବାର ଧୃଷ୍ଟତାକୁ କ୍ଷମା ଦେବ। ଆପଣ ତ  ଅନ୍ତର୍ଯ୍ୟାମୀ! ସଭିଙ୍କ ଅନ୍ତରର କଥା ଆପଣ ଜାଣି ପାରନ୍ତି। ମୋ ମନର ଅନ୍ତରର କଥା ବି। ତେଣୁ ଆପଣ ପ୍ରଶ୍ନ କରିପାରନ୍ତି, ତେବେ ଏଭଳି ଚିଠି କ’ଣ ପାଇଁ?  ପୁଣି ଖୋଲାରେ!  ଉତ୍ତରରେ ଏତିକି କହିପାରେ ଆପଣଙ୍କର ତ ଆଉ ଗୁପ୍ତ ବୋଲି କିଛି ନାହିଁ। ଯାହାକି କିଛି ଗୁପ୍ତ ଥିଲା ତାହା ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି।  ବ୍ରହ୍ମ ସଂସ୍ଥାପନ ବେଳେ ଯାହାସବୁ ନିଭୃତରେ ହେବା କଥା, ତାହା ସବୁ ଖୋଲମ୍ ଖୋଲା ହୋଇଗଲା। ତେଣୁ ଖୋଲାରେ ଆପଣଙ୍କୁ  ଚିଠି ଲେଖିଲେ କ୍ଷତି ନାହିଁ ବୋଲି ମୁଁ ବିଚାର କରେ। ପୁନଶ୍ଚ ଆପଣ ତ ଚିଠି ପଢ଼ିବେ ନାହିଁ। ଆପଣଙ୍କ ନାଁ ନେଇ ଅନେକ କଥା କରାଯାଉଛି।  ଘଟଣା-ବିଘଟଣ,  ସୁସମ୍ବାଦ-ବିସମ୍ବାଦ ସବୁ କୁଆଡେ ଆପଣଙ୍କ ଇଚ୍ଛା। ପ୍ରଭୁଙ୍କ ଇଚ୍ଛା ଆଳରେ ନରମାନେ ସବୁ ଲୀଳା କରନ୍ତି। ଯେମିତି ଆପଣଙ୍କ ନାମରେ ବ୍ୟାଙ୍କରେ  ଜମାଖାତାଟେ ଅଛି। ତାକୁ ଆପଣ ପରିଚାଳନା କରନ୍ତି ନାହିଁ। ଆପଣଙ୍କ ଭାଇ ବୋଲାଉ ଥିବା  ବାଡ଼ଗ୍ରାହୀ ଆପଣଙ୍କ ନାଁ ନେଇ ଟଙ୍କା ଦେଣ ନେଣ କରନ୍ତି। ଠିକ୍ ସେଇମିତି, ଏ ଚିଠିଟି ଆପଣଙ୍କୁ ଲେଖାଯାଇଛି, ମାତ୍ର ତାକୁ ପଢ଼ିବେ ସେଇମାନେ, ଯେଉଁମାନେ ଆପଣଙ୍କ ଲୀଳାକୁ ତାଙ୍କ ଲୀଳା ଭାବରେ ପ୍ରତିପାଦିତ କରନ୍ତି।

ମନ୍ଦିରର ପ୍ରଶାସକ, ପୁରୀ ମହାରାଜ, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ପଣ୍ଡା, ଦଇତାପତି, ବାଡ଼ଗ୍ରାହୀ- ଏମାନେ ସମସ୍ତେ ଏ ଚିଠିଟିକୁ ପଢ଼ିଲେ, ମୁଁ ଭାବିବି ତାହା ଆପଣ ପଢ଼ିନେଲେ ବୋଲି। ହିଁ,  ଛାଡି ଗଲି ଭକ୍ତମାନଙ୍କୁ। ଭକ୍ତମାନେ ତ ଭଗବାନ। ସେମାନେ ଏହାକୁ ପଢ଼ିଲେ ମୁଁ ଆହୁରି କୃତାର୍ଥ ହେବି।

ସମଗ୍ର ଜଗତର ନାଥ- ତେଣୁ ଆପଣ ଜଗନ୍ନାଥ!  ପୁରୀ, ଓଡ଼ିଶା ଓ ଭାରତ ନୁହେଁ, ସମଗ୍ର ବିଶ୍ୱର ଦେବତା ଆପଣ। ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଅବତାର ବୋଲି ନରମାନେ  ଆପଣଙ୍କୁ ଚିତ୍ରଣ କରିଛନ୍ତି। ଗୋଟା ଜଗତ ଆପଣଙ୍କ ଇଙ୍ଗିତରେ ଆତଯାତ ବୋଲି ସେମାନେ କହନ୍ତି। ହେଲେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଖାଲି ମୁଁ କାହିଁକି-  ମୋ ପରି ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି। ଆପଣଙ୍କର ସମଗ୍ର ଜଗତଟା ଜଗତସିଂହପୁର ଭିତରେ ସୀମାବଦ୍ଧ ହେଲା କିପରି? ଆପଣଙ୍କ ଭକ୍ତମାନେ ସମଗ୍ର ପୃଥିବୀରେ ବିଛେଇ ହୋଇ ରହିଛନ୍ତି। ଦରିଆ ଏପାରରେ ଯେତିକି ଦରିଆ ଆରପାରିରେ ବି ସେତିକି। ମର୍ତ୍ତ୍ୟରେ ଯେତିକି ସ୍ୱର୍ଗରେ ସେତିକି। ମାତ୍ର ଜଗତସିଂହପୁରିଆ ଭକ୍ତଙ୍କ ପାଇଁ ଆପଣଙ୍କର ଏତେ ପାତରଅନ୍ତର ସମସ୍ତଙ୍କୁ ଆଚମ୍ବିତ କରିଛି। ତିନିଠାକୁରଙ୍କ ଦାରୁ  ଏକାବେଳକେ  ସେଇଠି ପ୍ରାପ୍ତ ହେଲା। ଦେଶ ବିଦେଶ କଥା ଛାଡ଼ି ଦିଅନ୍ତୁ। ଏତେ ଦୂର ଜାଗାରୁ ଦଇତାପତିମାନେ କେମିତି  ଦାରୁ ଆଣିବେ। ହେଲେ ରାଜ୍ୟରେ ଅନ୍ୟ କୌଣସି ଜାଗାକୁ କ’ଣ ଦାରୁ ମିଳି ନଥାଆନ୍ତା? କୋରାପୁଟ, କନ୍ଧମାଳ, ଗଜପତି, ମୟୂରଭଞ୍ଜ ଆଦି ଜଙ୍ଗଲ ଭିତରେ କେତେ କେତେ ନିମ୍ବ ଦାରୁ ରହଛି। ଆପଣଙ୍କ ଏବଂ ଅନ୍ୟ ଦେବତାମାନଙ୍କର ନବ କଳେବର ପାଇଁ ଯେଉଁ ବିଶେଷ ଧରଣର ଦାରୁ ଦରକାର ତାହା ଖୋଜିଲେ ମିଳି ଥାଆନ୍ତା। ସେଗୁଡ଼ିକ ବି ଦୂର ଜାଗା ହୋଇ ଥାଇପାରେ। ହେଲେ ପୁରୀକୁ ଲାଗି ନୟାଗଡ଼, ଦଶପଲ୍ଲା ଜଙ୍ଗଲ ଭିତରେ  କ’ଣ ମିଳିପାରି ନଥା’ନ୍ତା ଆପଣଙ୍କ ଦାରୁ? ଆଶ୍ଚର୍ଯ୍ୟ ଲାଗୁଛି, ବନଯାଗ ଦଳ  ବଣ ଆଡ଼କୁ ନ ଯାଇ, ବଣ ନଥିବା ଜଗତସିଂହପୁର ଆଡ଼କୁ କଲେ କେମିତି? ଆଉ ଯଦିବା ଗଲେ, ତିନିଠାକୁରଙ୍କ ପାଇଁ  ସେହି ଗୋଟିଏ ଜାଗାରୁ ଦାରୁ ସେମାନଙ୍କୁ ମିଳିଲା କେମିତି? ସତରେ କ’ଣ ମା ମଙ୍ଗଳାଙ୍କ ସ୍ୱପ୍ନ ପାଇ ସେମାନେ ଜଗତସିଂହପୁର  ମୁହାଁ ହେଲେ ନା ତା’ ଭିତରେ ଆଉ କିଛି ଅକୁହା କଥା ଅଛି? ସେ ଅକୁହା କଥାଟିକୁ ଆପଣ ଜାଣିଛନ୍ତି ନା ନାହିଁ ମୁଁ ଜାଣିନି, ହେଲେ ଆପଣଙ୍କ ପାଖେ ପାଖେ ଥିବା, ଆପଣଙ୍କ ନୀତିକର୍ମର ଦାୟିତ୍ୱ ସମ୍ଭାଳି ଥିବା ମଙ୍ଗୁଆଳମାନେ ଯେ ତାହା ଜାଣନ୍ତି, ଏଥିରେ ମୋର ତିଳେ ମାତ୍ର ସନ୍ଦେହ ନାହିଁ।

ମୋ ପରି  ଅନେକଙ୍କ ଭିତରେ ସନ୍ଦେହର ଜୁଆର। ସମୁଦ୍ରର ଲହରୀ ପରି ମନରେ ଉଠୁଛି ପ୍ରଶ୍ନ। ସତରେ କ’ଣ ଦାରୁ ଖୋଜା ଆଉ ମଙ୍ଗଳାଙ୍କ ସ୍ୱପ୍ନାଦେଶ ଭିତରେ କିଛି ସମ୍ପର୍କ ଅଛି ? ଯଦି ମା’ ମଙ୍ଗଳାଙ୍କ ସ୍ୱପ୍ନାଦେଶଙ୍କ ସ୍ୱପ୍ନଦେବା ଅନୁଯାୟୀ ଦାରୁ ଚିହ୍ନଟ ହେଲା, ତେବେ ବିଗ୍ରହ ପାଇଁ ଅଯୋଗ୍ୟ ଦାରୁ ଚିହ୍ନଟ ହେଲା କିପରି ? ସୁଭଦ୍ରାଙ୍କ ଦାରୁ ‘ପୋଲା’, ଆଉ ଆପଣଙ୍କର ବି। ବିଧି ଅନୁସାରେ ଦାରୁର ମୂଳଟା ହିଁ ବିଗ୍ରହ ତିଆରି ପାଇଁ ଲାଗେ। ଡାଳ ନୁହେଁ । ହେଲେ ମୂଳ ପୋଲା ଥିବା ଦାରୁକୁ ଚିହ୍ନଟ ପାଇଁ ମଙ୍ଗଳାଙ୍କ ସ୍ୱପ୍ନାଦେଶ ହେଲା କିପରି ? ସତରେ କ’ଣ ଏହା ମଙ୍ଗଳାଙ୍କ ସ୍ୱପ୍ନାଦେଶ ନା କୌଣସି ଅଦୃଶ୍ୟ ହାତର କାରସାଦି? ଏହା କ’ଣ ରହସ୍ୟମୟ ହୋଇ ରହିଯିବ ସବୁ ଦିନ ପାଇଁ- ନା ଏହାର ଖୋଲାସା ହେବ କେବେ? ଯେଉଁ ଦାରୁରେ ପକ୍ଷୀ ବସିଥିବେ, ତାହା ବିଗ୍ରହ ପାଇଁ ଅଯୋଗ୍ୟ। ଏ କଥା ବିଧିରେ ତ ରହିଛି। ହେଲେ ଦାରୁରେ ପେଚା ବସିଥିବାର ସମସ୍ତେ ଦେଖିଲେ। ପେଚାକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ତ ନୟାନ୍ତ ବି ହେଲେ। ତା’ସ୍ୱତ୍ତ୍ୱେ ସେ ଦାରୁକୁ ବିଗ୍ରହ ପାଇଁ ଉପଯୁକ୍ତ ବୋଲି କିଏ ନିର୍ଦ୍ଧାରଣ କଲେ?  ସ୍ୱୟଂ ଆପଣ ଯଦି ତାହା କରି ଥାଆନ୍ତେ, ସେଥିରେ ମୋର ପ୍ରଶ୍ନ କରିବାର ଯୁ’ ନ ଥାଆନ୍ତା। ହେଲେ ଯାହାଙ୍କ ଇଙ୍ଗିତରେ ତାହା କରାଗଲା, ସେମାନଙ୍କର ଆପଣଙ୍କର ପ୍ରତି ଆନୁଗତ୍ୟ ନେଇ ମୁଁ ବହୁତ ସନ୍ଦିହାନ। ଆପଣଙ୍କ ରୀତିନୀତି ମାର୍ଗଦର୍ଶିକାରେ ଉଲ୍ଲେଖ ଅଛି, ଦାରୁ ଖୋଜିବା ପାଇଁ ବନଯାଗ ଯାତ୍ରୀ ଦଳ ପାଦରେ ଚାଲି ଚାଲି ଯିବେ। ହବିଷ ଖାଇବେ। ଶୁଦ୍ଧ ଆଉ ପବିତ୍ର ମନ ଦେଇ ଦାରୁ ଖୋଜିବେ। ହେଲେ ଆମ ଆଖି ଦେଖିଲା ଅଲଗା କଥା। ପଦଯାନରେ ନ ଯାଇ ଦଇତାମାନେ ମହାଯାନରେ ଗଲେ। ଏମିତି ସେମିତି ଯାନ ନୁହେଁ । ବିଏମଡବ୍ଲ୍ୟୁ ଭଳି ବିଳାସପୂର୍ଣ୍ଣ ଯାନ। ହବିଷ ବଦଳରେ ଖାଇଲେ ଜିଭକୁ ସୁଆଦିଆ ଲାଗୁଥିବା ଖାଦ୍ୟ। ଦାମୀ ହଟେଲରେ ପ୍ରସ୍ତୁତ ହେଉଥିବା ଖାଦ୍ୟ। ଆଉ ହାତରେ ଆଇପ୍ୟାଡ୍, ଭିଡିଓ ଫଟୋଉଠାର ଆଧୁନିକ ଯନ୍ତ୍ରପାତି। ଆପଣ କହିପାରିନ୍ତି ସମୟ ବଦଳିଲାଣି। ସମସ୍ତେ ଆରାମ ଖୋଜୁଛନ୍ତି। ଆପଣଙ୍କ ସେବକମାନେ ଯଦି ଆରାମ ଖୋଜିଲେ ସେଥିରେ କ୍ଷତି କ’ଣ? ଏବେ ତ ଟେକ୍ନୋଲୋଜିର ଯୁଗ। ସେବକମାନେ ସେସବୁକୁ ବ୍ୟବହାର କଲେ କ୍ଷତି କ’ଣ? କ୍ୟାମେରା/ ଭିଡିଓରେ ଆପଣଙ୍କ ଲୀଳାସବୁକୁ ଦେଶ ବିଦେଶରେ ପଚାର  ପ୍ରସାର ପାଇଁ ଧରାଯିବ। ସେଥିରେ ତ ସମସ୍ତେ ଖୁସି ହେବାର କଥା। ଅନୁଶୋଚନା କ’ଣ ପାଇଁ । ଆପଣଙ୍କ ଏଭଳି ଯୁକ୍ତି ପାଇଁ ମୋ ପାଖରେ ମୋ ପାଖରେ ଉତ୍ତର ନାହିଁ। ଏ ପ୍ରଶ୍ନ ଗୁଡିକୁ ମୁଁ  ଆପଣଙ୍କର ଭକ୍ତମାନଙ୍କର ଗୋଚରାର୍ଥେ ରଖୁଛି ଆଶା ସେମାନେ ଉତ୍ତର ଦେବେ।

ବନଯାଗ ଯାତ୍ରା,ଦାରୁ ଚୟନ, ଦାରୁ ଛେଦନ, ଦାରୁ ଶଗଡିଙ୍କ ଶ୍ରୀକ୍ଷେତ୍ର ଯାତ୍ରା- ଏସବୁ ଲୀଳାମୟ କରି ପକାଇଥିଲା ପରିବେଶକୁ। ଭକ୍ତଙ୍କ ଭାବ ଆଉ ଆବେଗର ପ୍ରାବଲ୍ୟ ଥିଲା ଅବର୍ଣ୍ଣନୀୟ। ଜଗନ୍ନାଥମୟ ହୋଇଉଠିଥିଲା ରାଜ୍ୟବାସୀଙ୍କ ଚିନ୍ତା ଓ ଚେତନା। କେତେ ଅଲୌକିକ କଥା ସବୁ କାନ ଶୁଣିଲା। କେଉଁଠି ନାଗ ସାପ ବାହାରି ଦାରୁ ଚାରିପଟେ ବୁଲିଲା ତ କେଉଁଠି ଦାରୁ କୁ ଛୁଇଁବା କ୍ଷତି ଭକ୍ତଙ୍କର ବ୍ୟାଧି ଛୁ’ ମାରିଲା। ଏମିତି କେତେ କ’ଣ ଆଖି ନ ଦେଖା କଥା ସବୁ କାନରେ ପଡ଼ିଲା। ସେଗୁଡିକର ସତ୍ୟାସତ୍ୟ ନୀରିକ୍ଷଣ କରିବାର ଯୁ’ କାହାର ଅଛି। ଲକ୍ଷ ଲକ୍ଷ ଭକ୍ତଙ୍କର ଜୟ ଜୟକାର, ହରିବୋଲ ଧ୍ୱନୀ ଆଉ ଆଖିର ଅବାରିତ ଅଶ୍ରୁ ମଧ୍ୟରେ ସତ ମିଛ ଭିତରେ ଫରକ ଖୋଜିବା ଏକ ଅପପ୍ରୟାସ ନିଶ୍ଚିତ। ସେଭଳି ପ୍ରୟାସ ମୁଁ ଆଦୌ କରୁ ନାହିଁ। ପୁଣି କଥାରେ ଅଛି, ‘ବିଶ୍ୱାସେ ମିଳଇ ହରି,ତର୍କେ ବହୁ ଦୂର’। ସେ କଥାକୁ ସ୍ମରି, ମୁଁ ଆପଣଙ୍କ ଅଲୌକିକତକୁ ତର୍କ ପରିସର ଭୁକ୍ତ ଆଦୌ କରିବି ନାହିଁ। କେବଳ ମନର କିଛି  କ୍ଷୋଭକୁ ଆପଣଙ୍କ ଚରଣ ତଳେ ରଖିବି। ସାଧାରଣ ମଣିଷର ସରଳତା ଓ ଭକ୍ତିପୂତ ମନୋଭାବର ଫାଇଦା ନିଅନ୍ତି ଦୃଷ୍ଟ ପ୍ରକୃତିର ଲୋକେ। ମଣିଷ ଜାତିର ଇତିହାସରେ ଏହାର ଦୃଷ୍ଟାନ୍ତ ଆଦୌର ବିରଳ ନୁହେଁ। ଧର୍ମ ବିଶ୍ୱାସର ଅଫିମ ଖୁଆଇ ଶାସକ ବର୍ଗ ଜାହିର କରି ରଖେ ତାର କତୃତ୍ୱକୁ ପ୍ରଜାଙ୍କ ଉପରେ। ଭଗବାନର ନୀତିନିୟମ ଆଳରେ ସାଧାରଣ ଲୋକଙ୍କୁ ଲୁଟନ୍ତି ଦ୍ୱାରାଚାରୀମାନେ। ସେହିଭଳି ଅନେକ କିଛି କଥା ଆମ ନଜରକୁ ଆସିଛି। ଆପଣଙ୍କର ନବକଳେବର ସମ୍ପର୍କିତ ଲୀଳାଖେଳା ଭିତରେ। ଆପଣଙ୍କ ନାମରେ ହୁଣ୍ଡି ବସିଲା ଦାରୁ ମୂଳରେ। ଦାରୁକୁ ଛୁଇଁବା ପାଇଁ ଲୋକଙ୍କଠୁ ଆଦୟ ହେଲା ଅର୍ଥ। ଦାରୁ ଶଗଡ଼ି ଶ୍ରୀକ୍ଷେତ୍ର ଯିବା ବାଟରେ କେତେଯେ ଆଦାୟ ହେଲେ ତାର ହିସାବ ଆପଣ ନିଶ୍ଚୟ ରଖି ନ ଥିବେ। ଆପଣଙ୍କ ପ୍ରଶାସକ ସାଜି ଥିବା ମହାପାତ୍ରଙ୍କର ବି କାତର ବାହାରେ ରହିଲା ତାହା। ଛାଡ଼ନ୍ତୁ ସେ କଥା। ସେଗୁଡ଼ା ଏବେ ମାମୁଲି ହୋଇଗଲାଣି। ଦାତା ଦେଉଛନ୍ତି। ନେବା ଲୋକଙ୍କୁ ଦୋଷ କାହିଁ ପାଇଁ ଦେବା। ହେଲେ ନବକଳେବରର ଏ ଲୀଳାଖେଳା ଏବେ ରାଜନୀତିର ପଶାପାଲି ବନି ଯିବା ସବୁଠୁ ଦୁଃଖର ବିଷୟ। ସୁଯୋଗ ଉଣ୍ଡି ନେତାଏ ଗୋଟି ଚଳାଉଛନ୍ତି । କେହି କେହି ଭବିଷ୍ୟବାଣୀ ଦେଲେଣି ଜଗନ୍ନାଥଙ୍କ ଘଟ ପରବର୍ତ୍ତନ ଚଳନ୍ତି ସରକାରର ବି ଘଟ ପରିବର୍ତ୍ତନ କରିଦେବ। ଠାକୁରଙ୍କ ନବକଳେବର ହେବ ଓଡ଼ିଶାର ଶାସନ ବ୍ୟବସ୍ଥାର। ଯଦି ତା’ହୁଏ, ସେଥିରେ କ୍ଷୋଭ ପ୍ରକାଶ କରିବାର ଅବକାଶ ବେଶୀ। କାରଣ ଯେଉଁ ପ୍ରସଙ୍ଗଗୁଡ଼ିକ ପାଇଁ ଅତୀତରେ ଓଡ଼ିଶାର ଶାସନ ବ୍ୟବସ୍ଥାର ପରିବର୍ତ୍ତନ ହୋଇଛି ଏହା ସେହିପରି ଏକ ପ୍ରସଙ୍ଗ। ଆଉ ଏହି ପ୍ରସଙ୍ଗ ସରକାର ବଦଳିବାରେ ସାହାଯ୍ୟ କରିଛି ସତ କିନ୍ତୁ ଆମ ରାଜ୍ୟର ରାଜନୀତି ଏବଂ ଲୋକଙ୍କ ବିକାଶ ପ୍ରକ୍ରିୟାରେ ଗୁଣାତ୍ମକ ପରିବର୍ତ୍ତନରେ ଅକ୍ଷମ ହୋଇଛି। ମୋର ଏ କ୍ଷୋଭର ବସ୍ତବତାକୁ ବିଚାର ଆପଣ କରିବେ ବୋଲି ମୋର ଆଶା।

ଅତୀତରେ କେଉଁ ଏକ ଅଶୁଭ ସମୟରେ କଳାପାହାଡ଼ ଆସିଥିଲା ଆପଣଙ୍କର ଏ ଜଗନ୍ନାଥ ଦେଶକୁ। ସେ ଯେଉଁ ବାଟ ଦେଇ ଗଲା ତାହା ଶ୍ମଶାନ ପାଲଟି ଗଲା। ତା’ର ନିଷ୍ଠୁରତା ଓ କ୍ରୁରତା ପାଇଁ କେତେ ରକ୍ତର ନଦୀ ବୋହିଲା। ଶେଷରେ ଫେରିବା ବେଳକୁ ଆପଣଙ୍କୁ ଟେକି ନେଇଗଲା ଆଉ ଦଗ୍ଧ କଲା ଗଙ୍ଗା ନଦୀ କୂଳରେ। ସେ ସବୁ ଇତିହାସର କଥା। ହେଲେ କଳାପାହାଡ଼ କଥା ପଡ଼ିଲେ ଆଜି ବି ଓଡ଼ିଆ ପ୍ରାଣରେ ଘୃଣାର ଭାବ ସୃଷ୍ଟି ହୁଏ। ତିରସ୍କାର ମନସ୍କ ହୁଅନ୍ତି ସେମାନେ। ମାତ୍ର ଏବେ କଳାପାହାଡ଼ଠୁ ବଳି ଜହ୍ଲାଦ, ପାପିଷ୍ଠମାନେ କୁଆଡ଼େ ଆପଣଙ୍କ ଚାରିପଟେ ବୁଲୁଛନ୍ତି। ଏକଥା ମୁଁ ନୁହେଁ, ଆମ ରାଜ୍ୟର ଜଣେ ପୁରୁଖା ମନ୍ତ୍ରୀ କହୁଛନ୍ତି।  କାରଣ ସେତେବେଳ କଳାପାହାଡ଼ ସିନା ଆପଣଙ୍କୁ ଚୋରାଇ ନେଇଥିଲା, କିନ୍ତୁ ଆପଣଙ୍କ ବ୍ରହ୍ମକୁ ନେଇ ପାରି ନ ଥିଲା। ମାତ୍ର ହାୟ! ଏବର କଳାପାହାଡ଼ମାନେ କୁଆଡ଼େ ଆପଣଙ୍କ ବ୍ରହ୍ମକୁ ବି ଛାଡ଼ି ନାହାନ୍ତି। ଆପଣଙ୍କର ବିଗ୍ରହକୁ ନେଇ ନାହାନ୍ତି ସତ, ହେଲେ ତା’ଭିତରେ ଥିବା ବ୍ରହ୍ମକୁ ଚଳୁ କରି ଦେଇଛନ୍ତି ବୋଲି ଅନେକ କୁହାକୁହି ହେଲେଣି। ମାତ୍ର ଏ କଥାଟିକୁ ମୁଁ ଆକଳି ପାରୁନି। ବିଧି ଅନୁସାରେ ଆପଣଙ୍କର ବ୍ରହ୍ମ ସଂସ୍ଥାନ ହୁଏ ଏକ ବିଶେଷ ମୁହୂର୍ତ୍ତରେ। ନିସ୍ତବ୍ଧ ରାତି, ଚାରିଆଡ଼େ ଶୂନଶାନ, କେଉଁଠି ହେଲେ ଆଲୁଅ ଜଳିବନି, ଚାରି ଜଣ ବାଡ଼ଗ୍ରାହୀଙ୍କୁ ଛାଡ଼ି ଦେଲେ କେହିବି ମନ୍ଦିର ହତାରେ ନଥିବେ- ସେହି ଘନ ଅନ୍ଧକାର ଭିତରେ ଅତି ଗୋପନରେ ପୁରୁଣା ବିଗ୍ରହରୁ ବ୍ରହ୍ମକୁ କାଢ଼ି ନୂତନ ବିଗ୍ରହରେ ସଂସ୍ଥାପନ କରାଯାଏ ବୋଲି ବିଧି ଅଛି। ହେଲେ ନିଶାର୍ଦ୍ଧ ରାତିରେ ନହୋଇ ବ୍ରହ୍ମ ସଂସ୍ଥାପନ କାର୍ଯ୍ୟତ ପୂରା ଉଦୁଉଦିଆ ଖରାବେଳେ ହେଲା। ଚାରି ଜଣଙ୍କ ବଦଳରେ ଆହୁରି ଅନେକ ତା’ଭିତରକୁ ପଶିଲେ। ପୁଣି ଖାଲି ହାତରେ ନୁହେଁ। ଅତି ଉଚ୍ଚ କ୍ଷମତାଯୁକ୍ତ ମୋବାଇଲ ମଧ୍ୟ ସାଙ୍ଗରେ ଥିଲା। ତେବେ ଏତେ ସବୁ ଭିତରେ ଆପଣଙ୍କ ବ୍ରହ୍ମ ଚୋରି ହେଲା କେମିତି? ନାରଦ କହନ୍ତି, ‘ ନର ମାୟା ନାରାୟଣଙ୍କୁ ବି ଅଗୋଚର’। ସେହି ମର୍ମରେ ଧରି ନେବାକି ଯେ ନରମାନେ ସେଦିନ କ’ଣ ସବୁ କଲେ, ତାହା କ’ଣ ଆପଣଙ୍କୁ ବି ଜଣା ନାହିଁ? ବ୍ରହ୍ମ ପ୍ରକୃତରେ କେମିତିକା ଚିଜ ଆମକୁ ଜଣାନାହିଁ। ମୋତେ କେବଳ ଏତିକି ଜଣା ଯେ ଚେତନାର ଆହୁରି ସୂକ୍ଷ୍ମ ଓ ଉଚ୍ଚତର ସ୍ତରକୁ ହିଁ ବ୍ରହ୍ମ। ଏଭଳି ଅପାର୍ଥବ ଓ ସୂକ୍ଷ୍ମାତିସୂକ୍ଷ୍ମ ଚିଜର ଚୋରକୁ ଧରିବାର ଶକ୍ତି ବା କାହାର ଅଛି? ସତରେ କ’ଣ ସେ ଚୋରକୁ ଧରି ହେବ? ଚୋର ଧରିବା କ୍ଷେତ୍ରରେ ପୋଲିସର ଜ୍ଞାନକୌଶଳ ଅକୁଳାଣ ହେଲେ ସନ୍ଧାନୀ କୁକର ବା ଫୋରେନସିକ୍ ଲାବର ଆଶ୍ରା ନିଆଯାଏ। ସେମିତି କିଛିର ଆବଶ୍ୟକତା ପଡ଼ିବ କି ଆପଣଙ୍କ ବ୍ରହ୍ମ ଚୋରିମାନଙ୍କୁ ଧରିବା ପାଇଁ? ଆପଣଙ୍କୁ ନେଇ ଯେଉଁମାନେ ଲୀଳାଖେଳା କରନ୍ତି, ସେମାନେ ଏହାର ଜବାବ ଦେବେ କି?

ଲେଖୁ ଲେଖୁ ବହୁତ ଲେଖି ପକେଇଲିଣି। ପୁଣି ଥରେ କ୍ଷମା ଚାହୁଁଛି ମୋର ଏ ଦୃଷ୍ଟତା ପାଇଁ। ଆପଣ ତ କରୁଣାର ସାଗର। କିଛି ଯଦି ଅସଂଗତ କଥା ଉତଥାପନ କରିଥାଏ ତାକୁ ଧରିବେନି। ଏ ଚିଠିର ଉତ୍ତର ଆଶା କରିବା ବୃଥା। ଏ କଥା ମୁଁ ଜାଣିଛି। ହେଲେ ଆପଣଙ୍କ ପାଖେ ପାଖେ ଥାଇ, ଆପଣଙ୍କ ନାମରେ ଲୀଳାଖେଳା କରୁଥିବା ବଡ଼ପଣ୍ଡାମାନଙ୍କ ଭିତରୁ କେତେକ ଏହାକୁ ପଢ଼ିବେ ନିଶ୍ଚୟ। କେହି ତ ଉତ୍ତର ଦେବାକୁ ଚେଷ୍ଟା କରିବେ। କାଗଜ କଲମରେ ନହେଲେ ବି ମୋବାଇଲରେ କିଛି ଉତ୍ତର ନିହାତି ମିଳିବ। ସେମିତି ଯଦି କିଛି ସୁଖଦ ବା ଦୁଃଖଦ ଉତ୍ତର ମୁଁ ପାଏ, ତେବେ ପୁଣି ଆପଣଙ୍କୁ ଜଣାଇବି। ବିଦାୟ।

ଇତି

ଆପଣଙ୍କର ଜଣେ ‘ଅକିଞ୍ଚନ ଭକ୍ତ’

ଏ ମତାମତ ସଂପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ

Previous ArticleNext Article

1 Comment