ଜୁଏଲଙ୍କ ହାତବୋମା

satya-mishra
(ସତ୍ୟଜିତ ମିଶ୍ର,ବରିଷ୍ଠ ସାମ୍ୱାଦିକ, ଓଟିଭି)

ନୂଆବର୍ଷ ଦିନ ଜୁଏଲ୍ ଓରାମ ଘାୟଲ୍ କଲେ। କାହାକୁ ଘାୟଲ୍ କଲେ, ସେ ସମ୍ପର୍କରେ ତ ଆଲୋଚନା କରିବା। ତେବେ ବିଜେପିର ଏ ପ୍ରମୁଖ ଆଦିବାସୀ ନେତା ନୂଆବର୍ଷ ଦିନ ତୀର ମାରି ନ ଥିଲେ ବରଂ ଏପରି ଏକ ଗ୍ରେନେଡ୍ ଫୋପାଡିଥିଲେ ଯାହାର ସ୍ପ୍ଲିଣ୍ଟର ଅନେକଙ୍କୁ କ୍ଷତବିକ୍ଷତ କରିଛି। ଜୁଏଲଙ୍କ ମିତ୍ର ପକ୍ଷଙ୍କୁ ବି। ଜୁଏଲ୍ ଧମାକାର ଶବ୍ଦ ଏବେ ବି ରହି ରହି ଶୁଣାଯାଉଛି। କମ୍ପନ ବି ଅନୁଭୂତ ହେଉଛି। ରାଜନୈତିକ ରିକଟର ସ୍କେଲରେ ଏ କମ୍ପନର ତୀବ୍ରତା କେତେ ତାହା ମପାଯିବା ଏବେ ଆରମ୍ଭ ହୋଇଗଲାଣି।

ଟିକେ ଫ୍ଲାସ ବ୍ୟାକକୁ ଯିବା। ନୂଆବର୍ଷ ଦିନ ଜୁଏଲ୍ କହିଲେ ଯେ, କେନ୍ଦ୍ର ବିଜେଡିକୁ ଛାଡି ଦେଇଛି। ଚିଟଫଣ୍ଡ ଆଉ ଖଣି ସ୍କାମରେ ସିବିଆଇ ଛାଡି ଦେଇଛି, ନ ହେଲେ ବିଜେଡି ସଫା ହୋଇ ଯାଇଥାନ୍ତା।

ଏ ବକ୍ତବ୍ୟ ଏକ ସିରିଜ୍ ବିସ୍ଫୋରଣ ସୃଷ୍ଟି କଲା। କଥା ଯାଇଁ ଦିଲ୍ଲୀରେ ଉଠିଲା। ଗଲା ୫୦ବର୍ଷ ଭିତରେ କୌଣସି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଏଆଇସିସି ହେଡ କ୍ୱାର୍ଟର୍ସରେ ବସି ସାମ୍ୱାଦିକ ସମ୍ମିଳନୀ କରି ନ ଥିଲେ (୫୦ ବର୍ଷ ଏଥିପାଇଁ ଲେଖୁଛି ଯେ, ସେ ପର୍ଯ୍ୟନ୍ତ ହିସାବ ଅଛି)। ପ୍ରସାଦ ଜୟରାମ ରମେଶଙ୍କୁ ଧରି ଉଭୟ ନବୀନ ଓ ମୋଦିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଏକ ମଉକା ପାଇଲେ। କହିବା ବାହୁଲ୍ୟ ଯେ, ଏଆଇସିସି ହେଡ କ୍ୱାର୍ଟର୍ସରେ ପ୍ରସାଦଙ୍କ ଏ ସାମ୍ୱାଦିକ ସମ୍ମିଳନୀ ତାଙ୍କୁ ହାଇକମାଣ୍ଡଙ୍କ ନିକଟରେ ଗେହ୍ଲାପୁଅ ସାବ୍ୟସ୍ତ କଲା। କ୍ଷଣିକ ପାଇଁ ହେଲେ ବି ଭକ୍ତ, ଲୁଲୁ ଓ ଅନ୍ୟ ବରିଷ୍ଠ ନେତାଙ୍କ ଆକ୍ରମଣରେ ଅତିଷ୍ଠ ପ୍ରସାଦଙ୍କ ପାଇଁ ଏ ସାମ୍ୱାଦିକ ସମ୍ମିଳନୀ ଏକ ସଞ୍ଜୀବନୀ ତୁଲ କାମ ଦେଲା। ଏଥିପାଇଁ ସେ ଜୁଏଲଙ୍କୁ ଧନ୍ୟବାଦ ଦେବା ଉଚିତ!!!

କିନ୍ତୁ ଜୁଏଲଙ୍କ ବକ୍ତବ୍ୟ ଯଦି ସବୁଠାରୁ ବେଶୀ କାହାକୁ ଆହତ କରିଛି, ତେବେ ତା’ ହେଲା ରାଜ୍ୟ ବିଜେପି। ଏକଥା କାହାକୁ ଅଛପା ନାହିଁ ଯେ ଜୁଏଲ୍ କଣଠେସା ହୋଇ ରହିଥିଲେ। କୌଣସି କେନ୍ଦ୍ରମନ୍ତ୍ରୀଙ୍କ ସଭାରେ ଜୁଏଲଙ୍କୁ ଦେଖିବାକୁ ମିଳୁ ନ ଥିଲା। ସେ ନିତିନ ଗଡକରି ହୁଅନ୍ତୁ କି ଖଣି ମନ୍ତ୍ରୀ। ଏପରି କି ରାଉଲକେଲା ଇସ୍ପାତ କାରଖାନା (ଆରଏସପି)କୁ ଯେତେବେଳେ ପ୍ରଧାନମନ୍ତ୍ରୀ ଆସିଲେ, ସଭା କାର୍ଯ୍ୟ ଦେଖରେଖ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଆରଏସପି ଭିତରେ ହେଲମେଟ୍ ପିନ୍ଧି ବୁଲୁଥିବା ଦେଖା ଯାଇଥିଲା। କେବଳ ଆରଏସପି ନୁହେଁ, ଏମସିଏଲ, ଆଇଓସିଏଲ୍ ଏବଂ ସମସ୍ତ ପବ୍ଲିକ ସେକ୍ଟର ୟୁନିଟ ଗୁଡ଼ିକରେ ଧର୍ମେନ୍ଦ୍ରଙ୍କ ଦବଦବା। ବିଜେପିର ସବୁ ପ୍ରୋଗ୍ରାମରେ ଧର୍ମେନ୍ଦ୍ର। କ୍ୟାମେରା ମଧ୍ୟ ଫଲୋ କରୁଥିଲା ଧର୍ମେନ୍ଦ୍ରଙ୍କୁ। ଏପରି କି ଧର୍ମେନ୍ଦ୍ରଙ୍କୁ ବିକଳ୍ପ ମୁଖ୍ୟମନ୍ତ୍ରୀ କ୍ୟାଣ୍ଡିଡେଟ୍ କହି ମଧ୍ୟ କିଛି ବ୍ୟକ୍ତି ହୋର୍ଡିଂ, ପୋଷ୍ଟର ମାରିଲେ। କିଛି ଗଣମାଧ୍ୟମ ମଧ୍ୟ ସମାନ ଆଲୋଚନା କରିବାକୁ ଲାଗିଲେ। ଏହା ଧର୍ମେନ୍ଦ୍ର ଏବଂ ତାଙ୍କ ସମର୍ଥକଙ୍କୁ ଆମୋଦିତ କରୁଥାଇ ପାରେ କିନ୍ତୁ ଜୁଏଲ୍ ଏବଂ ତାଙ୍କ ସମର୍ଥକଙ୍କୁ ନିଶ୍ଚିତ ଭାବେ ଆମୋଦିତ କରୁ ନ ଥିବ।

ସବୁଠାରୁ ବଡ଼ ପ୍ରମାଣ ହେଲା, ଯେତେବେଳେ ବିଜେଡି ସାଂସଦ ତଥାଗତ ଶତପଥୀ ‘ଧର୍ମେନ୍ଦ୍ର କିଏ’ ବୋଲି ପଚାରିଲେ। ଆଉ ଜୁଏଲ୍ ଓଡ଼ିଶାରୁ ଏକମାତ୍ର କେନ୍ଦ୍ରମନ୍ତ୍ରୀ ବୋଲି କହିଲେ, ସେତେବେଳେ ଏହା ଉପରେ ଜୁଏଲ୍ କୌଣସି ପ୍ରତିକ୍ରିୟା ଦେଲେ ନାହିଁ। ବୋଧହୁଏ ତଥାଗତଙ୍କ କଥା ଜୁଏଲଙ୍କ ପାଇଁ ଏକ ପ୍ରଶଂସା ସଙ୍ଗୀତ ଥିଲା। ମନ ଭିତରେ ଜମି ଆସୁଥିବା କ୍ରମାଗତ ଆକ୍ରୋଶ ନୂଆବର୍ଷ ଦିନ ଉଦଗୀରଣ ହେଲା କି? ତେବେ ସାଧାରଣ ବିଜେପି କର୍ମୀ ଜୁଏଲଙ୍କ ବକ୍ତବ୍ୟରେ ଯେ ଖୁସି ହୋଇଛନ୍ତି, ସେଥିରେ ଦ୍ୱିରୁକ୍ତି ନାହିଁ। କାରଣ କିଛି ନେତାଙ୍କ ଯୋଗୁଁ ପାର୍ଟି ଏକ ଦୋ’ଛକିରେ ଛିଡା ହୋଇଥିଲା। ମହା ସଂଗ୍ରାମ, ମହାସାଲିସରେ ପରିଣତ ହୋଇଥିଲା। ଗଡ଼କରୀ ଆସି ଚା’ ପିଇଥିଲେ ନବୀନ ନିବାସରେ। ମୋଦି ନବୀନଙ୍କୁ ‘ମିତ୍ର’ କହିଥିଲେ। ଆଉ ରାଜ୍ୟର କିଛି ନେତା ବିରୋଧୀ ହୋଇ ମଧ୍ୟ ବିଜେଡ଼ିକୁ ସିଧାସଳଖ ଆକ୍ରମଣ କରୁ ନ ଥିଲେ। ଜୁଏଲ୍ କିନ୍ତୁ ସେଥିରୁ ନିଜକୁ ଦୂରେଇ ରଖିଲେ। ଆଗାମୀ ବିଜେପି ସଭାପତି ନିର୍ବାଚନରେ ଯଦି ନବୀନ ସପକ୍ଷବାଦୀ କାହାକୁ ବିଜେପି ସଭାପତି କରାଯାଏ, ତେବେ ଜଣା ପଡିବ, ଯେ ବିଜେପି ଜୁଏଲଙ୍କ ଦ୍ୱାରା ଘାଏଲ୍ ହୋଇ ନାହିଁ!!!

ଆପଣଙ୍କ ମନ ଭିତରେ ପ୍ରଶ୍ନ ଥିବ, ସିବିଆଇ ଉପରେ କ’ଣ ପ୍ରଭାବ ପଡିଲା? ହଁ, ଦୀର୍ଘ ଦିନ ଧରି ଚୁପ୍ ଥିବା ସିବିଆଇ ସ୍ୱସ୍ତିକ ଇଣ୍ଡିଆ ଏମଡି ରଞ୍ଜନ ଦାସଙ୍କୁ ପୁଣି ଗିରଫ କରିଛି। ରଞ୍ଜନର ବିଜେଡି ଲିଙ୍କ୍ ପୁଣି ସାମ୍ନାକୁ ଆସିଛି। ଜୁଏଲ ଯେଉଁ ବାଣ ମାରିଥିଲେ, ଏହା ତା’ର ଫଳ ବୋଲି ବିଚାର କରାଯାଉଛି। ପୁଣି ଓପିଏଲ୍ ଲିଙ୍କ୍ ନେଇ ଖୋଳତାଡ଼ ମଧ୍ୟ ଆରମ୍ଭ ହୋଇଛି। ଏଥିରୁ ଗୋଟିଏ ଧାରଣା ଜନ୍ମୁଛି ଯେ ସିବିଆଇ ପୁଣି ଆକ୍ଟିଭ ହୋଇଛି।

ତେବେ କହିବା ଅନାବଶ୍ୟକ ଯେ, ଜୁଏଲଙ୍କ ବୟାନ ବିଜେଡିକୁ ଆଶ୍ୱସ୍ତ କରିଛି। ସତେ ଯେପରି ଦୁଇ ହାତରେ ଲଡୁ। ଏବେ ଯଦି ସିବିଆଇ ସକ୍ରିୟ ହୁଏ ଆଉ ବିଜେଡି ନେତାଙ୍କୁ ଟାର୍ଗେଟ କରେ, ତେବେ ବିଜେଡି ବୁଝାଇ ପାରିବ ଯେ, ପ୍ରତିଶୋଧ ପରାୟଣ ହୋଇ ମୋଦି ସରକାର ଏପରି କାମ କରୁଛି। କାରଣ ସିବିଆଇ ମୋଦିଙ୍କ ହାତରେ ଥିବା ନେଇ ତାଙ୍କ ମନ୍ତ୍ରୀ(ଜୁଏଲ) ପୂର୍ବରୁ ଇସାରା ଦେଇ ସାରିଛନ୍ତି।

(ଏହି ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ୱ)

Previous ArticleNext Article

Send this to a friend