କନ୍ଧମାଳର ଅଛିଣ୍ଡା ଗଣିତ

Kandhamal-riots
satya-mishra
ସତ୍ୟଜିତ ମିଶ୍ର,ବରିଷ୍ଠ ସାମ୍ୱାଦିକ, ଓଟିଭି

(ସତ୍ୟଜିତ ମିଶ୍ର, ବରିଷ୍ଠ ସାମ୍ୱାଦିକ, ଓଟିଭି): ପର୍ବତ ଉପରେ ଏକ ସମତଳ ଜିଲ୍ଲା। ସମୁଦ୍ର ପତ୍ତନଠାରୁ ବହୁ ଉପରେ ଥିବା କନ୍ଧମାଳ ଜିଲ୍ଲା ଆଶ୍ଚର୍ଯ୍ୟଜନକ ଭାବେ ସମତୁଲ। ଫୁଲବାଣୀଠାରୁ ତୁମୁଡ଼ିବନ୍ଧ ପ୍ରାୟ ୧୭୦ କିଲୋମିଟର ରାସ୍ତାରେ ଉଠାଣି ଗଡ଼ାଣି ନାହିଁ। କିନ୍ତୁ ଯଦି ଆପଣ କଳିଙ୍ଗା ଘାଟି ହୋଇ କନ୍ଧମାଳ ଭିତରକୁ ପଶିବେ ବା ସୋରଡ଼ା-ଗାଜଲବାଡି ହୋଇ ଦାରିଙ୍ଗବାଡିକୁ ଚଢ଼ିବେ ଆପଣଙ୍କୁ ଲାଗିବ ନିଶ୍ଚିତ ଭାବେ ଆପଣ ଏକ ଉତ୍ତୁଙ୍ଗ ଜିଲ୍ଲାକୁ ଚଢୁଛନ୍ତି। ଉପରେ କିନ୍ତୁ କନ୍ଧମାଳ ସମତୁଲ। ଏ ସମତୁଲ ଜିଲ୍ଲାର ଗଣିତ କିନ୍ତୁ ସେତେ ସିଧା ନୁହେଁ। ଏ ଅଛିଣ୍ଡା ଗଣିତର ବେଳେ ବେଳେ ଭାଗଶେଷ ମିଳେନା। ୨୦୦୭ ବ୍ରହ୍ମଣୀଗାଁ ଦଙ୍ଗା ଆଉ ୨୦୦୮ କନ୍ଧମାଳ ଦଙ୍ଗାର ଯେତେବେଳେ ତଦନ୍ତ କମିଶନ ରିପୋର୍ଟ ଆସିଛି, ସେତେବେଳେ ପୁଣି କନ୍ଧମାଳକୁ ନେଇ ଆଲୋଚନା ହେବା ସ୍ୱାଭାବିକ।

ବହୁ ଦୃଷ୍ଟିରୁ କନ୍ଧମାଳ ନିହାତି ବିସ୍ମୟକର। କିଲୋମିଟର କିଲୋମିଟର ବ୍ୟାପୀ ଘନ ଜଙ୍ଗଲ, ସବୁଜିମା ଆଉ ଆକାଶସ୍ପର୍ଶୀ ପର୍ବତ। ବେଳେ ବେଳେ ଜନସତ୍ତା ଖୋଜି ପାଇବା କଷ୍ଟକର ହୋଇ ପଡେ। ଗୋଟିଏ ପଟରେ ଆପଣ ଦେଖିବେ ପର୍ବତ ମେଖଳାରେ ଲାଲ୍ ଟହଟହ ସୂର୍ଯ୍ୟ। ଆରପଟେ ଦେଖିବେ ହିଂସାର ଲାଲ୍ ନିଆଁ। ବିରୋଧାଭାସ ବା କଣ୍ଟ୍ରାଷ୍ଟର ଏକ ଜୀବନ୍ତ ଉଦାହରଣ ହେଲା କନ୍ଧମାଳ। ଏଠି ଅଛନ୍ତି କନ୍ଧ। ଗଞ୍ଜାମ ଓ ଆଖପାଖରୁ ଉଠି ଯାଇଥିବା ସାଧାରଣ ବର୍ଗର ହିନ୍ଦୁ। ଦେଖିବାକୁ ପାଇବେ ଏମିତି ଲୋକ, ଯେଉଁମାନେ କୁଇ ଭାଷାଭାଷୀ କିନ୍ତୁ ଆଦିବାସୀ ନୁହନ୍ତି। ଆହୁରି ଅଛନ୍ତି ହରିଜନ। ଏହାସହ ଦେଖିବେ ଖ୍ରୀଷ୍ଟିଆନ୍ କିନ୍ତୁ ଗୋଟିଏ ପ୍ରକାରର ନୁହନ୍ତି। କ୍ୟାଥଲିକ୍, ପ୍ରୋଟେଷ୍ଟାଣ୍ଟ୍ ଆଉ ପେଣ୍ଟା କଷ୍ଟିଆକ୍। ମୋହନା ପଟକୁ ଲାଗିଥିବା କନ୍ଧମାଳରେ ବି ଦେଖିବେ ଖ୍ରୀଷ୍ଟିଆନ୍ ଆଦିବାସୀ। ଫୁଲବାଣୀ ପଟେ ହିନ୍ଦୁ ଆଦିବାସୀ। କିଛି ଆଦିବାସୀ ଦାବି କରନ୍ତି ଯେ, ସେମାନେ ପ୍ରକୃତିର ପୂଜକ, ନା ହିନ୍ଦୁ ନା ଖ୍ରୀଷ୍ଟିଆନ୍। କିନ୍ତୁ ଧର୍ମ ଲେଖିବାକୁ ବାଧ୍ୟ କଲେ ଲେଖନ୍ତି ହିନ୍ଦୁ। କିଛି ହରିଜନ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି କିଛି ଖ୍ରୀଷ୍ଟିଆନ୍ ଆଉ କିଛି ହିନ୍ଦୁ। ରାସ୍ତା କଡରେ ସିନା ଦେଖିବାକୁ ମିଳେ ଗାଁ, ହେଲେ ପର୍ବତର କୋଣରେ ଥିବା ୪ରୁ୫ ଘରକୁ ନେଇ ଦେଖିବାକୁ ମିଳେ ପଡା।

କନ୍ଧମାଳରେ ଥିଲା ପ୍ରକୃତିର ଧର୍ମ। କିନ୍ତୁ ଯେତେବେଳେ ମଣିଷ ତା’ର ଇପସିତ ଧର୍ମକୁ ଲଦିବାକୁ ବସିଲା ପ୍ରାକୃତିକ ଧର୍ମ ପରିବର୍ତ୍ତନ ହୋଇଗଲା ମନୁଷ୍ୟକୃତ ଧର୍ମରେ। ପ୍ରାକୃତିକ ବିରୋଧାଭାସରେ ଯେତେବେଳେ ମଣିଷ ତା’ର ଇଚ୍ଛାର ପୁଟ ଦିଏ, ତା’ କେତେ ଭୟଙ୍କର ହୋଇଯାଏ, ତା’ ଦେଖିବାକୁ ମିଳିଥିଲା କନ୍ଧମାଳ ଦଙ୍ଗାରେ। ଏ ଲେଖକଙ୍କୁ ଜଣେ ସାମ୍ୱାଦିକ ଭାବେ ୨୦୦୭ ବ୍ରାହ୍ମଣୀଗାଁ ଦଙ୍ଗା ଓ ୨୦୦୮ରେ ଲକ୍ଷ୍ମଣାନନ୍ଦ ମୃତ୍ୟୁ ପରବର୍ତ୍ତୀ ଦଙ୍ଗା ଘଟଣା ନିକଟରୁ ଦେଖିବ।ର ସୁଯୋଗ ମିଳିଥିଲା। ୨୦୦୭ ଦଙ୍ଗାରେ ଏକ ମୋଟର ସାଇକେଲରେ ସାଥୀ ଦିଲୀପଙ୍କୁ ନେଇ ବ୍ରାହ୍ମଣୀଗାଁରେ ପହଞ୍ଚିଥିଲି। ପୂରା ବ୍ରାହ୍ମଣୀଗାଁ ବଜାର ଥିଲା ଖାଁ ଖାଁ। ବହୁ ଲୋକଙ୍କର ଦୋକାନ ପୋଡି ଯାଇଥିଲା। ମୁଣ୍ଡରେ ଧଳାକାନା ବନ୍ଧା ଯାଇଥିବା ଜଣେ ମୃତ ଲୋକଙ୍କର ଶବ ପଡିଥିଲା। ମାତ୍ର ତାଙ୍କ ଶବକୁ ନେବା ପ।ଇଁ କେହି ନ ଥିଲେ। ରାସ୍ତା କଡରେ ସେ ଶବ ସେମିତି ପଡିଥାଏ। ଲୋକ କିନ୍ତୁ ସ୍ୱାଭାବିକ ଚଲାବୁଲା କରୁଥା’ନ୍ତି। ସେ ଆଡକୁ ଅନାଉ ନ ଥିଲେ।

ୱାକିଟକିରେ ଜଣେ ପୋଲିସ ପଦାଧିକାରୀ ହେଡ କ୍ୱାଟରକୁ ଖବର ଦେଉଥାନ୍ତି, ସିଚୁଏସନ୍ ନର୍ମାଲ୍ ସାର୍। ପୋଲିସ ପଦାଧିକାରୀଙ୍କ କଥା କିଛି ଅସତ୍ୟ ବି ନ ଥିଲା। କାରଣ ସେଦିନ ତତ୍କାଳୀନ ଗଜପତି ଏସପି (ଅମିତେନ୍ଦ୍ରନାଥ ସିହ୍ନା)ଙ୍କ ସମେତ ମାତ୍ର ଗୋଟିଏ ପ୍ଲାଟୁନ୍ ଫୋର୍ସ ଏକ ବିରାଟ୍ ମବକୁ ସାମ୍ନା କରିଥା’ନ୍ତି। ଏ ମବରେ ଥିବା ଲୋକଙ୍କ ପାଖେ ଯେତିକି ମାରଣାସ୍ତ୍ର ଥିଲା, ତା’ଠାରୁ ଅଧିକ ମାରଣାସ୍ତ୍ର ଥିଲା ମବ୍ ପଛରେ ଥିବା କିଛି ବ୍ୟକ୍ତିଙ୍କ ହାତରେ। ଯଦି ସେଦିନ ଏ ହାତଗଣତି ପୋଲିସ ଫୋର୍ସ ସାମାନ୍ୟ ପଛଘୁଞ୍ଚା ଦେଇଥା’ନ୍ତା, ତେବେ ଭୟଙ୍କର ବିପତ୍ତି ସୃଷ୍ଟି ହୋଇଥାନ୍ତା। ବ୍ରାହ୍ମଣୀଗାଁ ସ୍କୁଲରେ ରିଲିଫ୍ ପାଇଁ ଧୀରେ ଧୀରେ ଲୋକଙ୍କ ଭିଡ଼ ଜମୁଥିଲା। ସେମାନେ ବି ଆଉ ଘରକୁ ଫେରୁ ନ ଥିଲେ। ନିଜ ଘରେ ନିଜେ ଶରଣାର୍ଥୀ ପାଲଟି ଯାଉଥିଲେ। ଏସବୁ ଦେଖିବା ପରେ ମୁଁ ମୋହନା ରାସ୍ତା ଦେଇ ଫେରିବାକୁ ବାହାରିଲି। ଯଦିଓ ସେ ରାସ୍ତାରେ କେହି ଆସୁ ନ ଥିଲେ। କାରଣ ଲ୍ୟାଣ୍ଡ ମାଇନର ଭୟ ଥିଲା। ଠିକ୍ ପାଣିଗଣ୍ଡା ପାର୍ ହୋଇଛି, କିଛି ଲୋକ ଅଟକାଇଲେ ଆମ ବାଇକକୁ। ଗୋଟିଏ ପଡ଼ା ଭିତରକୁ ଯିବାକୁ କହିଲେ (ଆଦେଶ ଦେଲେ)। ମୁଁ ଚାଲିଲି। ପ୍ରାୟ ଶହେ ଲୋକ ଥିଲେ। ଗୁମସୁମ, ଚୁପଚାପ।

ଜଣେ ମତେ ପଚାରିଲେ, ଆପଣଙ୍କ ନାଁ କ’ଣ?

ମୁଁ କହିଲି ସତ୍ୟଜିତ ମିଶ୍ର।

ସେ ବ୍ୟକ୍ତି ଜଣକ କହିଲେ ଆପଣ ତ ହିନ୍ଦୁ ସାମ୍ୱାଦିକ ଆମ କଥା କ’ଣ ଲେଖିବେ?

ଏମିତି ଏକ ପ୍ରଶ୍ନ ଯେ ମତେ ହୋଇପାରେ, ମୋ କଳ୍ପନା ବାହାରେ ଥିଲା। ମୋ ନୀରବତା ଯେତିକି ବଢୁଥିଲା ସମସ୍ତଙ୍କ ସନ୍ଦେହୀ ଆଖି ସେତିକି ଭାରି ହୋଇ ଯାଉଥିଲା। ସେ ଚାହାଣୀକୁ ଯଦି ଅନୁବାଦ କରାଯାଏ, ତେବେ ଏମିତି ହେବ, ‘ହଁ, ହଁ ମ୍ଭେ ହିନ୍ଦୁ ରିପୋର୍ଟର। ଆମ ବିରୋଧରେ ଲେଖିବ।’

ସେ ଗାଁର ଜଣେ ଶିକ୍ଷିତ ପିଲାଙ୍କୁ ମୁଁ ଖୋଜିଲି। ମାଟ୍ରିକ୍ ପାସ୍ ଜଣେ ଯୁବକଙ୍କୁ ପାଇଲି। ପାଖକୁ ଡାକିଲି।

ସେ ସମାନ ପ୍ରଶ୍ନ ତୁମ ନାଁ କ’ଣ ପଚାରିଲେ। କହିଲି ସତ୍ୟଜିତ ମିଶ୍ର।

ତୁମ ଧର୍ମ କ’ଣ?

ମୁଁ କହିଲି: ଭାରତୀୟ ସମ୍ୱିଧାନ।

ତା’ ପରେ ଜଣେ କହିଲେ, ମ୍ଭେ ଆମ ବାବା ସାହେବ ଆମ୍ୱେଦକରଙ୍କ ଲୋକ। ସେଠାରୁ ବର୍ତ୍ତି ତ ଆସିଲି। କିନ୍ତୁ ଦଙ୍ଗା ଉପରେ ତା’ ପରଦିନ ମୋର ଗୋଟିଏ ରିପୋର୍ଟର ହେଡିଂ ଥିଲା, ‘କ୍ରସ୍ ଓ ତିଳକରେ ବନ୍ଧା ପଡିଛି ଜୀବନ’।

୨୦୦୮ କନ୍ଧମାଳ ଦଙ୍ଗା ଆହୁରି ବ୍ୟାପକ ହୋଇଥିଲା ଅଗଷ୍ଟ ୨୩ ତାରିଖ (ଯେଉଁଦିନ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ହୋଇଥିଲା) ରାତିରେ। ଏକ ନିଉଜ୍ ପେପର୍ ଗାଡିରେ ମୁଁ କନ୍ଧମାଳ ଭିତରକୁ ପଶିଲି। କେବଳ ଗୋଟିଏ ପ୍ୟାଣ୍ଟ ଆଉ ଗୋଟିଏ ସାର୍ଟ। ତା’ପରଦିନଠାରୁ କନ୍ଧମାଳକୁ ଚାରି ଚକିଆ ଯିବା ଏକ ପ୍ରକାରର ଅସମ୍ଭବ ହୋଇ ପଡୁଥିଲା। ରାସ୍ତାରେ ବିରାଟ ବିରାଟ ଗଛ। ମୁଁ ଏବଂ ସାଥୀ ସମୀର ପାଢ଼ୀ ଏକ ବାଇକରେ ବାହାରି ପଡିଲୁ।

ହିସାବ ଥିଲା ଘୁ.ଉଦୟଗିରିରୁ ଟିକାବାଲି ହୋଇ ଯିବୁ। ବାଟରେ ପଡିଲା ବଡ଼ିପାଙ୍ଗା ଗାଁ। ପଶୁ ପଶୁ ଦେଖିଲୁ ହୁତୁହୁତ୍ ହୋଇ ଜଳୁଥାଏ ଗାଁ। ଆଶ୍ଚର୍ଯ୍ୟ କଥା ଥିଲା ଚାରି ପଟ ଜନଶୂନ୍ୟ। ଏକ ଗାଁ ଜଳୁଛି, ହେଲେ ଗାଁରେ ଜଣେ ବି ଲୋକ ନାହାନ୍ତି। ଏ ଘରର କିଛି ଫଟୋ ମୋର ଏକ ଛୋଟ ନିକନ୍ କ୍ୟାମେରାରେ ଉଠାଇଲୁ। ପାଖରେ ଏକ ପର୍ବତ ଉପରକୁ ମୁଁ ସମୀରଙ୍କ ବାରଣ ସତ୍ତ୍ୱେ ଚଢ଼ି ଚଢ଼ି ଗଲି। ପ୍ରାୟ ଗୋଟିଏ କିଲୋମିଟର ଯିବା ପରେ ଭୟରେ ଥିବା କିଛି ଲୋକଙ୍କ ଇଣ୍ଟରଭିଉ ନେଲି। ତା’ ଭିତରେ ଥିଲା ବୁସୁରି ବୁଢୀ ଯିଏ ଧର୍ମ କ’ଣ ଜାଣି ନ ଥିଲା। ଡଙ୍ଗରର ଫଳ ଆଉ ଝରଣାର ପାଣି, ଜନ୍ତୁଙ୍କ ମାଂସ ଥିଲା ତ।ର ଖାଦ୍ୟ। ଚଢେଇର କିଚିରିମିଚିର ଶବ୍ଦ ତା’ ପାଇଁ ସଙ୍ଗୀତ ଥିଲା। ସୂର୍ଯ୍ୟ ଉଉଁଥିଲା ଆଉ ଅସ୍ତ ହେଉଥିଲା। କିନ୍ତୁ ତା’ ଘର ବି ଜଳିଲା।

ସେ ମତେ କୁଇ ଭାଷାରେ ପଚାରିଲେ, ବାବୁ ମୋ’ ଦୋଷ କ’ଣ?

ବୁସୁରି ବୁଢ଼ୀ ପ୍ରଶ୍ନର ଉତ୍ତର ମୁଁ ଦେଇ ପାରି ନ ଥିଲି।

ପାହାଡ ତଳକୁ ଓହ୍ଲାଇଥିଲି। ଆଉ ଆଗକୁ ନ ବଢ଼ିବା ପାଇଁ କିଏ ଯେମିତି ମୋ’ ଭିତରୁ କହୁଥିଲା (ବିପଦ ଆସିଲେ ବହୁଥର ଏପରି ମୁଁ ଅନୁଭବ କରିଛି)। ସମୀର ବାବୁଙ୍କୁ କହିଲି, ଚାଲ ଘୁ.ଉଦୟଗରି ଫେରିଯିବା। ସେ ମନା କରୁଥା’ନ୍ତି କିନ୍ତୁ ମୁଁ ବାଧ୍ୟ କରିବା ପରେ ସେ ରାଜି ହେଲେ। ଆମେ ପଛକୁ ଫେରିବା ବେଳକୁ କନ୍ଧମାଳର ଆଉ ଏକ ରୂପ ଦେଖିଲି। କିଲୋମିଟର ବ୍ୟାପୀ ଜନଶୂନ୍ୟ ଇଲାକା ଭିତରୁ ହଠାତ୍ ଦଳେ ଲୋକ ବାହାରି ଆସି ତୁରନ୍ତ ଗଛଗୁଡ଼ିକୁ କାଟି ରାସ୍ତାରେ ଶୁଆଇ ଦେଉଥାନ୍ତି। ଆମେ ବହୁ କଷ୍ଟରେ ଦୁଇଟି ଗଛକୁ ଅତିକ୍ରମ କଲୁ। କିନ୍ତୁ ଶେଷରେ ଏପରି ଏକ ବିଶାଳ ଆମ୍ୱଗଛ ପଡିଥିଲା ଯେ ବାଇକ୍ ଟେକି ଆଉ ଅତିକ୍ରମ କରିବା ସମ୍ଭବ ନ ଥିଲା। ଯାହା ଆଶଙ୍କ। କରୁଥିଲୁ, ସେଇଆ ହେଲା। ପଛକୁ ଫେରିବାକୁ ପଡିଲା। ବଡ଼ିପାଙ୍ଗା ଅତିକ୍ରମ କରିବାର ୫ ଶହ ମିଟର ପରେ ଦଳେ ଲୋକ ଆମକୁ ଅଟକାଇଲେ। ଲୁଙ୍ଗିରୁ ବାହାରିଲା ମୋବାଇଲ୍। କଥା ହେଲେ ଆମେ ଅଟକାଇଛୁ ଆସ।

ମୋ ପ୍ୟାଣ୍ଟ୍ ପକେଟରେ ରଖିଥିବା କ୍ୟାମେରା ଟୁମ୍ କରି ବାହାରକୁ ଦିଶୁଥାଏ। ମୁଁ ତାକୁ ବାଇକରେ ଚାପି କରି ନଇଁ କରି ଠିଆ ହେଲି। ପାଣି ମଗେଇ ପିଇଲି। କିଛି ସମୟ ପରେ ଜଣେ ହାଫ୍ ପ୍ୟାଣ୍ଟ୍ ପିନ୍ଧା ଯୁବକ ଆସିଲେ। ମତେ କହିଲେ, କ୍ୟାମେରାରେ ଫଟୋ ଉଠାଇଛ କି?

କହିଲି ନା।

ଯଦି, କ୍ୟାମେରା ରଖିଛ ଦେଇଦିଅ। କାରଣ ଘରପୋଡ଼ା ଖବର ବାହାରକୁ ଗଲେ ସେମାନେ ପୁଣି କୋଠାଘର ପାଇବେ, ସବୁ ସାହାଯ୍ୟ ପାଇବେ। ସାହସ କରି (ମୋ ରିପୋର୍ଟ ପାଇଁ) ଏ ଯୁବକଙ୍କୁ ମୁଁ ମିଛ କହିଲି। ସମୀର ଏଥର ତାଙ୍କ ମୋବାଇଲ୍ ଫଟୋ କିଛି ଦେଖାଇଲେ। ଯେଉଁଥିରେ ଥିଲା ତୁମୁଡ଼ିବନ୍ଧ ଆଶ୍ରମରେ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡର କିଛି ଦୃଶ୍ୟ। ଏସବୁ ଚିତ୍ର ଦେଖିବା ପରେ ଏ ଯୁବକ ଓ ସେମାନଙ୍କ ସହୋଦରଙ୍କ ଆଖିରୁ ଲୁହ ଝରି ପଡିଲା। ଏ ଲୁହର ତାପମାତ୍ରା ମାପିବା ଏତେ ସହଜ ନ ଥିଲା। ଆମକୁ ସେମାନେ ବିଦାୟ ଦେଲେ।

ଏ ଉପରୋକ୍ତ ଘଟଣ। ଦୁଇଟି ଏକ ଛୋଟ ଉଦାହରଣ ହୋଇପାରେ। କିନ୍ତୁ ଏହାକୁ ରୋଗ ପରର ପ୍ରତିକ୍ରିୟା କୁହାଯାଇପାରେ। ଅସଲ ରୋଗର କାରଣ ବାହାର କରିବାକୁ ପଡିବ। ଜଡ଼କୁ ଯିବାକୁ ପଡିବ। ପାଣିଗ୍ରାହୀ କମିଶନ ଓ ନାଇଡୁ କମିଶନ ସେ କାମ ନିହାତି କରିଥିବେ ବୋଲି ମୋର ବିଶ୍ୱାସ। ‘କାରଣ’ ଜାଣିଲେ ହିଁ ନିରାକରଣ ସମ୍ଭବ। ନ ହେଲେ କେବଳ କନ୍ଧମାଳରେ ନୁହେଁ ଓଡିଶାର ବିଭିନ୍ନ ପ୍ରାନ୍ତରେ କନ୍ଧମାଳର ପୁନରାବୃତିର ଆଶଙ୍କା ରହିଛି।

(ଏହି ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ୱ)

Previous ArticleNext Article

Send this to a friend