ଛାତ୍ର ରାଜନୀତି ଓ ସାମାଜିକ ନେତୃତ୍ଵ

Student-Politics-Debajani-Mishra
ଦେବଜାନୀ ମିଶ୍ର

ସ୍ୱାମୀ ବିବେକାନନ୍ଦଙ୍କ  ମତ ଅନୁସାରେ, ନେତୃତ୍ଵ ନେଉଥିବା ଲୋକର ଶବ୍ଦକୋଷରେ ‘ଅସମ୍ଭବ’ ବୋଲି ଶବ୍ଦ ହିଁ ନ ଥାଏ। ନିଜର ଦୃଢ ସଂକଳ୍ପ ଦ୍ଵାରା ସେ ଯେକୌଣସି ଏକ ସମସ୍ୟାର  ସମାଧାନ କରିଦେଇପାରେ। ନକ୍ସଲ, ଆତଙ୍କବାଦ, ଦାରିଦ୍ର୍ୟ, ବେକାରୀ ସମସ୍ୟା ଆଦିରେ ସନ୍ତୁଳି ହେଉଥିବା ଭାରତକୁ ଏବେ ଏପରି ଏକ ଦୃଢ ନେତୃତ୍ଵର ଆବଶ୍ୟକତା ଅଛି। ୟୁନାଇଟେଡ ଷ୍ଟେଟର ପ୍ରଥମ ମହିଳା ଭାବେ ଜଣା ଯାଉଥିବା ଅବିଗଲି ଆଦାମଙ୍କ ମତରେ –‘’Great necessities will call great leaders.” ବୀକାଶଶୀଳ ରାଷ୍ଟ୍ରରୁ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ସେପରି କିଛି ବିଶିଷ୍ଟ ନିଷ୍ଠାବାନ ସାମାଜିକ ନେତୃତ୍ଵ ହିଁ ବର୍ତ୍ତମାନ ସମୟର ଆହ୍ଵାନ ଅଟେ।

ଆଜିର ଛାତ୍ର, ଆଗାମୀ କାଲିର ନେତା। ଆମ ଦେଶର ଲୋକ ସଂଖ୍ୟାର ସବୁଠାରୁ  ଅଧିକ ପ୍ରଗତିବାଦୀ, ସ୍ପଷ୍ଟ, ପ୍ରେରିତ ତଥା ଗତିଶୀଳ ଅଂଶ ଏହି ଛାତ୍ର ସମ୍ପ୍ରଦାୟ। ନିଜର ଏହି ଗଠନାତ୍ମକ ସମୟରେ ଏକ ଛାତ୍ରର  ବ୍ୟକ୍ତିତ୍ଵର ସର୍ବାଙ୍ଗୀନ ଉନ୍ନତି କରାଯାଇ ପରେ। ରାଜନୀତି ନିଶ୍ଚିନ୍ତ ରୂପେ ଏକ ଛାତ୍ରର ବ୍ୟକ୍ତିତ୍ଵକୁ ବଳିଷ୍ଠ କରାଏ। ଛାତ୍ର ଜୀବନରେ ରାଜନୀତିର ଆବଶ୍ୟକତା ନାହିଁ ଭାବୁଥିବା ଲୋକମାନେ ନିଶ୍ଚିନ୍ତ ରୂପେ ଭୁଲ ଭାବନ୍ତି। କାରଣ ଗାନ୍ଧୀଜୀଙ୍କ ମତରେ–“Anyone who says are not interested in politics is like a drowning man who insists he is not interested in politics“। ତେଣୁ ରାଜନୀତି ଯେ ସମୟର ଆହ୍ଵାନକୁ ଉପଯୁକ୍ତ ଦିଗ ଦେଖାଇ ବଳିଷ୍ଠ ନେତୃତ୍ଵ ସୃଷ୍ଟିରେ ସହାୟକ ହେବ ଏଥିରେ କୌଣସି ଦ୍ଵିମତ ନାହିଁ। ଛାତ୍ର ରାଜନୀତି କରୁଥିବା ଏକ ଛାତ୍ରର ରାଜନୀତି ସମ୍ପର୍କରେ ଯଥେଷ୍ଟ ଧାରଣା ହୋଇଥାଏ। ନିଜର ଅଧିକାର ଓ ତାର ବ୍ୟବହାର ସମ୍ପର୍କରେ ଅବଗତ ହୁଏ। ନିଜ ଚାରିପାଖରେ ଘଟୁଥିବା ଘଟଣା ସମ୍ପର୍କରେ ସେ ସଂବେଦନଶୀଳ ହେବା ଶିଖେ। ନିଜର ଭାବନାତ୍ମକ ପ୍ରକ୍ରିୟା ର ଅଭିବୃଦ୍ଧି ଘଟେ। ବିଶ୍ଲେଷଣ।ତ୍ମକ ଗୁଣର ବିକାଶ ଘଟେ।

୧୯୦୫ ମସିହାରେ ବଙ୍ଗ ବିଭାଜନ ସମୟରେ ,୧୯୦୭ ମସିହାରେ ରାଓଲଟ ଆକ୍ଟ ବିରୋଧରେ ଛାତ୍ରମାନେ ନିଜର ସକ୍ରିୟତା ପ୍ରଦର୍ଶନ କରିଥିଲେ ହେଁ ଆଜିକୁ ପ୍ରାୟେ ଅଶୀବର୍ଷ ତଳେ ୧୯୩୬ ମସିହାରେ ବିଧିବଦ୍ଧ ଭାବେ ସର୍ବଭାରତୀୟ ଛାତ୍ର ମହାସଂଘର (All-India Student federation) ଜନ୍ମ ହୋଇଥିଲା। ସେବେଠାରୁ ଛାତ୍ର ନିର୍ବାଚନର ପ୍ରକ୍ରିୟାର ଆରମ୍ଭ ହୋଇଥିଲା ବୋଲି ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି। ଏହାପରେ ଏହି ଛାତ୍ର ମହାସଂଘ ଭାରତଛାଡ ଆନ୍ଦୋଳନରେ ଏକ ସ୍ମରଣୀୟ ଭୂମିକା ନିର୍ବାହ କରିଥିଲା। ଏହା ପରେ ପରେ ୧୯୪୮ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ୧୯୫୪ରେ ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ଅରଗାନାଇଜେସନ, ଷ୍ଟୁଡେଣ୍ଟ ଫେଡରେଶନ ଅଫ ଇଣ୍ଡିଆ ,ଦିଲ୍ଲୀ ୟୁନିଭର୍ସିଟି ଷ୍ଟୁଡେଣ୍ଟ ୟୁନିୟନ ଇତ୍ୟାଦି ଛାତ୍ର ମହାସଂଘ ଗଢି ଉଠିଲା ଯାହା ଆଗାମୀ ପିଢୀକୁ ଅନେକ ବଳିଷ୍ଠ ନେତୃତ୍ଵ ମାନଙ୍କୁ ସୃଷ୍ଟି କରିବାରେ ସହାୟକ ହୋଇଥିଲା। ବର୍ତ୍ତମାନର ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ସିଏନଜି ମ୍ୟାନ ଭାବେ ଜଣାଶୁଣା ଅଜୟ ମକେନ, ସୀତାରାମ ୟେଚୁରୀ ପ୍ରଭୃତି ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ। ସମ୍ପ୍ରତି ଦିଲ୍ଲୀର ବିଧାୟକ ଥିବା ଅଲକା ଲାମ୍ବା, କଟ୍ଟର ଶୋଚ ନହିଁ ୟୁବା ଯୋଶ ନାରା ଦେଉଥିବା ହସିବା ଆମିନ ଓ ଇଲାହାବାଦ ୟୁନିଭର୍ସିଟିର ପ୍ରଥମ ମହିଳା ଅଧକ୍ଷ୍ୟା ରିଚା ଶର୍ମା ବର୍ତ୍ତମାନ ଛାତ୍ର ରାଜନୀତି ସହ ଜଡିତ ଥିବା କିଛି ଜଣାଶୁଣା ନାମ।

ଓଡିଶା ମଧ୍ୟ ଛାତ୍ର ରାଜନୀତିର ବଳିଷ୍ଠ ପୃଷ୍ଠପୋଷକ। ରେଭେନ୍ସା ବିଶ୍ଵବିଦ୍ୟାଳୟ ଓଡିଶାର ସର୍ବ ପୁରାତନ ବିଶ୍ଵ ବିଦ୍ୟାଳୟ। ଆଜିକୁ ପ୍ରାୟ ଅଶୀବର୍ଷ ତଳେ ଏହି ବିଶ୍ଵ ବିଦ୍ୟାଳୟରେ ନିର୍ବାଚନ ପ୍ରକ୍ରିୟାର ଆରମ୍ଭ ହୋଇଥିଲା। ପ୍ରାଣକୃଷ୍ଣ ପରିଜା, ହରେକୃଷ୍ଣ ମହତାବ, ବିଶ୍ଵନାଥ ଦାସଙ୍କ ପରି ବଳିଷ୍ଠ ନେତା ରେଭେନ୍ସା କଲେଜ ପରିସରରେ ନିଜର ନେତୃତ୍ଵର ଝଲକ ଦେଖାଇଥିଲେ, ହରେକୃଷ୍ଣ ମହତାବ, ବିଶ୍ଵନାଥ ଦାସଙ୍କ ପରି ବଳିଷ୍ଠ ନେତା ରେଭେନ୍ସା କଲେଜ ପରିସରରେ ନିଜର ନେତୃତ୍ଵର ଝଲକ ଦେଖାଇଥିଲେ।

କିନ୍ତୁ କ୍ରମଶଃ ଛାତ୍ର ରାଜନୀତିରେ ରାଜନୈତିକ ଦଳର ହସ୍ତକ୍ଷେପ ଯୋଗୁଁ ହିଂସାକାଣ୍ଡ ଦେଖାଗଲା। ଏହି ହିଂସାକାଣ୍ଡକୁ ରୋକିବା ପାଇଁ ମାନବ ସମ୍ବଳ ବିକାଶାଳୟ ଦ୍ଵାରା ୨୦୦୬ ମସିହାରେ ଜେ.ଏମ. ଲିଙ୍ଗଡ଼ୋଙ୍କ ଅଧ୍ୟକ୍ଷତାରେ କଲେଜ, ବିଶ୍ୱବିଦ୍ୟାଳୟରେ  ହେଉଥିବା ନିର୍ବାଚନ ପାଇଁ ଏକ ସ୍ଵତନ୍ତ୍ର ସର୍ତ୍ତାବଳୀ ଜାରି କରାଗଲା। ଏଥିରେ ନିର୍ବାଚନ ପଦ୍ଧତି, ଆଶାୟୀ ପ୍ରାର୍ଥୀର ଯୋଗ୍ୟତା, ନିର୍ବାଚନ ଭିତ୍ତିକ ଖର୍ଚ ଓ ଆର୍ଥିକ ହିସାବ, ନିର୍ବାଚନ ସମୟରେ ଶିକ୍ଷାନୁଷ୍ଠାନରେ କିପରି ଆଇନ ଓ ଅନୁଶାସନ ପାଳିତ ହେବ– ଏ ନେଇ ଅନେକ ସର୍ତ୍ତାବଳୀ ଲାଗୁ କରାଯାଇଛି । ଏହାସତ୍ୱେ ମଧ୍ୟ ହିଂସାକୁ ଆଖିରେ ରଖି କେତେକ ବିଶ୍ୱବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ବନ୍ଦ କରାଯାଉଛି। କିନ୍ତୁ ହାତରେ କ୍ଷତ ହେଲେ ହାତ କଟାଯିବା ତାର ତ ସମାଧାନ ନୁହେଁ… ବରଂ କ୍ଷତରେ ଔଷଧ ଲଗାଇ କ୍ଷତ ଭଲ କରାଇବା ହିନ ବିଜ୍ଞତାର ପରିଚୟ। ସେହିପରି ପ୍ରତ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ ନ କରି ହିଂସାକୁ ରୋକିବା ପାଇଁ ଚେଷ୍ଟାବାନ ହେବାର ଆବଶ୍ୟକତା ରହିଛି।

ଜେ.ଏନ.ୟୁ.ରେ ଏକଦା ଛାତ୍ର ରାଜନୀତିରେ ସକ୍ରିୟ ଥିବା କବିତା କ୍ରୀଶ୍ନନ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣଧର୍ଷଣରେ “ଭୟଶୂନ୍ୟ ସ୍ଵାଧୀନତା (freedom without fear)” ଆନ୍ଦୋଳନ ଆରମ୍ଭ କରି ଅନୁସନ୍ଧାନ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରାଇବା ପାଇଁ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ ଏବଂ ତାହା ସଙ୍ଗେ ସଙ୍ଗେ ନିଜର ସାମାଜିକ ଦାୟିତ୍ଵକୁ ମଧ୍ୟ ନିଷ୍ଠାର ସହ ତୁଲାଇଥିଲେ। ଦଲାଇଲାମାଙ୍କ ମତରେ– “ If you seek enlightenment for yourself simply to enhance yourself and your position, you will miss the purpose. If you seek enlightenment for yourself to enable you to serve others, then you are with the purpose.” ଏହା ହିଁ ଏକ ଛାତ୍ରନେତାର ଗୁରୁମନ୍ତ୍ର ହେବା ଆବଶ୍ୟକ। ରାଜନୀତି କେବେ ନିଜର ପ୍ରତିଷ୍ଠା ପ୍ରତିପାଦନ କରିବାର କିମ୍ବା କୌଣସି ରାଜନୈତିକ ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାର ମାଧ୍ୟମ ହେବ ଅନୁଚିତ। ବରଂ ଏହା ନିଜର ନେତୃତ୍ଵକୁ ବଳିଷ୍ଠ କରିବାର ମାଧ୍ୟମ ହେବା ଆବଶ୍ୟକ– ସେ ନେତୃତ୍ଵ ଏକ ସାମାଜିକ ନେତୃତ୍ଵ ଯାହା ସୁସ୍ଥ ସମାଜଟିଏ ଗଢି ପାରିବ– ସେ ନେତୃତ୍ଵ ଏକ ରାଜନୈତିକ ନେତୃତ୍ଵ ଯାହା ଆମ ଦେଶକୁ ସମୃଦ୍ଧିଶାଳୀ କରାଇ ପାରିବ।

ଫୋନ-୮୨୪୯୮୯୦୮୬୩

Previous ArticleNext Article

Send this to a friend