ଅବଶିଷ୍ଟ ଅବସୋସ

ବଦଳି ହୋଇ ତା ନିଜ ସହରକୁ ଆସିଲା ପରେ ସୁଚିତ୍ରା କିଛି ବନ୍ଧୁଙ୍କୁ ନେଇ ପତ୍ରିକା ଖଣ୍ଡେ ପ୍ରକାଶ କରିବା ପାଇଁ ଯେତେବେଳେ ଯୋଜନାଟିଏ ପ୍ରସ୍ତୁତ କଲା ତାର ମୁଖ୍ୟ ଉଦ୍ଦେଶ୍ୟ ରହିଲା ଯୁବ ଲେଖକଙ୍କୁ ପ୍ରତ୍ସୋହିତ କରିବା ଏବଂ କିଛି ପ୍ରବୀଣ ଲେଖକ ଯେଉଁମାନେ ଅଚାନକ ଲେଖା ପ୍ରତି ବୀତସ୍ପୃହ ହୋଇ କଲମ ଛାଡିଦେଇଛନ୍ତି ତାଙ୍କୁ ଲେଖେଇବା। ସେଇ କ୍ରମରେ ତା ମନକୁ ପ୍ରଥମେ ଆସିଲେ ପ୍ରଭାତୀ ଦେବୀ। ସୁଚିତ୍ରା ଜାଣିଥିଲା ପ୍ରଭାତୀ ଦେବୀଙ୍କ କଲମ ଏବେ ପ୍ରାୟ ସ୍ଥାଣୁ ଅବସ୍ଥାରେ । ଦୀର୍ଘ ଦିନ ହେଲା ସେ କିଛି ଲେଖି ନାହାଁନ୍ତି। ଓଡିଶା ବାହାରେ ରହୁଥିଲେ ମଧ୍ୟ ପତ୍ର ପତ୍ରିକା ଗୁଡିକର ଟିକିନିଖି ଖବର ତା ପାଖରେ ଥିଲା।

ତିରିଶ ଖଣ୍ଡ ପୁସ୍ତକର ରଚୟିତା ପ୍ରଭାତୀ ସ୍ୱାଇଁଙ୍କ କଲମ ଯେତେ ସ୍ଥାଣୁ ହେଇଯାଇଥିଲେ ସୁଦ୍ଧା ସେ ତାଙ୍କୁ ଆଉଥରେ ଲେଖେଇ ପାରିବାର ଅଦ୍ଭୁତ ଝୁଙ୍କଟିଏ ପୋଷଣ କରି ତାଙ୍କ ଘରେ ପହଞ୍ଚିଲା। ପ୍ରଭାତୀ ଦେବୀଙ୍କ ଡ୍ରଇଂରୁମ ଯାହା ବର୍ତ୍ତମାନ ତାଙ୍କ ପୁଅ ବୋହୂଙ୍କ ଅକ୍ତିଆରରେ ଖୁବ୍ ସୁନ୍ଦର ଭାବେ ସଜଡ଼ା ଯାଇଥିଲା। ଘରର ପ୍ରତ୍ୟେକ ଆସବାବପତ୍ର ନିଜକୁ ମହିମାନ୍ୱିତ କରିବା ପାଇଁ କମନୀୟ ମୁଦ୍ରା ଧାରଣ କରିଥିଲେ ତଥା ଅତିଥିଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରତିଯୋଗିତା କରୁଥିଲେ। ସେଇଠି ନଥିଲା ତ କେବଳ ଏହି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାର ଦକ୍ଷତା ରଖିଥିବା ପ୍ରଭାତୀ ଦେବୀଙ୍କ ବହି କେଇଟି। ସେ ଯାଗା ମାଡ଼ି ବସିଥିଲେ କେଇଟି ବେଦେଶୀ କେ‹ଇ

ସେଇଠିକି ସୁଚିତ୍ରାର ଅମାନିଆ ଆଖି ଯୋଡିକ ବାରମ୍ୱାର ଚାଲି ଯାଉଥିବାରୁ ବୋହୂ ଈଷତ ବିରକ୍ତି ହୋଇ ପଚାରିଲା,

– ତାଙ୍କ ପାଖକୁ କଣ ପାଇଁ ଆସିଛନ୍ତି?

– ଆସିଛି ମୋର ଗୋଟେ କାମ ଅଛି । କୁହନ୍ତୁ ସେ କୋଉଠି ଅଛନ୍ତି ? ମୁଁ ତାଙ୍କର ଅତି ପରିଚିତ।

ପୁଅବୋହୂ ପରସ୍ପରକୁ କିଛି ସମୟ ଚାହିଁଲା ପରେ ବୋହୂର ନିଦ୍ଦେର୍ଶରେ ପୁଅ ସୁଚିତ୍ରାକୁ ଉପର ଘରକୁ ବାଟ କଢେଇ ନେଲା। ପଛପଟୁ ବୋହୂର ଦାନ୍ତଚିପା ସ୍ୱର , ହୁଁ ଏଠିକୁ ଯିଏ ଆସୁଛନ୍ତି ସେଇ ଗୋଟିଏ କଥା କହୁଛନ୍ତି ସେ ତାଙ୍କର ଅତି ପରିଚିତ।

ପୁଅର ଦିଗଦର୍ଶନରେ ସୁଚିତ୍ରା ଯୋଉଠି ଯାଇ ପହଞ୍ଚିଲା ସେ ଥିଲା କୋଠାର ପରିତ୍ୟକ୍ତ ଅଂଶରେ ଟୁଙ୍ଗି ସଦୃଶ ଘରଟିଏ। ଯେଉଁଠି ପ୍ରାୟତଃ ଘରର ଆବର୍ଜନା ଏବଂ ଅନାବଶ୍ୟକୀୟ ଜିନିଷ ଗଦାଯାଏ। ଟୁଙ୍ଗି ସଦୃଶ ଘରଟିର ଆକାର ଓ ଆୟତନ ବର୍ଣ୍ଣନା କରିବା ନିରର୍ଥକ । ସେଇଠି ଗୋଟେ ୬ ଫୁଟରେ ଅଢେଇ ଫୁଟର ଖଟ ପଡିଥାଏ ଯାହା ଘରର ୮୦ଭାଗ ମାଡି ବସିଥାଏ। ତା ଦେହରେ ଯେଉଁ ଶିରାଳ ଦେହୀ ମହିଳା ଜଣକ ଶୋଇଥିଲେ ସିଏ ଯେ ପ୍ରଭାତୀ ଦେବୀ ଏକଥା ବିଶ୍ୱାସ କରିବାକୁ ଅନେକ ସମୟ ଲାଗିଲା ସୁଚିତ୍ରାକୁ । ଏବଂ ତାଠୁ ବେଶି ସମୟ ଲାଗିଥିଲା ସେ ଜୀବିତ ନା ମୃତ ବିଶ୍ୱାସ କରିବାକୁ। ସେ ଆଶ୍ୱସ୍ତ ହେଲା ପ୍ରଭାତୀ ଦେବୀଙ୍କ ଆଖି ଦୁଇଟି ଆନ୍ଦୋଳିତ ହେବାରୁ।

ସମୁଦାୟ ପରିବେଶର ଜରାଜୀର୍ଣ୍ଣତା ତାକୁ କେଉଁ ପ୍ରସ୍ତର ଯୁଗ ପରି ମନେ ହେଉଥାଏ। ଖଟରୁ ଓହ୍ଲାଇ ଏପଟ ସେପଟ ହେବାପାଇଁ ଯେଉଁ ସାମାନ୍ୟ ଜାଗା ଥିଲା ସେତିକିକୁ ବି କିଛି ଅପରିଷ୍କାର କନାପଟା ଏବଂ କେଇଟି ଅବ୍ୟବହୃତ ଆସବାବ ଦ୍ୱାରା ଆଛାଦିତ କରି ରଖା ଯାଇଥାଏ। ଜଣେ ଖଟରୁ ଉଠିଲେ ସେଗୁଡିକ ଗୋଡରେ ଆଡେଇଲେ ଯାଇ ବାହାରକୁ ଆସିପାରିବ।

ସେ କଣ କୁଆଡେ ଯାଉଛି ନା ଆସୁଛି, ଏଇଠି ଏମିତି ପଡିରହିଛି। ଅର୍ଦ୍ଧ ଅବଜ୍ଞାରେ ପୁଅ ସଫେଇ ଦେଲା।

ତାଙ୍କ ବହିଗୁଡିକ… ସୁଚିତ୍ରା ମୁହଁରୁ ବାହାରିଛି କି ନାଇଁ ପୁଅ ତତ୍‌କ୍ଷଣାତ୍ ତାଜା ଉପରକୁ ହାତ ଠାରିଦେଇ ଉଭାନ ହେଇଗଲା। ସୁଚିତ୍ରା ସେଇ ଟୁଙ୍ଗି ସଦୃଶ ଘରର ଛୋଟିଆ ତାଜାକୁ ଚାହିଁ ଆଶ୍ଚର୍ଯ୍ୟ ହେଇଗଲା। ବଡ଼ ଦୟନୀୟ ଭାବେ ଜୀବନର ଶେଷ ନିଃଶ୍ୱାସ ଗଣୁଥିବା ପ୍ରଭାତୀ ଦେବୀଙ୍କ ବହିଗୁଡ଼ା ସେଇଠି ଗଦା ହେଇଥିଲା। ଅଳନ୍ଧୁ ଆଛାଦିତ ବହିଗୁଡ଼ିକରୁ ତାଙ୍କ ନାଁ ବି ବାରି ହେଉନଥାଏ। ପାଖରେ ଗଦା ହେଇଥିଲା ସଂପୂର୍ଣ୍ଣ ପରାଜୟ ଘୋଷଣା କରିଥିବା ତାଙ୍କ ମାନପତ୍ର ଗୁଡ଼ିକ ଯାହା ମ୍ୟୁନିସିପାଲିଟିର ଓଳିଆ ଡବାକୁ ବାଟ କଢେଇ ନେବାକୁ ଅନୁରୋଧ କରୁଥିଲା। ସୁଚିତ୍ରାର ଅନ୍ତର ହାହାକାର କରି ଉଠିଲା, ଆଖିରେ ଲୁହର ଧାର। ଜଣେ ଲେଖିକାର ଜୀବନ ଏତେ ଦୟନୀୟ ହେଇପାରେ?

ସେ ପ୍ରଭାତୀ ଦେବୀଙ୍କୁ ପ୍ରଣାମ କରି ଧୀରେ ଡାକିଲା ଅପା…

ପ୍ରଭାତୀ ଦେବୀ ଯିଏ ଆଖି ଖୋଲିଥିଲେ ସୁଦ୍ଧା ସୁଚିତ୍ରାର ଉପସ୍ଥିତିକୁ ବିଶ୍ୱାସ କରିପାରୁନଥିଲେ ତାକୁ ଭଲଭାବେ ଚାହିଁ ନିଜ ଭିତରେ କିଛି ଉଣ୍ଡାଳି ହେଇ ଉଠିବା ପାଇଁ ଚେଷ୍ଟା କଲେ। ସୁଚିତ୍ରା ତାଙ୍କୁ ଉଠାଇ ଖଟ ଉପରେ ବସାଇଲା ପରେ ସେ ସଂପୂର୍ଣ୍ଣ ପ୍ରକୃସ୍ଥିତ ହୋଇ ଆନନ୍ଦରେ ସରୁ ଚିତ୍କାର ଟିଏ କରିବସିଲେ – ସୁଚି ତୁମେ?

– ହଁ ଅପା ମୁଁ

– ସତରେ ତୁମେ ଆସିଛ?

– ହଁ ଅପା ମୁଁ ଆସିଛି। ଦେଖୁନାହାନ୍ତି ଆପଣଙ୍କ ସାମନାରେ ଅଛି।

ପ୍ରଭାତୀ ଦେବୀ ନିଜ ଆଖିକୁ ବିଶ୍ୱାସ କରିବା ପାଇଁ ସୁଚିତ୍ରା ହାତକୁ ଜାବୁଡି ଧରିଲେ। ସୁଚିତ୍ରା ତାଙ୍କୁ ଛାତିରେ ଜାବୁଡି ଧରିଲା।

ପ୍ରଭାତୀ ଦେବୀ ତାଙ୍କ ଶିରାଳ ହାତରେ ସୁଚିତ୍ରାର ମୁଣ୍ଡ ଆଉଁସି ଦେଲେ, ଆଖିରୁ ଲୁହ ପୋଛି ଦେଲେ। ଅଥଚ ସୁଚିତ୍ରା ତାଙ୍କ ହାଡ ମାଳର ସମଷ୍ଟି ଦେହରେ ହାତ ବୁଲାଇ ପାରିଲାନି । ସେ ଭାବୁଥିଲା ମଣିଷ ନାମକ ପ୍ରାଣୀଟା କେଡେ ଅସହାୟ ହୋଇଯାଏ ବୟସ ଖସିଲେ।

ଦିହେଁ ଟୁଙ୍ଗିରୁ ବାହାରି ଛାତ ଊପରକୁ ଆସିଲେ। ପ୍ରଭାତୀ ଦେବୀ ଧୀରେ ହେଲେ ବି ଚଲାବୁଲା କରିପାରୁଥିଲେ। ସୁଚିତ୍ରା ତାଙ୍କୁ ଗଭୀର ଅବସୋସରେ ପଚାରିଲା ମୁଁ ପ୍ରଥମେ ଆପଣଙ୍କୁ ଦେଖି ଭାବିଲି ଆପଣ ଶଯ୍ୟାଶାୟୀ, ଚଲାବୁଲା କରି ପାରୁନାହାନ୍ତି । ଚଲାବୁଲା କରି ପାରୁଥିବା ଅବସ୍ଥାରେ ଏଇଠି ଏମିତି ପଡିରହିଛନ୍ତି କାହିଁକି ତେବେ?

ବଡ ନିରସ ଉତ୍ତର ଥିଲା ପ୍ରଭାତୀ ଦେବୀଙ୍କର-ଆଉ କୁଆଡେ ଯିବି? ତଳକୁ ତ ଯାଇପାରିବିନି। କେତେ ପଇସା ଖର୍ଚ୍ଚ କରି ବିଦେଶରୁ କେତେ ମୂଲ୍ୟବାନ ଜିନିଷ ମଗେଇ ଘର ସଜେଇଛନ୍ତି ସେମାନେ। ମୁଁ ସେଇଠି ମେଞ୍ଚାଏ ଆବର୍ଜନା ସିନା। ଏତେ ମୂଲ୍ୟବାନ ଜିନିଷ ଭିତରେ ମୋ ଉପରେ ଆଖି ପଡିଗଲେ ଲୋକେ କ’ଣ ଭାବିବେ? ଡ୍ରଇଂରୁମର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ। ଆଉ ଘରେ ଏକଡ଼ ସେକଡ଼ ହେଉଥିଲେ କେତେବେଳେ କାହା ଦୃଷ୍ଟିରେ ପଡିଯିବି, ପୁଅର ବହୁତ ଉଚ୍ଚପଦସ୍ଥ ଚଧୁମାନେ ଘରକୁ ଆସୁଛନ୍ତି। ମୋତେ ଦେଖି କଣ ଭାବିବେ? ବୋହୂ ବିଚରା କ’ଣ କରିବ ସେମାନଙ୍କୁ ସଂଖୋଳିବ ନା ମୋ ଦାୟିତ୍ୱ ନବ? ଏଇଠିକି ଠିକ ସମୟରେ ମୁଠାଏ ଖାଇବାକୁ ପଠାଇ ଦେଉଛନ୍ତି ସେଇଟା କଣ ବଡ଼ କଥା ନୁହେଁ? ମୋ ବହି ଗୁଡା ବି ପୁରୁଣା ହେଇଗଲାଣି , ହଳଦିଆ ପଡି ଅତି କଦର୍ଯ୍ୟ ଦେଖାଯାଉଛି। ଏବେ ଡ୍ରଇଂ ରୁମରେ ରହିଲେ ବଡ଼ ଅସ୍ୱସ୍ତି ଲାଗିବ। ତେଣୁ ମୋତେ ସମୁଦାୟ ଭାବେ ସ୍ଥାନାନ୍ତର କରି ସେମାନେ ଖୁବ ଭଲ କରିଛନ୍ତି। ମୋ ଜୀବନରେ ଆଉ କଣ ଅଛି? କେଇ ବର୍ଷ ବା ମୁଁ ବଞ୍ଚିବି? ଏବେ ପିଲାମାନଙ୍କର ଖୁସିର ସମୟ। ଏଇଠି ଉପରେ ଥାଇ ବି ମୁଁ ସେମାନଙ୍କ ଖୁସିକୁ ଅନୁଭବ କରିପାରୁଛି। ଜଣେ ମାଆ ପାଇଁ ପିଲାଙ୍କ ଖୁସିଠୁ ବଡ଼ କ’ଣ।

ସୁଚିତ୍ରା ଦେଖୁଥିଲା ସେଇ ମହିୟସୀ ମହିଳାଙ୍କୁ ଯିଏ ନିଜ ଅବଶିଷ୍ଟ ଅବଶୋଷକୁ ଚିତ୍ରଣ କରୁଥିଲେ ଅତି ସୁନ୍ଦର ଭାବେ। ଅନ୍ୟର ଅବଜ୍ଞାକୁ ଈଶ୍ୱରଙ୍କ ଆଶୀର୍ବାଦ ରୂପେ ଗ୍ରହଣ କରିନେଇଥିଲେ। କିଛି କରଣୀୟ ନାହିଁ ବୋଲି ସମୟ ହାତରେ ନିଜକୁ ସମର୍ପଣ କରିଦେଇଥିଲେ।

– ଆଉ ତୁମେ ଏଇଠି ଏତେ ଦିନ ପରେ?

– ମୋର ବଦଳି ହେଇଯାଇଛି ଏଠିକୁ । ଦୁଇ ତିନି ମାସ ହେଲା ଆସିଲିଣି। କାମ ଚାପରେ ଆପଣଙ୍କୁ ଭେଟିପାରି ନଥିଲି। ଏବେ ମଧ୍ୟ ଆସିଛି ଗୋଟେ ବିଶେଷ କାମରେ।

ପ୍ରଭାତୀ ଦେବୀ ତାକୁ ଚାହିଁରହିଲେ।

– ହଁ ଅପା , ଗୋଟେ ବିଶେଷ କାମରେ। ଆଶା କରୁଛି ଆପଣ ମୋତେ ମନା କରିବେନି। ମୁଁ ଓ ମୋର କିଛି ବନ୍ଧୁ ମିଶି ପତ୍ରିକା ଟିଏ କରିବାର ଯୋଜନା କରିଛୁ। ସେଥିପାଇଁ ଆପଣଙ୍କର ଉପନ୍ୟାସଟିଏ ଆବଶ୍ୟକ। ପତ୍ରିକା ତ୍ରୈମାସିକ ହେବ ଓ ପ୍ରତି ସଂଖ୍ୟାରେ ଗୋଟିଏ ଲେଖାଏଁ ଉପନ୍ୟାସ ରହିବ। ପ୍ରଥମ ସଂଖ୍ୟାରେ ଆପଣଙ୍କ ଉପନ୍ୟାସ ରହିବ। ତିନିମାସ ମଧ୍ୟରେ ଆପଣ ନିଶ୍ଚୟ ଛୋଟ ଉପନ୍ୟାସ ଟିଏ ଲେଖିପାରିବେ।

ପ୍ରଭାତୀ ଦେବୀ କିଛି ସମୟ ସୁଚିତ୍ରାକୁ ଚାହିଁ ଲେଖାଲେଖି ବିଷୟରେ କ’ଣ ମନେପକେଇଲେ। ତାପରେ ଆର୍ତ୍ତନାଦ କଲାପରି ଦୁଇ ହାତ ହଲେଇ କହିଲେ ନା ନା ମୋତେ ଆଉ ଲେଖା ଲେଖି କଥା କୁହନା। ସେସବୁ କେବେଠୁ ଛାଡିସାରିଲିଣି। ଏବେ ଆଉ ଲେଖିବା ସମ୍ଭବ ନୁହେଁ। ସମୟ ମୋର ସରି ଆସିଲାଣି , ଏବେ ଖାଲି ଅପେକ୍ଷା…

– ନା ଅପା ସେମିତି କୁହନ୍ତୁନି। ସମୟ କେବେ ସରେନି। ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ବାଗରେ ଆରମ୍ଭ ହେଉଥାଏ। ଲେଖକଟିଏ ଯେତେବେଳେ ଚାହିଁଲେ ଲେଖିପାରିବ କେବଳ ତାର ସ୍ପୃହା ଥିବା ଆବଶ୍ୟକ। ଆପଣ ମନା କରନ୍ତୁନି, ଲେଖା ଆରମ୍ଭ କରନ୍ତୁ।

ସୁଚି ଏସବୁ ମଣିଷର ଗ୍ରହଣୀୟତା ଉପରେ ନିର୍ଭର କରୁଛି। ବର୍ତ୍ତମାନ କୌଣସି କଥା ଗ୍ରହଣ କରିବା କ୍ଷମତା ମୋର ନାହିଁ । ଜୀବନର ଅନ୍ତିମ ସମୟକୁ କୌଣସି ପ୍ରକାରେ ବିତେଇଦେବା ପାଇଁ ମୁଁ ପ୍ରସ୍ତୁତ। ତୁମକୁ ଭେଟିଲି ଖୁସି ଲାଗିଲା। ତୁମ ପରି ଅନ୍ୟମାନେ ଦେଖାକରିବା ପାଇଁ ଆସନ୍ତି , ଖୁସି ଲାଗେ। ସେମାନେ ନ ଆସିଲେ ବି ଦୁଃଖ ଲାଗନ୍ତାନି। ମୋ ପାଇଁ କାହାର ସମୟ ଅଛି। ମୁଁ ବା କାହିଁକି ଏତେ ଆଶା କରିବି। ଇଛା ହେଲେ ଏଇ ଛାତ ଏପରେ ଆସି ଟିକେ ବସେ। ତଳକୁ ଯାଇ ପିଲାଙ୍କୁ ବ୍ୟସ୍ତ କରିବାକୁ ଚାହେଁନି। ଆଉ କେଇଟା ଦିନ ଯେ ? ତୁମ କଥା ରଖିପାରୁନଥିବାରୁ ଦୁଃଖିତ।

ସୁଚିତ୍ରା କାନ୍ଦ କାନ୍ଦ ହେଇଗଲା। ଯିଏ ତାକୁ ଦିନେ ବଞ୍ଚିବାର କଳା ଶିଖେଇଥିଲେ, ଲେଖିବାକୁ ପ୍ରେରଣା ଦେଇଥିଲେ ସେ ଆଜି ସମୟ ସହ ତାଳ ଦେଇପାରୁନାହାନ୍ତି। ପରିସ୍ଥିତି ସହ ସନ୍ଧି କରିନେଇ ଅର୍ଦ୍ଧମୃତ ପ୍ରାୟ ପଡିରହିଛନ୍ତି।

ସମୟ କ’ଣ ବେଳେବେଳେ ଏମିତି ପ୍ରତିଶୋଧ ନିଏ? କେତେବେଳେ କାହା ପଟକୁ ଢଳିଯାଏ?

ସୁଚିତ୍ରାର କୌଣସି ଉଦ୍ୟମ ସଫଳ ହେଲାନି। ସେ ମନଦୁଃଖରେ ଫେରିଆସିଲା।

ଫେରିଲାବେଳେ କିନ୍ତୁ ତାଙ୍କୁ ପୁଅ ବୋହୂଙ୍କ ସହ ତାର ଦମେ ଶବ୍ଦ ବିନିମୟ ହେଇଗଲା।

– ଆପଣମାନେ ଯାହା କରୁଛନ୍ତି ଠିକ୍ କରୁନାହାନ୍ତି , ତାଙ୍କୁ ଏପରି ଅବସ୍ଥାରେ ରଖିବା ଠିକ୍ ନୁହେଁ।

– ଆପଣ କିଏ ଆମକୁ ଏପରି କହିବାକୁ? ଆମଘରେ ଆମ ଲୋକଙ୍କୁ ଆମେ ଯେମିତି ରଖୁ ଆପଣଙ୍କର କ’ଣ ଗଲା।

ବୋହୂ ଚିତ୍କାର କରି ଉଠିଲା।

– ମାନେ ? ଜଣେ ସୁସ୍ଥ ସବଳ ଲୋକକୁ ଆପଣମାନେ ବନ୍ଦୀ କରି ରଖିବେ? ଗୋଟେ ଘରେ ଗୋଟେ ଖଟରେ କେମିତି ବିତୁଛି ତାଙ୍କ ଜୀବନ ଭାବିପାରୁଛନ୍ତି?

– ସିଏ ତ କିଛି କହୁନାହାନ୍ତି , ଆପଣ କୁଆଡୁ ଆସି ଆମ ସହ କାହିଁକି ଲଢୁଛନ୍ତି? ପଚାରିଲେ ତାଙ୍କୁ ଠିକ୍ ସମୟରେ ଖାଇବାକୁ ଦିଆ ଯାଉଛିକି ନାଇଁ?

– ଗୃହପାଳିତ ପଶୁଙ୍କୁ ବି ଲୋକେ ଠିକ୍ ସମୟରେ ଖାଇବାକୁ ଦିଅନ୍ତି। ଆପଣମେନେ ବି ଦିନେ ଅସହାୟ ହୋଇଯିବେ ସେତେବେଳେ ହୁଏତ ଖାଇବାକୁ ମୁଠାଏ…

ଏଥର ପୁଅ ଚିତ୍କାର କଲା-କ’ଣ କହିବାକୁ ଚାହାନ୍ତି ଆପଣ? ଆମ ମାଆଙ୍କୁ ଆମେ ପଶୁ ପରି ବ୍ୟବହାର କରୁଛୁ? ସେ କହିଛି ଏକଥା? ଆମ ଘର ବିଷୟରେ ଆପଣ ମୁଣ୍ଡ ଖେଳେଇବାକୁ କିଏ?

– ଆପଣଙ୍କ ମାଆ ଏତେ ବଡ ଲେଖିକା। ହଜାର ହଜାର ଲୋକ ତାଙ୍କ ବହି ପଢି ଉପକୃତ ହେଉଛନ୍ତି । ସେ ଆମ ଦେଶର ସଂପତ୍ତି । ତାଙ୍କ ବିଷୟରେ ମୁଁ କାହିଁକି ବହୁତ ଲୋକ ମୁଣ୍ଡ ଖେଳେଇବେ। ଦେଶର ନିୟମ କାନୁନ କୁଆଡ଼େ ଚାଲିଗଲାଣି?

ବୋହୂ ଅଣ୍ଟାରେ ହାତ ଦେଇ ବ୍ୟଙ୍ଗାତ୍ମକ ସ୍ୱରରେ କହିଲା-ଯଦି ଏତେ ବଡ ଲେଖିକା, ତାଙ୍କ ବହି ପଢି ଏତେ ଲୋକ ଉପକୃତ ହେଉଛନ୍ତି , ଦେଶର ସଂପତ୍ତି କାଇଁ ଦେଶ ତ ତାଙ୍କ ପାଇଁ କିଛି କରୁନି। ଦେଶ ତାଙ୍କୁ ଦେଇଛି କ’ଣ? ଆଉ ଆପଣଙ୍କୁ ଯଦି ଏତେ ବାଧୁଛି ଆପଣ ତାଙ୍କୁ ଆପଣଙ୍କ ପାଖକୁ ନେଇ ଯାଉନାହାନ୍ତି?

ସୁଚିତ୍ରା ଏ ଅବାନ୍ତର ପ୍ରଶ୍ନର କି ଉତ୍ତର ଦେଇଥାନ୍ତା? ଏଭଳି ପ୍ରଶ୍ନର ଉତ୍ତର କ’ଣ କିଛି ଥାଏ? ଘରକୁ ଫେରିଲା ପରେ ତାକୁ ଖୁବ ଅସହାୟ ଲାଗିଲା। ଗୁଡ଼ାଏ କାରଣ ଥିଲା ତା ଅସହାୟତା ପାଇଁ କିନ୍ତୁ ଠିକ୍ କେଉଁ କାରଣ ଯୋଗୁଁ ସେ ଏତେ ଦୁଃଖୀ ଜାଣିପାରିଲାନି। ସବୁ ବିଷୟ ଭାବି ଭାବି ତା ରାତି ପାହିଗଲା। ସକାଳୁ  ସେ ପ୍ରଥମେ ଘଟଣା ଗୁଡିକୁ କ୍ରମାନ୍ୱୟରେ ମନେ ପକେଇଲା, କେଉଁ କଥା ତାକୁ ବେଶି ବାଧିଛି।

୧-ପ୍ରଭାତୀ ଦେବୀ ଲେଖିବା ପାଇଁ ମନା କରିବା। ୨-ପ୍ରଭାତୀ ଦେବୀଙ୍କ ପ୍ରତି ତାଙ୍କ ପୁଅ ବୋହୂଙ୍କ ବ୍ୟବହାର। ୩- ସେମାନଙ୍କ ସହ ତା ଝଗଡା।

ଏମିତି ଦେଖିଲେ ତିନୋଟି ଯାକ କାରଣ ପରସ୍ପର ସଂପର୍କୀତ କିନ୍ତୁ ତିନୋଟି କାରଣରେ ସେ ତିନି ପ୍ରକାର ଆକ୍ରାନ୍ତ ହୋଇଛି। ପ୍ରଭାତୀ ଦେବୀଙ୍କ ଲେଖି ନ ପାରିବାଟା ତାକୁ ଗଭୀର ଅବସୋସ ଲାଗିଛି। ପୁଅ ବୋହୂଙ୍କ ତାଙ୍କ ପ୍ରତି ବ୍ୟବହାର ତାକୁ ଭୀଷଣ ମମାର୍ହିତ କରିଛି। ଏବଂ ତା ସହ ତାଙ୍କ ଝଗଡା ତାକୁ ଚିନ୍ତାକୁଳ କରିପକେଇଛି।

ସେ ଆସିଲା ପରେ ତାଙ୍କ ପୁଅ ବୋହୂ ନିଶ୍ଚୟ ତାଙ୍କ ସହ ଝଗଡା କରିଥିବେ। ସେମାନେ ଭାବିଥିବେ ପ୍ରଭାତୀ ଦେବୀ ତାକୁ ସବୁ କଥା କହିଦେଇଛନ୍ତି ବୋଲି। ଯଦିଓ ସେ ଏ ବିଷୟରେ କିଛି ଜାଣନ୍ତିନି। ସେ ହିଁ ଅନୁମାନ କରି ସବୁ ଜାଣିପାରିଛି।

ପ୍ରଥମେ ସୁଚିତ୍ରା ଭାବିଲା କିଛି ବନ୍ଧୁଙ୍କ ସହେଯାଗରେ ପ୍ରଭାତୀ ଦେବୀଙ୍କ ପୁଅ ବୋହୂଙ୍କ ଅସଲ ଚେହେରା ପଦାରେ ପକେଇ ଦେବ କି ? କିନ୍ତୁ ଏହା ଦ୍ୱରା ସମସ୍ୟାର ସମାଧାନ ହେଇପାରିବନି। ବରଂ ପ୍ରଭାତୀ ଦେବୀଙ୍କ ସୁନାମରେ ଆଞ୍ଚ ଆସିବ । ଯୋଉଥିପାଇଁ ସେ ନିଜେ ମୁହଁ ବୁଜି ପଡ଼ିରହିଛନ୍ତି।

ପରେ ଭାବିଲା ଯଦି ସରକାରୀ ସ୍ତରରେ କିଛି ସାହାଯ୍ୟ ମିଳନ୍ତା…

ଏହା ଆଉ ଏକ ଦୁଃସ୍ୱପ୍ନ। ଏଠି ଲେଖକଟିଏ ଲେଖି ଲେଖି ହାତ ଛିଣ୍ଡିଗଲେ ବି ସରକାରୀ ସ୍ତରରେ ସାହା‌‍ଯ୍ୟ ତ ଦୂର କଥା ସାମାନ୍ୟ ପ୍ରତ୍ସୋହନ ମିଳେନା। ଅଥଚ ସାହିତ୍ୟ ଭଣ୍ଡାର ସମୃଦ୍ଧି ପାଇଁ ପ୍ରତ୍ୟେକଙ୍କ ବହି ଗୋଟି ଗୋଟି କରି ଗଣାଯାଏ।

ଆଉ ଯଦି ସେ ତାଙ୍କ ବୋହୂ କହିଲାଭଳି ତାଙ୍କୁ ପାଖରେ ଆଣି ରଖିପାରନ୍ତା- ୟେ ତ କେବେବି ସମ୍ଭବ ନୁହେଁ । ସେ ପନ୍ଦର ଦିନ ଏଇଠି ରହିବ ତ ପନ୍ଦର ଦିନ ତାକୁ ବିଭିନ୍ନ ଯାଗା ଘୂରିବାକୁ ପଡିବ। ଚାକିରି କଲେ ମୁଣ୍ଡ ବିକିବାକୁ ହୁଏ।

ଯଦିବି ଏଗୁଡିକ ମଧ୍ୟରୁ କିଛି ଗୋଟେ କରାଯାଇପାରନ୍ତା ତେବେ ମଧ୍ୟ ପ୍ରଭାତୀ ଦେବୀଙ୍କ ସମସ୍ୟାର ସମାଧାନ କ’ଣ ହେଇପାରିବ? ତାଙ୍କ ପରି ଆହୁରି କେତେ ପ୍ରଭାତୀ ଦେବୀ ଥିବେ।

କ’ଣ କଲେ ଏଇ ସମସ୍ୟାର ସମାଧାନ ହେଇପାରିବ?

ତାଙ୍କୁ କଲମ ଧରେଇବାକୁ ଯାଇ ସେ ତାଙ୍କ ଜୀବନ ବିପନ୍ନ କରି ଆସିଲା। କେତେ ଗଞ୍ଜଣା ଦେଉଥିବେ ପୁଅ ବୋହୂ ତାଙ୍କୁ।

ତଥାପି ତା ମନ ମାନିଲାନି। ସେ ଥରକୁ ଥର ପ୍ରଭାତୀ ଦେବୀଙ୍କ ପାଖକୁ ଯିବାକୁ ଲାଗିଲା। ପ୍ରତି ଥର ତାଙ୍କ ପୁଅ ବୋହୂଙ୍କ ସହ ଝଗଡା ଓ ପ୍ରଭାତୀ ଦେବୀଙ୍କ ଅସହାୟତା ତାକୁ ଜିଦ୍‌ଖୋର କରିଦେଇଥାଏ।

ପ୍ରଭାତୀ ଦେବୀ ତାକୁ କଲମ ଧରିବା ଶିଖେଇଥିଲେ। ତାର ପ୍ରତ୍ୟେକ ଲେଖାକୁ ପଢ଼ି ଉପଯୁକ୍ତ ମତାମତ ସହ ଲେଖା ସଜାଡି ଦେଉଥିଲେ। ଲେଖା ଭଲ ନ ଲାଗିଲେ କଡ଼ା ସମାଲୋଚନା କରିବାକୁ ଭୁଲୁନଥିଲେ। ତାଙ୍କ ଚିନ୍ତାଧାରା ଥିଲା ଯୁକ୍ତାତ୍ମକ। ଜୀବନର ପ୍ରତି ମୂହୁର୍ତ୍ତରୁ ସେ ଆନନ୍ଦ ଉଠାଇବାକୁ ଶିଖାଉଥିଲେ। ଇଂରାଜୀ, ହିନ୍ଦି ଓ ବଙ୍ଗଳା ଭାଷାରେ ତାଙ୍କର ପାରଦର୍ଶିତା ଥିଲା। ଗୃହବଧୁଟିଏ ହେଇଥିଲେ ମଧ୍ୟ ସେ ନିଜର ସମୁଦାୟ ସମୟ ସାହିତ୍ୟ ପାଇଁ ଉତ୍ସର୍ଗ କରିଥିଲେ। ତିରିଶ ଖଣ୍ଡ ପୁସ୍ତକର ରଚୟିତା ସେ। ହୁଏତ ଆହୁରି କିଛି ଲେଖିଥାନ୍ତେ…

ସିଏ ଆଜି ଏତେ ଅସହାୟ

କେବଳ ବୟସ ବଢ଼ିଯାଇଛି ବୋଲି

ଡ୍ରଇଂ ରୁମର ଆବର୍ଜନା।

ସୁଚିତ୍ରାକୁ ଲାଗିଲା ପ୍ରଭାତୀ ଦେବୀ ଅସହାୟ ନୁହଁନ୍ତି ତାଙ୍କଠୁ ବେଶି ଅସହାୟ ସେ ନିଜେ। କାରଣ ସେ ତାଙ୍କ ପାଇଁ କିଛି କରିପାରୁନି।

ସେ ପୁଣିଥରେ ପ୍ରଭାତୀ ଦେବୀଙ୍କ ଘରକୁ ଗଲା। ଏଥର ପୁଅ ବୋହୂଙ୍କ ସହ କୌଣସି ବାକବିତଣ୍ଡା ନ କରି ସିଧା ଉପରକୁ ଚାଲି ଯାଉଥିଲା। ଗତ ଥର ଆସିଥିଲା ବେଳେ ପୁଅ ନଥିଲା। ବୋହୂ ତା ସହ ଉପରକୁ ଆସି ତାକୁ ଓ ପ୍ରଭାତୀ ଦେବୀଙ୍କୁ ମନଇଛା ଗାଳି କରିଥିଲା। ଏତେ ତୀକ୍ଷଣ ଶବ୍ଦ ବ୍ୟବହାର କରିଥିଲା ଯେ ପ୍ରଭାତୀ ଦେବୀଙ୍କ ଶୁଖିଲା ଆଖି ଦୁଇଟି ଓଦା ହେଇଯାଇଥିଲା।

ଏଥର କିନ୍ତୁ ଉଭୟେ ତାକୁ ଉପରକୁ ଯିବାକୁ ବାରଣ କରିଥିଲେ। ପୁଅ ବାଟ ଜଗି କହିଲା – ଘରକୁ ଆସିବା ପାଇଁ ଆପଣଙ୍କୁ ବାରମ୍ୱାର ମନା କଲା ପରେ ବି କାହିଁକି ଆସୁଛନ୍ତି?

ବୋହୂ ଯୋଗ କଲା- ନିର୍ଲଜତାର ଗୋଟେ ସୀମା ଅଛି।

ନିଜକୁ ଯଥାସାଧ୍ୟ ସଂଯତ କରିବାକୁ ଚେଷ୍ଟା କରି ସୁଚିତ୍ରା ପାରିଲାନି- ମୋତେ ନିର୍ଲଜ କହୁଛନ୍ତି ଆପଣ ମାନେ? ଥରେ ନିଜକୁ ଦେଖନ୍ତୁ ତ…କୌଣସି ବି ନିର୍ଲଜ ପ୍ରତିଯୋଗିତାରେ ଭାଗନେଲେ ଆପଣମାନେ ସର୍ବ ଶ୍ରେଷ୍ଠ ପୁରସ୍କାର ପାଇବେ। ଯେଉଁ ମାଆଙ୍କୁ ଆପଣମାନେ ଡ୍ରଇଂ ରୁମର ଆବର୍ଜନା ମନେ କରନ୍ତି ତାଙ୍କ ହୃଦୟକୁ କେବେ ନିରେଖି ଦେଖିଛନ୍ତି। ଦେଖିଥିଲେ ଜାଣିଥାନ୍ତେ ଏତେ କଷ୍ଟ ସତ୍ତ୍ୱେ ସେ ଆପଣମାନଙ୍କ ମଙ୍ଗଳ ପାଇଁ ଈଶ୍ୱରଙ୍କୁ କେମିତି ଡାକୁଛନ୍ତି। ଆପଣ ମାନଙ୍କ ଏତେ ଅତ୍ୟାଚାର ପରେ ବି ଆପଣ ମାନେ ଏତେ ସୁନ୍ଦର ଭାବେ ଜୀବନ ଜୀଇଁବାର ଫଳ ଭୋଗୁଛନ୍ତି ତାର କାରଣ ସିଏ। ତାଙ୍କ ଆଶୀର୍ବାଦ ଆପଣଙ୍କୁ ଏମିତି ପ୍ରଚ୍ଛନ୍ନ ଭାବେ ଘୋଡ଼େଇ ରଖିଛି ଯେ ଆପଣମାନେ ଦୁଃଖ କ’ଣ ଜାଣିପାରୁନାହାନ୍ତି। ଯେଉଁଦିନ ସେ ଆପଣମାନଙ୍କୁ ଛାଡି ଚାଲିଯିବେ ମନେ ରଖନ୍ତୁ ସେଦିନ ଆପଣଙ୍କ ଉପରେ ଆକାଶଟା ଛିଣ୍ଡି ପଡିବ।

ବୁଢାବୁଢୀଙ୍କୁ ଡ୍ରଇଂରୁମର ଆବର୍ଜନା ମନେକରୁଛନ୍ତି ନା ? ମନେ ରଖନ୍ତୁ ବୁଢା ବୁଢୀ ଡ୍ରଇଂରୁମର ସବୁଠୁ ମୂଲ୍ୟବାନ ସଂପତ୍ତି।  ଘରକୁ ଆସୁଥିବା ଅତିଥିଙ୍କ ମୁଣ୍ଡ ଆପେ ଆପେ ନଇଁଯାଏ ବୁଢା ବୁଢୀ ଦେଖିଲେ। ଏମିତିକି ମନୋବିଜ୍ଞାନୀଙ୍କ ମତରେ ଆପଣଙ୍କ ପ୍ରତି ହିଂସ୍ର ଆଚରଣ ରଖିଥିବା କୌଣସି ବ୍ୟକ୍ତି ଘରକୁ ଆସି ପ୍ରଥମେ ଆପଣଙ୍କ ବାପା ମାଆଙ୍କ ମୁହାଁ ମୁହିଁ ହେଇଗଲେ ତା ମନର ହିଂସ୍ର ଭାବନା ଅଧା କମିଯାଏ। ଯେଉଁ ଘର ଦାଣ୍ଡରେ ବୁଢା ବୁଢୀ କେହି ବସିଥାନ୍ତି ସେ ଘର ସବୁଠୁ ସୁନ୍ଦର ଦେଖାଯାଏ। ସେ ଘର ସ୍ୱର୍ଗ ପରି ମନେ ହୁଏ। ଏ କଥା ଆପଣ ମାନେ କାହୁଁ ବୁଝିବେ? ଆପଣଙ୍କ ପାଇଁ ତ ଆପଣଙ୍କ ଘର ସାଜ ସଜ୍ଜା ଜଣେ ମଣିଷର ଜୀବନଠୁ ମୂଲ୍ୟବାନ। ଆଜି ଯଦି ସେ ଲେଖୁଥାନ୍ତେ କେଡ଼େ ଚଳଚଞ୍ଚଳ ଥାନ୍ତେ। ହସ ଖୁସିରେ ତାଙ୍କ ବାକୀ ଜୀବନ ବିତିଯାନ୍ତା। ଆପଣ ମାନଙ୍କ ବ୍ୟବହାର ପାଇଁ ସେ ପଙ୍ଗୁ , ଅଥର୍ବ ହେଇ ଜୀବନ ବିତାଉଛନ୍ତି। ମାଆ ଟିଏ କେଡେ କଷ୍ଟ କରି ତା ଛୁଆକୁ ପାଳିଥାଏ ତା ଛୁଆ ବଡ଼ ହେଲେ ତା ଭବିଷ୍ୟତର ସାହାରା ହେବ ବୋଲି। ଅଥଚ ସେ ଛୁଆ ଯଦି ବଡ଼ ହେଇ ତାକୁ ମୃତ୍ୟୁ ମୁହଁକୁ ଠେଲି ଦିଏ …

ପୁଅ ବିରକ୍ତି ହେଇ କହିଲା ସରିଲା ଆପଣଙ୍କ ଭାଷଣ? ଯିବା କଥା ଉପରକୁ ଯାଆନ୍ତୁ କିନ୍ତୁ ମନେ ରଖନ୍ତୁ ଏଇଟା ଆପଣଙ୍କ ଶେଷ ଆସିବା। ଆଉ ଥରେ ଆପଣ ଆମଘରକୁ ଆସି ଏପରି ଡିଷ୍ଟର୍ବ କଲେ ମୁଁ ଆଇନର ସହାୟତା ନେବି।

– ଆଇନର ସହାୟତା ମୁଁ ବି ନେଇପାରିବି। ଖାଲି ପ୍ରଭାତୀ ଅପାଙ୍କ ପାଇଁ ମୁଁ ହାତ ଗୋଡ଼ ବାନ୍ଧି ବସିଛି।

ସୁଚିତ୍ରା ପ୍ରଭାତୀ ଦେବୀଙ୍କ ପାଖକୁ ଗଲା। କିନ୍ତୁ ଏଥର ମଧ୍ୟ ତାକୁ କୌଣସି ସଫଳତା ମିଳିଲାନି। ବରଂ ପ୍ରଭାତୀ ଦେବୀ ତାକୁ ବୃଥା ଚେଷ୍ଟା ନ କରିବାକୁ ପ୍ରବର୍ତ୍ତାଇଲେ।

ସମୟ ସହ ମଣିଷର ମନବି ବଦଳି ଯାଏ । ତୁମେ ଆଉ ମୋତେ ବାଧ୍ୟ କରନା। ମୋ ଭିତରେ ଲେଖିବାର ସ୍ପୃହାଟି ସଂପୂର୍ଣ୍ଣ ମରିଯାଇଛି। ମୋ କଥା ଭୁଲି ନିଜ କାମରେ ଆଗେଇ ଯାଅ। ଏଠିକୁ ବାରମ୍ୱାର ଆସି ସମୟ ନଷ୍ଟ କରନା। ଆଉ କେଇଟା ଦିନ ମୋର… ମୁଁ ଟିକେ ଶାନ୍ତିରେ ରହିବାକୁ ଚାହେଁ।

ପ୍ରଭାତୀ ଦେବୀ ତାକୁ ଅନ୍ତିମ ବିଦାୟ ଦେଲା ପରି କଥା ଗୁଡିକ କହିଥିଲେ। ସୁଚିତ୍ରାର ଲୁହ କୋହ ଏକାକାର ହେଇଗଲା। କାନ୍ଦୁରା ସ୍ୱରରେ କହିଲା- କିନ୍ତୁ ଅପା ଆପଣ ପାରିବେ।

ସେଇ ପାରିବାଟା ହିଁ ମୁଁ ଚାହୁଁନି। ଆଉ କେମିତି ତୁମକୁ ବୁଝେଇବି। ଯାଅ ଆଉ ସମୟ ନଷ୍ଟ କରନା।

ଏମିତି ଗୋଟେ ପ୍ରତିଭା ନଷ୍ଟ ହେଇଗଲା ନିଜ ଉପରେ ଅଭିମାନ କରି। ସୁଚିତ୍ରା ଆଉ ପାରିଲାନି। ନିଜ ଅସହାୟତାକୁ ଛାତିରେ ଜାକି ଫେରିଆସିଲା। ତାଙ୍କ ପୁଅବୋହୂଙ୍କୁ କିଛି କହିବାର ସୁଯୋଗ ନଦେଇ ସେ ଚାଲି ଆସୁଥିଲା। ତଥାପି ପୁଅ ପଛପଟୁ ପଚାରିଲା-କ’ଣ ସଫଳ ହେଲେ?

ସୁଚିତ୍ରା ପଛକୁ ନ ଚାହିଁ ଉତ୍ତର ଦେଲା-ନା।

– ଆଶା କରୁଛି ଆଉ କେବେ ଆସି ଆମକୁ ଡିଷ୍ଟର୍ବ କରିବେନି।

-ନା ଆସିବିନି।

ସୁଚିତ୍ରା ହାତରେ ଧରିଥିବା କଲମଟି ଦେଖେଇ କହିଲା ଏଇ କଲମଟି ତାଙ୍କ ହାତରେ ଧରେଇ ଦେବି ବୋଲି ଆସୁଥିଲି। କିନ୍ତୁ ସେ ରାଜି ନାହାନ୍ତି। ଧରିଥିଲେ ହୁଏତ ଆଉ କିଛି ଲେଖିଥାନ୍ତେ , କିଛିଦିନ ଆତ୍ମବିଶ୍ୱାସର ସହ ବଂଚିଥାନ୍ତେ। ନ ଲେଖିଲେ ବି କାହାରି କିଛି କ୍ଷତି ହେବନି। ପ୍ରଥମ ସଂଖ୍ୟାରେ ତାଙ୍କ ଉପନ୍ୟାସଟି ଦେଇ ପତ୍ରିକା ପ୍ରକାଶ କରିବାର ଯୋଜନା କରିଥିଲି। ସେ ନଦେଲେ ବି ପତ୍ରିକା ପ୍ରକାଶ ପାଇବ। କିନ୍ତୁ ଯେଉଁମାନେ ଲେଖିବାର ଦକ୍ଷତା ଥାଇ ଲେଖୁନାହାନ୍ତି ସେମାନଙ୍କୁ ଲେଖେଇବାର ସଂକଳ୍ପ ଟିଏ ନେଇଥିଲି ସେଥିରେ ହାରିଗଲି। ଆପଣ ମାନେ ଭଲରେ ଥାନ୍ତୁ । ଭଗବାନ ଆପଣମାନଙ୍କର ମଙ୍ଗଳ କରନ୍ତୁ।

ସୁଚିତ୍ରା ଚାଲି ଆସୁଥିଲା ବୋହୂ ପଛରୁ ଡାକିଲା, ଶୁଣନ୍ତୁ ତ ଟିକେ…

କ’ଣ କହିବ ଏବେ ବୋହୂ? କହିବ କି ଆଉ କେବେ ଏଠିକି ଆସିବେନି। ଆମକୁ ଅନ୍ତତଃ ଶାନ୍ତିରେ ରହିବାକୁ ଦିଅନ୍ତୁ। ପରଘର କଥାରେ ମୁଣ୍ଡ ପୁରେଇବା ବନ୍ଦ କରନ୍ତୁ।

କି କହିବ ଦିଅନ୍ତୁ କଲମଟି ମୋତେ ଦିଅନ୍ତୁ ମୁଁ ତାଙ୍କୁ ଲେଖେଇବାକୁ ଚେଷ୍ଟା କରିବି। ମୋରି ପାଇଁ ସେ କଲମ ଛାଡିଥିଲେ। ମୁଁ ତାଙ୍କ ହାତରେ କଲମ ଧରେଇ ଦେବି। ପ୍ରକୃତରେ ସେ ଡ୍ରଇଂରୁମର ସବୁଠୁ ମୂଲ୍ୟବାନ ସଂପତ୍ତି । ମୁଁ ଏତେ ଦିନ ପରେ ମୋ ଭୁଲ ବୁଝିପାରିଛି।

ସୁଚିତ୍ରା ବୁଲି ପଡି ବୋହୂକୁ ଆଶାୟୀ ଦୃଷ୍ଟିରେ ଚାହିଁରହିଲା।

ଅମୃତାୟନ, ୯ ଷ୍ଟେସନ ସ୍କୋୟାର, ଭୁବନେଶ୍ୱର, ମୋ-୮୮୯୫୨୯୪୧୪୧

Previous ArticleNext Article

Send this to a friend