ଅଛିଣ୍ଡା ଅଙ୍କ

bibhuti
bb
ବିଭୂତି ପଟ୍ଟନାୟକ

ସନ୍ଧ୍ୟାର ଅନ୍ଧକାର ଆକାଶକୁ ଆଚ୍ଛନ୍ନ କରିବା ଆଗରୁ ରାସ୍ତାର ବିଜୁଳିବତୀ ଜଳି ଉଠିଥିଲା। ଅଫିସ୍ ଫେରନ୍ତା ଅଳ୍ପ କେତେଜଣ ଶିକ୍ଷକ ଓ କ୍ଲାନ୍ତ ମଣିଷଙ୍କ ଗହଣରେ ଏକାକିନୀ ଚାଲିଥିଲା ଅରୁଣା। ହାତରେ ଗୋଟିଏ ପଲିଥିନ୍ ବ୍ୟାଗ୍ ରେ ଗୋଟିଏ ପାଉଁରୁଟି ଆଉ ଦୁଇଟି ଅଣ୍ଡା।

ସମୀରଣ ଆଜି ଆସିବେ ବୋଲି ଲେଖିଥିଲେ। ଘରେ ଜଳଖିଆ କିଛି ନଥିଲା। ସହରର ଏଭଳି ଏକ ନିଛାଟିଆ ଜାଗାରେ ତା’ର ବସା ଯେ ଚାହିଁଲେ ମଧ୍ୟ କିଣି ଆଣିବାକୁ କୌଣସି ଜଳଖିଆ ଦୋକାନ ପାଖରେ ନାହିଁ। ଅଣ୍ଡା ପାଉଁରୁଟିରେ ଟୋଷ୍ଟ କରିଦେଲେ ଅନ୍ତତଃ ସମୀରଣଙ୍କ ପାଖରେ ତା’ର ଆତ୍ମସମ୍ମାନ ବଞ୍ଚି ଯାଇପାରେ।

ଗୋଟିଏ ଘରୋଇ କମ୍ପାନୀର ଅଫିସରେ ଷ୍ଟେନୋ-ଟାଇପିଷ୍ଟ ଅରୁଣା। ଯାହା ମାସକୁ ମାସ ଦରମା ପାଏ ସେଥିରୁ ଗୋଟିଏ ବଡ ଅଂଶ ପଠାଇବାକୁ ହୁଏ ଗ୍ରାମକୁ। ଗ୍ରାମରେ ରୁଗ୍ ଣ ବାପା, ବୃଦ୍ଧା ମାଆ, ଦୁଇ ସାନ ଭଉଣୀ, ସାନଭାଇ ଅମୀୟ।

ସାରା ପରିବାରର ବୋଝ ତା’ର କାନ୍ଧ ଉପରେ। ସେଥିପାଇଁ ପାଖରେ ଟଙ୍କା ଥିଲେବି ରିକ୍ସାରେ ଉଠିବା ପାଇଁ ତାର ଇଚ୍ଛା ନାହିଁ। ଟାଉନ୍ ବସ୍ କୁ ଅପେକ୍ଷା କରିଥିଲା, ଆସିଲା ନାହିଁ। ଆଉ କିଛି ସମୟ ଧୈର୍ଯ୍ୟ ଧରି ଅପେକ୍ଷା କରିଥିଲେ ହୁଏତ ଟାଉନ୍ ବସ୍ ପାଇଯାଇ ଥାଆନ୍ତା। କିନ୍ତୁ ସମୀରଣଙ୍କ ଆସିବା ସମୟ କଥା ସ୍ମରଣ କରି ପାଦରେ ଚାଲି ଘରେ ପହଞ୍ଚିବାକୁ ଚେଷ୍ଟା କରୁଥିଲା ଅରୁଣା।

ସଂକ୍ଷିପ୍ତ ରାସ୍ତାରେ ବସାରେ ଚଞ୍ଚଳ ପହଞ୍ଚିଯିବାର ଲୋଭରେ ସେ ଜନଗହଳି ରାସ୍ତା ଛାଡି ଆଉ ଗୋଟିଏ ଗଳି ରାସ୍ତାରେ ଅଳ୍ପ କେଇପାଦ ଆଗେଇବା ମାତ୍ରେ ପଛରୁ କାହାର ଡାକ ଶୁଣିଲା – ଟିକିଏ ଶୁଣିବ ମାଆ!

ଜଣେ ଅପରିଚିତ ଲୋକ। ବେଶ ପୋଷାକରୁ ବାରିହୋଇ ପଡୁଛି ଯେ ସେ ସଦ୍ୟ ଗ୍ରାମରୁ ଆସିଛି ଏ ସହରକୁ। ମୁହଁଭର୍ତ୍ତି ଦାଢି। ହାତରେ ଗୋଟିଏ ନାଲିକନାର ବ୍ୟାଗ୍।

– ତମେ କ’ଣ ଗୋପାଳବାବୁଙ୍କ ଭଉଣୀ?

– କେଉଁ ଗୋପାଳବାବୁ?

ବିସ୍ମୟରେ ଓ କିଛି ପରିମାଣ ବିରକ୍ତିରେ ପ୍ରଶ୍ନ କଲା ଅରୁଣା।

– ତାହାହେଲେ ତମେ ତାଙ୍କର ଭଉଣୀ ନୁହଁ?

ସମୀରଣଙ୍କ ଆସିବା ବେଳ ହୋଇ ଯାଉଛି। ବିଚରା ତା ବସା ପାଖରେ ପହଞ୍ଚି ଯେତେବେଳେ ଦେଖିବେ ଯେ ଘର ଦରଜାରେ ବାହାରପଟୁ ତାଲା ଝୁଲୁଛି, ଖୁବ୍ ବିଚଳିତ ହୋଇପଡିବେ।

ଆରଥର ସେ ଆସିଲାବେଳେ ବୋଉ ଥିଲା। ଘର ଖୋଲା ଥିଲା। ଅମୀୟର ଦେହ ଖରାପ ବୋଲି ଖବର ପାଇ ବୋଉ ଦୁଇଦିନ ତଳେ ଗ୍ରାମକୁ ଚାଲିଯାଇଛି। ଅଫିସକୁ ଆସିଲା ବେଳେ ସେ ବସାରେ ବାହାରୁ ତାଲାଦେଇ ଆସୁଛି।

ଅରୁଣା ତରତର ହୋଇ କହିଲା- ନା, ଗୋପାଳବାବୁ କିଏ ମୁଁ ଜାଣିନାହିଁ। ଆପଣ ଭୁଲରେ ମତେ ତାଙ୍କର ଭଉଣୀ ବୋଲି ଭାବୁଛନ୍ତି।

ତା କଥା ଶୁଣି ଲୋକଟିର ମୁହଁରେ ଅସହାୟତାର ଦୁଃଖ ଘାରିଗଲା। ସେ ବଡ କରୁଣ କଣ୍ଠରେ କହିଲା- ବର୍ତ୍ତମାନ ମୁଁ କ’ଣ କରିବି? ସଞ୍ଜ ହୋଇଗଲାଣି। ଦୁଇ ଘଣ୍ଟା ହେଲା ମୁଁ ଗୋପାଳବାବୁଙ୍କ ଘର ଖୋଜୁଛି। ତାଙ୍କ ଘରେ ମୋ ପୁଅ ଚାକିରି କରେ। ତା’ର ଦେହ ଖରାପ ବୋଲି ଖବର ପାଇ ଆସିଛି।

ଲୋକଟା ଉପରେ ଖୁବ୍ ରାଗ ହେଲା। ଏ ସହରରେ କେତେ ଗୋପାଳବାବୁ ଅଛନ୍ତି। ଠିକ୍ ଠିକଣା ନଜାଣି ଅସୁସ୍ଥ ପୁଅର ସନ୍ଧାନରେ ଆସିଥିବା ଲୋକଟା କିପରି ତାଙ୍କର ଘର ଖୋଜି ପାଇବ?

– ଗୋପାଳବାବୁଙ୍କ ଠିକଣା ଅଛି?

– ନା, ପୁଅ ଲେଖିଥିଲା… ମେନ୍ ରୋଡ୍ ବାମହାତି ଗୋଟାଏ ଗଳି। ସେ ଗଳି ଆରମ୍ଭରେ ଗୋଟାଏ ବଡ ଚାକୁଣ୍ଡା ଗଛ ଅଛି… ସେଇ ଗଛ ପାଖରେ ଗୋଟାଏ ଏକମହଲା ଘର।

ଅରୁଣା ଗଳି ଆରମ୍ଭର ଚାକୁଣ୍ଡା ଗଛକୁ ଚାହିଁ ଅନ୍ୟମନସ୍କ ହୋଇଗଲା। ଚାକୁଣ୍ଡା ଗଛ ଅଛି କିନ୍ତୁ ଏକମହଲା ଘର ନାହିଁ। ତା’ ବଦଳରେ ଗୋଟାଏ ଖୋଲା ପଡିଆ।

– ମୁଁ ଗୋପାଳ ବାବୁଙ୍କ ଭଉଣୀ ହୋଇଥିବି ବୋଲି କିଏ କହିଲା?

ଏଥର ଲୋକଟି ତା ମୁହଁକୁ ଜଳଜଳ କରି ଚାହିଁ କହିଲା- ଥରେ ଗୋପାଳବାବୁ କଟକରେ ଥିଲାବେଳେ ମୁଁ ତାଙ୍କ ବସାକୁ ଆସିଥିଲି। ତାଙ୍କ ଭଉଣୀ ସ୍କୁଲ ମାଷ୍ଟ୍ରାଣୀ। ଠିକ୍ ଅବିକଳ ତମରି ଭଳି ଦେଖିବାକୁ।

ନା, ଆଉ ସମୟ ନଷ୍ଟ କରି କିଛି ଲାଭ ନାହିଁ। ସମୀରଣଙ୍କ ଆସିବା ବେଳ ହୋଇ ଯାଉଛି। ଛଅଟା ଦଶରେ ଲୋକାଲ ଟ୍ରେନ ଷ୍ଟେସନରେ ପହେଞ୍ଚ। ଷ୍ଟେସନଠାରୁ ତା’ର ବସା ଦଶ ମିନିଟ୍ ର ରାସ୍ତା। ଛଅଟା ବାଜି ଗଲାଣି।

– ନା, ଏ ଗଳିରେ ତ ଆଉ ଏକମହଲା ଘର ନାହିଁ। ତାଙ୍କ ଘର ହୁଏତ ଅନ୍ୟ କୌଣସି ଗଳିରେ। ଏ ସହରରେ ଅନେକ ଗଳି ଆରମ୍ଭରେ ଚାକୁଣ୍ଡା ଗଛ ଅଛି।

ଲୋକଟିକୁ ପଛରେ ଛାଡି ଦୃତ ପାଦରେ ଅରୁଣା ସେ ଗଳି ରାସ୍ତା ଅତିକ୍ରମ କରିଗଲା। ଗଳି ଶେଷରେ ଚର୍ଚ୍ଚ। ପାଖରେ ଘର ନାହିଁ। ଗୋପାଳ ବାବୁ ନାହାଁନ୍ତି। ଲୋକଟି ଭୁଲ ଠିକଣାରେ ନିଜ ଅସୁସ୍ଥ ପୁଅକୁ ଖୋଜୁଛି।

ଅରୁଣା ଆଉଥରେ ପଛକୁ ଫେରି ଚାହିଁଲା। ମଫସଲି ଲୋକଟି ସେ ଚାକୁଣ୍ଡା ଗଛ ପାଖରେ ଥକ୍କା ମାରି ଠିଆ ହୋଇଛି। ସଂଧ୍ୟା ଘନ ହୋଇ ଆସୁଛି। ଶୀତ ଦିନ। ଲୋକଟି ଦେହରେ ଗରମ ପୋଷାକ ସୁଦ୍ଧା ନାହିଁ। କିନ୍ତୁ ଅରୁଣା ଅବା କ’ଣ କରିପାରେ?

ସେ ଚର୍ଚ୍ଚ ସାମ୍ନା ରାସ୍ତା ଦେଇ ପୁଣି ମେନ୍ ରୋଡକୁ ବାହାରି ଗଲା। ନା, ଏଥର ରିକ୍ସା ନେବାକୁ ହେବ। ଚାଲିକରି ଗଲେ ବସାରେ ପହଞ୍ଚୁ ପହଞ୍ଚୁ  ସାଢେ ଛଅ ହୋଇ ଯାଇପାରେ। ଅରୁଣା ଆଉ ନିଜର ଆର୍ଥିକ ସମ୍ୱଳ କଥା ନଭାବି ଗୋଟାଏ ରିକ୍ସାରେ ଉଠି ପଡିଲା।

ଛଅଟା ବେଳେ ପହଞ୍ଚିଗଲା ବସାରେ। ନିଜ ଭ୍ୟାନିଟି ବ୍ୟାଗରୁ ଚାବି କାଢି ଘର ଖୋଲିଲା। ଆଲୁଅ ଜାଳିଲା। ଅଣ୍ଡା ପାଉଁରୁଟି ଡାଇନିଂ ଟେବୁଲ ଉପରେ ରଖି ତରତର କରି ବାଥରୁମରେ ପଶିଗଲା।

ଛୋଟ ବାଥ‌ରୁମ। ଗଲାବେଳେ ଟ୍ୟାପ୍ ଖୋଲି ଦେଇ ଯାଇଥିଲା। କୁଣ୍ଡ ଭର୍ତ୍ତି ହୋଇ ଯାଇଥିଲା ପାଣିରେ। ସେ ଟ୍ୟାପ୍ ବନ୍ଦ କଲା। ମୁହଁରେ ଦୁଇ ଆଞ୍ଜୁଳା ପାଣି ଛାଟିଲା। ଦେହ ଝାଳରେ ଅଠା ଅଠା ଲାଗୁଛି। ଶୀତଦିନ। ଇଚ୍ଛା ଥିଲେ ବି ଗାଧୋଇବା ପାଇଁ ଭୟ। ଛୋଟ ଟାୱେଲ ଓଦା କରି ଦେହ ପୋଛିପାଛି ହେଲା ବେଳେ କାନ ଡେରିଲା। ସମୀରଣ କଲିଂବେଲ୍ ଟିପୁଛନ୍ତି କି?

ନା।

ସେ ବାଥ‌ରୁମରୁ ବାହାରି ପ୍ଲାଷ୍ଟିକ୍ ପାନିଆରେ ନିଜର ଅବିନ୍ୟସ୍ତ କେଶକୁ ଟିକିଏ ସାଉଁଳି ନେଲା। ମୁହଁରେ ଦେହରେ ଛିଞ୍ଚିଦେଲା ସୁଗନ୍ଧ ଟାଲ‌କମ୍ ପାଉଡର। ସମୀରଣ ଧଳାଶାଢିକୁ ଭଲ ପାଆନ୍ତି ବୋଲି ଆଲମୀରାରୁ ଧଳା ଚିକଣ ଶାଢିଟା କାଢି ପିନ୍ଧିନେଲା।

କିନ୍ତୁ କାହାଁନ୍ତି ସମୀରଣ?

ସାଢେ ଛଅଟାର ସମୟ ସୀମା ମଧ୍ୟ ଅତିକ୍ରମ କରିଗଲା।

ଉତ୍କଣ୍ଠା ବଦଳରେ ଉଦବେଗର ମୃଦୁ ଆଲୋଡନରେ ତା’ର କ୍ଲାନ୍ତ ଦେହମନ ଉଦ‌ବେଳିତ ହୋଇ ଉଠିଲା।

ସମୀରଣ କ’ଣ ଟ୍ରେନରେ ନଆସି ବସ୍ ରେ ଆସିଥିଲେ? ତାକୁ ନପାଇ ପୁଣି କଟକ ଫେରିଗଲେ?

ଏଥର ସେ ମଫସଲି ଲୋକଟା ଉପରେ ତା’ର ରାଗ ହେଲା। ଲୋକଟା ଅକାରଣରେ ତାକୁ ଘେରି ଗୋପାଳ ବାବୁଙ୍କ ଭଉଣୀ ବୋଲି ଅଟକାଇ ଦେଇ ଅଯଥାରେ କିଛି ସମୟ ନଷ୍ଟ କରିଦେଲା। ସେଇ ସମୟ ମଧ୍ୟରେ ଯଦି ସମୀରଣ ଆସି…

ଖୁବ ଅବସନ୍ନ ଲାଗୁଛି। ଚାହାର ତୃଷ୍ଣା ଅନୁଭୂତ ହେଉଛି। ସମୀରଣ ଆସିଥିଲେ ସାଙ୍ଗ ହୋଇ ଚାହା ପିଇବେ ବୋଲି ଷ୍ଟୋଭ୍ ଜାଳିବାକୁ ଆଉ ତା’ର ଇଚ୍ଛା ହେଉନଥିଲା। ଛୋଟ ଦୁଇ ଜଣିଆ ଡାଇନିଂ ଟେବୁଲ ଉପରେ ଅଣ୍ଡା ଓ ପାଉଁରୁଟି ଥୁଆ ହୋଇଛି ଟୋଷ୍ଟ ହେବାର ଅପେକ୍ଷାରେ। ଭୋକ ମଧ୍ୟ ଲାଗୁଛି। କିନ୍ତୁ ସମୀରଣ ଆସି ନାହାଁନ୍ତି। ତାୱା ଗରମ କରିବାକୁ ଇଚ୍ଛା ବା ଉତ୍ସାହ ଆସୁନାଇଁ।

ସମୀରଣଙ୍କ କଥା ଭାବି ହଠାତ୍ ଆପେ ଆପେ ହସି ଉଠିଲା ଅରୁଣା। ନିଃଶବ୍ଦରେ। ଆରଥର ଏଇ ଘରେ ବୋଉ ଥିଲା। ସମୀରଣ ଭାରି ଛଟପଟ ହେଉଥିଲେ। ତାକୁ ଛୁଇଁ ଦେବା ପାଇଁ ବାରମ୍ୱାର ହାତ, ଜିଭ କାଢି ବୋଉର ଭୟରେ ପଛେଇ ଯାଉଥିଲେ। ପାଖରେ ପାଇ ମଧ୍ୟ ହାତରେ ନପାଇବାର ଦୁଃଖରେ ସମୀରଣ ଭାଙ୍ଗି ପଡୁଥିବା ବେଳେ ତାହା ଲକ୍ଷ୍ୟ କରି ମନେମନେ ଖୁବ ମଜ୍ଜା ଅନୁଭବ କରୁଥିଲା ଅରୁଣା। ଆଜି ବୋଉ ନାହିଁ। କୌଣସି ବାଧା ନାହିଁ। କିନ୍ତୁ କାହାନ୍ତି ସମୀରଣ?

ଚାହିଁଲେ ମଧ୍ୟ ସେ ନିଜକୁ କେତେ ପରିମାଣରେ ସମୀରଣ ପାଖରେ ଉତ୍ସର୍ଗ କରିପାରେ? ସଂପୂର୍ଣ୍ଣ ? ନା ନା ନା…

ସେ ଜାଣେ, ପୁରୁଷ ପାଖରେ ନାରୀ ଆଉ ମଦ ଭିତରେ ପାର୍ଥକ୍ୟ ହେଲା, ମଦ୍ୟପାନ  କଲାପରେ ନିଶା ବଢେ; କିନ୍ତୁ ନାରୀକୁ ଭୋଗ କରି ସାରିଲା ପରେ ନିଶା ଛାଡେ !

ସେ ନିଜକୁ ସମୀରଣଠାରୁ ବିବାହ ନହେବା ପର୍ଯ୍ୟନ୍ତ ନିରାପଦ ଦୂରତ୍ୱରେ ରଖିବାକୁ ଚାହେଁ। ସମୀରଣ ଚାହିଁଲେ ମଧ୍ୟ ସେ ନିଜକୁ ହରାଇବାକୁ ଚାହେଁ ନାହିଁ।

ସମୀରଣର ବା ଦୋଷ କ’ଣ?

ଦୁଇମାସ ତଳେ ବିବାହର ଲଗ୍ନ ସ୍ଥିର ହୋଇଯାଇଥିଲା। ମାସେ ତଳେ ପିତୃ-ବିୟୋଗ ଆକସ୍ମିକ ଭାବରେ। ବର୍ଷ ନ ପୂରିଲେ ବାହାଘର ହୋଇ ପାରିବ ନାହିଁ ବୋଲି ତିଥି ଘୁଞ୍ଚିଗଲା।

ଅରୁଣା ଭଲକରି ଜାଣେ, ତା ଇଚ୍ଛା ବିରୁଦ୍ଧରେ ସେ କେବେ ଜୋର କରିବେ ନାହିଁ। ଖୁବ୍ ଶାନ୍ତଶିଷ୍ଟ ଲୋକ। ଅନେକ ଭଲ ପ୍ରସ୍ତାବ ଆସିଥିଲେ ମଧ୍ୟ ତା’ପାଇଁ ସେସବୁ ପ୍ରସ୍ତାବ ନିଜେ ଭାଙ୍ଗି ଦେଇଛନ୍ତି। ଅନ୍ତତଃ ତା’ପାଇଁ ଏଇଟା କିଛି କମ୍ କଥା ନୁହେଁ।

ସେ ନିଜେ ଦେଖିବାକୁ ଏମିତି କିଛି ମେନକା ଉର୍ବଶୀ ନୁହେଁ। ଚାକିରିରେ ମଧ୍ୟ ବେଶୀ କିଛି ଉନ୍ନତିର ସୁଯୋଗ ନାହିଁ। ସୁପ୍ରତିଷ୍ଠିତ, ହେଲେ ଘରୋଇ କମ୍ପାନୀ। ସରକାରୀ ଚାକିରି କରିବାର ବୟସ ମଧ୍ୟ ଚାଲିଗଲା। ସମୀରଣଙ୍କ ବ୍ୟତୀତ ତା’ର ଆଉ ସୁଦୃଢ ଅବଲମ୍ୱନ କ’ଣ ଅଛି?

ଅରୁଣା ଦି ! ଆଜି କ’ଣ ଟି.ଭି. ଖୋଲିବ ନାଇଁ ? ମାଉସୀ କେଉଁଦିନ ଆସିବେ?

ପାଖ ଘରର ଚାକରାଣୀ ରମା। ଦିନକୁ ଦୁଇଓଳି ଆସି ବାସନ ମାଜେ, ଘର ଓଳାଏ, ଆଉସବୁ ଛୋଟକାଟର କାମଧନ୍ଧା କରେ। ବୋଉ ଥିଲାବେଳେ ତାଙ୍କ ଘରକୁ ଆସି ଗପ କରେ, ଟି.ଭି. ଦେଖେ।

ଆଜି ଡାକିଲେ ହୁଏତ ଚାହା କରି ଦେଇ ଯାଆନ୍ତା। ପାଉଁରୁଟି ଭାଜି ଦିଅନ୍ତା। କିନ୍ତୁ କାମ କଲେ ବସି ଟି.ଭି. ଦେଖିବ, ଉଠିବ ନାଇଁ। ଅଥଚ ଆଜି ସେ ସମୀରଣ ସହିତ ଏକାନ୍ତରେ କିଛି ସମୟ କଟାଇବାକୁ ଚାହେଁ। ଆଉ କାହାରି ଅନୁପ୍ରବେଶ ସହ୍ୟ କରିବାକୁ ସେ ପ୍ରସ୍ତୁତ ନୁହେଁ।

ରମାକୁ ସେ ମୃଦୁ ହସି ଉତ୍ତର ଦେଲା- ନା’ରେ ରମା ! ଆଜି କିଛି ଟି.ଭି.ରେ ଭଲ ପ୍ରୋଗ୍ରାମ ନାଇଁ। ବୋଉ ଆସୁ କାଲି ଆସିବୁ।

ରମା ଚାଲିଗଲା। ସମୀରଣ ତଥାପି ଆସୁ ନାହାନ୍ତି। ସମୟ ରାତି ସାତ। ସେ କ’ଣ ଆସିବା କଥା ଭୁଲିଗଲେ ? ନା ହଠାତ୍ କାହାର ଅସୁସ୍ଥତା ଖବର ପାଇ ଗ୍ରାମକୁ ଚାଲିଗଲେ ?

ସମୀରଣ ଭୁଲିବା ଲୋକ ନୁହନ୍ତି। ତା’ଛଡା ସେ ଜାଣନ୍ତି ବସାରେ ବୋଉ ନାହିଁ। ସେ ଏକାକିନୀ।

ଶେଷ କଥାଟା ଭାବି ମନେ ମନେ ହସିଲା ଅରୁଣା। ତା ପରେ ଉଠିଯାଇ ଷ୍ଟୋଭ ଲଗାଇଲା। ଟୋଷ୍ଟ ପଛେ ପଛରେ ହେବ, ଚାହାର ବିଳମ୍ୱ ଆଉ ସହ୍ୟ କରିହେବ ନାହିଁ। ଷ୍ଟୋଭରେ ପାଣି ଫୁଟିଲା ବେଳକୁ କଲିଂବେଲ‌ର ଶବ୍ଦ ଶୁଣାଗଲା।

ସମୀରଣ।

କିନ୍ତୁ ଏକା ନୁହଁ, ସାଙ୍ଗରେ ସେଇ ମଫସଲି ଲୋକଟା।

– ଚାହା ବସାଉଛ? ଆଉ ଗୋଟିଏ କପ୍ ଅଧିକା ପାଣି ଦିଅ।

– କାହାପାଇଁ?

ଲୋକଟି ଆଡକୁ ଆଙ୍ଗୁଠି ଦେଖାଇ ଦେଇ ସମୀରଣ କହିଲେ- ଏଇ ନାରଣ ଦାଦାଙ୍କ ପାଇଁ। ସେ ଆମ ଗାଁର ଲୋକ। ହିସାବରେ ଦାଦା ହେବେ। ପୁଅ ମଲାପରେ ପାଗଳ ହୋଇ ଯାଇଛନ୍ତି। ହଠାତ୍  ଗଳିମୁଣ୍ଡରେ ଚାକୁଣ୍ଡା ଗଛ ପାଖରେ ଦେଖା ହୋଇଗଲା।

– କିନ୍ତୁ ତାଙ୍କ ପୁଅ ତ କେଉଁ ଗୋପାଳବାବୁ ପାଖରେ କାମ କରେ ! ଅସୁସ୍ଥ ଅଛି ବୋଲି ଖବର ପାଇ ଆସିଥିଲା !

– ସେ ତିନିବର୍ଷ ତଳର କଥା। ଗୋପାଳବାବୁ କଣ୍ଟ୍ରାକ୍ଟର ପାଖରେ ରହି ତାଙ୍କ ପୁଅ ନିବାରଣ ମିସ୍ତ୍ରୀ କାମ କରୁଥିଲା। ଦୁଇମହଲା କାନ୍ଥ ପଲସ୍ତରା କରୁଥିବା ବେଳେ ହଠାତ୍ କାନ୍ଥରେ ବନ୍ଧା ହୋଇଥିବା ବାଉଁଶ ଭାଙ୍ଗି ପଡିଲା। ତଳେ ପଡିଗଲା, ସ୍ପଟ୍ ଡେଥ୍। ଦି ଓନଲି ସନ୍! ବିଚରା!

– ଅଫିସ୍ ରୁ ଫେରିବା ରାସ୍ତାରେ ମୋ ସହିତ ଏ ଲୋକର ଦେଖା ହୋଇଥିଲା। ଗୋପାଳବାବୁଙ୍କର କେଉଁ ଭଉଣୀ ମାଷ୍ଟ୍ରାଣୀ ଅଛନ୍ତି, ମୁଁ କୁଆଡେ ଅବିକଳ ତା’ଭଳି ଦେଖାଯାଉଥିଲି। ସେ ଗୋପାଳବାବୁଙ୍କ ଏକମହଲା ଘର ଖୋଜୁଥିଲା।

ସମୀରଣ ଗୋଟାଏ ଦୀର୍ଘଶ୍ୱାସ ଛାଡି କହିଲେ- ଏକ ମହଲା ଘର ଏଥି ମଧ୍ୟରେ ତିନି ମହଲା ହୋଇଯାଇଛି। ତାଙ୍କ ସାନ ଭଉଣୀ ହୁଏତ ବାହାହୋଇ ପିଲାଛୁଆର ମାଆ ହୋଇ ଗଲେଣି। କିନ୍ତୁ ଦିନେ ଦିନେ ନାରଣ ଦାଦା ଗାଁରୁ ଲୁଚି ପଳାଇ ଆସି ଏ ସହରରେ ସେ ଏକମହଲା ଘର ଖୋଜନ୍ତି। ଯେଉଁ ସ୍ତ୍ରୀଲୋକକୁ ଦେଖନ୍ତି, ଭାବନ୍ତି ସେ ଗୋପାଳବାବୁଙ୍କ ଭଉଣୀ। ତାଙ୍କ ପୁଅ ଅସୁସ୍ଥ ଅବସ୍ଥାରେ ତାଙ୍କୁ ଅପେକ୍ଷା କରୁଛି। ଏ ଗ୍ରେଟ୍ ହ୍ୟୁମାନ୍ ଟ୍ରାଜେଡି !

ଚାହା ପାଣି ମରି ଗଲାଣି। ଆଉ ତିନିକପ୍ ପାଣି ଢାଳିଲା ଅରୁଣା।

ଭାରି ଇଚ୍ଛା ଥିଲା ସମୀରଣଙ୍କୁ ସେ ଆଜି କିଛି ସମୟ ଏକାନ୍ତରେ ପାଇବ। ସେ ଲୋକଟା ସେ ଦୁଇଜଣଙ୍କ ମଝିରେ ଗୋଟାଏ ପାଚେରୀ ଭଳି ଠିଆ ହୋଇ ଗଲାଣି। ସେ ଲୋକଟାକୁ ନେଇ ହୁଏତ ସମୀରଣ କଟକ ଫେରିବେ।

ଅରୁଣା ମୁହଁରେ ଝାଳ କଣ୍ଟି ଆସିଲା।

ଲୋକଟା ଚାହା ପିଇବ। ହୁଏତ ଟୋଷ୍ଟରେ ମଧ୍ୟ ଭାଗ ବସାଇବ। ଆଉ କ’ଣ କରାଯାଏ ? ଜୀବନଟା ତ ଏମିତି; ଆଶା ଭଙ୍ଗର ଇତିବୃତ୍ତ।

ଚାହା କପ୍ ନେଇ ସେ ଦେଖିଲା, ଉର୍ଦ୍ଧ୍ୱ ଦୃଷ୍ଟିରେ ଆକାଶକୁ ଚାହିଁ ସେ ଲୋକଟା ପାହାଚ ତଳେ ଛିଡା ହୋଇଛି।

ସମୀରଣ ଅଳପ ଦୂରରେ ଆଉ କାହା ସହିତ କଥାବାର୍ତ୍ତା ହେଉଛନ୍ତି।

ଲୋକଟାକୁ କ’ଣ ସମ୍ୱୋଧନ କରି ଡାକିବ ?

ନାରଣ ଦାଦା!

ଏଥର ମନେମନେ ଆଉଥରେ ହସି ଉଠିଲା ଅରୁଣା। ହାତରେ ଧରିଥିବା ଚାହାକପ୍ ସାମାନ୍ୟ ଚହଲି ଗଲା।

(୧୯୮୮ ମସିହା “ଆସନ୍ତାକାଲି’ରେ ପ୍ରକାଶିତ)

୩ ଏଚ୍, ଲୁଇସ୍ ରୋଡ, ଭୁବନେଶ୍ୱର-୧୪

 

 

 

 

 

 

Previous ArticleNext Article

Send this to a friend