ଆତ୍ମହତ୍ୟା

ସୂର୍ଯ୍ୟ ଚନ୍ଦ୍ର ତାରା ଆଉ ଅଣୁ ପରମାଣୁ ପରି ତା’ ପତ୍ନୀ ମଧ୍ୟ ସମଗ୍ର ପୃଥିବୀରେ ଏକମାତ୍ର ସତ୍ୟ। ଆଉସବୁ ମିଛ ବୋଲି ଅନେକ ବର୍ଷ ପରେ ଅନୁଭବ କଲା ଅଭିଷେକ। ତା’ ପତ୍ନୀର କିଛି ଅଭିମାନ କି ଅଭିଯୋଗ ନଥିଲା। କିନ୍ତୁ ବିନା ବିବାହରେ ଯାହା ସହିତ ଏତେ ବର୍ଷ କଟିଲା ଆଉ ଶେଷରେ ସେ ଛାଡ଼ି ପଳାଇଲା। ଅଥଚ ଯିଏ ଜୀବନଠୁ ଆଉ ଈଶ୍ୱରଙ୍କ ଠାରୁ ବି ବେଶୀ ଭଲପାଉଥିଲା, ତାକୁ ନିଜ ହାତରେ ହତ୍ୟା କଲି, ଯିଏ ଦୀର୍ଘ ବର୍ଷ ମୋ ପାଇଁ ପୂଜା ବାର ବ୍ରତ ଆଉ ମାନସିକ ରଖୁଥିଲା, ଯିଏ ପଥର ପରି ସହିଯାଉଥିଲା ପୃଥିବୀର ସବୁ ଦୁଃଖ ଆଉ କଷ୍ଟକୁ।  ରାସ୍ତାରୁ ତାକୁ ହଟାଇବା ପାଇଁ ଛାର ଗୋଟେ ଝିଅ ପାଇଁ ହତ୍ୟା କଲି ମନଦେଇ ଭଲପାଉଥିବା ପତିବ୍ରତା ପତ୍ନୀକୁ। ଯେତେ ମାରିଲେ ବି ପୁଣି ଢ଼ାଳିଦେଉଥିଲା ପ୍ରେମ ଆଉ ନେହୁରା ହୋଇ କହୁଥିଲା-ଘର ଗୋଟେ କରିବା ସେମାନଙ୍କ ପରି। ସେଇ ପତ୍ନୀକୁ କାହିଁକି ହତ୍ୟା କଲି ? କ’ଣ ଥିଲା ଦୋଷ ତା’ର ? ମୋତେ ପୃଥିବୀରେ ଗୋଟେ ଭଲ ମଣିଷ କରିବାକୁ ସେ କ’ଣ କରି ନ ଥିଲା ? ଦୀର୍ଘ ବର୍ଷ ଅପେକ୍ଷା କରିଥିଲା ଖାଲି ଗୋଟେ ଘର ତିଆରି କରିବ ସ୍ନେହ ଆଉ ପ୍ରେମରେ। ଦୀର୍ଘ ବର୍ଷ ଅଲଗା ରହିବା ପରେ ମଧ୍ୟ କେବେ ଥରେ ବି ପାପ ଚିନ୍ତା ମନକୁ ଆଣୁ ନ ଥିଲା। ଅନ୍ୟମାନେ ଯେତେବେଳେ ବୁଝାଉଥିଲେ ଆଉ ଥରେ ବିବାହ କର। ସେ କିନ୍ତୁ ରୋକ‌ଠୋକ କହୁଥିଲା-ନାଇଁ-ମୋ ଅଭିଶେଷ ଦିନେ ମୋ ପାଖକୁ ଆସିବେ। ସବୁସମୟରେ କହୁଥିଲା-ମରିଗଲାପରେ ତମ ଗାଁ ମଶାଣୀରେ ନିଜେ ନେଇ ଫୋପାଡ଼ି ଦେବ। ସେତିକିରେ ମୋର ଖୁସି। ଏମିତି ଛୋଟ ଛୋଟ ପ୍ରେମ ତାର ଏବେ ମନେ ହେଉଛି -ସବୁଠାରୁ ମୂଲ୍ୟବାନ। କିନ୍ତୁ ତାକୁ ରାସ୍ତାରୁ ହଟାଇବା ପାଇଁ ସାମାନ୍ୟ ଟିକେ ଖୁସି ପାଇଁ ତାକୁ ହତ୍ୟା କଲି। ଭଗବାନ ଯାହା ଦଣ୍ଡ ଦେବା କଥା ଏବେ ଦିଅ। ମୋ ପତ୍ନୀକୁ ଯେମିତି କଷ୍ଟ ଦେଇଛି, ତା’ଠାରୁ ୪ ଗୁଣା ଅଧିକ ଦିଅ।  ଏମିତି ଏକ ଅପରାଧବୋଧରେ ନିଜକୁ ନିଜେ ପ୍ରଶ୍ନ କରୁଥିଲା ଅଭିଷେକ। ଲୁହ ଆଉ କୋହରେ ଗୋଟାପଣେ ଭିଜିଯାଇଥିଲା। ପାଗଳ ପରି ହୋଇଯାଉଥିଲା। ଭାବିଲା-ପତ୍ନୀ ମୋର ସ୍ୱର୍ଗରେ ବି ମୋ ପାଇଁ ଶୁଭ ମନାସୁ ଥିବ। ସେ ଜାଣିଥିଲା ଆଉ କେବେ ବି ସେ ତା ପତ୍ନୀକୁ ପାଇବ ନାହିଁ। ତଥାପି ଯେଉଁଠି ସେ ଫୋପାଡ଼ି ଦେଇଥିଲା ବସ୍ତାରେ ପୁରାଇ, ସେଇଠି କେତେ ଥର ଖୋଜିଛି  ତା’ର ଶରୀର। ସେ ଭଲଭାବେ ଜାଣିଥିଲା ଏ ଚିଠି ତା ପତ୍ନୀ ଆଉ କୋଉ ଜନ୍ମରେ ବି ପଢ଼ିବ ନାହିଁ। ତଥାପି ସେ ଲେଖିଲା ଚିଠି।

ମୋ ପ୍ରେମର ଦେବୀ,

ବଞ୍ଚିଥିବାବେଳେ କେବେ ଟିକେ ସ୍ନେହ ପ୍ରେମ ଦେଇନାହିଁ। କିନ୍ତୁ ତୁ ବିଶ୍ୱାସ କର ତୁ ମୋତେ ଯେମିତି ଭଲପାଉ ମୁଁ ତା’ଠୁ ୪ ଗୁଣା ଅଧିକ ଏବେ ତୋତେ ଭଲପାଏ । ମୁଁ ଜାଣେ ଏ ଚିଠି ତୋ ପାଖେ ପହଞ୍ଚିବ ନାହିଁ  କି ତୁ ମୋତେ ପୁଣି ଥରେ ସ୍ୱାମୀ ଭାବେ ପାଇବାକୁ ମନ୍ଦିରରେ କେଉଁ ଜନ୍ମରେ ବି ଡାକିବୁନି। ତଥାପି ମୋର  ଆଶା ମୁଁ ଟିକେ କଷ୍ଟ ପାଇଲେ ଯେମିତି ତୁ ଯୋଜନ ଯୋଜନ ଦୂରରେ ରହି ବି ଜାଣିପାରୁ ଆଉ ଅଣନିଃଶ୍ୱାସୀ ହୋଇ ମୋ ପାଖରେ ପହଞ୍ଚିଯାଉ। ଦୂରରେ ରହି ମୋତେ ଶକ୍ତି ଦେଇଛୁ। ମୋର ସାମାନ୍ୟ ମୁଣ୍ଡ ବିନ୍ଧା ବି ହେଲେ ତୁ କେମିତି କେଜାଣି ଜାଣୁ। ଏତେ ପ୍ରେମକୁ ତୋର ମୁଁ ପ୍ରତ୍ୟାଖ୍ୟାନ କରି ଆରାମରେ ଦିନ କାଟିଲି ଢ଼େର ବର୍ଷ । କେବେ ଥରେ ବି ଚିନ୍ତା କରି ନ ଥିଲି ତୁ କେମିତି ଦିନ କାଟୁଥିବୁ ମୋ ବିନା  ଘର ପରିବାରକୁ ଛାଡ଼ି। ତୋ ସହରରେ ବର୍ଷା ହେଲେ ତୁ ଆଗ ହିଁ ଚିନ୍ତା କରୁ, ମୁଁ ବର୍ଷାରେ ଭିଜିନାହିଁ ତ !! ତୁ ହିଁ ଏକା ଜାଣିଥିଲୁ ସାମାନ୍ୟ ଟିକେ ଥଣ୍ଡା ହେଲେ ମୋତେ ଜ୍ୱର ହୋଇଯାଏ। ସେହି ବିଶ୍ୱାସରେ ତୁ ସ୍ୱର୍ଗରେ ଥାଇ ବି ଜାଣିପାରୁଥିବୁ ମୁଁ ବି ତୋତେ ଝୁରୁଛି ଆଉ ଅନେକ ବର୍ଷ ପରେ ଖୋଜୁଛି ତୋ ନିରୋଳା ପ୍ରେମ। ପାରିବୁ ଯଦି ଫେରିଆସିବୁ ଆର ଜନ୍ମରେ। ତୋତେ ଯେମିତି କଷ୍ଟ, ଯନ୍ତ୍ରଣା ଦେଇଛି, ସେତିକି ପ୍ରେମ ଦେବି। ଏଇ ପ୍ରତିଜ୍ଞା କରୁଛି ଈଶ୍ୱରଙ୍କ ନାମରେ। ଅନେକ ଥର ତୋ ପାଖେ ପ୍ରତିଜ୍ଞା କରେ ପୁଣି କେଇ ମୂହୁର୍ତ୍ତ ପରେ ଭୁଲିଯାଏ।

ମୁଁ ତୋର ସ୍ୱାମୀ ଆଉ ତୁ ମୋର ବିବାହିତା ପତ୍ନୀ। ବେଦୀରେ ତେତ୍ରିଶ  କୋଟି ଦେବାଦେବୀଙ୍କୁ ସାକ୍ଷୀ ରଖି ଦିନେ କଥା ଦେଇଥିଲି-ସାତ ଜନ୍ମ ପାଇଁ ତୋର ସାହାରା ହୋଇ ବାଟ ଚାଲିବି। ବେଦୀ ଚାରିପଟେ ସାତ ଫେରା ବୁଲିଥିଲି ଆଉ ତୁ ଖୁସିରେ ଖୁସିରେ ମୋ ହାତ ଧରିଥିଲୁ । ଯେଉଁଦିନ ତୋ ଘରୁ ବରବେଶରେ ଯାଇ ତୋତେ ସିନ୍ଦୁର ପିନ୍ଧେଇ ମୋର ପତ୍ନୀ କରି ଆଣିଲି ଆଉ କାର୍ ପାଖରେ ତୋ ବାପା ବାହୁନି ବାହୁନି କାନ୍ଦୁଥିଲେ ଆଉ ମୁଁ ହିଁ ତାଙ୍କୁ କଥା ଦେଇଥିଲି- ମୋତେ ବିଶ୍ୱାସ କର ଆପଣଙ୍କ ଝିଅକୁ ଆପଣଙ୍କ ଠାରୁ ବି ବେଶୀ ଯତ୍ନ ନେବି। ଏତେ ସୁଖରେ ରଖିବି ଯେ ସେ ଆପଣଙ୍କୁ ବି ଭୁଲିଯିବ। ଅଥଚ କୌଣସି ଗୋଟିଏ ଦିନ ତମର ପତ୍ନୀ ଭାବେ ଯତ୍ନ ନେଇନାହିଁ। କେବେ ଥରେ ପଚାରି ବୁଝିନି କେମିତି ଦିନ କାଟୁଛୁ ମୋ ବିନା ଏକା ଏକା। ତୁ ବି ସବୁ ଝିଅଙ୍କ ପରି ଗୋଟେ ରକ୍ତ ମାଂସର ନାରୀ। ମୁଁ ଏତେ ଦୂରରେ ଥାଇ ଦେଖିପାରୁଥିଲି ନିଃଶଦ୍ଦ ରାତିରେ ତୁ ମୋତେ ହିଁ ଖୋଜୁଥିବୁ ଆଉ ମୋ ସହ ଘର କରିବାକୁ ଈଶ୍ୱରକୁ ଡାକୁଥିବୁ। ତୋ ବାପା, ଭାଇ, ଭାଉଜ ଆଉ ତୋର ସବୁ ଶୁଭାକାଂକ୍ଷୀ ଲୋକ ବୁଝାଇଥିଲେ ତୋତେ, ଯିଏ ତୋର ଏତେ ଭଲପାଇବାକୁ ପାଦରେ ଆଡ଼େଇ ଦେଇ ବିବାହ ପରି ଏକ ପବିତ୍ର ବନ୍ଧନକୁ ଛିଣ୍ଡେଇ ଖୁସିରେ ଜୀବନ କାଟିଲା, ତମେ ବି ସେମିତି କର। ଖୁସିରେ ରହିବ। ଏମିତି ଜଳି ଜଳି କ’ଣ ପାଇବ। ତୁ କିନ୍ତୁ କହୁଥିଲୁ ନାଇଁ-କେବେ ହୁଏତ ମୁଁ ବଦଳିଯିବି ଆଉ ତୋ ପାଖକୁ ଚାଲିଯିବି। ଏତେ ବିଶ୍ୱାସ ଥିଲା ତୋର ମୋ ଉପରେ ଆଉ ଈଶ୍ୱରଙ୍କ ଉପରେ। ତୁ କିନ୍ତୁ ଜାଣି ନ ଥିଲୁ ଏବେକା ସମୟରେ ଈଶ୍ୱର ବି କେତେକାଳୁ ସ୍ଥାଣୁ ପାଲଟି ଯାଇଛନ୍ତି। କିନ୍ତୁ ବେଳେବେଳେ ଈଶ୍ୱର ବି ଅଡ଼ୁଆରେ ପଡ଼ିଛନ୍ତି ତୋର ଏତେ ପ୍ରେମ ଆଉ ବିଶ୍ୱାସ ନିକଟରେ।

ଯେଉଁଦିନ ଆମ ବିବାହ ବାର୍ଷିକୀ ଥିଲା ଆଉ ତୁ ଆସିଥିଲୁ ୫ ବର୍ଷ ପୂର୍ତ୍ତୀ ବିବାହ ବାର୍ଷିକୀ ମୋ ସହ ପାଳିବୁ। ଶୀତର ଦାଢ଼କୁ ତୋର ଖାତିର ନ ଥିଲା ଆଉ ବିଶ୍ୱାସ ଥିଲା ତୋତେ ଦେଖି ମୁଁ ଖୁସି ହେବି ଆଉ ତୋ ସହିତ ଖୁସିରେ କଥା ହେବି। କିନ୍ତୁ ଆସି ମୋ ସହରରେ ପହଞ୍ଚିବା ପୂର୍ବରୁ ଆମେ ପ୍ରସ୍ତୁତ କରିସାରିଥିଲୁ ତୋ ହତ୍ୟା ପାଇଁ ସବୁ ଷଢ଼ଯନ୍ତ୍ର।  ତୁ ଆସିଲୁ, ଢ଼ାଳିଲୁ ସେଇ ନିରୋଳା ପ୍ରେମ।  ନ ଥିଲା ତୋ ମନରେ ଟିକେ ବି ରାଗ କି ଅଭିମାନ। ମୋତେ ଲାଗୁଥିଲା ତୁ ମୋର ସବୁ ପାପକୁ ଯେମିତି ଭୁଲି ଯାଇଛୁ। ମୁଁ ଅନୁଭବ କରୁଥିଲି ତୁ ମୋ ପାଖରେ ଥାଇ ବେଶ୍ ଖୁସି ଥିଲୁ। ୬୦୦ କିଲୋମିଟର ରାସ୍ତା ପାରି ହୋଇ ଆସିଥିଲୁ ତୋତେ ଟିକେ ଖାଇବାକୁ ବି ଦେଇପାରିନାହିଁ ଅଥଚ ମୋତେ ବାରମ୍ୱାର କହୁଥିଲୁ -ଯାଅ, ଟିକେ ତମେ ବାହାରେ ଖାଇଦିଅ  ମୁଁ କିନ୍ତୁ ତୋତେ ଏତେ ପ୍ରେମ ବୁଝିପାରୁ  ନଥାଏ। ପ୍ରେମ ଅନ୍ଧ ବୋଲି ବହୁତ ବର୍ଷ ପରେ ଅନୁଭବ କଲି ଆଉ ତୋତେ ଖୋଜୁଛି ଏବେ ପ୍ରତି ମୂହୁର୍ତ୍ତରେ, ପ୍ରତି ସେକେଣ୍ଡରେ। ଏକଥା ହୁଏତ ଆଜି ପୃଥିବୀରେ କେହି ବି ବିଶ୍ୱାସ କରିପାରିବ ନାହିଁ।

ମୁଁ ଥରେ ବି ଭାବିନାହିଁ କି ତୋତେ କେବେ ପସୋରିନାହିଁ- ତୋତେ କ’ଣ ଭୋକ ହେଉ ନ ଥିଲା କି? ତୁ ପରା ସକାଳୁ ଆସିଥିଲୁ। ମୁଁ କିନ୍ତୁ ସେଇ ସମୟ ମଧ୍ୟରେ  ପ୍ରେମିକା ସହିତ କଥା ହୋଇ ସବୁ ଯୋଜନା କରିସାରିଥିଲି। କିନ୍ତୁ ତୋତେ କେମିତି କହିବି ପ୍ରେମିକାର କଥା ମାନିବା ଛଡ଼ା ମୋ ପାଖେ ଆଉ କିଛି ଉପାୟ ନ ଥିଲା। ତାର ମିଛ ପ୍ରେମ ଆଉ ପଇସାରେ ମୁଁ ବନ୍ଦୀ ଥିଲି । ଆଉ ସେଥିପାଇଁ ସେଇ ରାତିରେ ତୋତେ ଢ଼େର ମାରିଲି ବିନା କାରଣରେ। ତୋ ଦେହରୁ ରକ୍ତ ଝରାଇ ମୋ ପୁରୁଷ ପଣିଆ ଖୁସି ହେଉଥିଲା। ତୁ ପୁଣି ସଜାଡ଼ି ନେଉଥିଲୁ ତୋ ଶାଢ଼ୀକୁ ଆଉ ମୁଁ ପୁଣି ମାରି ତୋର ଶାଢ଼ୀକୁ ଖସାଇ ଦେଉଥିଲି। ତୋ ମୁହଁସାରା ମୋ ମାଡ଼ର ଚିହ୍ନ। କହୁଥାଉ-ହିଁ ମାର, କିନ୍ତୁ ସେ ଝିଅକୁ ଛାଡ଼ିଦିଅ ଆଉ ବିବାହ ପରି ଏକ ପବିତ୍ର ସମ୍ପର୍କକୁ ଛିଣ୍ଡାଇ ଦିଅନି। ମୁଁ ଆଶ୍ଚର୍ଯ୍ୟ ହେଉଥିଲି- ତୋତେ ଏତେ ମାରିବା ପରେ ବି କେମିତି କହିପାରୁଥିଲୁ-ରୁହ ଟିକେ , ତମ ହାତକୁ ବି କାଟୁଥିବ। ଏବେ କହ ତୁ ?? ତୋ ଦେହକୁ କ’ଣ ମୋ ମାଡ଼ କାଟୁ ନ ଥିଲା ନା ମୋ ମାଡ଼ ତୋତେ ଭଲଲାଗୁଥିଲା। ମୁଁ ଏଡେ଼ ଅମଣିଷଟେ ଯେ, ତଥାପି ତୋର ଆକୁଳ ନିବେଦନକୁ ମୁଁ ବୁଝିପାରି ନ ଥିଲି। ମୋର ପୁରା ମନେ ଅଛି, ସେଦିନ ତୋ ବାପା ତୋତେ ଫୋନ୍ କରିଥିଲେ । ସେଇ କେଇ ମିନିଟ୍‌ ତୋତେ ମାଡ଼ରୁ ନିସ୍ତାର ମିଳିଥିଲା। ମୋର ଏତେ ମାଡ଼ ଖାଇବା ପରେ ବି ତୁ ତୋ ବାପାଙ୍କ ସହିତ ହସି ହସି କହୁଥିଲୁ-ବାପା ଜମା ବ୍ୟସ୍ତ ହୁଅନ୍ତୁନି, ଆପଣଙ୍କ ଜ୍ୱାଇଁଙ୍କ ପାଖରେ ନିରାପଦରେ ଅଛି। ଫୋନ୍‌ ରଖିଲା ପରେ ମୁଁ ପୁଣି ତୋତେ ମାରିଲି ଆଉ ଶେଷରେ ତୋ ଠାରୁ ଚିଠି ଲେଖାଇ ନେଇଥିଲି-ମୁଁ ନିଜେ ଆତ୍ମହତ୍ୟା କରିଛି। ମୋ ସ୍ୱାମୀଙ୍କର ଏଥିରେ କିଛି ଦୋଷ ନାହିଁ। ତମେ କହୁଥାଅ- ତମର କ’ଣ ଏତିକି ଭରସା ନାହିଁ, ପୋଲିସ୍‌ ସାମ୍‌ନାରେ ବଞ୍ଚିଥିଲେ ବି କହିବିନି ତମେ ମୋତେ କେବେ ହାତ ଉଠାଇଛ ବୋଲି। ମୋ ବାପାଘର ଲୋକ ମଧ୍ୟ ପଦେ ବି କହିବେନି। ମୁଁ ପୁଣି ତୋତେ ମାରୁ ଥାଏ ଆଉ କହୁଥାଏ- ତୋତେ ଯାହା କହିଲି ସେଇଆ ହିଁ ଲେଖ। ପୁଲିସ୍ କିଛି ବୁଝେନା। ତୁ ବି ମୋତେ ଡରି ଲେଖିଦେଲୁ ଆଉ କହିଲୁ ମୁଁ ମରିଗଲେ ତମେ ଶାନ୍ତିରେ ରହିବ। ତା’ ପରେ ତୋତେ ମାଡ଼ ମାରି ଅଚେତ କରିଦେଲି। ତା ପରେ ମୋ ପାଖରେ ରଖିଥିବା ଛୁରୀରେ ତୋ ଦେହକୁ କାଟି ଖଣ୍ଡ ଖଣ୍ଡ କଲି। ତୁ କଥା କହିପାରୁ ନ ଥାଉ। ଯେଉଁ ଦେହକୁ ନେଇ ମୁଁ ଗର୍ବ କରୁଥିଲି ସେଇ ଦେହକୁ ଖଣ୍ଡ ଖଣ୍ଡ କରି ବସ୍ତାରେ ଭର୍ତ୍ତି କରିଥିଲି। ତା ପରେ ପାଖ ହୀରାକୁଦ ଡ୍ୟାମ୍‌ରେ ତୋତେ ଫିଙ୍ଗିଦେଇଥିଲି। ମୁଁ ଭାଗ୍ୟବାନ ଥିଲି। ତୋ ଘର ଲୋକ କିନ୍ତୁ କେହି ବି ଥାନାରେ ତୋତେ ମାରିଦେଇଛନ୍ତି ବୋଲି ମାମଲା ରୁଜୁ କଲେ ନାହିଁ। ବରଂ କହିଲେ ଆମ ଝିଅ ତ ଗଲା, ଜ୍ୱାଇଁ ଏବେ ଖୁସିରେ ରୁହନ୍ତୁ। ସେସବୁ କରି ଆମକୁ କ’ଣ ଲାଭ ମିଳିବ। ଝିଅ ପାଇଁ କେତେ ବୁଝାଇବୁ, ଯିଏ ଦିନେ ବାହାରକୁ ଯାଉ ନ ଥିଲା, ସେ ପୁଣି ଏକା ଏକା ଜୀବନ କାଟିଥିଲା ଦୀର୍ଘ ୫ ବର୍ଷ। ମୋର ପୁରା ମନେ ଅଛି-ତୁ ସବୁବେଳେ କହୁ-ମୋ ବାପାଙ୍କୁ ଟିକେ ଦେଖିବାକୁ ଯିବି। ମୁଁ କିନ୍ତୁ ତୋର କଥା ଜମା ଶୁଣେନି।

ସବୁ ଝିଅ ସେମାନଙ୍କ ବାପା ପାଇଁ ଦୁର୍ବଳତା, ତୁ କିନ୍ତୁ ତୋ ବାପାଙ୍କର ସାମର୍ଥ୍ୟ ଥିଲୁ ଆଉ ଛାତି ଭିତରେ ଛାତିରେ ଦୁଃଖ ରଖି ତୁ ତୋ ବାପାଙ୍କୁ ବୁଝାଉଥିଲୁ-ବାପା, ତମେ ଜଣେ ଇଞ୍ଜିନିୟର ଦେଇଥିଲେ ମୁଁ ଆରାମ/ଅୟସରେ ଦିନ କାଟୁଥାନ୍ତି, କିନ୍ତୁ ଖୁସିରେ ନ ଥାନ୍ତି। କିନ୍ତୁ ଏଙ୍କ ପାଖରେ ମୁଁ ବହୁତ ଖୁସିରେ ଅଛି। ପଇସା ନ ଥିଲା କ’ଣ ହେଲା। ପଇସା କେବେ ସୁଖ ଦିଏ ନାହିଁ। କେବେ ଥରେ ବି ମୋର ଅଭାବ ଅସୁବିଧା ଆଉ ଦାରିଦ୍ର୍ୟକୁ ତୋ ଘରେ କହିନୁ। ମୁଁ ଚକିତ ହେଉଥିଲି- ମୋ ଠାରୁ ଏତେ କଦର୍ଯ୍ୟ ବ୍ୟବହାର ଉପବାସରେ ଦିନ କାଟିଛୁ ଆଉ ସେମାନଙ୍କ ସହିତ ଖୁସି ରହିବାର ଅଭିନୟ କରିଛୁ। ତଥାପି ତୋ ସ୍ୱାଭିମାନକୁ କେବେ ଛାଡ଼ି ପାରି ନ ଥିଲୁ। ଅନ୍ୟ ସ୍ତ୍ରୀ ପରି ତୋର ମୋ ପାଖେ କିଛି ଅଭିଯୋଗ କି ଅଧିକାର ନ ଥିଲା। କେବେ ଥରେ ବି ମୋତେ ଏଇଟା ଆଣ, ସେଇଟା ଆଣ କହିନୁ। ତୁ ବି କେମିତିକା କେବେ ଅଧିକାର ଜାହିର କରିନୁ କି ମୋତେ ମୋ ଭୁଲ୍‌ ପାଇଁ ଅନ୍ୟମାନଙ୍କ ପାଖେ ଦୋଷୀ ବି କରିନୁ। ଦିନେ ତୋ’ରି ବିଶ୍ୱାସର ମନ୍ଦିରରେ ନିଜକୁ ଦେବତା ସଜାଇ କାହିଁରେ କେତେ ସ୍ୱପ୍ନ ତୋତେ ଦେଖାଇ ଥିଲି। ତୁ ଏତେ ସରଳ ଆଉ ନିଷ୍କପଟ ଥିଲ ଯେ ମୋର ସବୁ ଛଳନା, ମିଛକୁ ସତ ବୋଲି ଭାବିନେଉଥିଲୁ। ସେଇ ଦେବତା ଦିନେ ଦାନବ ପାଲଟି ଗଲା ଆଉ ତୋତେ ହତ୍ୟା କରି ଆତ୍ମହତ୍ୟାର ନାମ ଦେଇଦେଲା, ତାର ଟେର୍‌ ବି କେହି ପାଇଲେନି।

ଆଜି ଅନେକ ବର୍ଷ ପରେ ମୁଁ ଖୋଜୁଛି ତୋତେ ଆଉ ତୋ ସରଳ ନିରୀହ ମନ, ବିଶ୍ୱାସ ଓ ପ୍ରେମକୁ। କିଛି ପ୍ରାପ୍ତିର ଆଶା ନ ରଖି ବି ସେମିତି ଦେଇଚାଲିଥିଲୁ କେବଳ ନିରୋଳା ଭଲପାଇବାକୁ। ମୋ ମାଡ଼, ଗାଳି ଅ।ଉ ଅ।କ୍ଷେପସବୁକୁ ପଥୀର ପରି ସହି ଗଲୁ, କିନ୍ତୁ କେବେ ଥରେ ଅଭିଯୋଗ ବାଢ଼ିଲୁନି କାହା ପାଖରେ। ମୋ ବିଫଳତା, ମୋ ଦୁଃଖ ଆଉ ଏକଲାପଣକୁ ଦିନେ ତୁ ହିଁ କାନିରେ ଗଣ୍ଠି କରି ବାନ୍ଧି ପୃଥିବୀର ସବୁ ସୁଖ ମୋତେ ହିଁ ଦେଉଥିଲୁ। ନ ଥିଲା ବି ତୋର କିଛି ଅବସୋସ। ତୁ ଥିଲୁ ମୋର ଗତି, ମୁକ୍ତି, ଯପ ପୁଣି ତପ। ତୋତେ ଥରେ ପଚାରିଥିଲି- ତୁ କ’ଣ ଚାହୁଁ?? ତୁ କହିଥିଲୁ -ତମ ସହିତ ଗୋଟେ ଘର, ଆଉ କିଛି ବି ନୁହେଁ!!! ଘରଟେ ତ ଆଉ କାହା ସହିତ ବି କରିପାରିଥାନ୍ତୁ। ଦେଶରେ ଶହ ଶହ ଝିଅ ଏମିତି କରନ୍ତି। କିନ୍ତୁ ତୁ ଥିଲୁ ସେମାନଙ୍କ ଠାରୁ ପୁରା ଅଲଗା। ଥରେ କହିଥିଲି ତୋତେ- ତୁ, ବାହାହୋଇଯାଆ, ମୋ ଜୀବନ ପାଇଁ କଣ୍ଟା, ତୁ ମୋତେ କହିଥିଲୁ- ନାଇଁ , ତମେ ବାହା ହୋଇ ଖୁସିରେ ରୁହ। ମୁଁ ସାମାନ୍ୟ ଟିକେ ଖୁସି ପାଇଁ ମୋ ପ୍ରେମକୁ ଆଉ କାହା ପାଶେ ବଳି ଦେଇପାରିବି ନାହିଁ। ତମେ ମୋ ମନରେ ମୁଁ ଜୀଇଁଥିବା ଯାଏ ରହିବ, ତେଣୁ ଆଉ ଥରେ ବିବାହ କରିବା ସପକ୍ଷରେ ମୁଁ ନୁହେଁ।

ସେସବୁ ଏବେ ମୋର ସବୁ ମନେ ପଡ଼ୁଛି। ତୋ ପରି ଏତେ ଭଲପାଉଥିବା ଜଣେ ନିଷ୍ପାପ ପତ୍ନୀକୁ କାହିଁକି କେଜାଣି ହତ୍ୟା କରି, ଜାଣେନା ଆଉ ମୋତେ ସବୁଠୁ ଆଶ୍ଚର୍ଯ୍ୟ ଲାଗେ ଯେତେ ମୁଁ ତୋତେ ତଣ୍ଟି ଚିପି ହତ୍ୟା କଲି ତୁ ସାମାନ୍ୟ ଟିକେ ବାରଣ ବି କରି  ନ ଥିଲୁ। ବରଂ କହୁଥିଲୁ -ଏମିତି ପ୍ରତି ସେକେଣ୍ଡରେ ମରିବା ଅପେକ୍ଷା ଥରେ ମରିଯିବା ହିଁ ଭଲ। ଏମିତିରେ ୨ଟା ପରିବାର, ୨ଟା ଜୀବନ ନିଆଁରେ ଜଳୁଛନ୍ତି। ଅନ୍ତତଃ ମୁଁ ମରିଗଲା ପରେ ସମସ୍ତେ ଟିକେ ଶାନ୍ତିରେ ଜୀବନ ଜୀଇଁବେ। ଏମିତି ଏକ ଅଳି କେବେ କ’ଣ କୌଣସି ପତ୍ନୀ କରିପାରେ !! ତୁ ହିଁ ମୋତେ ଶିଖାଇ ଦେଇଛୁ କି ସ୍ୱାମୀର କର୍ତ୍ତବ୍ୟ କଣ? କେବେ ଥରେ ବି ମୋ ପାଖେ ଅଭିଯୋଗ କରିନୁ ସହରର ଚାକଚକ୍ୟ ଭିତରେ ରହିବୁ। ସତରେ ତମେ ଦେବୀ ଠାରୁ ବି ଆହୁରି ଊର୍ଦ୍ଧ୍ୱରେ। ଏବେ ମୋ ଜୀବନ ବେସୁର ଗୀତଟେ ପରି ତୋ ବିନା। ଯେତେବେଳେ ଦୁଃଖ ଆସୁଥିଲା-ଯୋଜନ ଯୋଜନ ଦୂରରେ ଥାଏ ତୋର ପଣତ ଅଥଚ ଜୀବନସାରା ଖାଲି ମୋ ପାଇଁ ସୁଖ ପାଇଁ ତିଳ ତିଳ ଜଳିଛୁ। ପୂଜା ବ୍ରତ ମାନସିକ କରି ମୋର ସବୁ ସମୟରେ ମଙ୍ଗଳ କରୁଥିଲୁ । ସେଥିପାଇଁ ଏଇ ବର୍ଷଗୁଡ଼ାକରେ କାହିଁରେ କେତେ ଦୁଃଖ ଆସିଛି, ବଡ଼ ବଡ଼ ବିପଦ ଆସିଛି। ଦେହରେ ପଥର ବାଜିବା ବଦଳରେ ପତର ବାଜେ ଆଉ ସବୁ ବିପଦ ଆପଣାଛାଏଁ ଉଭେଇ ଯାଏ। ତୁ ହିଁ ଶିଖାଇଛୁ ନିରୋଳା ପ୍ରେମ ପାଇଁ ଦେହର ଭୋକ ଦରକାର  ନ ଥାଏ, ପ୍ରେମ ପାଇଁ ପ୍ରେମ କରୁଥିବା ମନ ଦରକାର।  ଆ’ ଥରେ ଦେଖିଯିବୁ କେମିତି ବଞ୍ଚିଛି ତୋହରି ବିନା। ଚିଠିଟି ଲେଖି ସାରିବାବେଳକୁ ଗୋଟାପଟେ ଭିଜିଯାଇଥିଲା ଅଭିଷେକ।

ଚିଠିକୁ ଚାରିଭାଙ୍ଗ କରି ଧାଇଁଲା ସେଇଠିକୁ। ଯେଉଁଠି ଶୁଭଶ୍ରୀକୁ ଫୋପାଡ଼ି ଦେଇଥିଲା। ସେଇଠି ଚିଠିରେ ଗୋଟେ ଭଲପାଇବାର ଚୁମ୍ୱନ ଦେଇ ସେଇଠି ଫିଙ୍ଗି ଦେଲା। ଚିଠିରେ ନିଜ ରକ୍ତରେ ଲେଖିଦେଲା- ନା, ତୋତେ ତୋର ସ୍ୱାମୀ ହିଁ ହତ୍ୟା କରିଥିଲେ, ଆତ୍ମହତ୍ୟା ନୁହେଁ। ହେ ଈଶ୍ୱର ମୋତେ କୋଉ ଜନ୍ମରେ କ୍ଷମା କରିବନି। ଆଉ ଜଦି ସତରେ କ୍ଷମା କରିଦେଲ, ତେବେ ପୃଥିବୀର ସବୁ ସ୍ୱାମୀଙ୍କଠାରୁ ଅନୁତାପ ବୋଲି ଶବ୍ଦଟିଏ ମାନବିକତାର ଅଭିଧାନରୁ ସବୁଦିନ ପାଇଁ ଲୀନ ହୋଇଯିବ। ଏହା କହି ଫେରିଆସିଲା ଏକ ମୁହାଁ ହୋଇ ତା ସହରକୁ ଅଭିଷେକ।

ରାଘବପୁର, ଗେଡ଼ମା, ମଞ୍ଜୁରିରୋଡ଼, ଜି-କେନ୍ଦୁଝର-୨୧, ଫୋନ୍-୮୮୯୫୩୦୪୫୫୬

Previous ArticleNext Article

Send this to a friend