ଫେକ୍‌ ଆକାଉଣ୍ଟ୍

ଫେସ‌୍‍ବୁକ‌୍‍ରେ ଫ୍ରେଣ୍ଡ‌୍‍ମାନଙ୍କ ସହ ଚାଟିଂ କରିବା ମୋର ଗୋଟେ ଋଚି। ଫୁର୍‌ସତ‌ ପାଇଲେ ମୁଁ ଫେସ‌୍‍ବୁକ‌୍‍ ଖୋଲି ବନ୍ଧୁମାନଙ୍କ ସହ ଚାଟ୍ କରେ। ଏଥିରେ ସହଜରେ ସବୁକଥା ସେୟାର‌୍‍ କରିହୁଏ। ଏମିତିରେ ମୋ ଆକାଉଣ୍ଟରେ ମୋର ପରିଚିତ ବ୍ୟକ୍ତିଙ୍କ ବ୍ୟତୀତ ଅନେକ ଝିଅ ଏବଂ ମହିଳା ବି ଫ୍ରେଣ୍ଡ‌୍‍ ଅଛନ୍ତି।

ଦିନେ ସନ୍ଧ୍ୟାରେ ମୁଁ ଅନ‌୍‍ଲାଇନ‌୍‍ରେ ଥିବାବେଳେ ଗୋଟେ ଫ୍ରେଣ୍ଡ‌୍‍ ରିକ୍ୟୁଏଷ୍ଟ ଆସିଲା। ନାଁ ଅସୀମା ପଟ୍ଟନାୟକ, ରିକୁଏଷ୍ଟ ଆକ‌୍‍ସେପ୍ଟ କରିବା ପୂର୍ବରୁ ପୂରା ପ୍ରୋଫାଇଲ‌୍‍ ସର୍ଚ୍ଚ କଲି। କାହିଁକି ନା ଅନେକ ପୁଅ, ଝିଅ ଓ ବିବାହିତା ମହିଳା ଫେସ‌୍‍ବୁକ‌୍‍ରେ ଫେକ‌୍‍ ଆକାଉଣ୍ଟ‌୍ ଖୋଲିଛନ୍ତି। କୋଉ ପୁଅପିଲା ଝିଅ ପିଲାର ଫଟୋ ଲଗେଇ ମିଛ ତଥ୍ୟ ଦେଇ ଆକାଉଣ୍ଟ‌୍‍ ଖୋଲିଛି ତ ଆଉ କୋଉ ମହିଳା ନିଜର ଜନ୍ମ ତାରିଖକୁ ଲୁଚେଇକି ନିଜକୁ କମ‌୍‍ ବୟସର ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି। ଏସବୁ ବିଷୟରେ ମୁଁ ସଚେତନ ଥିଲି। ଅସୀମା ପଟ୍ଟନାୟଙ୍କର ପ୍ରୋଫାଇଲ‌୍‍ ମତେ ସତ ଭଳି ଲାଗିଲା। ପ୍ରୋଫାଇଲ‌୍‍ ଫଟୋଟି ଖୁବ‌୍‍ ସୁନ୍ଦର। ଇକୋନୋମିକ୍ସରେ ଏମ‌୍‍.ଏ.। ଘର ମୋ ଗାଁ’ଠାରୁ କିଛି ଦୂରରେ ଥିବା ଗୋଟେ ଛୋଟିଆ ସହରରେ। ତେଣୁ ଅସୀମା ପଟ୍ଟନାୟକର ରିକୁଏଷ୍ଟ ମୁଁ ଆକ‌୍‍ସେପ୍ଟ କରନ୍ତେ ସେପଟୁ ସଙ୍ଗେ ସଙ୍ଗେ ଚାଟ୍‌ବକ୍ସରେ ଉତ୍ତର ଆସିଲା।

-ହାଏ ହ୍ୟାଣ୍ଡସମ‌୍‍, ଥ୍ୟାଙ୍କ‌୍‍ୟୁ ଫର‌୍‍ ଆକ‌୍‍ସେପ୍ଟ ମିଁ। ପ୍ରଥମରୁ ଏମିତି ସମ୍ୱୋଧନରେ ମୁଁ ଟିକିଏ ଅଶ୍ୱସ୍ତି ବୋଧ କଲି। କି ଉତ୍ତର ଦେବି ଭାବି ନପାରି ୱେଲ‌୍‍କମ‌୍‍ ବୋଲି ଲେଖିଲି।

ପ୍ରକୃତରେ ମୁଁ କେତେ ହ୍ୟାଣ୍ଡସମ‌୍‍ ପରଖିବା ପାଇଁ ମୋ ରୁମ‌୍‍ର ଡ୍ରେସିଂ ଟେବୁଲ‌୍‍ର ମିର‌୍‍ରକୁ ଅନାଇ ମନେମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲି, ମତେ ଟିକେ ସୁନ୍ଦର ଚେହେରା ଦେଇଥିବାରୁ। ବାଣୀବିହାରରୁ ସୋସିଓଲୋଜିରେ ପି.ଜି. କମ୍ପ୍ଲିଟ ପରେ ଗାଁରେ ରହୁଛି। କମ୍ପିଟେଟିଭ‌୍‍ ପ୍ରିପେୟାର‌୍‍ କରୁଛି। ୟୁନିଭର୍ସିଟିରେ ପାଠ ପଢ଼ିଲା ବେଳେ ମୋର ଅନେକ ପୁଅ ପିଲା ସାଙ୍ଗ ମତେ ଥଟ୍ଟା କରନ୍ତି ମୋ ଚେହେରା ପାଇଁ। କହନ୍ତି- ‘ହୁସିଆର‌୍‍ ଥିବୁ। ତୋ ହିରୋ ମାର୍କା ଚେହେରା ପାଇଁ ସୁନ୍ଦରୀ ଝିଅ ଆପେ ଆପେ ପଟିଯିବେ। ତତେ ପରିଶ୍ରମ କରିବାକୁ ପଡ଼ିବନି। ଏମିତିରେ ଗୋଟେ ଦୁଇଟା ଝିଅ ପ୍ରପୋଜ‌୍‍ ବି କରିଥିଲେ। ମାତ୍ର ପାଠପଢ଼ାରୁ ଧ୍ୟାନ ହଟିଯିବାର ଆଶଙ୍କାରେ ମୁଁ ସେ ସବୁକୁ ଏଡ଼େଇ ଯାଇଥିଲି। ଅସୀମା ପଟ୍ଟନାୟକ ଯେହେତୁ ମୋ ପାଇଁ ଅଚିହ୍ନା ଥିଲା, ତା’ର ‘ହାଏ ହ୍ୟାଣ୍ଡସମ‌୍‍’ କଥାଟା ମତେ କେମିତି ଅଡୁଆ ଅଡୁଆ ଲାଗିଲା। ପ୍ରଥମ ଥର ଚାଟିଂ ଆରମ୍ଭରୁ କେହି କ’ଣ ଏମିତି ସମ୍ୱୋଧନ କରେ?

‘ଉଇଲ‌୍‍ ଟକ‌୍‍ ଲାଟର୍’ ବୋଲି ଅସୀମାକୁ ପ୍ରତିଉତ୍ତର ଦେଇ ଫେସ‌୍‍ବୁକ‌୍‍ରୁ ଅଫ‌୍‍ ଲାଇନ‌୍‍ ହେଲି। ମୋର ମନେ ପଡ଼ିଗଲା ଯେ, ସନ୍ଧ୍ୟାରେ ସହରର ଗୋଟେ ଲେଡିଜ‌୍‍ କ୍ଲବ୍‌ର ଆନୁଆଲ‌୍‍ ଫଙ୍କସନ‌୍‍ ଅଛି। ମୋର ସାଙ୍ଗ ଜଣେ ନିମନ୍ତ୍ରଣ କରିଛି। ଟିକେ ଫ୍ରେସ‌୍‍ ହୋଇ ବାହାରି ପଡ଼ିଲି ମୋ ସ୍କୁଟିରେ।

ସହର ମଝିରେ ଥିବା ଟାଉନହଲ‌୍‍ରେ ଲେଡିଜ‌୍‍ କ୍ଲବର ଫଙ୍କସନ୍। ମିଟିଂ ହଲ‌୍‍ ଭିରତକୁ ପ୍ରବେଶ କଲି। ଖୁବ‌୍‍ ଜବରଦସ୍ତ ସାଜସଜ୍ଜା ହୋଇଛି। ପାଖାପାଖି ଶହେ ମହିଳା ସେ ମିଟିଂ ହଲ‌୍‍ ଭିତରେ ଅଛନ୍ତି। ମୁଁ ଯେହେତୁ ବାହାରେ ରହି ପାଠ ପଢ଼ୁଥିଲି ମତେ ବିଶେଷ ଲୋକ ଜାଣିନଥିଲେ। ମିଟିଂ ହଲ‌୍‍ରେ ଅଡିଏନ‌୍‍ସ ଗ୍ୟାଲେରୀ ଚେୟାର‌୍‍ରେ ପ୍ରଥମ ଧାଡିରେ ବସିରହିଲି। କ୍ଲବ୍‌ର ଫଙ୍କସନ‌୍‍ ମଧ୍ୟ ଠିକ‌୍‍ ଟାଇମରେ ଆରମ୍ଭ ହେଲା। କେଇଜଣ ମହିଳା ସଭାରେ ନିଜର ଭାଷଣ ରଖିସାରିବା ପରେ ଆରମ୍ଭ ହେଲା ସମ୍ୱର୍ଦ୍ଧନା ପର୍ବ। ସମ୍ୱର୍ଦ୍ଧନା ପର୍ବକୁ ମ୍ୟାନେଜ‌୍‍ କରିବା ପାଇଁ ଲେଡିଜ‌୍‍ କ୍ଲବ୍‌ର ସଭାନେତ୍ରୀ ଜଣେ ମହିଳା ସଦସ୍ୟାକୁ ଅନୁରୋଧ କଲେ। କିଛି ସମୟ ପରେ ଜଣେ ମହିଳା ହାତରେ କିଛି କାଗଜପତ୍ର ଧରି ପହଂଚିଲେ। ମାଇକ୍ରୋଫୋନ‌୍‍ ଆଗରେ ଠିଆହୋଇ ଆରମ୍ଭ କଲେ ସମ୍ୱର୍ଦ୍ଧନା ପର୍ବର ପରିଚାଳନା।

ମହିଳା ଜଣକୁ ଦେଖିବା ପରେ ସଭାରୁ ମୋର ନଜର ହଟି ଯାଇଥିଲା। ମୁଁ କେବଳ ସେ ମହିଳା ଜଣକୁ ଦେଖୁଥିଲି ଆଖି ପୂରାଇ। ଅପୂର୍ବ ରୂପ ଲାବଣ୍ୟ। ନଖରୁ ନାସିକା ଯାଏ କିଛି ବି ବାରି ହବନି। ୟୁନିଭର୍ସିଟିରେ ଏତେ ପିଲାଙ୍କ ଗହଣରେ ପାଠ ପଢ଼ିଛି। ସୁନ୍ଦରୀ ଝିଅଙ୍କୁ ଦେଖିଛି। ହେଲେ ଏତେ ସୁନ୍ଦରୀ ମହିଳା ଏଇ ଛୋଟ ସହରରେ ଥାଇପାରନ୍ତି ମୋ ଧାରଣା ବାହାରେ ଥିଲା।

ପାଞ୍ଚଫୁଟ ଚାରି ଇଞ୍ଚ ହାଇଟ‌୍‍ ହବ ଅନୁମାନରେ। ଗୋରା ତକ‌୍‍ ତକ‌୍‍ ଦୁଧ ଅଳତା ମିଶା ରଙ୍ଗର ଦେହ। ଦାମିକା କର୍ଟନ୍ ଶାଢ଼ି ସାଙ୍ଗକୁ ମ୍ୟାଚିଂ ବ୍ଲାଉଜ‌୍‍। ମୁହଁରେ ଗୋଲ୍‌ଡେନ‌୍‍ ଫ୍ରେମ‌୍‍ର ଚଷମା, ଗଳା ଦେଇ ଛାତି ଉପର ପର୍ଯ୍ୟନ୍ତ ଲମ୍ୱିଥିଲା, ଶାଢ଼ିର ରଙ୍ଗକୁ ମ୍ୟାଚ‌୍‍ କରୁଥିବା ଗୋଟେ ଇମିଟେସନ‌୍‍ ମାଳି। ମହିଳାଙ୍କ ବାମପଟ ଗାଲରେ ଗୋଟେ ଛୋଟ ଭାତୁଡ଼ି ତାଙ୍କ ସୌନ୍ଦର୍ଯ୍ୟକୁ ସତେଯେମିତି ଦ୍ୱିଗୁଣିତ କରୁଥିଲା। ମହିଳା ଜଣକ ଯେତେବେଳେ ମାଇକ‌୍‍ରେ କିଛି କହୁଥିଲେ ତାଙ୍କ ଲିପ‌୍‍ଷ୍ଟିକ‌୍‍ ଲଗା ଦୁଇ ଓଠ ଭିତରୁ ଦାନ୍ତଗୁଡିକ ଟି.ଭି. ପରଦାରେ ପେଷ୍ଟ ବିଜ୍ଞାପନ କରୁଥିବା ମଡେଲ‌୍‍ର ଦାନ୍ତ ପରି ଚିକ‌୍‍ ଚିକ‌୍‍ କରୁଥିଲା। ଧିରେ ଧିରେ ମୁଁ ଅସହଜ ହୋଇ ପଡୁଥିଲି। ଖୁବ‌୍‍ ଅଳ୍ପ ବ୍ୟବଧ୍ୟାନରୁ ମୁଁ ମହିଳାଙ୍କ ଅପରୂପ ସୌନ୍ଦର୍ଯ୍ୟକୁ ଅନୁଭବ କରୁଥିଲି। ବେଶ ପୋଷାକରୁ ମହିଳା ଜଣକ ଖୁବ‌୍‍ ସଂଭ୍ରାନ୍ତ ଲାଗୁଥିଲେ। ମହିଳାଙ୍କ ରୂପରେ ବିଭୋର ମୋ ଛାତି ଭିତରେ କାମନାର ଜୁଆରକୁ ଅନୁଭବ କରୁଥିଲି। ଧୀରେ ଧୀରେ ସଭା ସରି ଆସିଲା। ମୁଁ ଘରକୁ ଫେରି ଆସିଲି।

ଲେଡିଜ‌୍‍ କ୍ଲବ୍ର ଫଙ୍କସନ‌୍‍ରୁ ଫେରିବା ପରଠୁ ଅନେକ ଥର ମୋ ଆଖି ସମ୍ନାରେ ଠିଆ ହେଉଥିଲା ସେଇ ମହିଳାଙ୍କ ପ୍ରତିରୂପ। ମୋ ନିଜ ଭିତରେ ମୁଁ ଅନ୍ୟମନସ୍କ ହେଉଥିଲି ଅନେକ ସମୟରେ। ସନ୍ଧ୍ୟାରେ ଟିକେ ନଜର ପକେଇ ଆଣିଲି କମ୍ପିଟେଟିଭ‌୍‍ ବହିଗୁଡ଼ିକ ଉପରେ। ରାତି ନଅଟା ବେଳକୁ ବେଡ‌୍‍କୁ ଆସିଲି ଶୋଇବା ପାଇଁ। ପ୍ରତି ରାତିରେ ଶୋଇବା ପୂର୍ବରୁ ଫେସ‌୍‍ବୁକ‌୍‍ରେ ମୋର ବନ୍ଧୁ, ବାନ୍ଧବୀମାନଙ୍କୁ ଗୁଡ‌୍‍ନାଇଟ‌୍‍ ସମ୍ଭାଷଣ ଜଣାଇ ଶୁଏ। ଏଥର ଫେସ‌୍‍ବୁକ‌୍‍ ଖୋଲି ଅନ‌୍‍ ଲାଇନ ହେଲି।

ଦେଖିଲି ଅସୀମା ପଟ୍ଟନାୟକ ବି ଅନ‌୍‍ଲାଇନ‌୍‍ ଅଛି। ମୋର କିନ୍ତୁ ଇଚ୍ଛା ହେଲାନି ଗୁଡ‌୍‍ ନାଇଟ‌୍‍ ଉଇସ‌୍‍ କରିବାକୁ। କିଛି ସମୟ ପରେ ମୋ ଚାଟ‌୍‍ ବକ୍ସରେ ଅସୀମା ପଟ୍ଟନାୟକର ମେସେଜ‌୍‍।

-ହାଲୋ ମିଷ୍ଟର ହ୍ୟାଣ୍ଡ‌୍‍ସମ‌୍‍।

ମୁଁ ଡେରି ନ କରି ଉତ୍ତର ଦେଲି- ୟେସ‌୍‍, କୁହନ୍ତୁ।

ସେପଟୁ ଉତ୍ତର ଆସିଲା- ମେରୁନ୍‌ କଲର୍ ସାର୍ଟଟା ଖୁବ‌୍‍ ମାନୁଚି ଆପଣଙ୍କୁ। ଇଚ୍ଛା ହେଉଥିଲା ଗୋଟେ ସେଲ‌୍‍ଫି ନେଇଥାନ୍ତି।

ମୁଁ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହେଲି। କିଛି ଉତ୍ତର ନଦେଇ ଚୁପ‌୍‍ ରହିଲା ପରେ ଭାବିଲି, ସତେ ତ। ପଅରଦିନ ଲେଡିଜ‌୍‍ କ୍ଲବ୍ ଫଙ୍କସନ‌୍‍କୁ ମୁଁ ମେରୁନ‌୍‍ କଲର ସାର୍ଟ ପିନ୍ଧି ଯାଇଥିଲି। ହେଲେ ଅସୀମା ଜାଣିଲା କେମିତି? ମୁଁ ସେଦିନ ଲେଡିଜ‌୍‍ କ୍ଲବ୍‌ ଫଙ୍କସନ‌୍‍ରେ ଯେତିକି ଲୋକଙ୍କୁ ଦେଖିଛି ଅସୀମା ଭଳି କେହି ତ ଦିଶୁନଥିଲେ। ମୁଁ ଏଥର ନିଜକୁ ଟିକିଏ ସହଜ କରିନେଇ ତାକୁ ପଚାରିଲି- ମୁଁ ମେରୁନ‌୍‍ କଲର ସାର୍ଟ ପିନ୍ଧିଥିଲି ବୋଲି ଆପଣ କେମିତି ଜାଣିଲେ? ଆପଣଙ୍କ ସହ ମୋର ଏଇ ଫେସ‌୍‍ବୁକ‌୍‍ ମାଧ୍ୟମରେ କେଇଟା ଦିନର ଜଣାଶୁଣା। ଆପଣଙ୍କୁ ତ ମୁଁ କେବେ ଭେଟିନି।

ସେପଟୁ ଅସୀମାଙ୍କ ଉତ୍ତର ଆସିଲା- ମୁଁ କିନ୍ତୁ ଖୁବ‌୍‍ ପାଖରୁ ଆପଣଙ୍କୁ ଦେଖୁଥିଲି।

-ଯଦି ମତେ ଆପଣ ଏତେ ପାଖରୁ ଦେଖିଲେ ଆଉ ଚିହ୍ନିଲେ, ତେବେ ମୋ ପାଖକୁ ଆସିଲେନି କାହିଁକି?
ମୋର ସନ୍ଦେହ ବଢ଼ିଗଲା। ପୁଣି ପଚାରିଲି- ମୁଁ ମେରୁନ‌୍‍ କଲର ସାର୍ଟ ପିନ୍ଧି ଲେଡିଜ‌୍‍ କ୍ଲବ ଫଙ୍କସନ‌୍‍କୁ ଯାଇଥିଲି। ଆପଣ ଯଦି ସେଇଠି ଥିଲେ ମତେ ତ ମନିମମ‌୍‍ ସାଦର ସମ୍ଭାଷଣ ଜଣାଇ ପାରିଥାନ୍ତେ।

ସେପଟୁ ଅସୀମା ଉତ୍ତର ଦେଲା- ନୋ, ଗୋଟେ ନଏଜ‌୍‍ ଏରିଆ ଭିତରେ ମୁଁ ଭେଟିବାକୁ ଇଚ୍ଛା କଲିନି। ତା ଛଡ଼ା ମୁଁ ପବ୍ଲିକ‌୍‍ରେ ରିଜର୍ଭ ରହିବାକୁ ବେଶୀ ପସନ୍ଦ କରେ। ସେଥିପାଇଁ ଆପଣଙ୍କୁ ଡିଷ୍ଟର୍ବ କଲିନି।

-ଇଟ‌୍‍ସ ଓକେ। ଯଦି କିଛି ମନେ ନ କରନ୍ତି ଗୋଟେ ରିକୁଏଷ୍ଟ ରଖିବେ?

ଫେସ‌୍‍ବୁକ‌୍‍ରେ କେଇଟା ଦିନର ଜଣାଶୁଣା ଜଣେ ଯୁବତୀ କି ରିକ୍ୟୁଏଷ୍ଟ କରିପାରେ? ହୁଏତ କୋଉ ପାର୍କ କି ରେଷ୍ଟୁରାଣ୍ଟ‌୍‍, ସପିଂମଲ୍ ନଚେତ‌୍‍ ସିନେମା ଶୋ’ ଯିବାକୁ ଡାକିପାରେ। ୟାଠୁ ଆଉ ଅଧିକ କିଛି ମୁଁ ଭାବି ପାରୁନଥିଲି। ତଥାପି ମନରେ କିଛି ଶଙ୍କା ନକରି କହିଲି- କହୁନ୍ତୁ, ଯଦି ମୋ ଦ୍ୱାରା ସମ୍ଭବ, ନିଶ୍ଚୟ ଆପଣଙ୍କ ରିକୁଏଷ୍ଟ ରଖିବି।

‘ଥ୍ୟାଙ୍କ ୟୁ’ ମେସେଜ‌୍‍ ଦେଲେ ଅସୀମା। ତା ସହ ଲେଖିଥିଲେ ପ୍ଲିଜ‌୍‍ କମ‌୍‍ ଟୁ ମାଇଁ ରେସିଡେନ‌୍‍ସ। ପ୍ଲଟ୍‌ ନମ୍ୱର ବି ଲେଖା ଥିଲା। ମୋ ଘରପାଖ ସହରର ଏକ କଲୋନୀ ନାଁ ବି ଲେଖା ଥିଲା। ହଠାତ‌୍‍ ମୁଁ ହଁ କି ନାଁ ଉତ୍ତର ଦେବା ଡେରି ହେଉଥିବା ଦେଖି, ଅସୀମା ପଚାରିଲେ- ଏନି ପ୍ରୋବ‌୍‍ଲେମ‌୍‍ ଟୁ କମ‌୍‍? ଟେଲ‌୍‍ ମି।

ମୁଁ ଟିକେ ହଡ଼ବଡ଼େଇ ଯାଇ ଉତ୍ତର ଦେଲି- ସିଓର ଯିବି।

ଗୋଟେ ସ୍ମାଇଲିଂ ଷ୍ଟିକର ସହ ଅସୀମା ଲେଖିଲେ- ଓକେ। ଉଇଲ‌୍‍ ୱେଟ୍ ଇନ୍ ଇଭିନିଂ।

ଅସୀମାଙ୍କ ଏ ପ୍ରକାର ନିମନ୍ତ୍ରଣ ମନ ଭିତରେ ଅନେକ କୌତୂହଳ ସୃଷ୍ଟି କଲା। ସବୁ କୌତୂହଳକୁ ଚାପି ରଖିଲି। ଫେସ‌୍‍ବୁକ‌୍‍ ଫ୍ରୋଫାଇଲ‌୍‍ ଫଟୋରୁ ମୁଁ ଯାହା ଦେଖିଛି, ଅସୀମା ଭଳି ସୁନ୍ଦରୀ ଯୁବତୀ ସହ ସଂପର୍କ ଯୋଡ଼ିବା ପାଇଁ ପୁଅମାନେ ବ୍ୟାକୁଳ ହେଉଥିବେ ନିଶ୍ଚୟ। ମୁଁ ବା ସେଥିରୁ ବାଦ୍ ପଡ଼ନ୍ତି କିପରି। ଅସୀମା ପଟ୍ଟନାୟକକୁ କେବେ ସାମ‌୍‍ନା ସାମ‌୍‍ନି ଦେଖିନଥିଲେ ବି, ତା ଛବି ମୋ ଆଖି ସାମ‌୍‍ନାକୁ ଚାଲି ଆସୁଥିଲା। ସାକ୍ଷାତ‌୍‍ର ସେଇ ଇପ୍‌ସିତ ମୁହୂର୍ତ୍ତଟି କେତେବେଳେ ଆସିବ ସେଥିପାଇଁ ମୋ ଭିତରେ ବ୍ୟଗ୍ରତା ବଢ଼ୁଥିଲା।

ସକାଳୁ ସକାଳୁ ଫେସ‌୍‍ବୁକ‌୍‍ ଚାଟ‌୍‍ ବକ୍ସରେ ଗୁଡମର୍ଣ୍ଣିଂ ମେସେଜ‌୍‍ ଦେଇ ପଚାରିଲେ ଅସୀମା- କ’ଣ ଆଜି ଇଭିନିଂରେ ଆସୁଛନ୍ତି ତ?

ମୁଁ କହିଲି- ସିଓର।

ସନ୍ଧ୍ୟାରେ ଫ୍ରେସ‌୍‍ ହୋଇ ମୋ ସ୍କୁଟିରେ ବାହାରି ପଡ଼ିଲି ଅସୀମା ଘରକୁ। ୟା ଭିତରେ ଖୁବ‌୍‍ ବଢ଼ି ଗଲାଣି ଆମ ପାଖ ସହରର ବୟସ। ଭଳିକି ଭଳି ନୂଆ ଲୋକ ସବୁ ଏଇ ସହରରେ ଘର କରି ରହୁଛନ୍ତି। ଗୋଟେ ରେସିଡେନ‌୍‍ସିଆଲ‌୍‍ ଏରିଆ ପାଇଁ ଆମ ସହରକୁ ଅନେକ ଲୋକଙ୍କର ପସନ୍ଦ। ସହରର ଚେହେରା ବି ବଦଳି ଗଲାଣି ୟା ଭିତରେ। ଚାରିଆଡ଼େ ପକ‌୍‍କା ରାସ୍ତା, ଷ୍ଟ୍ରୀଟ‌୍‍ ଲାଇଟ‌୍‍। ଭଳିକି ଭଳି କୋଠାଘର ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି।

ଯଦିଓ ସହରଟି ମୋ ପାଇଁ ଅଜଣା ନଥିଲା, ତଥାପି ଅସୀମା ଦେଇଥିବା କଲୋନୀର ନାଁ ଓ ପ୍ଲଟ୍ ନମ୍ୱର ସହିତ ମୁଁ ପରିଚିତ ନଥିଲି। ଗୋଟେ ପାନ ଦୋକାନ ପାଖରେ ସ୍କୁଟିରୁ ଓହ୍ଲାଇ ଅସୀମା କହିଥିବା କଲୋନୀର ଅବସ୍ଥିତି ସଂପର୍କରେ ବୁଝିନେଲି। କଲୋନୀରେ ପହଂଚିଗଲା ପରେ ପ୍ଲଟ‌୍‍ ନମ୍ୱର ଯେକେହି ବି କହିଦେଇ ପାରିବ। ପଚାରି ପଚାରି ଯାଇ ଅସୀମା ଦେଇଥିବା ପ୍ଲଟ‌୍‍ ନମ୍ୱରରେ ପହଂଚି ଗଲି।

ସନ୍ଧ୍ୟା ନଇଁ ନଇଁ ଆସୁଛି। ପାଖ ପଡ଼ୋଶୀ ଘରମାନଙ୍କରୁ ସନ୍ଧ୍ୟାକାଳୀନ ଶଙ୍ଖ ଓ ଘଣ୍ଟା ସାଙ୍ଗଙ୍କୁ ନିକଟରେ ଥିବା ମନ୍ଦିରରୁ ଶ୍ଳୋକ ଭାସି ଆସୁଚି ପବନରେ। ଦେଖିଲି ଅସୀମା ଦେଇଥିବା ପ୍ଲଟ୍ ନମ୍ୱର ଗେଟ‌୍‍ରେ ଲେଖାଅଛି। ଏଥର କଲିଂ ବେଲ‌୍‍ ଟିପିଲି, ହଳଦୀ ରଙ୍ଗର ଡବଲ‌୍‍ ଷ୍ଟୋରେଡ୍ ବିଲ୍ଡିଂ। ସାମନାରେ ଛୋଟିଆ ଲନ‌୍‍ଟିଏ। ଘର କଡ଼କୁ ଲାଗି ଗ୍ୟାରେଜ‌୍‍ ଭିତରେ ଶୋଭାପାଉଛି ଗୋଟେ ଲଗ‌୍‍ଜୁରିଅସ‌୍‍ ଗାଡ଼ି। ଅସୀମା ଗୋଟେ ସମ୍ଭ୍ରାନ୍ତ ଘରର ଝିଅ ବୋଲି ମୁଁ ବୁଝିବାକୁ ବାକି ନଥିଲା। କିଛି କ୍ଷଣ ମଧ୍ୟରେ ଜଣେ ମଧ୍ୟ ବୟସ୍କା ମହିଳା ଆସି ଗେଟ‌୍‍ ଖୋଲିଲେ। ବେଶ ପୋଷାକରୁ ଘରର ଦେଖାଶୁଣା କରୁଥିବା ଲୋକ ଭଳି ଲାଗିଲା। ଗେଟ‌୍‍ ଖୋଲି କହିଲା- ଆସନ୍ତୁ ବାବୁ।

ମୁଁ ତା ପଛେ ପଛେ ଚାଲିଲି। ମୁଁ ଆସିବି ବୋଲି ଅସୀମା ବୋଧେ ଏ ସ୍ତ୍ରୀ ଲୋକକୁ କହିସାରିଥିଲା। ନଚେତ‌୍‍ ସିଧାସଳଖ ମତେ ସେ ସ୍ତ୍ରୀ ଲୋକଟି ଘର ଭିତରକୁ ଡାକିନଥାନ୍ତା। ଯୋତା ବାହାରେ ରଖି ଡ୍ରଇଁ ରୁମ‌୍‍ରେ ବସିଲି। ଭିତରୁ ସ୍ତ୍ରୀ ଲୋକଟିକୁ ଚଢ଼ା ଗଳାରେ କେହି ଜଣେ କହିଲେ- ବାବୁଙ୍କୁ ଥଣ୍ଡା ସରବତ‌୍‍ ଦେ। ମୁଁ ଟିକିଏ ପରେ ଆସୁଛି। ତତ‌୍‍କ୍ଷଣାତ‌୍‍ ସ୍ତ୍ରୀ ଲୋକଟି ଗୋଟେ ଟ୍ରେରେ ଥଣ୍ଡା ସରବତ‌୍‍ ଆଣି ମୋ ହାତକୁ ବଢ଼ାଇ ଦେଇ ଘର ବାହାରକୁ ଚାଲିଗଲା। ଆଉ ଗଲାବେଳେ କହିଲା, ମୁଁ ଘରକାମ ସାରି ଘଣ୍ଟାଏ ପରେ ଫେରିବି ମା।

ମୁଁ ଅସୀମାକୁ କେବେ ସାମ୍ନାସାମ୍ନି ଦେଖିନି କି ତା ସହ କଥା ବି ହେଇନି। ଘର ଭିତରୁ ମହିଳାଙ୍କ କଣ୍ଠସ୍ୱର ମୋ ପାଇଁ ପୂରା ଅପରିଚିତ ଥିଲା। ଡ୍ରଇଂ ରୁମ‌୍‍ର ସାଜସଜ୍ଜା ବେଶ‌୍‍ ଆଧୁନିକ ଥିଲା। ଅସୀମାର ଆଗମନକୁ ମୁଁ ବଡ଼ ଉତ୍ସୁକତାର ସହ ଅନାଇ ରହିଥିଲି। ମଝିରେ ମଝିରେ ଚାରିଆଡ଼କୁ ନଜର ପକାଉଥିଲି।

ହଠାତ‌୍‍ ମୋ ଆଖି ସାମ୍ନାରେ ଯାହାଙ୍କୁ ଦେଖିଲି, ନିଜକୁ ବିଶ୍ୱାସ କରିପାରିଲିନି। ରେଡ‌୍‍ କଲର ନାଇଟ‌୍‍ ଗାଉନ‌୍‍ରେ ଖୁବ‌୍‍ ସୁନ୍ଦର ଦିଶୁଥିଲେ ମହିଳା ଜଣକ। ଯାହାଙ୍କୁ ମୁଁ ସେଦିନ ଲେଡିଜ‌୍‍ କ୍ଲବର ଆନୁଆଲ‌୍‍ ଫଙ୍କସନ‌୍‍ରେ ଦେଖିଥିଲି। ଅସୀମା କ’ଣ ଏଇ ମହିଳାଙ୍କ ଝିଅ? ମହିଳା ଜଣକ ମୋ ସାମ୍ନା ଚେୟାର‌୍‍ରେ ବସି ସ୍ମିତ ହସି ସମ୍ଭାଷଣ କଲେ- ଗୁଡ‌୍‍ ଇଭିନିଂ। ମାଇଁ ସେଲ‌୍‍ଫ‌୍‍ ଅସ୍ମିତା ମହାପାତ୍ର। ଅସୀମାଙ୍କୁ ନେଇ ମୋ ମନରେ ଉଠୁଥିବା ପ୍ରଶ୍ନ ଯେମିତି ମୋ ମୁହଁରେ ପ୍ରତିଫଳିତ ହେଉଥିଲା। ଏଭଳି ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରୁ ମୁକୁଳିବା ପାଇଁ ମୁଁ ଉଠି ଠିଆହେଲି। ଅତ୍ୟନ୍ତ ଧୀର ଗଳାରେ କହିଲି- ଆଇ ଆମ‌୍‍ ସରି। ମୁଁ ବୋଧେ ଭୁଲ୍‌ରେ ଆପଣଙ୍କ ଘରକୁ…

ମୋ ପାଟିରୁ କଥା ଛଡ଼େଇ ନେଇ ମହିଳା ଜଣକ କହିଲେ- ଆପଣ ଅସୀମା ପଟ୍ଟନାୟକଙ୍କୁ ଖୋଜୁଛନ୍ତି? ଫେସ‌୍‍ବୁକ‌୍‍ରେ ଅସୀମା ପଟ୍ଟନାୟକଙ୍କ ଏକାଉଣ୍ଟକୁ ମୁଁ ଅପରେଟ‌୍‍ କରେ। ସେଇଟା ଗୋଟେ ଫେକ‌୍‍ ‌ଆକାଉଣ୍ଟ।

ଏଥର ମୁଁ ବୁଝିପାରିଲି ଯେ ମହିଳା ଜଣକ ଗୋଟେ ଫେକ‌୍‍ ଆକାଉଣ୍ଟରେ ମୋ ସହ ଚାଟ‌୍‍ କରନ୍ତି। ମୋତେ ଚାଟ‌୍‍ ବକ୍ସରେ ଦେଇଥିବା କଲୋନୀ ଆଉ ପ୍ଲଟ୍ ନମ୍ୱର ପୂରା ଠିକ‌୍‍। ଧୀରେ ଧୀରେ ମୁଁ ସହଜ ହେଲି।        ମୋ ସାମ୍ନାରେ ଖୁବ‌୍‍ ସଂଭ୍ରମତାର ସହ ବସିଥିଲେ ମହିଳା ଜଣକ। ମୁଖ ମଣ୍ଡଳରେ ଗୋଟେ ଖୁସି ଯେମିତି ଝଟକୁଥିଲା। ମତେ ଲାଗୁଥିଲା ସେ ଯେମିତି ମତେ ଅନେକ କିଛି କହିବାକୁ ଚାହୁଁଥିଲେ। ଖୁବ‌୍‍ ଧୀର ଗଳାରେ କହିଲେ- ଆସନ୍ତୁ ଆମ ଘର ଭିତର ସବୁ ବୁଲି ଆସିବା। ତାଙ୍କ ଅନୁରୋଧକୁ ମୁଁ ଏଡ଼ାଇ ନପାରି ତାଙ୍କ ପଛେ ପଛେ ଚାଲିଲି ।

ଦ୍ୱିତୀୟ ମହଲାର ଗୋଟେ ବଡ଼ ରୁମ‌୍‍ ଭିତରକୁ ମହିଳାଙ୍କ ସହ ମୁଁ ପ୍ରବେଶ କଲି। ସେ ରୁମ‌୍‍ ଭିତରେ ପ୍ରବେଶ କରନ୍ତେ ମୋ ଆଖି ସାମ୍ନାରେ ଗୋଟେ ପୋଟ୍ରେଟ‌୍‍। ଅବିକଳ ମୋ’ରି ଭଳି ଦିଶୁଚି। ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଲି।

ମୋ ମୁହଁର ଭାବଭଙ୍ଗୀ ଦେଖି ମହିଳା ଜଣକ ଡେରି ନ କରି କହିଲେ- କ’ଣ ଭାବୁଛ? ଅବିକଳ ତୁମ ପରି ଦିଶୁଚିନା ପୋଟ୍ରେଟ୍‌ଟି? ଇଏ ମୋ ପୁଅ। ଏବେ ସ୍ୱର୍ଗବାସୀ। ଦୁଇବର୍ଷ ତଳେ ପ୍ଲେନ୍‌ କ୍ରାସ‌୍‍ରେ ତା’ର ଡେଥ‌୍‍ ହେଇଗଲା। ମୋ ପୁଅ ସହ ମୁଁ ପୁରା ସାଙ୍ଗ ଭଳି ମିଶୁଥିଲି। ଆଉ ପିଲାଦିନୁ ତାକୁ ମୁଁ ହ୍ୟାଣ୍ଡସମ‌୍‍ ବୋଲି ଶ୍ରଦ୍ଧାରେ ଡାକୁଥିଲି। ତା’ର ଅନୁପସ୍ଥିତି ମତେ ବହୁତ ଯନ୍ତ୍ରଣା ଦେଉଛି। ସବୁଦିନ ମୋ ପୁଅକୁ ଟିକେ ପାଖରୁ ଦେଖିବା ପାଇଁ ମୁଁ ତା’ର ପୋଟ୍ରେଟ୍‌କୁ ଏଇଠି ସାଇତି ରଖିଛି। ଦିନେ ମୁଁ ନିଜେ କାର୍‌ ଡ୍ରାଇଭିଂ କରି ବାହାରକୁ ଯାଉଥିଲି। ଗୋଟେ କସ୍‌ମେଟିକ‌୍‍ ସପିଙ୍ଗ‌୍‍ରେ ତୁମକୁ ଦେଖି ମୋର ମନେହେଲା- ଏବେ ବି ମୋ ପୁଅ ଜୀବିତ ଅଛି। ମୋ ହାତ ପାଆନ୍ତାରେ ଅଛି। ଗାଡି ଷ୍ଟାର୍ଟ ବନ୍ଦ କରି ମୁଁ ସପିଙ୍ଗ‌୍‍ମଲ‌୍‍ ପର୍ଯ୍ୟନ୍ତ ଗଲାବେଳକୁ ତୁମେ ସ୍କୁଟିରେ ଚାଲିଗଲ। ତା ପରେ ମୁଁ ମୋ କାର‌୍‍ରେ ତୁମ ପିଛା କରି ତୁମ ଘର ପର୍ଯ୍ୟନ୍ତ ଗଲି। ସେଇଠୁ ଫେରିବା ପରେ ମୁଁ ତୁମକୁ ଟିକେ ଆଖି ପୂରେଇ ଦେଖିବା ପାଇଁ ଚାହୁଁଥିଲି। ଯେଉଁଥିପାଇଁ ମୁଁ ଗୋଟାଏ ଝିଅ ନାଁରେ ଫେକ୍‌ ଆଇ.ଡି.ରେ ତୁମ ସହ ଚାଟିଂ କରି ତୁମକୁ ଆଜି ମୋ ଘର ପର୍ଯ୍ୟନ୍ତ ନେଇଆସି ପାରିଛି। ଗୋଟେ ମାଆ ପୁତ୍ରସୁଖ ପାଇଁ ଯଦି ଏତିକି ଭୁଲ୍ କରିଛି ତାକୁ କ’ଣ କ୍ଷମା ଦବନି?

ଏତିକି କହିଲା ବେଳକୁ ମହିଳାଙ୍କ କଣ୍ଠସ୍ୱର ଆର୍ଦ୍ର ହୋଇଆସୁଥିଲା। ଉଛୁଳି ପଡୁଥିଲା ଆଖିରୁ ଦୁଇଧାର ଲୁହ।

ପ୍ରଥମ ଦେଖାରୁ ମହିଳାଙ୍କ ପ୍ରତି ମୋ ଭିତରେ ଥିବା ଧାରଣା ଯୋଗୁଁ ନିଜକୁ ଧିକ୍କାର କରୁଥିଲି ମୁଁ। ଲଜ୍ଜା ଓ ସଙ୍କୋଚରେ ଥରି ଉଠୁଥିଲା ମୋର ସମଗ୍ର ଶରୀର। ଅଲକ୍ଷ୍ୟରେ ମୋ ପାଟିରୁ ବାହାରି ପଡ଼ିଲା- ମାଆ…

ଫୋନ୍- ୯୪୩୮୪୧୬୨୩୫

Previous ArticleNext Article

Leave a Reply

Send this to a friend