ହେମା ନୂଆବୋଉ

ହେମା ନୂଆବୋଉ ଥିଲା ବାପା ମାଆଙ୍କର ଏକମାତ୍ର ଅଲିଅଳି ଝିଅ। ଭାରି ଗେହ୍ଲାରେ କଟିଥିଲା ତା’ର ପିଲାଦିନ। ବାପା ଶିକ୍ଷକ ଥିବାରୁ ଅଭାବ ଅସୁବିଧା କିଛି ଜାଣିନଥିଲା ସେ। ଯେତେବେଳେ ଯାହା ଜିଦ୍ କରୁଥିଲା ସେଇଆ ପାଖରେ ପାଇପାରୁଥିଲା। ବାପା ଶିକ୍ଷକ ଥିଲେ ମଧ୍ୟ ପୁରୁଣା କାଳିଆ ଅନ୍ଧବିଶ୍ୱାସୀ। ବୋଉ ତ ସହଜେ ଗାଉଁଲି ଲୋକ। ଯିଏ ଯାହା କହିଦେଲେ ସେଇଥିଲେ ଭଳି ଯାଆନ୍ତି ସିଏ। ସେଥିରେ ପୁଣି ଜେଜି ମାଆ ଥାଏ ତା’ର। ନୂଆବୋଉକୁ ଦଶବର୍ଷ ବୟସ ପୂରି ନଥାଏ, ବୁଢିର ନାତି ଦେଖିବାକୁ ମନ ହେଲାଣି। କୁଆଡେ ନାତିମୁହଁ ଦେଖିଲେ ସ୍ୱର୍ଗପ୍ରାପ୍ତି ହୋଇଯିବ। ଆମେ ସବୁ ଛୋଟ ଛୋଟ ହୋଇଥିଲେ ବି ମନେ ରଖିବା ପରି ବୟସ ହୋଇଗଲାଣି।

ଗାଁକୁ ସେଦିନ ମାଙ୍କଡ ନାଚ ଆସିଥାଏ। ପିଲାଙ୍କ କଥା ଛାଡ, ମିଣିପି ମାଇପେ ବି ଧାଇଁଲେ ଦେଖିବାକୁ। ବଡ ଶରଧାରେ ସମସ୍ତେ ନାଚ ଦେଖୁଥାଆନ୍ତି। ନୂଆବୋଉ ବି ସେଇଠି ଥାଏ। ହଠାତ୍ ତା ଜେଜିମାଆ ମୁଣ୍ଡକୁ କି ବୁଦ୍ଧି ଜୁଟିଲା କେଜାଣି କହିଲା, ହେଇରେ ତୋ ମାଙ୍କଡ ଭଲ ନାଚୁଛି। ଛାଡ ସେ କଥା। ଯାହା ନବୁ ନବୁ କହିଲୁ ଦେଖି ତୋ ମାଙ୍କଡକୁ ଏ ଗାଁରେ ମୋ ନାତୁଣୀଜୋଇଁ କିଏ ହେବ। ତୁରନ୍ତ ଜାଣିବା ପରି କୁନି ମାଙ୍କଡଟି ଛୁଇଁଦେଲା ମୋ ବଡବାପାଙ୍କ ପୁଅକୁ। ସମସ୍ତେ ହସାହସି ହୋଇ ମଜାରେ କଥାଟା ଉଡାଇ ନେଇଗଲେ। ବୁଢି କିନ୍ତୁ ଛାଡିବା ବାଲି ନଥିଲା। ବିଲୁଆ ଭୁକିବାକୁ ତାଳ ପଡିବା ପରି କଥାବି ତା ସହିତ ହୋଇଗଲା। ନୂଆବୋଉର ବାପାଙ୍କୁ କୁଆଡେ ଗୋଟେ ନାହାକ ଆସି କହିଲା, ତୁମେ ଜମା ବ୍ୟସ୍ତ ହୁଅନା ମାଷ୍ଟ୍ରେ, ତୁମର ପୁଅ ହେବା ଜାତକ ଦେଖି ମୁଁ କହୁଛି, ଏ ଝିଅର ରାଶି ଏବେ ଭଲ ପଡିଛି, ବାହା କରିଦିଅ। ପିଣ୍ଡ ପାଣି ଟେକିବାକୁ ପୁଅ ନିଶ୍ଚୟ ହେବ।

ସତରେ ଭାବିଲେ ଦୁଃଖ ଲାଗେ, କେଉଁ ପରିମାଣରେ ଅନ୍ଧବିଶ୍ୱାସ ଭରି ରହିଛି ଦୁନିଆରେ। ଦଶ ବର୍ଷର ଝିଅ ସେ, ବିବାହ କରିଦେଲେ ତା’ର ଅବସ୍ଥା କ’ଣ ହୋଇଯିବ ଏକଥା କାହାରି ଚିନ୍ତା ନଥିଲା। ଜଣେ ନାତି ପାଇଁ ତ ଜଣେ ପୁତ୍ର ଦେଖିବାକୁ ବ୍ୟସ୍ତ। ସ୍ଥିର ହେଲା ବାହାଘର ହେବ। ଆମ ନନାଙ୍କ ସହିତ (ବଡବାପାଙ୍କ ପୁଅ)। କେହି ଜାଣି ପାରିବେ ନାହିଁ। ଦୁଇ ପରିବାର ଭିତରେ ଏକଥା ସୀମିତ ରହିବ। ଏମିତି ଦିନେ ବଡବାପା, ବୋଉ , ନନା ଓ ନୂଆବୋଉ ଘରର ସମସ୍ତ ସଦସ୍ୟ ପୁରୀ ବାହାରିଲେ। କ’ଣ ନା ବୁଲିବାକୁ  ଯାଉଛନ୍ତି। କିଏ ବା କାଇଁ ବିଶ୍ୱାସ କରିବ ବାହାଘର କଥା। ସମସ୍ତେ ମାଙ୍କଡ ଛୁଇଁବା କଥା ମନରୁ ପାଶୋର ଯାଇଥାନ୍ତି। ପୁରୀ ଯାଇ ବିବାହ କାର୍ଯ୍ୟ ସମ୍ପନ୍ନ କରାଗଲା। ନନା ଟିକେ ଟିକେ ବୁଝିବା ପରି ହୋଇଥିଲେ ବି ନୂଆବୋଉ କିଛି ବୁଝି ପାରୁନଥାଏ। ତାକୁ ବଡ ମଜା ଲାଗୁଥାଏ ସଜବାଜ ହେବାଟା। ବିବାହ ସରିଗଲା। ନୂଆବୋଉ ଛୋଟ ଥିବାରୁ ଆମ ଘରକୁ ଆସିଲା ନାହିଁ। ଗାଁ କଥା ଲୁଚି ରହିବ କୁଆଡୁ। ବାଗ ଢଙ୍ଗରୁ ତାଙ୍କର କିଛି ଅନୁମାନ କରୁଥିଲେ ବି କୌଣସି ସୁରାଗ ନମିଳିବାରୁ ଚୁପ୍ ଚାପ୍ ରହିଲେ। ୟା ଭିତରେ ଦୁଇ ତିନିବର୍ଷ କଟିଗଲା। ତେର ବର୍ଷ ବୟସରେ ନୂଆବୋଉ ଆମ ଘରକୁ ଆସିବ ବୋଲି ସ୍ଥିର ହେଲା। ଏଥର ଗାଁ ଲୋକ ଜାଣିଲେ ବି ଚୁପ୍ ରହିଲେ। ବୋହୂ ହୋଇ ହେମା ନୂଆବୋଉ ଆମ ଘରକୁ ଆସିଲା। ଘରର ନୀତିନିୟମ ଚାଲିଚଳନ ବିଷୟରେ ତାକୁ ବୁଢୀ ମା ସବୁକିଛି ଶିକ୍ଷା ଦେଇଥିଲେ। ସତ କହିବାକୁ ଗଲେ ନୂଆବୋଉ ଟିକେ ହୁଣ୍ଡି ଥିଲା। ସହଜରେ ତ ଛୋଟ ପିଲା, ଯିଏ ଯାହା କହିଲେ ବି ସେ ସବୁ କଥା ସହଜରେ ବିଶ୍ୱାସ କରିନେଉଥିଲା।

“ବୁଢାବୁଢୀ ଲୋକ ଯାହା କହୁଛନ୍ତି ମୋ ପାଇଁ କହୁଥିବେ। ମୋତେ ଯିଏଯାହା କହିଲେ ବି ମୁଁ ଚୁପ୍ ରହିବି। ସବୁକିଛି ଶୁଣି ନିରବ ରହିବା ମୋର ଧର୍ମ।’ ନୂଆବୋଉର ଏହି ସରଳତାର ସୁଯୋଗ ସମସ୍ତେ ନେଇଥିଲେ। କେହି ଥରେ ଭାବି ନଥିଲେ ଏତେ କମ୍ ବୟସର ଝିଅ ସେ କ’ଣ ବା ଜାଣିବ ଏଇ ଘର ବିଷୟରେ। ଆମକୁ ତାକୁ ନେଇ ଚଳିବାକୁ ପଡିବ। ବୋହୂ ନୁହେଁ ଝିଅ ପରି ଆଦର ଯତ୍ନରେ ବଡ କରିବାକୁ ପଡିବ। ମୋ ବଡବୋଉ ଥିଲା କଠୋର। କଡା ଶାସନରେ ରଖିଥିଲା ସେ ନୂଆବୋଉକୁ। ନଣନ୍ଦ, ଦିଅର ପ୍ରାୟ ଛୋଟ ଛୋଟ ଥିଲେ। ସମସ୍ତଙ୍କର ଅଳି, ଅର୍ଦ୍ଦଳି ତାଆରି ପାଖରେ। ମୁଁ ପିଲାବେଳେ ଦେଖିଛି, ଘଡିଏ ବି ଶାନ୍ତିରେ ବସି ପାରେନି ସିଏ। ସବୁବେଳେ କାମରେ ମାତିଥାଏ। ଟିକିଏ ଏପଟ ସେପଟ ହେଲେ ବଡବୋଉର ଗର୍ଜନ ଶୁଭେ। ସାହି ପଡିଶାଙ୍କ ଆଗରେ ସବୁବେଳେ ଫୁସୁରୁ ଫାସୁରୁ ହେଉଥାଏ ସେ। ବୋହୂଟା ଏମିତି କରୁଛି, କିଛି ଜଣାନାହିଁ। ନୂଆବୋଉ ସବୁ ଜାଣିପାରି ବି ଅଜଣା ହୋଇ ରହେ। ଯେତେହେଲେ ବି ଶାଶୂ, କହିଲେ ପାପ ଲାଗିବ। ନୂଆବୋଉର ଘରଲୋକ ବି ଶୁଣିକି ନ ଶୁଣିଲା ପରି ରୁହନ୍ତି। ମୋ ବଡବାପା ଥିଲେ ଜଣେ ଆଦର୍ଶ ଶିକ୍ଷକ। ବୋହୂକୁ ଭାରି ଭଲ ପାଆନ୍ତି ସେ। ବଡବାପା ଚାକିରିରେ ସବୁବେଳେ ବାହାରେ ରୁହନ୍ତି। ଘରକୁ କଦବା କ୍ୱଚିତ‌ ଆସନ୍ତି। ହୁଏତ ବଡବାପା ଘରେ ଥିଲେ ଏପରି ସମସ୍ୟା ଉପୁଜି ନଥାନ୍ତା।

ସେ ଯାହା ହେଉ ଏମିତି ଏମିତି ବରଷେ ଦୁଇ ବରଷ କଟିଗଲା। ଶୁଣାଗଲା ନୂଆବୋଉ କୁଆଡେ ମା ହେବାକୁ ଯାଉଛି। ସେତେବେଳକୁ ଷୋହଳ ବର୍ଷ ହୋଇଥାଏ ତାକୁ। ପତଳା ଶରୀର। ବଡ ପରିବାର। ଖାଇବା ପିଇବା ଯାହା, ସେଥିରେ ପୁଣି ଘରଟା ଯାକର କାମ ତାଆରି ଉପରେ। ସାରା ଦିନଟା କାମ କରି ହାଲିଆ ହୋଇଗଲେ ବି କେହି ନଥାଏ ଆହା ପଦେ କହିବାକୁ। କେଉଁଠି କାମରେ ଭୁଲ‌ ରହିଗଲା ତାକୁ ପରଖି ଚାହିଁଥାଏ ବଡବୋଉ। ନନା କିଛି କରୁନଥାନ୍ତି ସେତେବେଳେ। କୋଉଠି ଛୋଟମୋଟ କାମ ଗୋଟେ କରୁଥାନ୍ତି। ରାତିରେ ଘରକୁ ଫେରିଲେ ସତମିଛ ଯୋଡାଯୋଡି କରି କହିଥାଏ ବଡବୋଉ। ନନାଙ୍କ ରାଗ ହୁଏ ନୂଆବୋଉଟା ଉପରେ। ବିନା ଦୋଷରେ ମାଡ ଗାଳି ଖାଇ ତକିଆରେ ମୁଣ୍ଡ ମାଡି କଇଁ କଇଁ ହୋଇ କାନ୍ଦୁଥାଏ। ତାଙ୍କ ଘରଟା ଆମ ଘର ପାଖରେ ହୋଇଥିବାରୁ ନିସ୍ତବ୍ଧ ରାତିରେ ମାଆ ବୋଉ ଘରିକା ତା’ର କଇଁ କଇଁ କାନ୍ଦ କେତେଥର ଶୁଣିଛନ୍ତି। ଏମିତି ଏମିତି ନୂଆବୋଉର ଦିନ ଗଡି ଚାଲିଲା। ପୁଅଟିଏ ଜନ୍ମ ହେଲା। ବିବାହ କ’ଣ ଜାଣିବା ଆଗରୁ ମାଆ ହୋଇଗଲା। ଛୋଟ ପିଲା ହେତୁ ବିଶେଷ କିଛି ଜାଣି ନଥିଲା ସଂସାର ବିଷୟରେ। ଏଣୁ ପରକୁ ପର ପାଞ୍ଚଟି ପିଲା ହୋଇଗଲେ। ଯେଉଁ ସମୟରେ ଝିଅଟିଏ ବିବାହର ସ୍ୱପ୍ନ ଦେଖେ ସେ ସୟରେ ସେ ପାଞ୍ଚଟି ପିଲାର ମା ହୋଇସାରି ଏକ ପ୍ରକାର ସାଂସାରିକ ଜୀବନରେ ଛନ୍ଦି ହୋଇସାରିଥାଏ। ଏତେସବୁ ଜଂଜାଳ ଭିତରେ ଥାଇ ମଧ୍ୟ ତା’ର ପାଠ ପ୍ରତି ଥିଲା ବହୁତ ଆଗ୍ରହ। ପଢା ପ୍ରତି ଆଗ୍ରହ ଦେଖି ତା ବାପା ତାକୁ ପଇସା ପତ୍ର ଯୋଗାଇ ଦେଇଥିଲେ। ଘରେ ରହିବି ସେ ବି.ଏ ପାସ୍ କଲା। ଝିଅକୁ କମ୍ ବୟସରେ ବିବାହ କରାଇ ବହୁ ମନସ୍ତାପରେ ଥିଲେ ତାଙ୍କ ବାପା। ନିଜ ଦୋଷରୁ ହିଁ ଝିଅ ତାଙ୍କର ଏତେ ଦଣ୍ଡ ଭୋଗୁଛି। ଯଦି ଉପଯୁକ୍ତ ଶିକ୍ଷା ଦେଇ ନିର୍ଦ୍ଦିଷ୍ଟ ବୟସରେ ବାହାଘର କରାଇଥାନ୍ତେ ତେବେ ହୁଏତ ଆଜି ଏ ଦିନ ଦେଖିବାକୁ ମିଳିନଥାନ୍ତା।

ୟା ପରର ଘଟଣା ବିଷୟରେ ମୁଁ ଏତେ ଅବଗତ ନୁହେଁ। ଗାଁ ଛାଡି ଆସିଥିଲି ବାହାରକୁ ପଢିବାକୁ। ପଢୁ ପଢୁ ଚାକିରି ହୋଇଗଲା। ନୂଆ ଚାକିରି ଯୋଗୁ ଅନେକ ବର୍ଷ ପର୍ଯ୍ୟନ୍ତ ଆଉ ଘରକୁ ଯାଇ ପାରିଲି ନାହିଁ। ପ୍ରାୟ ଦଶବର୍ଷ ପରେ ମୁଁ ଗାଁକୁ ଆସିଛି। ସେଦିନର ଯୌଥ ପରିବାର ଆଉ ନାହିଁ। ପ୍ରାୟ ଭିନ୍ନେ ଭିନ୍ନେ ହୋଇଗଲାଣି। ନୂଆବୋଉର ପିଲାମାନେ ବି ବଡ ହୋଇଗଲେଣି। ବଡବୋଉ ପୁରା ବୁଢୀ ହୋଇଗଲାଣି। ବଡ ବାପା ବର୍ଷେ ତଳୁ ଚାଲି ଯାଇଥିଲେ। ଏକଥା ଶୁଣିଥିଲି। ବଡ ଦୁଃଖ ଲାଗିଲା ନୂଆବୋଉକୁ ଦେଖି। ସେହି ଭଳିଆ କଥା ତା’ର। ମୁଁ କେବଳ ବଡ ନୂଆବୋଉକୁ ଚିହ୍ନି ପାରିଲି। ଅନ୍ୟ ନନା ମାନଙ୍କର ବାହାଘର ସରିଥାଏ। ସେମାନଙ୍କ ସହିତ ଚିହ୍ନା ପରିଚୟ ହେଲା। ସମସ୍ତେ ଶିକ୍ଷିତ ପିଲା। ନୂଆ ବୋଉଟା ପରି ଯାହାହେଉ ହୁଣ୍ଡି ନୁହଁନ୍ତି।

ବୋଉକୁ କହିଲି- ନୂଆବୋଉର ତ କିଛି ପରିବର୍ତ୍ତନ ହୋଇନି।

ବୋଉ କହିଲା- ତା’ର କ’ଣ ପରିବର୍ତ୍ତନ ହେବ ? ଝିଅ ବେଳୁ ଦେଖୁଛି ସିଏ ଯାହା ସେଇଆ। କେତେକଥା ଶାଶୂ ନଣନ୍ଦ କହିଲେ ବି ସେ ଖୁଣ୍ଟଟା ପରି ସେଇମିତି ଛିଡା ହୋଇଥିବ। ସତେକି ପଥର ପାଲଟି ଯାଏ। ଭାବିଲେ ଦୁଃଖ ଲାଗେ କେତେ ହଇରାଣ ନ ହୋଇଛି ସେ। ଏବେ ଯା’ ମାନେ ଆସିଲାରୁ ଶାଶୂ ନିରବ। ତଥାପି ପ୍ରତ୍ୟେକ ଦିନ ତାକୁ ପଦେ ଦିପଦ ଶୁଣିବାକୁ ମିଳୁଛି। ତା ପରି ବୋହୂ ଏ ଗାଁରେ ମିଳିବେନି କି ତା ପରି ବୋହୂମାନେ ଏତେ ସହନୀୟ ହେବେନି। ଭାଇ ଭଉଣୀ ପରି ସ୍ନେହ ମମତା ଦେଇ ବଡ କରିଥିବା ଦିଅରମାନେ ଆଜି ବଦଳି ଗଲେ। ତା ସ୍ୱାମୀ ରୋଜଗାର କରୁନାହିଁ ବୋଲି ତାକୁ ପଚାରୁ ନାହାଁନ୍ତି। ଆଗରେ ନକହିଲେ ବି ପଛରେ ପରିହାସ କରୁଛନ୍ତି। କାମ ଥିଲେ ଯା’ ମାନେ ନାନୀ ନାନୀ କହି ଆଗପଛ ବୁଲୁଥାନ୍ତି। କାମ ସରିଗଲେ ନାନୀକୁ ପଚାରେ କିଏ ? ଏଇଟା ତ କୋଉ କାମକୁ ନୁହେଁ। ମରିବ ପଛେ ଚାଲାକ ଚତୁର ହେବନାହିଁ। ଭାବିବାକୁ ଗଲେ ସିଏ ବା କ’ଣ କରିପାରିବ ? ପିଲାଗୁଡିକ ଛୋଟ ଛୋଟ, ଅଭାବ ଅସୁବିଧାକୁ ଦେଖି ଚୁପ‌ ଚାପ‌ ରହିଛି। ହଉ ଭଗବାନ ତାକୁ ବହୁତ ଦଣ୍ଡ ଦେଲେଣି ଭଲରେ ରଖିବେ। ପିଲାମାନେ ବଢିଗଲେ ଗଲା।

ଆମ ମାଆ ପୁଅଙ୍କ ପାଟିରୁ କଥା ସରିନି, ମୋ ଖୁଡୀ ଘର ଭିତରକୁ ପଶି ଆସି କହିଲେ- ଶୁଣିଲୁଣି ହେମା ବଡପୁଅର ଚାକିରି ହୋଇଗଲା। ସେଣ୍ଟ୍ରାଲ‌ ଗମେଣ୍ଟ ଚାକିରି।

ଖବରଟା ସତ କି ମିଛି ଜାଣିବା ପାଇଁ  ଘର ଭିତରୁ ବାହାରି ଆସିଲି। ଗାଁ ସାରା ସମସ୍ତେ କଥା ବର୍ତ୍ତା ହେଉଛନ୍ତି। ମୁଁ ଆପଏଣ୍ଟମେଣ୍ଟ ଲେଟର ଦେଖି ଜାଣିଲି ସତ ସେ ଚାକିରି ପାଇଯାଇଛି। ଖୁସିରେ ମୋ ମନ କୁଣ୍ଢେମୋଟ ହୋଇଗଲା। ନୂଆବୋଉକୁ ଦେଖିଲି ସେ କାନ୍ଦୁଛି। ପଚାରିବାକୁ ଗଲାବେଳକୁ ବୋଉ ପଛରୁ ଭିଡି ଆଣିଲା। କହିଲା, ତାକୁ କାନ୍ଦିବାକୁ ଦେ। ବହୁଦିନ ପରେ ତା ଆଖିରୁ ଦୁଃଖର ଲୁହ ବଦଳରେ ଖୁସିର ଲୁହ ଝରୁଛି।

Previous ArticleNext Article

Send this to a friend