ଜୀବଦାନ

Jeeva Daana

ବାଲକୋନୀରେ ପଡିଥିବା ବାଉଁଶ ଚେୟାର ଉପରୁ ଉଠି ଆସି ରେଲିଂ ଉପରେ ହାତ ଦେଇ ବାହାରକୁ ଚାହିଁଲା ଅଲିଭା। ସାମ୍ନା ପଡ଼ିଆରେ ଦୁର୍ଗାପୂଜା ପ୍ରସ୍ତୁତି ପାଇଁ ପ୍ରସ୍ତୁତି ଚାଲିଥିଲା। ପୂଜା ପଡିଆକୁ ଲାଗି ଥିବା ଦୁଇଟି ଖାଲି ପ୍ଲଟରେ ମେଂଚା ମେଂଚା କାଶତଣ୍ଡି ଫୁଲ ପବନରେ ଛୁଆଁରେ ନାଚି ଉଠୁଥିଲେ। ପ୍ରତିବର୍ଷ ପାର୍ବଣ ସମୟରେ ଏହି ଦୋଳାୟମାନ ଫୁଲକୁ ଦେଖିବା ପାଇଁ ଅପେକ୍ଷା କରି ରହିଥାଏ ଅଲିଭା। ଏକ ଅପୂର୍ବ ଶିହରଣ ସୃଷ୍ଟି ହୁଏ ତା ମନରେ। ଅହେତୁକ ଭାବେ ଖୁସି ହୋଇଯାଏ ସିଏ। ଆଜି କିନ୍ତୁ ଖୁସିର ଝଲକ ନଥିଲା ତା ମନରେ। କେଉଁ ଏକ ଅଜଣା ଆତଙ୍କରେ ଘାଂଟି ହେଉଥାଏ ସିଏ। ମନର ଅନ୍ତର୍ଦ୍ଵନ୍ଦ୍ୱରେ ସନ୍ତୁଳି ହେଉଥାଏ  ଅଲିଭା । ଉଚିତ ଅନୁଚିତର ଚକ୍ରବ୍ୟୂହରେ ଛନ୍ଦି ହୋଇ ପଡିଥାଏ ଅଭିମନ୍ୟୁ ପରି । ଆଗରୁ ଏତେ ଅଡୁଆ ପରିସ୍ଥିତିରେ କେବେ ଆଗରୁ ପଡି ନଥିଲା ସେ ।

ମଧ୍ୟବିତ୍ତ ରକ୍ଷଣଶୀଳ ପରିବାରରେ ଝିଅଟିଏକୁ ସ୍ଵାଧୀନତା ମିଳେ କେଉଁଠି ? ଅନ୍ୟମାନଙ୍କ ନିଷ୍ପତ୍ତିକୁ ହିଁ ନିଜର ନିଷ୍ପତ୍ତି ଭାବେ ଆଦରି ନେବାକୁ ପଡେ ସମସ୍ତଙ୍କ ଖୁସି ପାଇଁ । କିନ୍ତୁ ଆଜି ସେ ଜୀବନର ଏମିତି ଏକ ଦୋ’ଛକିରେ ଛିଡା ହୋଇଛି ଯେ, ଯେଉଁଠି ସେ ଅନ୍ୟର ଖୁସି ପାଇଁ ନିଜର ପୂର୍ଣ୍ଣତାକୁ ଛାଡି ପାରିବ ନାହିଁ । ଏମିତି ଅନେକ ଦୁଶ୍ଚିନ୍ତାରୁ ରକ୍ଷା ପାଇବା ପାଇଁ କିଛି ସମୟ ବିଶ୍ରାମ ନେବାକୁ ଶୋଇବା ଘର ଆଡକୁ ସେ ଆଗେଇଲା। ବହୁ ସମୟ ଧରି ନିଦ୍ରାହୀନ ଭାବେ ସେ ପଡି ରହିଲା ଖଟରେ।

ଶୋଇବା ଘରେ ଅଲିଭା ଅଣନିଃଶ୍ୱାସୀ ହୋଇଉଠିଲା । ଉଠି ବସି ସାମ୍ନା କାନ୍ଥରେ ଲାଗିଥିବା ଅପରୂପ ଓ ତାର ଫଟୋକୁ ଚାହିଁଲା । ସମୟ ଫେରିଗଲା ପଛକୁ । ବର୍ତ୍ତମାନ ଯେତେବେଳେ ସନ୍ଦିହାନ ହୋଇଉଠେ, ମଣିଷ ଅତୀତର ସୁଖଦ ମୁହୂର୍ତ୍ତ ସବୁକୁ  ସାଉଣ୍ଟି ପକାଏ – ସ୍ମୃତି ଭାବରେ । ଅଲିଭା ବି ସ୍ମୃତି ରୋମନ୍ଥନ କରୁ କରୁ ସମୟ ସ୍ରୋତରୁ ପଛକୁ ଚାଲିଗଲା ।

ଗ୍ରାଜୁଏସନ ସାରିବା ପରେ ପରେ ରକ୍ଷଣଶୀଳ ପରିବାରର ପ୍ରତି ବାପାଙ୍କ ପରି ଅଲିଭାର ବାପା ବି ବରପାତ୍ର ଖୋଜିବାରେ ବ୍ୟସ୍ତ ହୋଇ ପଡିଥିଲେ । ଅନେକ  ଖୋଜାଖୋଜି ପରେ ଅପରୂପ ଖୁବ ମନକୁ ପାଇଥିଲେ ତ ବାପା ଆଉ ପରିବାର ଲୋକଙ୍କୁ । ଅପରୂପ ଦେଖିବାକୁ ସୁନ୍ଦର ଥିଲେ । କମ୍ପ୍ୟୁଟର ଇଞ୍ଜିନିୟର, ଗୋଟିଏ ପୁଅ ଏବଂ ଶିକ୍ଷିତ ପରିବାର- ଏମିତି କେତେ କ’ଣ ମାନଦଣ୍ଡକୁ ମିଶାଇ ସର୍ବମୋଟ ଭାବେ ଦେଖିଲେ ସମସ୍ତଙ୍କ ପାଇଁ ସେ ହିଁ ଥିଲେ ଅଲିଭା ପାଇଁ ଉପଯୁକ୍ତ ବରପାତ୍ର ।

ସମସ୍ତଙ୍କ ଖୁସିକୁ ସମ୍ମାନ ଜଣାଇ ଅଲିଭା ବିବାହ କରିଥିଲା ଅପରୂପଙ୍କୁ । ବିବାହ ପରେ କିଛିଦିନ ଆବେଗ, ରୋମାଞ୍ଚ, ସ୍ନେହ ଓ ବୁଝାମଣାରେ କଟିଗଲା । ବର୍ଷକ ପରେ ଖୁସି ଦୁଇଗୁଣିତ ହେଲା, ଯେତେବେଳେ ସେ ଜାଣିବାକୁ ପାଇଲା ଯେ ଏକ ନୂଆ ଜୀବନର ସଂଚାର ଘଟିଛି ତ ଗର୍ଭରେ । ଏତେ ଖୁସି ଆଗରୁ କେବେ ଅନୁଭବ କରି ନଥିଲା ସେ। ନାରୀ ହିଁ ସ୍ରଷ୍ଟାଙ୍କର ଏମିତି ଏକ ସୃଷ୍ଟି, ଯିଏ ନିଜ ଭିତରେ ଏକ ନୂତନ ଜୀବନର ପରାକାଷ୍ଠା ଘଟାଏ। ଏମିତି ଏକ ନିଚ୍ଛକ ସ୍ଵାଭାବିକ ସତ୍ୟକୁ ଉପଲବ୍ଧି କରୁଥାଏ ଅଲିଭା । ନାରୀ ଜୀବନର ସାର୍ଥକତାକୁ ଅନୁଭବ କରି ଆନ୍ଦୋଳିତ ହେଉଥାଏ ତା’ର ପ୍ରତିଟି ସ୍ପନ୍ଦନ ।

ସ୍ବାମୀ ଅପରୂପ, ଶାଶୂ, ଶ୍ଵଶୁର କାହାର ଆଦର ଓ ଯତ୍ନରେ ଟିକିଏ ବି ଊଣା ନଥିଲା । ଅଲିଭାର ଦିନଗୁଡିକ ସୁଖରେ କଟି ଯାଉଥାଏ। କିନ୍ତୁ ଏ ସୁଖ ଦୀର୍ଘଦିନ ଯାଏଁ ତିଷ୍ଠି ପାରିନଥିଲା। ପରିସ୍ଥିତି ବଦଳିଗଲା। ଚାରିମାସ ପରେ ଯେତେବେଳେ ଅପରୂପଙ୍କର ଡାକ୍ତର ବନ୍ଧୁ ଅବଗତ କରାଇଲେ ଯେ, ଗର୍ଭସ୍ଥ ସନ୍ତାନ ଏକ କନ୍ୟା । ଶିକ୍ଷିତ ଶାଶୂ, ଶ୍ଵଶୁର ଓ ସ୍ଵାମୀ- କେହି ବି ଗ୍ରହଣ କରିପାରୁ ନଥିଲେ ଏ କଥାକୁ ।

ବାରମ୍ବାର ଚାପ ପଡିଲା ଅଲିଭା ଉପରେ ଗର୍ଭପାତ କରାଇ ନେବା ପାଇଁ । ପ୍ରତ୍ୟକ୍ଷରେ, ପରୋକ୍ଷରେ, ଭଲରେ, ମନ୍ଦରେ ସବୁବେଳେ କେବଳ ଏହି ଆଲୋଚନା ଜାରି ରହିଲା । ବାରମ୍ବାର ଅପରୂପ ତା ଉପରେ ଚାପ ପକାଉଥାନ୍ତି ଗର୍ଭପାତ କରାଇ ନେବା ପାଇଁ । ଆଶ୍ଚର୍ଯ୍ୟ ଲାଗୁଥିଲା ଅଲିଭାକୁ।. କେତେ ରୂଢିବାଦୀ ତା ସ୍ଵାମୀ !

ଏଇ ଟିକିଏ ଆଗରୁ ଜଲଦି ନିଷ୍ପତ୍ତି ନେବାକୁ ତାଗିଦ୍ କରି ରାଗିକି ଅଫିସ୍ ବାହାରି ଗଲେ ତା ସ୍ୱାମୀ ଅପରୂପ। ଟିଫିନ୍ ନେବାକୁ ଭୁଲିଗଲେ ନା ଜାଣିକି ନେଲେନି ? ଖଟରୁ ଓହ୍ଲାଇ କ୍ଷୀପ୍ର ଗତିରେ ବାଲକୋନୀକୁ ଚାଲିଗଲା ଅଲିଭା। କିନ୍ତୁ ସ୍ୱାମୀଙ୍କୁ ଡାକଟେ ପକେଇବା ଆଗରୁ ତାଙ୍କ ଗାଡି ଗଡ଼ିବା ଆରମ୍ଭ କରିସାରିଥିଲା। ମନଦୁଃଖରେ ଘର ଭିତରକୁ ଫେରିବା ଆଗରୁ ସାମ୍ନା ପଡିଆରେ ଥିବା ମାଆଙ୍କ ମୂର୍ତ୍ତି ଉପରେ ତା ନଜର ପଡ଼ିଥିଲା। ମାଆଙ୍କ ହାତ ଗୋଡ଼ ଓ ପୂରା ଶରୀର ତିଆରି ସରିଥିଲା। ସେଇ ମୂର୍ତ୍ତି ଭିତରେ ହିଁ ତାକୁ ଦେଖାଗଲା ଏକ କନ୍ୟାଭ୍ରୁଣ ଭିତରେ ହାତଗୋଡ଼ ସଂଚରି ଯିବାର ଦୃଶ୍ୟ। କିନ୍ତୁ ଏମିତିବି ଲାଗୁଥିଲା, ଯେମିତି ମାଆ ପଦଦଳିତ କରି ରଖିଥିବା ଅସୁରଟି ବଳ ପାଇ ପୁଣି ଉଠିସାରିଛି। ଲାଗୁଥିଲା ସେ ଧୀରେ ଧୀରେ ହେବାରେ ଲାଗିଛି ଅଧିକ ଶକ୍ତିଶାଳୀ ଓ ଘେରି ଯାଉଛି ସେ କନ୍ୟାଭ୍ରୁଣକୁ।

ସ୍ୱାମୀଙ୍କ ସହ ସବୁବେଳେ ଜାରି ରହିଥିଲା ମତାନ୍ତର। ଶୋଇବା ଘରେ, ଖାଇବା ଟେବୁଲରେ ଯୁକ୍ତିତର୍କ ଜାରି ରହିଲା । ଗତକାଲି ଯୁକ୍ତିତର୍କ ସ୍ନେହ ଶ୍ରଦ୍ଧାର ବଳୟକୁ ଏମିତି ଅତିକ୍ରମ କରିଗଲା ଯେ, ଅପରୂପ ଅଲିଭାକୁ କହିଲେ- “ଯଦି ତୁମେ ଏ କନ୍ୟା ସନ୍ତାନକୁ ଦୁନିଆକୁ ଆଣିବ, ତେବେ ତୁମର ମୋ ଦୁନିଆରେ କୌଣସି ସ୍ଥାନ ନାହିଁ । ମୋ ଘରେ ତୁମ ଉପସ୍ଥିତିକୁ ମୁଁ ଆଉ ବରଦାସ୍ତ କରି ପାରିବି ନାହିଁ ।” କିଛି ପ୍ରତ୍ୟୁତ୍ତର ଦେଇନଥିଲା ଅଲିଭା । କାରଣ ସେ ବୁଝି ଯାଇଥିଲା, ଯେତେବେଳେ ଅହଂକାର ସଗର୍ବେ ମୁଣ୍ଡ ଉଠାଏ, ସେତେବେଳେ ନିଚ୍ଛକ ଭଲପାଇବା ମୁହଁ ଲୁଚାଇନିଏ କେଉଁ ଅନ୍ଧାର କୋଠରୀରେ।

ହଠାତ ଅଲିଭା ପ୍ରକୃତିସ୍ଥ ହେଲା ବାହାରୁ ଆସୁଥିବା ଘଣ୍ଟଧ୍ୱନି ଶୁଣି । ବାଲକୋନୀକୁ ଆସି ସାମ୍ନାରେ ଥିବା ପଡ଼ିଆକୁ ଚାହିଁଲା ସେ । ଷଷ୍ଠୀପୂଜା ଅବସରରେ ବୈଦିକ ରୀତିନୀତିରେ ଦୂର୍ଗା ମୂର୍ତ୍ତିକୁ ଜୀବଦାନ ଦେଉଥିଲେ ପୂଜକ । ମା’ଙ୍କ ଆଖିରେ ଆଖି ମିଶାଇ କିଛି ସମୟ ଚାହିଁ ରହିଲା ଅଲିଭା ।

ଧୀରେ ଧୀରେ ନିର୍ଣ୍ଣୟ ନେବା ତା ପାଇଁ ସହଜ ହୋଇଯାଉଥିଲା। ଏକ ଲୟରେ ସେ ଚାହିଁ ରହିଥିଲା ମାଆଙ୍କ ମୂର୍ତ୍ତିକୁ। କ୍ରମେ ବଢି ଚାଲିଥିଲା ଘଂଟ ଘଂଟା ହୁଳହୁଳି ଓ କାହାଳିର ନିନାଦ। ମାଆ ଜୀବଦାନ ପାଇବାର ପୂର୍ବ ଉପଚାର। ଅଲିଭା ଅନୁଭବ କରୁଥିଲା, ତା ଭିତରେ ଯେମିତି ସଂଚରି ଯାଉଛି ଏକ ଜୀବସତ୍ତା। ତା ପେଟ ଭିତରେ ଧୀରେ ଧୀରେ ତିଆରି ହେଉଛି ହାତ ଗୋଡ କାନ ନାକ ଓ ଏକ ଶିଶୁକନ୍ୟାର ସଂପୂର୍ଣ୍ଣ ଅବୟବ। ଧୀରେ ଧୀରେ ମାଟିର ମାଆ ଯେମିତି ସତରେ ଏ ପୃଥିବୀକୁ ବାହାରି ଆସିବାକୁ ଉଚ୍ଛନ୍ନ ହୋଇପଡୁଥିଲେ। ଅଲିଭାକୁ ଲାଗୁଥିଲା ଯେମିତି ମାଆ ତା ପୂରା ସତ୍ତାରେ ସଂଚରି ଯାଉଛନ୍ତି।

ହଠାତ୍‌ ଖଟ ଉପରେ ବାଜି ଉଠିଲା ତା ମୋବାଇଲ୍‌ ଫୋନ୍‌। ତରତର ହୋଇ ଉଠାଇଲା ଅଲିଭା। ଫୋନ୍‌ ସେପଟୁ ଅପରୂପ ପଚାରୁଥିଲେ ସେଇ ପୁରୁଣା ପ୍ରଶ୍ନଟି- କିଛି ନିଷ୍ପତ୍ତି ନେଲ ?

ଅଲିଭା ଏବେବି ପ୍ରକୃତିସ୍ଥ ହୋଇପାରୁ ନଥିଲା। ତା ଭିତରେ ଚାଲିଥିଲା ସମୁଦ୍ର ମନ୍ଥନ। କିଛି ସମୟ ପୂର୍ବରୁ ଅଧିକ ବଳଶାଳୀ ଦିଶୁଥିବା ମହିସାଷୁରର ମୁହଁଟି ଏବେ ଖୁବ୍‌ ପରାଜିତ ଦିଶୁଥିଲା। ଅଲିଭା ଚୁପ୍‌ ରହିଥିଲା ସତ, କିନ୍ତୁ ଏକ ନିର୍ଣାୟକ ଉତ୍ତର ତା ଭିତରେ ଜମାଟ ବାନ୍ଧି ସାରିଥିଲା। ସେ ସ୍ୱାମୀଙ୍କୁ ମାତ୍ର ଗୋଟିଏ ଧାଡିରେ ତା ଉତ୍ତର ଫେରେଇଲା।

“ମାଆ ତ ଜୀବଦାନ ପାଇ ସାରିଛନ୍ତି ଅପରୂପ। ଏବେ ମହୀସାଷୁରକୁ ହତ୍ୟା କରି ବିଜୟର ପର୍ବ ଆରମ୍ଭ କରିବାର ସମୟ।”

ଫୋନ୍‌ କଟି ଯାଇଥିଲା। ପୁତ୍ରପ୍ରାପ୍ତିର ଆସୁରିକ ଓ ଅସ୍ୱାଭାବିକ ଇଚ୍ଛା ରଖୁଥିବା ତା’ର ସ୍ଵାମୀ, ଶାଶୂ, ଶ୍ୱଶୁରଙ୍କୁ ଛାଡି ଘରର ଏରୁଣ୍ଡିବନ୍ଧ ବାହାରକୁ ପଦ ରଖିଲା ଅଲିଭା। ପାଦ ତା’ର ବଢ଼ି ଚାଲିଲା ଆଗକୁ। ଏକ ସାମ୍ୟ ଓ ନିରପେକ୍ଷ ଠିକଣା ଅନୁସନ୍ଧାନରେ। ଯେଉଁଠି ମୂର୍ତ୍ତି ମଧ୍ୟରେ ଦେବୀଙ୍କର ଆବାହନ ହେବ ସଙ୍ଗେ ସଙ୍ଗେ କନ୍ୟା ଭିତରେ ବି ପୁରୁଷ ଦେଖୁଥିବ ଏକ ଦେବୀକୁ। ଆଉ ଯେଉଁଠି ମା’ଟିଏ ତା’ର କନ୍ୟା ସନ୍ତାନକୁ ସଗର୍ବେ ଦେଉଥିବ ଜୀବଦାନ ।

ଫୋନ-୮୨୪୯୮୯୦୮୬୩

Previous ArticleNext Article

Send this to a friend