ଜଙ୍ଗଲୀ ଫୁଲ

Amrita copy

ମୋ ପଡିଶା ଘର ପାଖ ଘର ଖୁବ୍ ପୁରୁଣା ଚାକରର ନୁଆ ସ୍ତ୍ରୀର ନାଁ ଅଙ୍ଗୁରୀ। ତାକୁ ନୂଆ କହିବା ମାନେ ସେ ତା’ର ଦ୍ୱିତୀୟ ସ୍ତ୍ରୀ। କିନ୍ତୁ ଅଙ୍ଗୁରୀର ଏଇଟା ପ୍ରଥମ ବିବାହ। ତେଣୁ ସେ ନୂଆ। ତା’ର ବୋହୂ ହୋଇ ଆସିବାକୁ ତ ବର୍ଷେ ବି ପୂରିନି। ତେଣୁ ସେ ଏବେ ବି ନୂଆ।

ଏଇ ପାଞ୍ଚବର୍ଷ ତଳେ ଯେତେବେଳେ ପରବତି ତା ସ୍ତ୍ରୀର କ୍ରିୟାକର୍ମ କରୁଥିଲା, ଅଙ୍ଗୁରୀର ବାପା ଆସି ସଂସ୍କାର ଶେଷ ବେଳକୁ ପରବତିକୁ କହିଲେ- “ମରି ଯାଇଥିବା ସ୍ତ୍ରୀ ଜାଗାରେ ମୁଁ ମୋ ଝିଅକୁ ଦେଲି। ତୁମର ଆଉ କାନ୍ଦିବା ଦରକାର ନାହିଁ।’

ଅଙ୍ଗୁରୀ ତା ପରେ ପରବତିକୁ ବାହା ହେଇ ଆସିଥିଲା। କିନ୍ତୁ ସେତେବେଳେ ସେ ଖୁବ୍ କମ୍ ବୟସର ଥିଲା ଆଉ ତା’ର ମା’ ଆର୍ଥ୍ରାଇଟିସରେ ଶଯ୍ୟାଶାୟୀ ଥିଲେ। ସେଥିପାଇଁ ତା’ର ବୋହୂ ହେବା ଉତ୍ସବଟା ଟିକେ ଡେରି ହୋଇଥିଲା। ବର୍ଷ ପରେ ବର୍ଷ ପାଞ୍ଚ ବର୍ଷ ବିତିଗଲା। ତା ପରେ ଅଙ୍ଗୁରୀକୁ ପରବତି ସହ ଯିବାର ଥିଲା। ପରବତି ତା ମାଲିକ ସହ ବି କଥା ହେଲା ତା ସ୍ତ୍ରୀକୁ ସହରକୁ ନେଇ ଆସିବ। ନହେଲେ ସେ ନିଜେ ଗାଁକୁ ଚାଲିଯିବ। ମାଲିକ କିନ୍ତୁ ଦୁଇଜଣଙ୍କ ଖାଇବା ଦେବାକୁ ଟିକେ ଅମଙ୍ଗ ହେଲେ। ତେବେ ପରବତି ଯେତେବେଳେ କହିଲା କି, ସେମାନେ ସଭ୍ୟାର୍ଂଟ କ୍ୱାର୍ଟରରେ ରହିବେ ଆଉ ଅଙ୍ଗୁରୀ ତା ଖାଇବା ନିଜେ ବନେଇବ ସେଇଠୁ ମାଲିକ ରାଜି ହେଲେ ସେମାନଙ୍କୁ ରଖିବାକୁ। ତେଣୁ ଅଙ୍ଗୁରୀ ବି ସହରକୁ ଚାଲି ଆସିଲା।

ପ୍ରଥମେ ପ୍ରଥମେ କିଛିଦିନ ଅଙ୍ଗୁରୀ ସବୁବେଳେ ଓଢଣା ଟାଣି ରହୁଥିଲା। କଲୋନୀର ସ୍ତ୍ରୀ ଲୋକମାନଙ୍କୁ ବି ସେ ମୁହଁ ଲୁଚାଉଥିଲା। କିନ୍ତୁ ସମୟ ଗଡିବା ସହ ତା ଓଢଣା ବି ଧୀରେ ଧୀରେ ଉଠିଗଲା। ତା ପାଦର ରୂପା ପାଉଁଜିର ରୁଣୁଝୁଣୁ ଶବ୍ଦରେ ସେ ସମସ୍ତଙ୍କୁ ଆପଣାର କରି ନେଇଥିଲା। ଦିନର ଅଧିକାଂଶ ସମୟ ସେ ତା ଘର ଭିତରେ ରହୁଥିଲା ସିନା କିନ୍ତୁ ଯେତେବେଳେ ବି ବାହାରକୁ ଆସୁଥିଲା ତା ପାଉଁଜିର ରୁଣୁଝୁଣୁ ଶବ୍ଦ ଖାଲି ହସି ଉଠୁଥିଲା।

– ଅଙ୍ଗୁରୀ, ତୁ ଏଇଟା କ’ଣ ପିନ୍ଧିଛୁ?

– ଏଇଟା ମୋ ପାଦରେ ପାଉଁଜି।

– ତୋ ଗୋଡ ଆଙ୍ଗୁଠିରେ ଏଗୁଡା କ’ଣ?

– ଏଗୁଡା ଝୁଂଟିଆ। ମୋ ଗୋଡ ମୁଦି।

– ତୋ ବାହୁରେ ସେଇଟା କ’ଣ ?

– ଓଃ ଏଇଟା ! ଏଇଟା ମୋର ବାହୁଟି।

– ତୁ ସିନ୍ଥିରେ ସେଇଟା କ’ଣ ପିନ୍ଧିଛୁ?

– ଏଇଟାକୁ ମଥାମଣି କୁହନ୍ତି।

– ଆଜି ତୁ ଅଂଟାରେ କାହିଁକି କିଛି ପିନ୍ଧିନୁ ?

– ଓଃ! ମୋ ଅଂଟାବିଛାଟା ଖୁବ୍ ଓଜନିଆ ଲାଗିଲା ତ। କାଲି ପିନ୍ଧିବି। ଆଜି ମୁଁ ମୋ ଚେନ୍ ବି ପିନ୍ଧିନି। ଟିକେ ଭାଙ୍ଗି ଯାଇଛି ତ। କାଲି ବଜାରରୁ ତିଆରି କରି ଆଣିଲେ ପିନ୍ଧିବି। ମୋର ଗୋଟେ ନାକଫୁଲ ବି ଥିଲା। ଖୁବ୍ ବଡ ସେଇଟା। ହେଲେ ସେଇଟା ମୋ ଶାଶୂଙ୍କ ପାଖରେ ଅଛି।

ଖୁବ୍  ଉତ୍ସାହ ଆଉ ଯତ୍ନରେ ଅଙ୍ଗୁରୀ ତା’ର ରୂପା ଗହଣା ସବୁକୁ ଗୋଟେ ପରେ ଗୋଟେ ଦେଖାଉଥିଲା।

ଋତୁ ବଦଳିବା ସହ ଅଙ୍ଗୁରୀ ଧୀରେ ଧୀରେ ସେ ଘର ଭିତରେ ଅଣନିଃଶ୍ୱାସୀ ହେଇ ପଡୁଥିଲା। ବାହାରକୁ ବାହାରି ମୋ ଘର ବାହାରେ ସେପଟକୁ ବସୁଥିଲା। ସେଠି ଥିଲା ଗୋଟେ ଡେଙ୍ଗା ନିମ୍ୱଗଛ ଆଉ ଗୋଟେ ପୁରୁଣା କୁଅ। କଲୋନୀରେ କେହି ବି ସେ କୂଅକୁ ବ୍ୟବହାର କରୁନଥିଲେ। କିନ୍ତୁ ରାସ୍ତାରେ କାମ କରୁଥିବା ଶ୍ରମିକମାନେ ସେମାନଙ୍କ ଶୋଷ ମେଣ୍ଟାଇବାକୁ ସେଇଟିକୁ ବ୍ୟବହାର କରୁଥିଲେ। ସେମାନେ ସବୁଆଡେ ପାଣି ଢାଳି ଦେଉଥିଲେ। ଚାରିଆଡ ଥଣ୍ଡା ଲାଗୁଥିଲା।

“କ’ଣ ପଢୁଛ କି ମାଆ?’ ଦିନେ ମୁଁ ଗଛ ତଳେ ଠିଆ ହେଇଥିଲା ବେଳେ ଅଙ୍ଗୁରୀ ପଚାରିଲା।

“ତୁ ପଢିବୁ?’ ମୁଁ ତାକୁ ପଚାରିଲି।

“ମୁଁ ତ ପଢିବା ଜାଣିନି।’

“ଶିଖି ଯାଉନୁ।’

“ନା।’

“କାହିଁକି?’

“ସ୍ତ୍ରୀ ଲୋକମାନେ ପାଠ ପଢିବା ପାପ।’

“ପୁରୁଷ ମାନଙ୍କ ପାଇଁ ପାପ ନୁହେଁ?’

“ନାଁ, ନୁହେଁ।’

“ତତେ ଏ କଥା କିଏ କହିଲା?’

“ମୁଁ ଜାଣିଛି।’

“ତାହେଲେ ମୁଁ ଏବେ ପଢୁଛି ତ ମୋର ପାପ ହେବ?’

“ନା, ସହରୀ ସ୍ତ୍ରୀ ପାଇଁ ଏଇଟା ପାପ ନୁହେଁ। କିନ୍ତୁ ଗାଁର ସ୍ତ୍ରୀ ମାନଙ୍କ ପାଇଁ ପାପ।’

ମୁଁ ହସିଲି। ଅଙ୍ଗୁରୀ ବି। ସେ ଯାହା ସବୁ ଶୁଣିଛି ଆଉ ଜାଣିଛି ସେ ବିଷୟରେ ତା’ର ଟିକେ ବି ସନ୍ଦେହ ନଥିଲା। ତେଣୁ ମୁଁ ତାକୁ ଆଉ କିଛି କହିଲିନି। ସେ ଯଦି ତା ନିଜ ଭାବନାକୁ ନେଇ ଖୁସି ରହି ପାରୁଛି ଆଉ ହସି ପାରୁଛି ସେଇଟା ହିଁ ଭଲ।

ମୁଁ ତା’ର ହସ ହସ ମୁହଁକୁ ଚାହିଁ ରହିଥିଲି। ତା’ର କଳା ରଙ୍ଗର ଦେହରେ ମାଂସ ସବୁ ଅଟାଗୁଳା ପରି ଲାଗୁଥିଲା। କୁହାଯାଏ କି ସ୍ତ୍ରୀ ଲୋକ ଗୋଟେ ଚକଟା ଅଟାର ଗୁଳା ପରି। ହେଲେ ବେଳେବେଳେ ଅଟା ପାଣିଆ ହେଇଗଲେ ଗୋଲ ଗୋଲ ରୁଟି ବେଲିବାରେ ଅସୁବିଧା ହୁଏ। ବେଳେ ବେଳେ ବାସି କି ଆମ୍ୱିଳା ହେଇଗଲେ ବି ଅସୁବିଧା ହୁଏ ରୁଟି ବନେଇବାକୁ। ପୁଣି କିଛି ନାରୀଙ୍କ ଚମଡା ସଂପୂର୍ଣ୍ଣ ଚକଟା ଯାଇଥିବା ଅଟା ପରି ଚିକ୍କଣ ଆଉ ଟାଇଟ୍। ଖାଲି ରୁଟି କ’ଣ ପୁରି ବି ବନେଇବାକୁ ଭଲ ଲାଗିବ। ମୋ ନଜର ଧୀରେ ଧୀରେ ଅଙ୍ଗୁରୀର ମୁହଁରୁ ଆସି ତା’ର ଉନ୍ନତ ସ୍ତନଦୁଇକୁ ଛୁଇଁ ତା ବାହୁ ଉପରେ ଅଟକିଥିଲା। ତା ଶରୀରଟା ବି ଏମିତିକା ଭଲକରି ଚକଟା ଯାଇଥିବା ଅଟାଗୁଳା ପରି। ମୁଁ ପରବତିକୁ ବି ଦେଖିଛି। ସେ ଖୁବ୍ ଗେଡା ଆଉ ପତଳା। ଏମିତି ନରମ ଅଟାର ରୁଟି ଖାଇବାକୁ ସେ ତ ବିଲକୁଲ ବି ଫିଟ୍ ନୁହେଁ। ମୁଁ ବି ମାଂସ ଆଉ ଅଟାକୁ ତୁଳନା କରୁଛି ଭାବିକି ନିଜେ ନିଜେ ହସିଦେଲି ଟିକେ।

ମୁଁ ତାକୁ ତା ଗାଁ କଥା ପଚାରିଲି। ତା ବାପା ମା, ଭାଇ ଭଉଣୀ, ଗାଁର ସବୁଜ କ୍ଷେତ। ମୁଁ ଦିନେ ତାକୁ ପଚାରିଲି-“ଅଙ୍ଗୁରୀ, ତୁମ ଗାଁରେ ବାହାଘର କେମିତି ହୁଏ?’

– ଝିଅଟିଏ ଯେତେବେଳେ ଛୋଟ ଥାଏ, ମାନେ ଏଇ ପାଞ୍ଚ ବର୍ଷର ହେଇଯାଏ, ସେ ଜଣେ ପୁଅର ପାଦ ପୂଜା କରେ।

– ପାଦ କେମିତି ପୂଜା କରେ?

– ଶୁଣ, ସେ କିଛି ଜାଣି ନଥାଏ ଏ କଥା। ତା’ର ବାପା ଗୋଟେ ପୂଜା ଥାଳିରେ ଫୁଲ ଭର୍ତ୍ତି କରି ଆଉକିଛି ଟଙ୍କା ରଖି ଦେଇ ସେ ଲୋକ ସାମ୍ନାରେ ରଖି ଦିଅନ୍ତି।

– ତା ମାନେ ତା ବାପା ସେ ଲୋକର ପାଦ ପୂଜା କରେ। ତେବେ ଝିଅର ଏଠି କି କାମ ରହିଲା ?

– ଝିଅ ପାଇଁ ତା ବାପା ଏ ପୂଜା କରନ୍ତି।

– କିନ୍ତୁ ସେ ଝିଅ ତ ପୁଅକୁ ଦେଖି ବି ନଥାଏ।

– ଝିଅଟି କେବେ ବି ସେ ପୁଅକୁ ଦେଖେନାହିଁ।

– ବାହା ହେବାକୁ ଯାଉଥିବା ପୁଅକୁ ସେ ଝିଅ ଆଗରୁ ଦେଖି ପାରିବନି?

– ନା।

– କେହି ବି ଝିଅ ଦେଖନ୍ତିନି ? କେବେ ବି ନୁହେଁ ?

– ନାଁ। କ’ଣ ଟିକେ ଭାବି ଅଙ୍ଗୁରୀ ପୁଣି କହିଲା, ପ୍ରେମ କରୁଥିବା ଝିଅମାନେ ଦେଖିପାରନ୍ତି।

– ତୁମ ଗାଁରେ ଝିଅମାନେ ପ୍ରେମ କରନ୍ତି?

– ଖୁବ୍ କମ୍।

– ଝିଅମାନଙ୍କ ପାଇଁ ପ୍ରେମ କରିବା ପାପ ନୁହେଁ?

– ହଁ, ଏଇଟା ଗୋଟେ ପାପ। ଗୋଟେ ବଡ ପାପ। ଅଙ୍ଗୁରୀ ଏକା ରାହାରେ କହିଗଲା।

– ସେମାନେ ପାପ କରନ୍ତି କାହିଁକି ?

– ଶୁଣ, ସେ କ’ଣ ହୁଏ କି, ଯେତେବେଳେ ଗୋଟେ ପୁଅପିଲା ଗୋଟେ ଝିଅକୁ କିଛି ଖାଇବାକୁ ଦିଏ, ସେ ଝିଅଟା ତା ପ୍ରେମରେ ପଡିଯାଏ।

– କଣ ଖୁଆଇ ଦିଏ ସେ ତାକୁ?

– ଗୋଟେ ଜଙ୍ଗଲି ଫୁଲ। ସେ ପୁଅଟା ତାକୁ ଗୋଟେ ମିଠେଇ କି ପାନ ଭିତରେ ରଖି ସେ ଝିଅକୁ ଖାଇବାକୁ ଦେଇଦିଏ। ତାକୁ ଖାଇଲା ପରେ ସେ ଝିଅ ସେ ପୁଅକୁ ପସନ୍ଦ କରିବାକୁ ଲାଗେ। ସାରା ଦୁନିଆରେ ତାକୁ ସେ ପୁଅ ଛଡା ଆଉ କେହି ଭଲ ଲାଗନ୍ତିନି।

– ସତରେ?

– ମୁଁ ଜାଣିଛି ଏ କଥା। ମୁଁ ନିଜ ଆଖିରେ ବି ଦେଖିଛି।

– କ’ଣ ଦେଖିଛୁ?

– ମୋର ଗୋଟେ ସାଙ୍ଗ ଥିଲା। ମୋଠୁ ଟିକେ ଡେଙ୍ଗୀ ହେଇକି ସେ।

– ସେଇଠୁ?

– ସେଇଠୁ କ’ଣ.. ସେ ଗୋଟେ ପୁଅକୁ ତା ମନ ଦେଇ ବସିଲା। ତା ସହ ଘରୁ ଲୁଚିକି ସହରକୁ ପଳେଇଲା।

– ତୁ କେମିତି ଜାଣିଲୁ ଯେ ତୋ ସାଙ୍ଗ ସେଇ ଜଙ୍ଗଲି ‘ଫୁଲ ଖାଇଥିଲା?

– ସେ ଟୋକାଟା ଗୋଟେ ବରଫି ଭିତରେ ରଖି ସେ ଜଙ୍ଗଲି ଫୁଲଟା ଦେଇଥିଲା। ଆଉ ନହେଲେ କ’ଣ ସେ ତା ବାପା ମା’ଙ୍କୁ କେବେ ଛାଡି ଯାଇ ପାରିଥାନ୍ତା? ସେ ଟୋକା ତା ପାଇଁ ସହରରୁ କେତେ କ’ଣ ସବୁ ଆଣୁଥିଲା। ଶାଢି, ଚୁଡି, ମୋତିମାଳ ଏମିତି କେତେ କ’ଣ ସବୁ।

– ହେଲେ ସେ ସବୁକୁ ତ ଉପହାର କୁହାଯାଇ ପାରିବ। ତୁ କେମିତି ଜାଣିଲୁ ଯେ ସେ ତାକୁ ସେ ଜଙ୍ଗଲି ଫୁଲଟା ଖୁଆଇ ଦେଇଛି ବୋଲି?

– ସେ ଯଦି ତାକୁ ସେ ଫୁଲଟା ଖୁଆଇ ନଥାନ୍ତା, ମୋ ସାଙ୍ଗ କାହିଁକି ତାକୁ ଭଲ ପାଇଥାନ୍ତା ?

– ଜଣେ ସେମିତି ବି ଆଉ ଜଣଙ୍କୁ ଭଲ ପାଇପାରିବ।

– ନା, ସେମିତି କ’ଣ ହୁଏ? ଏମିତି କେମିତି ଜଣେ ଜଣଙ୍କୁ ଭଲ ପାଇଯିବ ? ବାପା ମା’ଙ୍କୁ ଖୁବ୍ କଷ୍ଟ ହେବ ଯେ।

– ତୁ କେବେ ସେ ଜଙ୍ଗଲି ଫୁଲ ଦେଖିଛୁ?

– ନାଁ, ମୁଁ କେବେ ଦେଖିନି। ସେଇଟା ଖୁବ୍ ଦୂରରୁ ଆଣିବାକୁ ପଡେ। ତା ପରେ ସେଟାକୁ ଗୋଟେ ପାନ କି ମିଠା ଭିତରେ ଲୁଚେଇକି ରଖିଦିଆ ଯାଏ। ମୁଁ ଛୋଟ ଥିଲାବେଳେ ମା ମତେ ତାଗିଦ୍ କରିଦେଇଥିଲା କୌଣସି ପୁଅ ପିଲାଠୁ ମିଠା କି ପାନ ନ ନେବା ପାଇଁ।

– କୌଣସି ବଡ ଲୋକଠୁ ମିଠା ନଖାଇ ଖୁବ୍ ଭଲ କରିଛୁ ତୁ। ତୋ ସାଙ୍ଗ କାହିଁକି ୟାକୁ ଖାଉଥିଲା ଯେ?

– ତାକୁ ତା ପାପର ଫଳ ବି ଭୋଗିବାକୁ ପଡିବ ଯେ।

ଅଙ୍ଗୁରୀ କହିଲା। କିନ୍ତୁ ତା ମନରେ ତା ସାଙ୍ଗ ପାଇଁ ସହାନୁଭୂତି ବି ଥିଲା। ସେ ଟିକେ ମନଦୁଃଖ କରି କହିଲା- ବିଚାରିଟା ପାଗେଳି ହେଇଗଲା। ମୁଣ୍ଡ ବାଳକୁ ସବୁବେଳେ ମୁକୁଳା କରି ବୁଲେ। ରାତି ଅଧରେ ନିଦରୁ ଉଠି କ’ଣ ଗୁଣୁ ଗୁଣୁ ହୁଏ ଗୀତ ଗାଇଲା ପରି।

– କି ଗୀତ ବୋଲେ?

– ମୁଁ ଜାଣିନି। ଯିଏ ବି ସେ ଜଙ୍ଗଲୀ ଫୁଲ ଖାଏ, ସେ ଖୁବ୍ ଗୀତ

ଗାଏ। ଖୁବ୍ କାନ୍ଦେ ବି।

ତାର କଥାବାର୍ତା ଧୀରେ ଧୀରେ ଗୀତ ଗାଇବାରୁ ଯାଇ କାନ୍ଦିବାରେ ପହଁଚିବା ଦେଖି ମୁଁ ଆଉ ଅଧିକା କିଛି ପଚାରିଲିନି।

ଖୁବ୍ ଅଳ୍ପଦିନ ଭିତରେ କିଛି ଗୋଟେ ପରିବର୍ତ୍ତନ ହେଲା ପରି ଲାଗିଲା। ଦିନେ ସେ ଚୁପଚାପ୍ ଆସି ମୋ ପାଖରେ ସେ ନିମ୍ୱଗଛ ତଳେ ବସିପଡିଲା। ଆଗରୁ ସେ ଆସିବା ଆଗରୁ ତା ପାଉଁଜିର ରୁଣୁଝୁଣୁ କୋଡିଏ ହାତ ଦୂରରୁ ସେ ଆସିବା ଖବର ଜଣେଇ ଦିଏ। କିନ୍ତୁ ଆଜି ଗୋଟେ ନିରବତା ଖେଳି ଯାଇଥିଲା ଯେମିତି। ମୁଁ ବହିରୁ ନଜର ହଟେଇ ତା ଆଡେ ଚାହିଁ ପଚାରିଲି,

– କ’ଣ ହେଇଛି ଅଙ୍ଗୁରୀ?

– ମୋତେ ଟିକେ ମୋ ନାଁ ଲେଖିବା ଶିଖେଇ ଦିଅ।

– ତୁ କାହା ପାଖକୁ ଚିଠି ଲେଖିବୁ କି?

ଅଙ୍ଗୁରୀ କିଛି କହିଲାନି। ତା ଆଖିରେ କିଛି ଭାଷା ନଥିଲା।

ଦିନ ଦ୍ୱିପହର ସମୟ ହେବ। ଅଙ୍ଗୁରୀକୁ ସେ ନିମ୍ୱଗଛ ତଳେ ଛାଡି ମୁଁ ଘର ଭିତରକୁ ଆସିଥିଲି। କିଛି ସମୟ ପରେ ପୁଣି ବାହାରକୁ ଆସି ଦେଖେ ତ ସେ ସେଠି ସେମିତି ବସିଛି ମୁହଁକୁ ତଳକୁ ପୋତି। ସକାଳର କୋହଲା ପବନରେ ତା ଦେହଟା କଣ୍ଟେଇ ଉଠୁଥିଲା।

ମୁଁ ତା ପାଖକୁ ଲାଗି ଠିଆ ହେଲି। ତା ପାଟିର ଗୁଣୁଗୁଣୁ ଶବ୍ଦରୁ ସେ ବାହୁନେଇଲା ପରି ମନେ ହେଉଥିଲା।

ମୋ ପାଦ ଶବ୍ଦ ଶୁଣି ସେ ଚାରିଆଡେ ଚାହିଁଲା ଆଉ ତା ଗୀତ ବନ୍ଦ କରି ଦେଲା।

– ତୁ ଖୁବ୍ ଭଲ ଗାଉଛୁ ଅଙ୍ଗୁରୀ।

ନିଜ ଇଚ୍ଛା ବିରୋଧରେ ଅଙ୍ଗୁରୀ ତା ଆଖିର ଲୁହକୁ ବାହାରକୁ ଆସିବାରୁ ଅଟକାଇ ଦେଇ ଛଳନାର ହସ ଟିକେ ହସିଦେଲା।

– ମୋତେ ଗୀତ ବୋଲି ଆସେନି।

– ତୁ ତ ଜାଣିଛୁ…

– ଏଇଟା କିଛି ବି ନୁହେଁ।

– ତୋ ସାଙ୍ଗ ଗୀତ ଗାଉଥିଲା ?

– ମୁଁ ଏଇ ଗୀତଟା ମୋ ସାଙ୍ଗଠୁ ଶୁଣିଥିଲି।

– ତେବେ ମୋ ପାଇଁ ଟିକେ ବୋଲ।

– ଆରେ ଏ ଗୀତରେ କେବଳ ଋତୁଚକ୍ର କଥା କୁହାଯାଇଛି। ଚାରି ମାସ ଥଣ୍ଡା, ଚାରି ମାସ ଗରମ ଆଉ ଚାରିମାସ ବର୍ଷା…

– ଏମିତି ନୁହେଁ। ତୁ ଗାଇ କରି ଶୁଣା ମୋତେ।

– ଅଙ୍ଗୁରୀ ସେ ଗୀତରେ ଋତୁସବୁ ବିଷୟରେ ଗାଇଲା।

– ଅଙ୍ଗୁରୀ !

ଶୂନ୍ୟ ଆଖିରେ ମୋତେ ଚାହିଁଲା ସେ। ମୋର ଇଚ୍ଛା ହେଉଥିଲା ତା କାନ୍ଧରେ ମୋ ହାତ ରଖି ପଚାରିବି, ଆରେ ତୁ କ’ଣ ଯାଇକି ସେ ଜଙ୍ଗଲି ଫୁଲଟା ଖାଇଦେଇଛୁ କି?

ମୁଁ ପଚାରିଲି- କିଛି ଖାଇଛୁ?

– ଖାଇବା?

ଅଙ୍ଗୁରୀ ଚମକି ପଡିଲା। ମୋ ହାତ ତଳେ ତା ଦେହଟା ଥରିବା ପରି ମନେ ହେଉଥିଲା। ଟିକେ ଆଗରୁ ତା ଗୀତରେ ବର୍ଷାର ବାଦ। ଖରା ଦିନ ଝାଞ୍ଜି ଆଉ ଶୀତଦିନର ଥଣ୍ଡାରେ କମ୍ପନ ସୃଷ୍ଟି ହେବାପରି ତା ଦେହ ବି ଥରି ଉଠୁଥିଲା ତା ଗୀତ ସହିତ।

ମୁଁ ଜାଣିଥିଲି ଯେ ପରବତି ସବୁବେଳେ ତା ମାଲିକ ଘରେ ଥାଏ ଆଉ ଅଙ୍ଗୁରୀ ନିଜେ ଘରେ ରୋଷେଇ କରି ଖାଏ। ମୁଁ ପୁଣି ପଚାରିଲି,

– ଆଜି କିଛି ରାନ୍ଧିଛୁ ନା ନାଇଁ?

– ନାଁ, ଏଯାଏଁ କିଛି କରିନି।

– ସକାଳେ ରାନ୍ଧିଥିଲୁ? ଚା ପିଇଛୁ?

– ଚା? ଆଜି କ୍ଷୀର ନଥିଲା।

– କ୍ଷୀର କାହିଁକି ନଥିଲା ?

– ମୁଁ କ୍ଷୀର କିଣେନି।

– ସବୁଦିନ ତୁ ଚା ପିଉନା କି?

– ପିଏ।

– ତେବେ ଆଜି କ’ଣ ହେଲା?

– ସେ ରାମତାରା କ୍ଷୀର ଆଣିଦିଏ।

ରାମତାରା ଆମ କଲୋନୀର ଚୌକିଦାର। ଆମେ ସମସ୍ତେ ମିଶି ତା ଦରମା କଥା ବୁଝୁ। ରାତିରେ ସେ କଲୋନୀ ସାରା ବୁଲେ। ତେଣୁ ସକାଳୁ ଖୁବ୍ ହାଲିଆ ହେଇ ଯାଇଥାଏ। ମୋର ମନେ ଅଛି, ଅଙ୍ଗୁରୀ ଆସି ଏଠି ରହିବା ଆଗରୁ ରାମତାରା ସବୁବେଳେ ଚା ପିଇବାକୁ ୟା ତା ଘରେ ଯାଇ ପହଁଚି ଯାଉଥିଲା। ତା ପରେ ଖଟିଆକୁ କୂଅ ପାଖେ ପକେଇ ଶୋଇଯାଏ ଦିନସାରା। ଅଙ୍ଗୁରୀ ଆସିବା ପରେ ସେ ସବୁଦିନ ଗଉଡଠୁ କ୍ଷୀର କିଣିବା ଆରମ୍ଭ କରିଛି। ଅଙ୍ଗୁରୀ ତା ଚୁଲିରେ ଚା ବନାଏ। ସେ ଚୁଲି ଚାରିପଟେ ସେ, ପରବତି ଆଉ ରାମତାରା ବସି ଚା ପିଅନ୍ତି। ମୋର ଏ କଥା ବି ମନେ ପଡିଗଲା ଯେ, ରାମତାରାର ଏଇ ତିନିଦିନ ହେଲା ଦେଖାନାହିଁ। ସେ ଛୁଟିରେ ତା ଗାଁକୁ ଯାଇଥିଲା।

ଖୁବ୍ କଷ୍ଟରେ ଟିକେ ହସି ମୁଁ ତାକୁ ପଚାରିଲି,

– ଅଙ୍ଗୁରୀ, ତୁ ତିନିଦିନ ହେଲା ଚା ପିଇନୁ?

ସେ କିଛି କହିଲାନି। ଖାଲି ମୁଣ୍ଡ ହଲେଇଲା।

– କିଛି ବି ଖାଇନୁ ତୁ?

ସେ ଆଉ କିଛି ବି କହିଲାନି। କିନ୍ତୁ ଲାଗୁଥିଲା ସେ ଯଦି କିଛି ଖାଇ ବି ଥିବ ସେ କିଛି ବି କାମକୁ ନୁହୈଁ। ମୋର ରାମତାରା କଥା ମନେ ପଡିଗଲା। ଗୋଟେ ହସ ଚଞ୍ଚଳ ଚେହେରା। ଆଖି ଯୋଡିକ ଶାନ୍ତ। ଭାରି ଭଲ କଥାବାର୍ତ୍ତା।

– ଅଙ୍ଗୁରୀ !

– ହୁଁ !

– ତୁ କଣ ଯାଇକି ସେ ଜଙ୍ଗଲୀ ଫୁଲଟାକୁ ଖାଇ ଦେଇଛୁ କି?

ତା ଆଖିରୁ ଲୁହର ଗୋଟେ ଧାର ବାହାରି ଗାଲ ଦେଇ ଓଠକୁ ଛୁଇଁ ବହିଗଲା। କେତୋଟି ଓଦା ଶବ୍ଦ ତା ପାଟିରୁ ବାହାରି ଆସିଲା,

– ମୁଁ ରାଣ ଖାଇ କହୁଛି ମୁଁ ତା ହାତରୁ କେବେବି ମିଠେଇ ଖାଇନି। ପାନ ବି ଖାଇନି। ଖାଲି ଚା… ତେବେ କ’ଣ ସେ ଚା’ରେ ଫୁଲ ମିଶିଥିଲା !

ଅଙ୍ଗୁରୀ ନିବାର୍କ ହେଇଯାଇଥିଲା। ତା ସ୍ୱରଟା ଯେମିତି ତା ଆଖି ଲୁହରେ ସଲିଳ ସମାଧି ନେଇ ସାରିଥିଲା।

Previous ArticleNext Article

Send this to a friend