ନିମନ୍ତ୍ରଣ

– ଯଦୁ ବାବୁଙ୍କୁ ଏଇ ରବିବାର ଘରକୁ ଖାଇବାକୁ ଡ଼ାକିବା।

– ନା, ଏ ରବିବାର ହେବନି। ଏ ରବିବାର ମାର୍କେଟିଂ ଅଛି। ରନି ଜନ୍ମଦିନ ଆଗକୁ। ତା’ ଡ୍ରେସ୍ କିଣାକିଣି, ଆହୁରି ଅନେକ କିଛି ଘର ପାଇଁ ଟୁକୁରା ମୁକୁରା କିଣିବାର ଅଛି। ଆର ରବିବାର ତାଙ୍କୁ ଡାକିବ। କହିଲେ ରଚନା।

– ହଉ ଠିକ‌୍‍ ଅଛି।

କଲିଂ ବେଲ‌୍‍ ବାଜିଲା। ରଚନା କବାଟ ଫିଟେଇ ନିଜ ଭାଇକୁ ଦେଖି ଅତି ଖୁସି ହୋଇଗଲେ। ଗାଁରୁ ଜିତୁ ଆସିଥିଲା, ବ୍ୟାଗ‌୍‍ରେ ପନିପରିବା, ଶାଗମୁଗ ଆହୁରି କେତେକ’ଣ। ବାପଘରୁ ଶାଶୁଘରକୁ କେହି ଆସିଲେ ଭଲ ଲାଗେ। ପନିପରିବା ଓ ଅନ୍ୟାନ୍ୟ ଭଲମନ୍ଦ ଧରି ଆସିବା ଓଡ଼ିଆ ଘରର ଏକ ଚଳଣି। ଆଜିକାଲି ପରିବା ଯେଉଁ ଦର, ତା’ ସହିତ ଏତେ ପରିମାଣର ପରିବା ଦେଖି ରଚନା ଅତ୍ୟଧିକ ଖୁସି ହୋଇ ଯାଇଥିଲେ। ସ୍ତ୍ରୀ ଲୋକଙ୍କର ଗୋଟେ ଗୁଣ, ଯେତେ ଯୁଆଡେ଼ ଗଲେ ବି ରୋଷେଇ ଘର ପ୍ରତି ତାଙ୍କ ମମତା ଟିକେ ଅଧିକ ଥାଏ। ରୋଷେଇ ଘରର ପ୍ରତିଟି ଜିନିଷ ତାଙ୍କ ନଖ ଦର୍ପଣରେ ଥାଏ। ରୋଷେଇ ଘର ସହିତ ଜଡ଼ିତ କୌଣସି ଗୋଟିଏ ଜିନିଷ ଯଦି ସୁବିଧାରେ ମିଳିଯାଏ, ତେବେ ସେମାନଙ୍କ ଖୁସି କହିଲେ ନ ସରେ। ରୋଷେଇ ଘର ମାଡୁ ନଥିବା ଚାକିରିଆ ସ୍ତ୍ରୀ ଲୋକଙ୍କ କଥା ଅଲଗା, ଘରକରଣାରେ ଦିନରାତି ବୁଡ଼ି ରହୁଥିବା ସ୍ତ୍ରୀଲୋକ ନିଜ ରୋଷେଇ ଘର ପ୍ରତି ଅଧିକ ସଚେତନ ଥାଆନ୍ତି। ସେଇ ସୂତ୍ରରେ ଭାଇ ସହିତ ବ୍ୟାଗ‌୍‍ ଭର୍ତ୍ତି ପରିବାକୁ ଦେଖି ରଚନା ଅଧିକ ଖୁସି ହେବା ସ୍ୱାଭାବିକ।

ଜିତୁ ଆସିଥିଲା ଇଣ୍ଟରଭ୍ୟୁ ପାଇଁ। ବହୁତ ଇଣ୍ଟରଭ୍ୟୁ ଦେଲାଣି। କେଉଁଠି କୁଳରେ ଲାଗିଗଲେ ଯାଆନ୍ତା। ସୋମବାର ଜିତୁର ବ୍ୟାଙ୍କ‌୍‍ କ୍ଲରିକାଲ‌୍‍ ଇଣ୍ଟରଭ୍ୟୁ। ଜିତୁକୁ ପଚାରି ଚାଲିଥିଲେ ରଚନା ଗାଁ କଥା। ବୋଉ ଦେହ କେମିତି ଅଛି? ଅଣ୍ଟା ଦରଜ କମିଛି କି ନାହିଁ। ବାଡ଼ିପଟ ଆମ୍ୱ ଗଛରେ ବଉଳ କଷି ଧରିଲାଣି ନା! ଚଉରା ପାଖରେ ଯେଉଁ ମଲ୍ଲୀଗଛଟା ଲଗେଇଥିଲି, ସେଥିରେ ପାଣି ଦେଉଛୁ ତ, ଦେବ ଲେଙ୍କା ଝିଅ କାହାକୁ ଭଲ ପାଉଥିଲା, ଗାଁରେ ଅଛି ନା ତା’ ସାଥୀରେ ପଳେଇଛି- ଏମିତି ଅନେକ ପ୍ରଶ୍ନ। ପ୍ରଗଳ୍ଭ ହୋଇ ପଚାରି ଚାଲିଥିଲେ ଗାଁର ଟିକିନିକି କଥା। ତାଙ୍କ କଥାରେ ବ୍ରେକ‌୍‍ ଦେଇ ମୁଁ କହିଲି- ଏ ଜିତୁ ! ଯା’ ପ୍ୟାଣ୍ଟ‌ସାର୍ଟ ଖୋଲି ବରମୁଡ଼ାଟା ପିନ୍ଧି ଦେ।

ଜିତୁ ଆସିଲା ବେଳୁ ସେମିତି ଧୁଆଧୋଇ ନହେଇ ସୋଫାରେ ଗଡ଼ପଡ଼ ହୋଇ ଅଳସ ଭାଙ୍ଗୁଥିଲା। ମୋ କଥାରେ ହଠାତ ରଚନାଙ୍କ ଚେତା ପଶିଲା ନା କ’ଣ, କହିଲେ- ହେଇଟି ମୁଁ ଏ ପର୍ଯ୍ୟନ୍ତ ଜିତୁକୁ ଖାଇବା କଥା ପଚାରିନି। ଯା’ ଧୋଇଧାଇ ହେଇ ଆ, ମୁଁ ଖାଇବା ବାଢ଼ି ଦେଉଛି। ଜିତୁ କହିଲା- ନାଇଁ… ବସ‌୍‍ରୁ ଓହ୍ଲାଇଲା ପରେ ବିଶ୍ୱନାଥ କ୍ୟାଣ୍ଟିନ‌୍‍ରେ ଜଳଖିଆ ଖାଇଥିଲି।

– କିନ୍ତୁ ବିଶ୍ୱନାଥ କ୍ୟାଣ୍ଟିନ‌୍‍ ଆଉ ଭଲ ପ୍ରିପାରେସନ‌୍‍ କରୁନି। ଟେଷ୍ଟ‌୍‍ ସୁଦୁ ବାଜେ କଲାଣି। କଥା ଯୋଡ଼ିଲେ ରଚନା।

ବିଶ୍ୱନାଥ କ୍ୟାଣ୍ଟିନ‌୍‍ ଏକଦା ଥିଲା ସେଇ ଛୋଟ ସହରଟିର ଏକମାତ୍ର ଭଲ ରେଷ୍ଟୁରାଣ୍ଟ‌। ବସଷ୍ଟାଣ୍ଡ‌୍‍ ନିକଟରେ ଅବସ୍ଥିତ ଥିବାରୁ ଯିବା ଆସିବା ଲୋକେ ଓ ବାହାରୁ ବନ୍ଧୁ ଘରକୁ ବୁଲି ଆସୁଥିବା କୁଣିଆ ମଇତ୍ରମାନେ ବି ସେଇ ହୋଟେଲର ମିଠା ଓ ଜଳଖିଆ ଉପରେ ନିର୍ଭର କରୁଥିଲେ। ମାତ୍ର ବୁଢ଼ା ଯିବା ପରେ ତା’ ପୁଅମାନେ ସେ କ୍ୟାଣ୍ଟିନ ପ୍ରତି ଏତେ ଦୃଷ୍ଟି ନଦେବାରୁ ଖାଦ୍ୟର ମାନ ନିମ୍ନ ସ୍ତରକୁ ଚାଲି ଆସିଥିଲା।

ରୋଷେଇ ଘରେ ରଚନା ବ୍ୟସ୍ତ ଥିଲେ। ଜିତୁ ଧୁଆଧୋଇ ହୋଇ ସୋଫାରେ ବସି ଟିଭି ଦେଖୁଥିଲା। ଅଫିସ‌୍‍ ଟାଇମ‌୍‍ ହୋଇ ଯାଇଥିଲା, ମୁଁ ଅଫିସ‌୍‍ ବାହାରିଲି।

– ରନିକୁ ଆଜି ତୁ ସ୍କୁଲରୁ ନେଇ ଆସିବୁ। ଜିତୁକୁ କହିଦେଇ ଗଲି।

ଅଫିସ‌୍‍ରେ ପହଞ୍ଚିଲା ବେଳକୁ ୧୦ଟା ୧୫। ରିସେପସେନିଷ୍ଟ‌୍‍ କହିଲା- ସାର‌୍‍ ଆପଣଙ୍କର ଲେଟର ଅଛି, ନେଇ ଯାଆନ୍ତୁ। ଚିଠିଟି ଆଣିଲି। ସାନଭାଇ ଲେଖିଥିଲା, ଚେନ୍ନାଇରୁ। କିଛି ପଇସା ପଠାଇବାକୁ ଲେଖିଥିଲା। ସେ ସେଠି ହଷ୍ଟେଲରେ ରହି ଇଂଜିନିୟରିଂ କରୁଥିଲା।

ଏ ମାସରେ ତା’ ହେଲେ ଖର୍ଚ୍ଚ ବଢ଼ିଯିବ। ରନିର ଜନ୍ମଦିନ, ଲିପୁ ପାଖକୁ ପଇସା ପଠାହେବ, ତା’ ସହିତ ବାଇକ‌୍‍ଟା ବି ସଜଡ଼ା ହେବ। ଗାଁ ଘର ମରାମତିରେ ବି କିଛି ପଇସା ଖର୍ଚ୍ଚ ହେବ। ଘର ମରାମତି ପାଇଁ ବାପା ଆଗରୁ ପଇସା ପଠେଇବାକୁ କହି ସାରିଛନ୍ତି।

ପାଖ ସିଟ‌୍‍ରେ ବସିଥିଲେ ଯଦୁବାବୁ। କହିଲେଋ- କ’ଣ ଆଜି ଏତେ ଗୁମ‌୍‍ସୁମ‌୍‍।

– ନାଁ, ମିଡ଼ିଲ‌୍‍ କ୍ଲାସ‌୍‍ ଫ୍ୟାମିଲିରେ କେତେ ପ୍ରୋବ୍ଲେମ‌୍‍, ଆପଣ ତ ଜାଣିଛନ୍ତି।

– ସମସ୍ୟାଟା କ’ଣ ଆର୍ଥିକ?

– ହଁ।

– କେତେ ପଇସା ଦରକାର?

– ଏଇ ପାଞ୍ଚ ହେଲେ ଚଳିବ।

– ଠିକ‌୍‍ ଅଛି, ଲଞ୍ଚ ଟାଇମ‌୍‍ରେ ମୁଁ ଏଟିଏମ‌୍‍ରୁ ଉଠେଇ ଆପଣଙ୍କୁ ପାଞ୍ଚ ହଜାର ଦେଇଦେବି।

ହଠାତ ମୋ ମୁଣ୍ଡରୁ ଏକ ବୋଝ ଓହ୍ଲାଇଗଲା ପରି ଲାଗିଲା।

ଲଞ୍ଚ ବ୍ରେକ‌୍‍ରେ ଯଦୁ ବାବୁ ଆଉ ମୁଁ ସାଙ୍ଗ ହୋଇ ଖାଇବାକୁ ଗଲୁ। ଖାଇସାରି ତାଙ୍କ ବାଇକ‌୍‍ରେ ଏଟିଏମ‌୍‍ ଗଲୁ। ସେଠୁ ପଇସା ଉଠେଇ ଯଦୁ ବାବୁ ମୋତେ ଦେଲେ।

ସେଦିନ ଅଫିସରୁ ଫେରୁ ଫେରୁ ସନ୍ଧ୍ୟା ସାତ। ମାର୍ଚ୍ଚ ମାସ କ୍ଲୋଜିଂ ଟାଇମ‌୍।। କମ୍ପ୍ୟୁଟର ପରଦାରୁ ଆଖି ହଟୁନଥାଏ।  ସବୁ ଫାଇଲ‌୍‍ ଅପ-ଟୁ-ଡେଟ‌୍‍ କରି ଆକାଉଣ୍ଟ‌୍‍ କ୍ଲିଅର ପାଇଁ ଉପରୁ ନିଦ୍ଦେର୍ଶ ଥିଲା। ତଥାପି ଆଉ ପାଞ୍ଚଟି ଫାଇଲ ରହିଗଲା। ଅରୁଣ ବାବୁ ସାହାଯ୍ୟ କରିବେ ବୋଲି କହିବାରୁ ତାଙ୍କୁ କାମ ହସ୍ତାନ୍ତର କରି ଆସିଲି।

ଘରେ ପହଞ୍ଚିଲା ବେଳକୁ ରାତି ଆଠଟା। ରଚନା କହିଲେ ବାଥରୁମ‌୍‍ ଯାଇ ଫ୍ରେସ‌୍‍ ହେଇ ଆସ। ମୁଁ ରସୁଣ ସୋରିଷ‌ ତେଲ ଗରମ କରି ଦେଉଛି, ପାଦ ଆଉ ଗୋଡ଼ରେ ମାଲିସ‌୍‍ କରିଦେବି। ତିନିଦିନ ହେଲାଣି ତମକୁ ଥଣ୍ଡାଟା ଛାଡୁନି। ବାଥ‌୍‍ରୁମରୁ ଫ୍ରେସ‌୍‍ ହେଇ ବାହାରିଲା ପରେ ଡାଇନିଂ ଟେବୁଲରେ ବ୍ରେଡ‌୍‍ ଓ କଫି ସଜାଡ଼ି ରଖିଥିଲେ ରଚନା।

କଫି ପିଇଲା ବେଳେ ଫୋନ‌୍‍ ବାଜିଲା। ସେପଟୁ ପୁନେରେ ଥିବା ସାଙ୍ଗ ଅଜୟ କହୁଥିଲା- କ’ଣ ସୁବ୍ରତ ବାବୁ, ତମର ଖୋଜ ଖବର ନାହିଁ। ତମେ ସବୁ ବାବୁ ହୋଇ ଗଲଣି। ତୁମକୁ କ’ଣ ଗୋଟେ ପୁରସ୍କାର ମିଳିଥିଲା ବୋଲି ଶୁଣିଥିଲି। ମୁଁ କହିଲି- ତମେ ବାବୁ ନା ଆମେ ବାବୁ। ତମେ ସବୁ ମାସକୁ ୬୦/୭୦ ହଜାର ପାଉଛ। ଆମେ ପନ୍ଦର ହଜାର ଟଙ୍କାର ମୁଣ୍ଡ। ହଁ, ପୁରସ୍କାର ମିଳିଥିଲା ଶ୍ରେଷ୍ଠ ରକ୍ତଦାତା ଭାବରେ। ଅଜୟ କହିଲା, ରକ୍ତଦାନ ମହାପୁଣ୍ୟ। ରକ୍ତଦାନ କରି ଚାଲିଥାଆ। ହଉ, ଜଗତସିଂହପୁର ଗଲେ ଦେଖାହେବ।

ଖଟ ଉପରେ ଗଡ଼ପଡ଼ ହେଉ ହେଉ ନିଦ ଲାଗିଯାଇଥିଲା। ରଚନା ରନି ହୋମ‌୍‍ୱାକ‌୍‍ର୍ ସାରି ଜିତୁକୁ ଖାଇବାକୁ ଦେଇ ମୋତେ ଯେତେବେଳେ ଖାଇବାକୁ ଡାକିଲେ, ମୋର ନିଦ ଭାଙ୍ଗିଲା। ସେତେବେଳକୁ ମୁଁ ଘଣ୍ଟାଏ ଶୋଇ ସାରିଲିଣି। ଦଶଟା ବାଜିଥିଲା।

ଖାଇ ସାରିବା ପରେ ମୁଁ କହିଲି- ଆଜି ଯଦୁବାବୁ ପାଞ୍ଚହଜାର ଟଙ୍କା ଦେଇ ନଥାନ୍ତେ, ଏ ମାସରେ ଟଙ୍କା ନିଅଣ୍ଟ ପଡ଼ିଥାନ୍ତା। ରଚନା ମୋ ଗୋଡ଼ରେ ତେଲ ମାଲିସ‌୍‍ କରୁଥିଲେ। କହିଲେ- ହଁ କୋଉ ମାସରେ ବଳି ପଡୁଛି ଯେ। ମୁଁ ତ କହୁଛି, ମୋତେ ବ୍ୟୁଟିସିଆନ‌୍‍ କୋର୍ସ କରିବାକୁ ଦିଅ। ମୁଁ ହେଲେ ଗୋଟେ ବିଉଟି ପାର୍ଲର ଖୋଲି କିଛି ଇନକମ‌୍‍ କରିବି। ଦି ଜଣଙ୍କ ରୋଜଗାର ହେଲେ ଘରକୁ ତ କିଛି ସାହାଯ୍ୟ ହେବ। ରଚନାଙ୍କ ମୁହଁରେ ଥିଲା ଅଭିମାନ। ରଚନା କାମ କରେ ବୋଲି ମୁଁ ଚାହୁଁନଥିଲି।  ରଚନାର କାମ କରିବା ମୋର ପୁରୁଷତ୍ୱ ପ୍ରତି ଏକ ଆହ୍ୱାନ ଥିଲା। ପୁରୁଷଟିଏ କ’ଣ ଘର ଚଳେଇ ପାରିବ ନାହିଁ। ରୋଷେଇ ଓ ପିଲାଛୁଆ ସମ୍ଭାଳୁଥିବା ନାରୀଟିକୁ ପୁଣି ବାହାରେ କାମ କରିବାକୁ ପଡ଼ିବ। ନାରୀ ସଶକ୍ତିକରଣ ନାଆଁରେ ଯେତେ ଯାହା କୁହାଗଲେ ବି ରଚନାଙ୍କୁ ମୁଁ କାମ କରିବାକୁ ବାହାରକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲି।

ତେଲ ମାଲିସ‌୍‍ ସରିଯାଇଥିଲା। ରଚନା ହାତ ମୁହଁ ଧୋଇ ଶୋଇବାକୁ ଆସିଲେ। ଖଟ ଉପରେ ମୋ ପାଖକୁ ଲାଗି ଆସି କହିଲେ- ତମେ ଆଉ ମୋତେ ଆଗପରି ଭଲ ପାଉନ। ମୁଁ କହିଲି- ତମେ କେମିତି ଜାଣିଲ? ରଚନା କହିଲେ- ଆଗରୁ ମୁଁ ପାଖରେ ଶୋଇଲା ମାତ୍ରେ ତମେ ମୋତେ କୋଳକୁ ଭିଡ଼ି ନଉଥିଲ। ଏବେ ତମେ ଚୁପ‌୍‍ଚାପ‌୍‍ ଶୋଇପଡୁଛ। ମୁଁ କହିଲି- ଏବେ କାମ ପ୍ରେସର‌୍‍ ଅଧିକା ପଡୁଛି। ହାଲିଆ ଲାଗୁଛି। ଖଟ ଉପରେ ପଡ଼ିଲା ମାତେ ନିଦ ଚାଲିଆସୁଛି, ଆଉ ପ୍ରେମ କରିବାକୁ ବେଳ କାହିଁ ଯେ ! ରଚନା ସେପଟକୁ ମୁହଁ ବୁଲେଇ ଶୋଇଲେ। ମୁଁ ଜାଣି ସାରିଲିଣି, କଥାଟା ଅଲଗା ଆଡକୁ ଗତି କରୁଛି। ଆଉ କାଳ ବିଳମ୍ୱ ନକରି ରଚନାଙ୍କୁ ମୁଁ ମୋ ଛାତି ଉପରକୁ ଆଉଜେଇ ଆଣିଲି।

ପରଦିନ ସକାଳୁ ଯଦୁବାବୁ ଫୋନ‌୍‍ କଲେ। କହିଲେ- ମୁଁ ଶୁଣୁଛି, କ’ଣ ମୋର ସମ୍ୱଲପୁର ଟ୍ରାନ୍ସଫର ହୋଇଯାଇଛି। ସମ୍ୱଲପୁର ଅଫିସରେ ଥିବା ସନ୍ତୋଷ ବାବୁ ଜଣେଇଲେ। କାଲି ତାଙ୍କୁ ବଡ଼ବାବୁ ମୋ ଟ୍ରାନ‌୍‍ସଫର ବିଷୟରେ କହୁଥିଲେ। ମୁଁ କହିଲି- ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ହେଡ‌୍‍ ଅଫିସରେ କହି କିଛି ଗୋଟାଏ କରିବା।

କିନ୍ତୁ ଯଦୁବାବୁ ଓ ମୋର ସମସ୍ତ ଉଦ୍ୟମ ନିଷ୍ଫଳ ହେଲା। ଯଦୁ ବାବୁଙ୍କର ସମ୍ୱଲପୁର ବଦଳି ହେଲା। ଅନନ୍ୟୋପାୟ ହୋଇ ସେ ସମ୍ୱଲପୁରରେ କାର୍ଯ୍ୟରେ ଯୋଗଦେଲେ। ମାତ୍ର ତାଙ୍କ ପରିବାର ଏଠି ଜଗତସିଂହପୁରରେ ରହୁଥିଲେ। ମାସେ ପରେ ଘରକୁ ଆସିଥିଲେ ଯଦୁବାବୁ। ଆମ ଘରକୁ ମଧ୍ୟ ବୁଲି ଆସିଥିଲେ। କହିଲେ- ସୁବ୍ରତ ବାବୁ, ଆଉ ଭଲ ଲାଗୁନି। ଚାକିରି ଛାଡିଦେବି। ପ୍ରାଇଭେଟ‌୍‍ ଚାକିରିରେ ଜୁଲୁମ‌୍‍ ଆଉ ସହି ହେଉନି। ମୁଁ କିନ୍ତୁ ତାଙ୍କର ଚାକିରି ଛାଡ଼ିବା ସପକ୍ଷରେ ନଥିଲି। କହିଲି- ଆଉ ଟିକେ ଧର୍ଯ୍ୟ ଧରନ୍ତୁ। ଛଅ ମାସ ପରେ ବୋଧେ ହେଡ‌୍‍ ଅଫିସ‌୍‍ ପୁଣି ଆପଣଙ୍କୁ ଘର ପାଖକୁ ବଦଳି କରିଦେବେ। ମାତ୍ର ତାହା ସମ୍ଭବ ହୋଇ ନଥିଲା।

ଯଦୁ ବାବୁଙ୍କର ଜଗତସିଂହପୁର ବଦଳି ହେଲା ନାହିଁ। ସେ ଚାକିରି ଛାଡି ଦେଇଥିଲେ। ଯଦୁ ବାବୁ ଥିଲେ ଟିକେ ଖିଆଲି ପ୍ରକୃତିର। ଭାବନାରେ ବୁଡ଼ି ରହୁଥିଲେ। ଗପ, କବିତା ଲେଖିବାରେ ତାଙ୍କର ସଉକ ଥିଲା।

ଏ ଭିତରେ ଦୁଇ ମାସ ଅତିକ୍ରାନ୍ତ ହୋଇ ସାରିଥିଲା। ମୁଁ କହିଲି- ଆସନ୍ତା ରବିବାର ଯଦୁ ବାବୁଙ୍କୁ ଖାଇବାକୁ ଡାକିବା। ରଚନା କହିଲେ- ଛାଡ଼ମ, ତାଙ୍କର ତ ଆଉ ଚାକିରି ନାହିଁ, ସେ କ’ଣ ତମର ଆଉ ଷ୍ଟାଫ‌୍‍ ହେଇ ଅଛନ୍ତି? ମୁଁ କହିଲି- ଆମେ ଯେତେବେଳେ ତାଙ୍କ ଘରକୁ ଖାଇବାକୁ ଯାଇଥିଲେ, ତାଙ୍କୁ କଥା ଦେଇ ଆସିଥିଲେ, ଆମ ଘରକୁ ଆସିବେ ବୋଲି।

– ଆଉ ସେକଥା ପକାଅନି, ଯୋଉ ଖାଇବା ତ ଛାଡ଼। ଲୁଣିଆ ମାଛ ଝୋଳକୁ, ସାଧା ଡାଲି, ଭେଣ୍ଡି ଭଜା। ସେଥିରେ ଖାଉ ଖାଉ ଦିନ ତିନିଟା। ଆମକୁ ଦେଖି ତାଙ୍କ ସ୍ତ୍ରୀ ରୋଷେଇ କରିବାକୁ ଗଲେ। ତାଙ୍କୁ ନ ଡ଼ାକିଲେ ଏବେ ପୃଥିବୀ ଅଚଳ ହୋଇଯିବନି।

– ଆରେ ସେଥିରେ କ’ଣ ଅଛି, ଆମେ ନୂଆ ନୂଆ ଏ ଜାଗାକୁ ଆସିଥିଲା ବେଳେ ସେ ପୁଣି ଆମକୁ ଘରକୁ ଡାକିଥିଲେ ନା ନାହିଁ ! ଆମେ କାଳେ ଯିବୁ କି ନଯିବୁ, ସେ ସନ୍ଦେହରେ ସେ ରୋଷେଇ ଆରମ୍ଭ କରିନଥିଲେ। ମାତ୍ର ମାଛ, ସଉଦା ପତ୍ର କିଣିକି ତ ଆଗରୁ ରଖିଥିଲେ।

ରଚନା କହିଲେ- ହଁ ଯେ, ଏ ରବିବାର ରନି ସ୍କୁଲ‌୍‍ରେ ପ୍ୟାରେଣ୍ଟସ‌୍‍ ମିଟିଂ ଅଛି। ରଚନା ହଠାତ‌୍‍ ଟିକେ ଭାବନା ସମୁଦ୍ରକୁ ଚାଲିଗଲା ମୋର ମନେ ହେଲା। ମୁଁ କହିଲି, କ’ଣ ହେଲା, ହଠାତ‌୍‍ ଅନ୍ୟମନସ୍କ ହୋଇଗଲ !

-ଏଇ ଯଦୁ ବାବୁ ସ୍ତ୍ରୀଙ୍କ କଥା ଭାବୁଥିଲି। ବାହାଘରର ସାତ ବର୍ଷ ପରେ ବି ପିଲାପିଲି କିଛି ନାହିଁ। କେମିତି ତାଙ୍କର ମନ ଘରେ ଥୟ ଧରୁଥିବ କେଜାଣି ! ସେଦିନ କଥାବାର୍ତ୍ତା ବେଳେ ଖାଲି ରନି କଥା ପଚାରୁଥିଲେ। ତାଙ୍କ କଥାବାର୍ତ୍ତାରୁ ମୁଁ ଜାଣୁଥିଲି, ପିଲାଟିଏ ପାଇଁ ସେ କେତେ ବ୍ୟାକୁଳ ! ମୁଁ କହିଲି- ଯଦୁ ବାବୁଙ୍କୁ ଥରେ ପିଲା କଥା ପଚାରୁଥିଲି ଯେ, ସେ କହିଲେ ତାଙ୍କ ସ୍ତ୍ରୀଙ୍କ ୟୁଟ୍ରେସ‌୍‍ ଛୋଟ। ସେଥିପାଇଁ ପେଟରେ ପିଲା ରହି ପାରୁନାହିଁ। ଟେଷ୍ଟ‌୍‍ ଟ୍ୟୁବ‌୍‍ ବେବି ପାଇଁ ରାଉରକେଲାରେ କାହାକୁ ଲକ୍ଷେ ଟଙ୍କା ଦେଇ ଠକାମିରେ ପଡ଼ିଛନ୍ତି। ଯଦୁ ବାବୁ ସ୍ତ୍ରୀଙ୍କ କଥା ନେଇ ରଚନା ସ୍ୱଗତୋକ୍ତି କରୁଥିଲେ। ତମେ ଆର ରବିବାର ତାଙ୍କୁ ଡାକିବ, କହି ଉଠିଗଲେ ବାଲ‌୍‍କୋନିକୁ ଲୁଗାପଟା ତୋଳିବା ପାଇଁ।

ରନି ସ୍କୁଲରେ ଆମେ ବାପ ମାଆ ଦୁହେଁ ଅଭିଭାବକ ସମ୍ମିଳନୀରେ ବସିଥାଉ। ସାଇଲେଣ୍ଟ‌୍‍ ଅବସ୍ଥାରେ ଫୋନ‌୍‍ ଦୁଇ ତିନି ଥର ରିଂ ହେଲା। ମାତ୍ର ମିଟିଂ ଚାଲିଥିବାରୁ ମୁଁ ଫୋନ‌୍‍ ରିସିଭ‌୍‍ କରୁନଥାଏ। ଘଣ୍ଟାଏ ପରେ ମିଟିଂ ସରିଲା। ମୁଁ କନଫରେନ୍ସ ହଲରୁ ବାହାରି ଦେଖେ, ଯଦୁ ବାବୁଙ୍କର ଦୁଇ ତିନିଟି ମିସ‌୍‍ଡ କଲ‌୍‍। ମୁଁ ଫୋନ‌୍‍ ଲଗେଇଲି- ସେପଟି ଯଦୁ ବାବୁ କହିଲେ, ସୁବ୍ରତ ବାବୁ ମୁଁ ଆଜି ମୁମ୍ୱାଇ ଚାଲି ଯାଉଛି। କାଲି ଜିନିଷ ପତ୍ର ପଳେଇଛି। ଆଜି ତିନିଟା କୋଡିଏରେ ଟ୍ରେନ‌୍‍। କୋଣାର୍କ ଏକ୍ସପ୍ରେସ‌୍‍ରେ ଯିବି। ମୁଁ କହିଲି- ବମ୍ୱେରେ ଆପଣ କ’ଣ କରିବେ। ତ ସେ କହିଲେ- ମୁଁ ଫିଲ୍ମ ଡିରେକ୍ସନରେ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛି। ମୁଁ କହିଲି- ଆପଣ ପଳଉଛନ୍ତି, ଅଥଚ ଗଲା ବେଳକୁ ଟିକେ ଦେଖା ବି କରିବାର ସୁଯୋଗ ଦେଲେନି। ସେ ହସିଲେ, ନିର୍ମାୟା ହସ। କହିଲେ- ଫୋନ‌୍‍ରେ କଥା ହେବା। ଜଗତସିଂହପୁର ଯଦି କେବେ ଆସେ, ଦେଖା ହେବ। ଫୋନ‌୍‍ କଟିଗଲା।

ସ୍କୁଲ‌୍‍ ବାରଣ୍ଡାର ସେଇ ଖୁଣ୍ଟଟାକୁ ଆଉଜି ମୁଁ ଠିଆ ହୋଇଥିଲି।

ରଚନା ଆସି ପଚାରିଲେ- ଏମିତି କ’ଣ ଠିଆ ହେଇଛ?

ମୁଁ କହିଲି- ଯଦୁ ବାବୁ ଚାଲିଗଲେ।

– ଚାଲିଗଲେ ମାନେ?

– ବମ୍ୱେ ଚାଲିଗଲେ। ପରିବାର ସହିତ ଘର ଛାଡ଼ି ଚାଲିଗଲେ।

ରଚନା ନିଥର ହୋଇ ଠିଆ ହେଇଗଲେ। କିଛି ସମୟ ଯାଏ କାହାର ପାଟିରୁ କଥା ବାହାରିଲା ନାହିଁ। ରଚନା କହିଲେ- ଯଦୁ ବାବୁଙ୍କୁ ଆମେ ଘରକୁ ଥରେ ଖାଇବାକୁ ବି ଡାକି ପାରିଲେନି। ଶେଷର ସେ ଚାଲିଗଲେ।

ବଡ଼ବଜାର, ଜଗତସିଂହପୁର

ମୋ:୯୯୩୭୮୪୪୧୪୮

 

Previous ArticleNext Article

Send this to a friend