ଖୁସି

ସମୟ ବଦଳେ କିନ୍ତୁ ସମ୍ପର୍କ ନୁହଁ। ଆୟୂଷ ବଢ଼େ ସତ, ହେଲେ ଏ ଆନମନା ମନ ସେମିତି ଥାଏ, ନା ବଢେ଼ ନା ସ୍ଥିର ରହିପାରେ। ଆଧୁନିକ ଯୁଗର ପିଲା କହି ଆଜି ମୁଁ ବି ଗର୍ବ କରେ। ନିଜ କଥା ଚିନ୍ତା କରେ, ପରିବାର କଥା ବି।
ଅଫିସରୁ ଘରକୁ ଫେରିବା ସମୟରେ ମାଆକୁ ଫୋନ୍ କରି ପଚାରେ- କ’ଣ ନେବି ମାଆ?
ଫୋନ୍ ସେପଟୁ ମାଆ କହେ- କିଛି ଜଳଖିଆ ନେଇ ଆସେ। ବସନ୍ତ ଋତୁ। ଗରମ ଗରମ ଛଣାଛଣି କିଛି ନେଇ ଆସିଲେ ଚା’ ସାଙ୍ଗକୁ ଖାଇବାର ମଜା ଆସିଯିବ। ବାଃ…।
ମୁଁ ସବୁ ଶୁଣେ। କିନ୍ତୁ ଘରକୁ ଯିବା ସମୟରେ ସାଙ୍ଗରେ ଆଣିଥାଏ ପିଜା ନହେଲେ ପେଟିସ୍। ସବୁବେଳେ କଣ ସେହି ତେଲଭାଜି ଖାଇ ଖାଇ ଜୀବନ ଯିବ କି? ମାଆକୁ କିଛି ନୂଆ ଖୁଆଇବାର ଇଚ୍ଛା ଥାଏ। କିନ୍ତୁ ପ୍ରତିଥର ପରି ଏଥର ବି ତାକୁ ଖୁସି କରିବାରେ ବିଫଳ ହେଲି। ଏଥର ସାଙ୍ଗରେ ଥିଲା ଚିକେନ୍ କଟ୍ଲେଟ୍। ଘରେ ପହଞ୍ଚି ମାଆକୁ ବଢ଼ାଇ ଦେଲି ଡବାଟି। କହିଲି- ଏଇ ନେ ମାଆ, ତୋ ପାଇଁ ଚିକେନ କଟଲେଟ୍।
ମାଆ ଡବା ଖୋଲିଲା ଓ କହିଲା- ଏଥିରେ ଚିକେନ୍ କୋଉଠି ଅଛି ଯେ ?
ସତରେ ମାଆ ସେଥିରୁ ଚିକେନ୍ ଖଣ୍ଡ ହିଁ ଖୋଜୁଥିଲା ବୋଧେ। ମତେ ଟିକେ ହସ ମାଡ଼ିଲା। କହିଲି- ତୁ ଆଗ ଖାଆନା, ଖାଇଲେ ସିନା ଜାଣିବୁ।
କୌତୁହଳ ଭିତରେ ମାଆ ତାକୁ ଖାଇଲା, କିନ୍ତୁ ମୁହଁରେ ସନ୍ତୋଷ ଭାବ ନଥିଲା। କହିଲା- କାଇଁ ନାଇଁ ତ। ପାଟିରୁ ନାଁ ବାସ୍ନାରୁ, କୋଉଥିରେ ତ ଚିକେନ୍‌ର ଗନ୍ଧ ହିଁ ନାହିଁ। ୟା’ଠୁ ଭଲ ତ ମୋ’ ରାମବରା।
ମୋ’ ମନଟା ପିତା ହୋଇଗଲା। ଏଥର ବି ସେଇ ରାମ ବରା? ମୋ’ ମନ ଦୁଃଖ ଜାଣି, ଟିଭି ଦେଖୁଥିବା ବାପା ବୈଠକ ଘରୁ ବାହାରି ଆସିଲେ। ମା’ ହାତରୁ ସେ ଡବାଟା ନେଇ ଚିକେନ କଟଲେଟ୍ ଖାଇଲେ ଓ କହିଲେ- ହେଃ! ତୋ ମା’ଟା କ’ଣ ଜାଣିବ ଆଜିକାଲି ଡିସ୍ ବିଷୟରେ। ସେ ପରା ଓଲ୍ଡ ଫ୍ୟାସନ୍ କୁଇନ୍। ମତେ ଚିକେନ କଟଲେଟ୍ ବହୁତ ଭଲ ଲାଗିଲା।
ବାପାଙ୍କ କଥା ଶୁଣି ମୁଁ ଖୁସିରେ ତାଙ୍କ ହାତକୁ ବଢ଼ାଇ ଦେଲି ଆଉଏକ ଡବା। ବାପା ସେ ଡବା ଖୋଲିଲେ। ସେଥିରେ ଗୋଟେ ଘଣ୍ଟା ଥିଲା। ସେଦିନ ଚାକିରିର ପ୍ରଥମ ଦରମାରେ ଗୋଟେ ଘଣ୍ଟା କିଣିଥିଲି ବାପାଙ୍କ ପାଇଁ। ବାପା ସବୁବେଳେ ଫିତାଲଗା ଘଣ୍ଟା ପିନ୍ଧନ୍ତି। କିନ୍ତୁ ମୁଁ ଅନଲାଇନ୍‌ରେ ମଗେଇଥିବା ଏ ଘଣ୍ଟାଟି ଫିତାର ନଥିଲା। ଆଜିକାଲିର ଫ୍ୟାସନକୁ ନଜରରେ ରଖି, ଚଉଡ଼ା ଚେନ୍ ଝୁଲିକି ରହୁଥିବା ଏକ ଘଣ୍ଟା ମୁଁ ମଗେଇଥିଲି। ବାପା ତାକୁ ଖୁସିରେ ହାତରେ ଗଳେଇ ଦେଲେ ସତ, କିନ୍ତୁ ଟିକିଏ ଅପ୍ରସ୍ତୁତ ହେଲା ପରି ତାଙ୍କ ମନ ହୋଇଗଲା। କାରଣ, ସେ ଶିକ୍ଷକ ଲୋକ। ଆଜିକାଲି ପିଲାଙ୍କ ପରି ଫ୍ୟାସନ ଓ ଷ୍ଟାଇଲ ଧାରାରେ ନିଜକୁ ସାମିଲ୍ କରିବା ସେ ଠିକ୍ ଭାବନ୍ତି ନାହିଁ। ଏକ ସିଧାସାଧା ଜୀବନଶୈଳୀ ସହ ସିଧାସାଧା ପୋଷାକକୁ ବେଶି ଗୁରୁତ୍ୱ ଦିଅନ୍ତି। କହିଲେ- ମୁଁ ତ ଏତେ ଢ଼ିଲା ଘଣ୍ଟା ପିନ୍ଧି ପାରିବିନି ମାଆ।
ବାପାଙ୍କ ମନଊଣା ହୋଇଥିବା ଶୁଣି ମୁଁ ଭିତରେ ଭିତରେ ଅପ୍ରସ୍ତୁତ ହୋଇଗଲି। ମୋ ଆଖି ଛଳଛଳ ହୋଇଗଲା। ଘଣ୍ଟାଟିକୁ ନେଇ ମୁଁ ଖୁବ୍ ଉତ୍ସାହିତ ଥିଲି। ପୂରା ବିଶ୍ୱାସ ଥିଲା, ବାପାଙ୍କୁ ଏହା ପସନ୍ଦ ଆସିବ। ମୋ’ ଆଖିରେ ପାଣି ଦେଖି ମାଆ ଉଠି ଆସିଲା ଓ ବାପାଙ୍କୁ ପାଟି କରିବା ଆରମ୍ଭ କରିଦେଲା।
‘ହେଇ ଦେଖ, ଇଏ ହେଉଛନ୍ତି ଓଲ୍ଡ ଫ୍ୟାସନ କିଙ୍ଗ। ଇଏ କାଳେ ଆଜିକାଲିର ଫ୍ୟାସନ ବୁଝନ୍ତି। ମତେ ପୁଣି କହୁଥିଲେ ଓଲ୍ଡ ଫ୍ୟାସନ୍ କୁଇନ୍।
ମାଆ କଥା ଶୁଣି ସମସ୍ତେ ହସି ପକାଇଲୁ। ମୋ’ ଭିତରୁ ନିରାଶା ଭାବ କୁଆଡେ଼ ଉଭେଇ ଗଲା। ହସଖୁସି ଭିତରେ ଦିଦି କଥା ଉଠିଲା। ସବୁଥର ଛୁଟିରେ ସେ ଘରେ ଥାଏ। ଏଥର କିନ୍ତୁ ସେ ନଥିଲା। ତାର ବିବାହ ସରିଛି। ସେ ଏବେ ଭିଣୋଇଙ୍କ ସହ ହାଇଦ୍ରାବାଦରେ ଅଛି। ସେଥିପାଇଁ ମୋ’ ଉପସ୍ଥିତି ବାପା ମାଆଙ୍କୁ ଖୁସି ଦିଏ।
ସେମାନେ ଦିଦିକୁ ମନେ ପକାଇ ମନକଷ୍ଟ କରୁଥିବା ଦେଖି ମୁଁ ଆରମ୍ଭ କଲି ଭିଡିଓ କଲ୍। ପ୍ରଥମଥର ଭିଡିଓ କଲରେ କଥା ହେଉଥିଲେ ବାପା ମାଆ। ଦିଦିକୁ ଦେଖି ପ୍ରଥମେ ବେସ୍ ଖୁସି ଓ ଆଶ୍ଚର୍ଯ୍ୟ ହେଲେ। କିନ୍ତୁ କିଛି ସମୟ ପରେ ଦୁହିଁକ ଆଖିରେ ଲୁହ ଜକେଇ ଆସିଲା। କାରଣ ମୋବାଇଲ୍‌ ପରଦାରେ ଦିଦିକୁ ଦେଖି ଓ ତା ସ୍ୱର ଶୁଣି ଖୁସି ତ ହେଉଥିଲେ। କିନ୍ତୁ ଆଖି ସାମ୍ନାରେ ଥାଇ ବି, ତାକୁ ଛୁଇଁ ନ ପାରିବାର ଦୁଃଖ ସେମାନଙ୍କୁ ଆବୋରି ବସିଥିଲା। ଖୁବ୍ ବିକଳ ଦିଶୁଥିଲା ଦୁହିଁଙ୍କ ମୁହଁ। ଏଇ ଯେମିତି ବର୍ଷିବ ବର୍ଷିବ।
ସେମାନଙ୍କଠାରୁ ମୁଁ ବେଶୀ ଅସହାୟ ଥିଲି। ଆଧୁନିକତାର ସବୁ କୌଶଳକୁ କାମରେ ଲଗେଇ ବି ମୁଁ ସେମାନଙ୍କ ମନରେ ଖୁସି ଟିକିଏ ଦେଇପାରୁ ନଥିଲି। ବାସ୍ତବତା ପାଖରେ ହାର୍ ମାନି ଯାଉଥିଲା ମୋ ପାରିବାର ପଣିଆ। ଭାବିଲି, ଆଧୁନିକତାର ଚିନ୍ତାକୁ ନେଇ ଦୌଡୁଥିବା ମଣିଷ ସତରେ କଣ କାହାକୁ ଖୁସି ଟିକିଏ ଦେଇପାରୁଛି?

ବିଶ୍ୱବନ୍ଦିତା ସ୍ୱାଇଁ, ନିଆଳି, କଟକ
ଫୋନ୍‌ ନଂ-୭୭୮୭୯୬୧୦୪୦

Previous ArticleNext Article

Send this to a friend