ପିଲାଚୋରି

PILA CHORI_Sukanti Rout

ଘଣ୍ଟାକୁ ଚାହିଁଲା ଅରୁନ୍ଧତୀ। ରାତି୨ଟା ହେବାକୁ ଆଉ ୧୫ ମିନିଟ୍‌ ବାକି ରହିଛି। ତଥାପି ଆଖିକୁ ନିଦ ଆସୁନି। ଅନାବନା ଭାବନାରେ ଛନ୍ଦି ହୋଇପଡ଼ୁଛି। ରାତି ପାହି ସକାଳ ହେଲା। ଭାବିଥିଲା ସକାଳଟା ବେଶ୍‌ ଭଲରେ କଟିବ। ଖବରକାଗଜ ବାଲାର କଲିଂ ବେଲ୍‌ରେ କବାଟ ଖୋଲି ଖବରକାଗଜର ପ୍ରଥମ ପୃଷ୍ଠାରେ ଥିବା ଖବର ଉପରେ ଆଖି ବୁଲେଇ ନେଲା। ସବୁଠାରୁ ବଡ଼ ଖବର ହୋଇଛି ଯେ ଯମୁନାଲାଲ୍‌ ହସପିଟାଲରୁ ସଦ୍ୟ ଜନ୍ମ ହୋଇଥିବା ଶିଶୁପୁତ୍ର ଉଭାନ୍‌। ଏତକ ପଢ଼ିସାରି ତାର ସବୁକ୍ଲାନ୍ତି କୁଆଡ଼େ ଉଭେଇ ଗଲା। ନୀଳକଇଁ ପରି ଦୁଇ ଆଖି ସ୍ୱତଃ ବିସ୍ଫାରିତ ହୋଇଗଲା। ସକାଳୁ ଟିକେ କଫି ନ ପିଇଲେ ଭଲରେ ଯାଏନି ଦିନ ତାର। ଏଇ କଫି ପିଇବା ଅଭ୍ୟାସଟା ତା ବାପାଙ୍କଠୁଁ ଶିଖିଛି। ଏମିତି ଗୋଟେ ଖବର ପଢ଼ି ଏକଥରରେ ସବୁଯାକ ନିତ୍ୟକର୍ମ କରିବାକୁ ଭୁଲିଗଲା। ତାର ମନେ ହେଉଥିଲା ଯଦି ଖୋଳତାଡ଼ ହୁଏ ସେ ଧରାପଡ଼ିବନି ତ ! ସରକାରଙ୍କର ଆଉ ଏ ମିଡ଼ିଆ ବାଲାଙ୍କର ତ ଆଉ କିଛି କାମ ଧନ୍ଦା ନାହିଁ। ଖବର ନେଇ ଆଉ ଟିକେ ସତ୍ୟତା ଜାଣିବାକୁ ଖୋଲିଲା ଟିଭି। ସହରରେ ଥିବା ସମସ୍ତ ଟିଭି ଚ୍ୟାନେଲରେ ହିଁ ସେଇ ଖବର। ସମସ୍ତଙ୍କ ଆଖିରେ ଧୂଳି ଦେଇ ହସ୍‌ପିଟାଲରୁ ପିଲା ଗାଏବ୍। ଏତେ ସବୁ ସୁରକ୍ଷା ଥିବା ଭିତରେ ପିଲାଚୋରି ହେଲା କେମିତି ? ବିଗ୍ ବ୍ରେକିଂରେ ନ୍ୟୁଜ୍ ଦେଖି ବ୍ୟସ୍ତ ବିବ୍ରତ ହୋଇପଡ଼ୁଥାଏ। ସାମାଜିକ କଟାକ୍ଷରୁ ବାଣ୍ଟିବା ପାଇଁ ପିଲାଟିଏ ଚୋରି କରିବା କ’ଣ ପାପ ? ପୃଥିବୀର ସମସ୍ତ ଡାକ୍ତରୀ ବିଦ୍ୟା ଫେଲ୍‌ ମାରିଲା ସେ ପାଇଁ କି କାହାର ନିଘା ନାହିଁ। କାହିଁ କେହିତ ଜଣେ ପ୍ରଶ୍ନ କରୁନି ଭାରତୀୟ ଡାକ୍ତରଙ୍କୁ  ଆମେରିକା ଅଧିକ ଟଙ୍କାରେ କିଣିନେଉଛି। ରାଜ୍ୟ ସରକାର କି କେନ୍ଦ୍ର ସରକାର ସେ ନେଇ କେବେ ତର୍ଜମା କରିଛି କି? ଏହା କ’ଣ ଭୁଲ୍ ନୁହେଁ। ପିଲାଟିଏ ଚୋରି ହୋଇଗଲା ତ ହୋଇଗଲା, ଏତେ ଖୋଳତାଡ଼ କାହିଁ ? ଗଛ ଅଛି ମାନେ ମଞ୍ଜି ବି ପୁଣି ହେବ ? ଏକଥା ସରକାରୀ ଲୋକମାନେ କ’ଣ ବୁଝନ୍ତିନି ? ନା ବୁଝି ସୁଝି ଅଯଥା ଲୋକମାନଙ୍କୁ ହଇରାଣ କରିବାକୁ ଉଦ୍ୟମ କରୁଛନ୍ତି। ଏ ଲୋକମାନେ କାହାର ଟିକେ ସୁଖ ଦେଖିପାରନ୍ତିନି। ଏମିତି ସବୁ ଭାବନାରେ ଛନ୍ଦି ହୋଇପଡ଼ୁଥିଲା ଅରୁନ୍ଧତୀ।

ଅରୁନ୍ଧତୀର ବାହାଘରକୁ ପୁରିଲାଣି ୨୫ ବର୍ଷ। ସବୁଯାକ ବଇଦ ତୁଟୁକା ଠାରୁ ଆରମ୍ଭ କରି ସହରର ବଡ଼ ବଡ଼ ଡାକ୍ତର ପର୍ଯ୍ୟନ୍ତ ସବୁ ଚେଷ୍ଟା କରିସାରିଲାଣି। ତଥାପି କୋଉଠି କିଛି ଫଳ ମିଳିଲାନି। ଶାଶୁ, ନଣନ୍ଦ ଆଉ ଯାଆଙ୍କର କାହିଁରେ କେତେ କଟାକ୍ଷ। ଏମିତି କି ଖୋଦ୍ ପରାଗ ବି ଅରୁନ୍ଧତୀଙ୍କୁ କେତେବାର ପିଲାଟିଏ ନାହିଁ ବୋଲି କହି ଦୁଃଖ କରିଛନ୍ତି। ଏଇ ପରାଗ ଦିନେ କହିଥିଲେ- ଅରୁନ୍ଧତୀ, ତମର ଶୁଖିଲା ମୁହଁ ଦେଖିଲେ ମୋତେ ଲାଗେ କି ମୋ ପୃଥିବୀର ସବୁ ଯାକ ରଙ୍ଗ ଧୋଇ ହୋଇଯାଇଛି। ଜେଏନ୍‌ୟୁରେ କ୍ଲାସମେଟ୍ ଥିଲେ ଅରୁନ୍ଧତୀ ଆଉ ପରାଗ। କଥାରେ କଥାରେ ପ୍ରେମ କେତେବେଳେ ହୋଇଗଲା କେହି ଜାଣିପାରିଲେନି। ସମୟକ୍ରମେ ବିବାହ ବନ୍ଧନରେ ବି ଆବଦ୍ଧ ହେଲେ। ନୂଆ ନୂଆ ବାହାଘର। କେତେ ଖୁସି ଥିଲା ତେବେ ରୋମାଂଚ ଥିଲା ସେଇ ଦିନ ଗୁଡ଼ିକରେ। ପରାଗଙ୍କର ଲୋମଶଭରା ଛାତିରେ ମଥା ରଖି ଅରୁନ୍ଧତୀ କେତେଥର କହିଛି- ପରାଗ, ତମର କୋଉଠି ଗୋଟେ ସ୍ଥାୟୀ ଚାକିରି ହୋଇଗଲେ ଆମେ ପିଲାପିଲି କଥା ଚିନ୍ତା କରିବା ଏତେବ ସ୍ୱଳ୍ପ ଦରମାରେ ସଂସାର ଆମେ ଚଳାଇପାରିବା ନାହିଁ। ଏହା ଭିତରେ ପରାଗ ପାଇଛନ୍ତି ଇଣ୍ଡିଆନ୍ ଇକୋନମିକ୍ ସର୍ଭିସ୍ ଆଉ ଅରୁନ୍ଧତୀ ଗୋଟେ ପୋଖତ ଗୃହିଣୀ। ବିଧିର ନିଦ୍ଦେର୍ଶ କିନ୍ତୁ ଅଲଗା। ଏବେ ପରାଗ ଆଉ ଅରୁନ୍ଧତୀ ଚାହୁଁଛନ୍ତି ସେମାନଙ୍କ ଦୁନିଆକୁ ଛୁଆଟିଏ ଆସୁ। କିନ୍ତୁ ଖାଲି ସେମାନେ ତ ଚାହିଁଲେ ତ ହେବ ନାହିଁ। ଏଥିପାଇଁ ଭଗବାନଙ୍କର ଆର୍ଶିବାଦ ବି ରହିବା ଦରକାର। ଯେଉଁଦିନ ଡାକ୍ତର ସିଧା ସିଧା ଶୁଣାଇ ଦେଲେ- ବାରମ୍ୱାର ଗର୍ଭପାତ କରିଥିବାରୁ ଆଉ ପିଲା ହେବା ସମ୍ଭବ ନୁହେଁ। ଚଡ଼କ ପଡ଼ିଲା ଅରୁନ୍ଧତୀ ମୁଣ୍ଡରେ। ପରାଗ ବି କ୍ଷତାକ୍ତ ହେଲେ ଡାକ୍ତରଙ୍କ ଏମିତି କଥାରେ। ଆଉ ସେହି ଦିନଠାରୁ ପରାଗଙ୍କର ହେଲା ଏକ ଅଦ୍ଭୁତ ପରିବର୍ତ୍ତନ। କଥା କଥାରେ ଦୋଷ ଦେଲେ। ଏପରି କି ଗୋଟିଏ ବିଛଣାରେ ରାତି ବିତାଉଥିଲେ ମଧ୍ୟ ଅରୁନ୍ଧତୀକୁ ସାମାନ୍ୟ ସ୍ପର୍ଶ ମଧ୍ୟ କରୁ ନ ଥିଲେ। ଏମିତି ବ୍ୟବହାର ଖୁବ୍‌ ବାଧୁଥିଲା ଅରୁନ୍ଧତୀଙ୍କୁ। କିନ୍ତୁ ମନ ଭିତରର ଦହନକୁ କାହାକୁ ଦେଖାଇ ହୁଏନି। ଦିନେ ସାହସ ବାନ୍ଧି ପରାଗଙ୍କୁ ବୁଝାଇବାକୁ ଚେଷ୍ଟା କଲା ଅରୁନ୍ଧତୀ। କିନ୍ତୁ ପରାଗ ସିଧା ସିଧା କହିଦେଲେ- ଯେଉଁ ସମୟରେ ମୁଁ ଚାହୁଁଥିଲି ପିଲାଟା ପୃଥିବୀକୁ ଆସୁ ତମେ କହୁଥିଲ- ନା, ଏବେ ପିଲାହେଲେ ଆର୍ଥିକ ସମସ୍ୟା ବଢ଼ିଯିବ।  ଆଉ ତାର ପରିଣାମ ମୋତେ ହିଁ ଭୋଗିବାକୁ ପଡ଼ିବ। ତମେ କାହିଁକି ବୁଝିଲନି ବାପା ହେବା ପାଇଁ ମୁଁ କେତେ ବ୍ୟାକୁଳ ଥିଲି। କାହିଁକି ମୋତେ ସେସବୁରୁ ବଂଚିତ କଲ ଅରୁନ୍ଧତୀ।

PILA CHORI_Sukanti Rout.jpg1ଅରୁନ୍ଧତୀ ଆଖିଲେ ଲୁହ। ସେ ଲୁହରୁ ସ୍ପଷ୍ଟ ପଢ଼ିହେଉଥିଲା ପରାଗ ପ୍ରତି ନିବିଡ଼ ପ୍ରେମର ଜୁଆର। ନିଜ ଲୁହକୁ ନିଜେ ପୋଛିଲା ଆଉ କହିଲା- ପରାଗ, ତମେ କ’ଣ ଭାବୁଛ ତମେ ଏକା ବାପା ହେବା ପାଇଁ ବ୍ୟାକୁଳ, ମୁଁ ମାଆ ହେବା ପାଇଁ ନୁହେଁ, ତମେ ବୁଝିପାରିଲନି ମୁଁ ତମ ଠାରୁ ଢ଼େର ବେଶୀ ଛୁଆଟିଏ ପାଇଁ ଚାହୁଁଛି। ମୁଁ କ’ଣ ଜାଣିଥିଲି- ଏପରି ସମସ୍ୟା ହେବ। କିନ୍ତୁ ପରାଗ ତମେ ମୋ ପ୍ରତି ଏମିତି ବ୍ୟବହାର କଲେ ମୁଁ ଆତ୍ମହତ୍ୟା କରିବା ଛଡ଼ା ଆଉ କିଛି ରାସ୍ତା ନାହିଁ । ଚୁପ୍‌ଚାପ ଏସବୁ ଶୁଣୁଥିଲେ ପରାଗ ଆଉ ଚିଡ଼ଚିଡ଼ା ହୋଇ କହିଲେ ଯାହା ଇଚ୍ଛା ହେଉଛି ତାହା ହିଁ କର ।

ଯିଏ ଦିନେ ଟିକେ ମନମାରି ବସିଲେ ଦିନଟା ଭଲରେ କଟେନି ତାଙ୍କର, ଏବେ ସେଇ ପରାଗ ମୁହଁ ଶୁଖେଇବାକୁ ଇନ୍ଧନ ଯୋଗାଉଛନ୍ତି। ଆଉ କହୁଛନ୍ତି ବାହାଘରର ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ମୋତେ ବାପା ହେବାର ଗୌରବ ଟିକେ ଦେଇପାରିଲନି। ଯେଉଁଦିନ ପରାଗ କହିଥିଲେ ତମକୁ ଛାଡ଼ି ଆଉ କାହାକୁ ବାହାହୋଇଥିଲେ ହୁଏତ ଆଜି ମୋର ଗୋଟେ ପୁଅ ଥାଆନ୍ତା। କିନ୍ତୁ ଅରୁନ୍ଧତୀ ମୁହଁ ଫିଟେଇ କହିପାରୁ ନ ଥିଲା-ପରାଗ ପିଲାଟିଏ ନ ହେବା ପାଇଁ ସବୁଯାକ ଦୋଷ ମୋର ନୁହେଁ, ଏଥିପାଇଁ ତମେ ବି ମୋ ଠାରୁ ଅଧିକ ଦାୟୀ। ତମେ ପରା ସେଦିନ ଶୁଣିଲ ଡାକ୍ତର କ’ଣ କହିଥିଲେ। ଏହା ପରେ ବି ତମେ କେମିତି ମୋ’ ଦୋଷ ଦେଇପାରୁଛ ପରାଗ। କାହିଁ କେବେ ତ ଥରେ ମୁଁ କହିନି- ମୋର ମାଆ ନ ହେବା ପଛରେ ତମେ ହିଁ ଦାୟୀ। ଆଜି ପର୍ଯ୍ୟନ୍ତ ମୁଁ କେବଳ ମୋର କର୍ତ୍ତବ୍ୟ କରିଚାଲିଛି। ପିଲାଟି ଦିନରୁ ବାପାବୋଉ ଆରପାରିକୁ ଚାଲିଗଲେ। ଏତେ ଦୁଃଖ ଯନ୍ତ୍ରଣା ଭିତରେ ତମେ କିନ୍ତୁ ମୋ’ ଜୀବନରେ ବସନ୍ତ ହୋଇ ଆସିଲ ଆଉ ଖୁସିରେ ଖୁସିରେ ଦିନ କାଟିଛି ତମ ପାଖରେ। ଏକଥା ଭାବିଲେ ଅରୁନ୍ଧତୀ ନିଜ ଉପରେ ଅଭିମାନ କରେ।

ଦିନେ କୁଆଡ଼ୁ କିଛି ନ ଥିଲା ପରାଗ ଘର ଛାଡ଼ି ପଳାଇଗଲେ ଆଉ ଗଲାବେଳେ କହିଲେ- ତମେ ବି ପାରୁଛ ଯଦି କୋଉ ଗୋଟେ ଆଶ୍ରମକୁ ପଳାଅ। ବାପା, ବୋଉ ଆଉ ମୋ ଭଉଣୀ ମାନଙ୍କର କଟାକ୍ଷରେ ତମେ ଜୀବନ ନେଇ ଖୁସିରେ ରହିପାରିବନି। କିନ୍ତୁ ପରାଗ ତମ ବିନା ମୁଁ ଗୋଟେ ମୁହୁର୍ତ୍ତ ବି ରହିପାରିଲନି। ପିଲା ନ ହେଲା ନାହିଁ, ତମ ପାଇଁ ମୁଁ ଅଛି ଆଉ ମୋ ପାଇଁ ତମେ ଅଛି, ସେତିକି କ’ଣ ଯଥେଷ୍ଟ ନୁହେଁ। ଜାଣେ ପରାଗ ନାରୀଟିଏ ପୂର୍ଣ୍ଣ ହୁଏ ମାତୃତ୍ୱରେ। କିନ୍ତୁ ବିଧି ଯାହା କପାଳରେ ଲେଖିଛନ୍ତି ସେସବୁକୁ ତ ଆମେ ଫାଙ୍କି ପାରିବାନି। କିନ୍ତୁ ପରାଗ କୌଣସି କଥା ନ ଶୁଣି ଘରଛାଡ଼ି ଚାଲିଗଲେ।

ପରାଗ ଘରଛାଡ଼ିବାର ମାସେ ପରେ ଅରୁନ୍ଧତୀ ବି ଅନିଚ୍ଛା ସତ୍ତ୍ୱେ ଛାଡ଼ିଲେ ଘର। ଚେଷ୍ଟା କରି ବି ଶାଶୁଘରେ ରହିବା ଆଉ ସମ୍ଭବପର ହେଲାନି। ପରାଗ ଗଲାପରେ ବଢ଼ିଚାଲିଲା ଶାଶୁ ଆଉ ନଣନ୍ଦରଙ୍କର ନିତିଦିନିଆ ଜୁଲମ୍। ଜୀବନ ପ୍ରତି ବିପଦ ଯେତିକି ବଢ଼ୁଥିଲା ସେତିକି ଅଭିମାନ ବି ବଢ଼ୁଥିଲା ପରାଗଙ୍କ ଉପରେ। କେତେ ବିନିଦ୍ର ରଜନୀ ବିତିଛି ସେକଥା ପରାଗଙ୍କୁ ହିଁ ଜଣା। ବେଳେବେଳେ ଅତୀତକୁ ମନେ ପକାଇଲେ ଭାରି କଷ୍ଟ ହୁଏ। ଦୁଃଖର ଦିନଗୁଡ଼ିକରେ ପରାଗ ମନେପଡ଼ନ୍ତି। କୋଉଠି ଥିବେ କ’ଣ କରୁଥିବେ। କିଛି ବି ଖବର ନାହିଁ। ପରାଗଙ୍କ ପ୍ରେମ କ’ଣ ମିଛ ଥିଲା ? ପରାଗଙ୍କର ପ୍ରେମରେ କ’ଣ ସ୍ୱାର୍ଥପରତା ଭରିଥିଲା ? ଯେଉଁ ପରାଗ ଦିନେ କହିଥିଲେ ପୃଥିବୀ ମିଛ ହୋଇପାରେ, ସୂର୍ଯ୍ୟଚନ୍ଦ୍ର ତାରା ମିଛ ହୋଇପାରେ, ଅଣୁ ପରମାଣୁ ବି ମିଛ କିନ୍ତୁ ମୋ ପ୍ରେମ ମିଛ ନୁହେଁ।  ପରାଗଙ୍କର ଏପରି ବକ୍ତବ୍ୟ କ’ଣ ଓଡ଼ିଆ ଉପନ୍ୟାସର ଡାଇଲଗ୍ ଥିଲା ? କିନ୍ତୁ ତାର ମନେହେଉଥିଲା। ପରାଗ କୌଣସି ଏକ ପରିସ୍ଥିତିରେ ପଡ଼ି ଏପରି ଏକ ନିଷ୍ପତ୍ତି ନେଇଛନ୍ତି, ତା ନ ହୋଇଥିଲେ। ହଠାତ୍ ସେ ଏମିତି ଘର ଛାଡ଼ିଯିବା ଲୋକ ନୁହେଁ ! କୋଉ ଧାତୁରେ ଗଢ଼ା କେଜାଣି ପୁରୁଷମାନଙ୍କର କଲିଜା। ସତରେ ଭାରି ସ୍ୱାର୍ଥପର ଏଇ ପୁରୁଷମାନେ ! ଏସବୁ ଭାବୁଥିଲା ଝର୍କା ଖୋଲା ରଖି।

ବାପଘରୁ ଝିଅ ଥରେ ପର ହୋଇଗଲେ ଆଉ କେହି ଝିଅର ବୋଝ ବୋହିବାକୁ ପ୍ରସ୍ତୁତ ନ ଥାନ୍ତି। କଥାରେ କଥାରେ ଶୁଣାନ୍ତି ସେଇ ପୁରୁଣା କଥା। ପ୍ରେମ ବିବାହର ଏତେସବୁ ଭଲଦିଗ ଥାଉ ଥାଉ କାହିଁକି ପ୍ରେମ ବିବାହ କରିଲୁ, ଦୋଷ ଲଦି ଦିଆଯାଏ ଅରୁନ୍ଧତୀ ମୁଣ୍ଡରେ ଆଉ ଅରୁନ୍ଧତୀ ବାଧ୍ୟ ଶିଶୁଟିଏ ପରି ସେସବୁ ବୋହି ଚାଲେ। ଘର ଛାଡ଼ି ଦିନେ କିନ୍ତୁ ସହରକୁ ଚାଲିଆସିଲା ଆଉ କିଛି ଛୋଟଛୋଟ ପିଲାଙ୍କୁ ଟିଉସ‌ନ୍ କରି ପେଟ ପୋଷିଲା ଆଉ ଯାହା ବଳିଲା ସଂଚୟ କଲା ବାକି ଦିନରେ ଖର୍ଚ୍ଚ କରିବାକୁ। ଏତେ ସବୁ ପରେ ବି ପ୍ରତି ସେକେଣ୍ଡରେ ପରାଗ ଆଉ ପରାଗ ସହ କାଟିଥିବା ଦିନଗୁଡ଼ିକ ବାରମ୍ୱାର ମନେ ପଡ଼ି କ୍ଷତାକ୍ତ କରିଦିଅନ୍ତି ତାକୁ। ଭାବେ ଯଦି ଛୋଟ ପିଲାଟିଏ ପାଖରେ ଥାଆନ୍ତା ଆଉ ପରାଗ ମନେ ପଡ଼ନ୍ତେ ନାହିଁ ଏତେ ! କିନ୍ତୁ ସେସବୁ ତ ଆଉ ଏ ଜନ୍ମରେ ସମ୍ଭବପର ନୁହେଁ।

ତାର ତୁହାକୁ ତୁହା ମନେ ପଡ଼ୁଥିଲା ସେଇ ପିଲାଚୋରୀ କରି ଆଣିବାର ସେଇ ଦୃଶ୍ୟ। ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ପବନ। ସହରର କେଉଁ ଫେଜରେ ବି କରେଣ୍ଟ୍‌ ନାହିଁ। ଏଇଟା ହିଁ ଠିକ୍ ମଉକା, ସେ ପଡ଼ୋଶୀ ଘରୁ ତା ପିଲାକୁ ଚୋରି କରି ଆଣିବାକୁ କରିଥିବା ଯୋଜନା। ଯଦି ଏଇ ସୁଯୋଗ ହାତଛଡ଼ା କରେ ତେବେ ହୁଏତ ଏମିତି ସୁଯୋଗ ଆଉ ଆସି ନ ପାରେ। ସମସ୍ତଙ୍କ ଆଖିରେ ଧୂଳି ଦେଇ ଯମୁନାନାଲ୍ ହସ୍‌‌‍ପିଟାଲରୁ ଏଇ ମାତ୍ର ଜନ୍ମ ହୋଇଥିବା ଶିଶୁପୁତ୍ରକୁ କାନିରେ ଜାକିଜୁକି ଘୋଡେ଼ଇ ଅତି ଯତ୍ନର ସହିତ ଧରି ଆସିଲା। ଯମୁନାନାଲ୍ ହସ୍‌ପିଟାଲ ହେଉଛି ସରକାରଙ୍କ ଏକମାତ୍ର ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନା। ଏଠାରେ ଦୂରଦୂରାନ୍ତରୁ ପିଲା ପ୍ରସବ ପାଇଁ ଆସିଥାନ୍ତି। ଆମ୍ ଆଦମୀ ହିଁ ଏହି ଡାକ୍ତରଖାନାରେ ନିଜ ପିଲାର ପ୍ରସବ କରାଇଥାନ୍ତି। ଏତେ ବର୍ଷ ପରେ ପିଲାଗୋଟେ ପାଇଥିବାରୁ ମନେ ମନେ ଭଗବାନଙ୍କୁ ଧନ୍ୟବାଦ ବି ଦେଇଥିଲା। ଏମିତି ବାଗରେ ପିଲାଚୋରି କରିଛି ଯେ କେହି ବି ଟେର୍‌ ପାଇବେନି ବୋଲି ଧରିନେଇଥିଲା ସେଦିନ ରାତିରେ ଅରୁନ୍ଧତୀ।

ତାକୁ ଲାଗୁଥିଲା ଆଜି ଦିନ ହିଁ ତା ଜୀବନର ଶ୍ରେଷ୍ଠତମ ଦିନ। ଏମିତି କି ପରାଗଙ୍କ ସହିତ ସ୍ମୃତିର ଦିନ ଠାରୁ ବି।  ଭଗବାନଙ୍କ ଉପରୁ ଆସ୍ଥା ହରାଇ ଦେଇଥିବା ଅରୁନ୍ଧତୀ ଆଜି ପୁଣି ଥରେ ଭଗବାନଙ୍କୁ ବିଶ୍ୱାସ କଲା ଆଉ ଭଗବାନ ଅଛନ୍ତି ବୋଲି ଦୃଢ଼ ଭାବେ ମାନିନେଲା।

ମାଆଟିଏ ପିଲା ଜନ୍ମ କରି ଜଙ୍ଗଲରେ ଫିଙ୍ଗି ଦେଉଛି। ପୋଷିପାରୁନି ବୋଲି ୧୦୦ ଟଙ୍କାରେ ବିକୁଛି ଜନ୍ମକରା ଛୁଆକୁ। ଦେଶରେ ଶହ ଶହ ଭ୍ରୂଣ ରାସ୍ତା କଡ଼ରୁ ଜବତ ହେଉଛନ୍ତି ସେସକୁ କ’ଣ ସରକାରଙ୍କୁ ଦେଖାଯାଉନି। ସରକାରଙ୍କ ଏତେ ସବୁ ଯୋଜନା ତ କାହିଁ ସେମାନଙ୍କୁ ଛୁଇଁପାରୁନି। ମା’ ପେଟରୁ ଭ୍ରୂଣ ହତ୍ୟା କରାଯାଉଛି।  ଭ୍ରୂଣହତ୍ୟା ମହାପାପ ଏକଥା ବି ସରକାର ଜାଣନ୍ତି। ସେସବୁ ପାଇଁ ସରକାର କାହିଁ କିଛି କରୁନି। ପିଲାଟିଏ ଏତେ ଦିନ ପରେ ଆଣିଲି ଯେ, ଏତେ କଥା। ମୋର ପିଲା ଆଉ ଦେବାର ନାହିଁ କି ପିଲାକୁ ଚୋରି କରିଛି ବୋଲି ମାନିବାର ନାହିଁ। ଏମିତି ଏକ ଜିଦ୍‌ରେ ମନକୁ ଦୃଢ଼ କରି ସାରା ଦିନ କାର୍ଯ୍ୟରେ ବ୍ୟସ୍ତ ରହିଲା। ଡବାକ୍ଷୀର ଆଣି ପିଲାକୁ ଖାଇବାକୁ ଦେଲା। ଖାଇବାକୁ ଦେଲାବେଳେ ମମତ୍ୱରେ ନିଜକୁ ଭିଜେଇ ଦେଉଥାଏ ଅରୁନ୍ଧତୀ। ତାକୁ ଲାଗୁଥିଲା ଏତେ ଦିନ ପରେ ତା ଜୀବନ ଆକାଶରୁ ଦୁଃଖର ବାଦଲ ଦୂରେଇ ଯାଇଛି। ଏଣିକି ଆଉ ତାକୁ ବୋରିଂ ଲାଗିବ ନାହିଁ। ଆଉ ଦିନ କେଇଟା ପରେ ଏଇ ଘରେ ଗୁରୁଣ୍ଡେଇବ ପୁଅ ତାର, ହସିବ, ଖେଳିବ ଆଉ ଦୁଃଖ ଭୁଲାଇବ। ଏଣିକି ସେ ମୁକ୍ତି ପାଇଯିବ ଶାଶୁ, ନଣନ୍ଦ ଏବଂ ଯାଆ ମାନଙ୍କର କଟାକ୍ଷରୁ। ଏଣିକି ସେ ପୁଣି ଥରେ ସେଇ କୁଟାକାଟିର ଘରେ ଫଗୁଣ ଆଣିଦେବ। ଏଣିକି ସେ ପରାଗଙ୍କୁ ଖୋଜିବାକୁ ଚେଷ୍ଟା କରିବ। ଯେଉଁଠି ଥିଲେ ବି ତା ପରାଗ ତା ପାଖକୁ ପୁଣି ଫେରିଆସିବେ। କହିଦେବ, ଦେଖ, ଏହାକୁ ଆମେ ନିଜ ପିଲାପରି ଦାୟିତ୍ୱର ସହିତ ବଢ଼ାଇବା ଆଉ ମଣିଷ କରିବା। ଖୁସି କହିଲେ ସରୁ ନ ଥିଲା। ତାକୁ ଲାଗୁଥିଲା ସ୍ୱର୍ଗ ଆଉ ଅଳ୍ପ ଦୂର।

ପିଲାଚୋରି ପରେ ପିଲାର ବାପା ନସିଂ ହୋମ୍‌ରେ ଡେଲିଭରି ଦାୟିତ୍ୱରେ ଥିବା ଡାକ୍ତରଙ୍କ ପାଖେ ଏ ନେଇ ଜଣାଇଲେ। ଡାକ୍ତର ଓଲଟି କହିଲେ- ଏତେ ରାତିରେ ଆମକୁ ଡିଷ୍ଟର୍ବ କରନି। ସକାଳ ହେଉ ସେକଥା ବୁଝାଯିବ।  ଡାକ୍ତରଙ୍କଠାରୁ ଏପରି କଥା ଶୁଣି ମୁଣ୍ଡକାନ ଆଉଁସି ସକାଳ ପର୍ଯ୍ୟନ୍ତ ଅପେକ୍ଷା କଲେ। ମା’ ମନ କିନ୍ତୁ ବୁଝୁ ନ ଥିଲା। କେତେ ବାର ବ୍ରତ ଓଷା କରି ୧୨ ବର୍ଷ ପରେ କୋଳକୁ ଆସିଛି ଏଇ ଶିଶୁପୁତ୍ର। କାନ୍ଦି କାନ୍ଦି କହୁଥାଏ-ମୋ ପୁଅକୁ ଆଣିଦିଅ ନ ହେଲେ ମୁଁ ଏଇଠି ଆତ୍ମହତ୍ୟା କରିବି। ଆଖ ପାଖ ସବୁଠି ଖୋଜିଲା, କେଉଁଠି ପାଇଲାନି।  ସକାଳ ହେଲା-ଡାକ୍ତର ଆସିଲେ ଆଉ ବହେ ଇଂରାଜୀ ଭାଷାରେ ଗାଳି ଦେଲେ। ସେ ଗାଳି କି ସାନ୍ତ୍ୱନା ଶିଶୁପୁତ୍ରର ବାପାମାଆ କିନ୍ତୁ ବୁଝିପାରିଲେନି। ପାଖ ବେଡ଼ରେ ଥିବା କିଛି ଲୋକଙ୍କ କଥାରେ ସେମାନେ ପୋଲିସ୍‌ରେ ଅଭିଯୋଗ କଲେ। ପୋଲିସ୍ ମାମଲା ରୁଜୁ କରି ବସିପଡ଼ିଲା। କିଏ ଜାଣିଲା ଏ ପୁଲିସ୍ ବାଲା ତ ପଇସା ଯିଏ ଦେଲା ସେଇଠି ମାମଲା ଶେଷ। ଆମ ଦେଶରେ ଆଇନ୍ ହିଁ ଏମିତି। ବନ୍ଧ ଭାଙ୍ଗିବା ଆଗରୁ ବନ୍ଧ ମରାମତି ବି ସରିଥାଏ।

ପିଲାଚୋରି ହେବା ପରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଏହାକୁ ଇସ୍ୟୁ କଲେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଲା। ବିଭିନ୍ନ ଟିଭି ଚ୍ୟାନେଲ ମଧ୍ୟରେ ରୀତିମତ୍‌ ପ୍ରତିଯୋଗିତା ଚାଲିଲା ଟିଆରପି ବଢ଼ାଇବା ପାଇଁ।  ତଥାପି ସରକାର ନିଘୋଡ଼ ନିଦରେ ଶୋଇଲେ। ଏହା ଏକ ସରକାରୀ ହସ୍ପିଟାଲ ହୋଇଥିବାରୁ ଗୁରୁତର ଶିଶୁରୋଗୀମାନେ ବିପୁଳ ସଂଖ୍ୟାରେ ଏଠାକୁ ଆସନ୍ତି। ତେଣୁ ସରକାର କଥାଟାରୁ ଟିକେ ଗୁରୁତର ଭାବେ ନେଲେ। ସେମାନଙ୍କ ସୁବିଧା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ମାନବସମ୍ୱଳର ବନ୍ଦୋବସ୍ତ କରିବା କଣ ସରକାରଙ୍କ ଦାୟିତ୍ୱ ବୋଲି ବୁଝିଲେ ବୋଧେ। ଏଠାରେ କାମ କେମିତି ଚାଲିଛି, ଡାକ୍ତର ନର୍ସ ଓ କର୍ମଚାରୀମାନେ ନିଜ ଦାୟିତ୍ୱ କିପରି ନିର୍ବାହ କରୁଛନ୍ତି ତାହା ନିରୀକ୍ଷଣ କରିବାକୁ ନିଦ୍ଦେର୍ଶ ଦେଲେ। ସରକାର ପିଲା କିଏ ଚୋରି କରିଛି ସେ ନେଇ ତଦନ୍ତ ଆଗ କର। ପିଲାଚୋରି କିଏ କରିଛି  ନେଇ ୧୨ଜଣ ଡିଏ‌ସ୍‌ପିଙ୍କୁ ଦାୟିତ୍ୱ ଦିଆଗଲା। ଯଦି ୧୨ ଦିନ ଭିତରେ ପିଲାଚୋରକୁ ଧରା ନଯାଏ, ସେମାନଙ୍କୁ ଚାକିରିରୁ ବାହାର କରାଯିବ ବୋଲି ସରକାର ଘୋଷଣା କଲେ।

ଶେଷରେ ଶିଶୁପୁତ୍ରର ମାଆ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆତ୍ମହତ୍ୟା କଲେ। ଆଉ ଏଇ ଆତ୍ମହତ୍ୟା କରିବା ପରେ ସରକାରଙ୍କ ନିଦ ଭାଙ୍ଗିଲା। ସ୍ୱେଚ୍ଛାସେବୀ ଆଗେଇ ଆସିଲେ ପିଲା କିଏ ନେଲା ତଦନ୍ତ ହେଉ ଆଉ କିଏ ନେଇଛି ତାହା ବି ଖୋଜି ବାହାର କରାଯାଉ। ଯେ ପର୍ଯ୍ୟନ୍ତ ଏହାର ତଦନ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ଆମ ଅନଶନ ଜାରି ରହିବ। ଏ ସମସ୍ତ ପ୍ରକ୍ରିୟା ଦେଖିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଲେ। ଏହାର ତୁରନ୍ତ ସମାଧାନ କରିବାକୁ। ଏଥର ସ୍ୱାସ୍ଥ୍ୟ ବିଭାଗ ଲାଗିପଡ଼ିଲେ ପିଲାଚୋରି କିଏ କରିଛି ସେ ନେଇ ଜୋରଜାର ତନାଘନା। ଗଠନ କଲେ ୬ ଜଣିଆ କମିଟି। ସ୍ୱାସ୍ଥ୍ୟ ବିଭାଗ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଲୋକ ଦେଖାଣିଆ ପଦକ୍ଷେପ ଗ୍ରହଣ କଲେ। ପ୍ରଥମେ ଛଅଜଣ ତଳିଆ କର୍ମଚାରୀ ଏବଂ ପରେ ଅଧୀକ୍ଷକ ସ୍ୱାସ୍ଥ୍ୟ ବିଭାଗ ଟାର୍ଗେଟରେ ଆସିଲେ। ପିଲାକେବେ ଜନ୍ମ ହୋଇଥିଲା ଆଉ ପିଲାର ପିତାମାତାଙ୍କର କେହି ଶତ୍ରୁ ଥିଲେ କି ? ଏମିତି ଅନେକ ଦିଗକୁ ଚିନ୍ତା କରି ପିଲା ବାପାମାଆଙ୍କୁ ନ୍ୟାୟ ମିଳିବ ବୋଲି କହିଦେଇ ଚାଲିଗଲେ ବାବୁମାନେ। ଦୁଇ ଜଣଙ୍କୁ ଚାକିରିକୁ ବାହାର କରିବାକୁ ସରକାରଙ୍କୁ ନିଦ୍ଦେର୍ଶ ଦେଲେ ଆଉ ଦୁଇ ଜଣ ଡାକ୍ତରକୁ ଅନ୍ୟତ୍ର ବଦଳି କରିଦେଲେ।  ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଦେଲେ କଣ ସମସ୍ୟାର ସମାଧାନ ହୋଇଯିବ ? ଯେଉଁ ଅଧୀକ୍ଷକ ଏବଂ ଡାକ୍ତର କାର୍ଯ୍ୟରେ ଅବହେଳା କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ଅନୁଭବ କଲା ଏବଂ ସେମାନଙ୍କ ଅବହେଳାରୁ ଏପରି ଅଘଟଣ ଘଟିଲା ବୋଲି ଭାବିଲା ସେମାନେ ଅନ୍ୟ ସ୍ଥାନକୁ ବଦଳି ହୋଇଗଲେ କଣ ଭଲ କାମ କରିବେ ? ସେମାନଙ୍କୁ ବିଦା କରିଦେଲେ ଏବଂ କେଇଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ୱନ କିମ୍ୱା ବହିଷ୍କାର କରିଦେଲେ କଣ ପିଲାଚୋରର ସ୍ଥିତି ସୁଧୁରିଯିବ ? ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀମାନେ କରୁଥିଲେ କଣ ? ଯେତେବେଳେ ଏଠାରେ ଭିତ୍ତିଭୂମି ଅଭାବ, ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଅବହେଳା କଥା ସାଧାରଣ ଲୋକେ ବାରମ୍ୱାର ଅଭିଯୋଗ କରୁଥିଲେ ସେତେବେଳେ ସରକାର କରୁଥିଲେ କ’ଣ ଏମିତି ମନ୍ତବ୍ୟରେ ସରକାର ବ୍ୟସ୍ତ ବିବ୍ରତ ହୋଇପଡ଼ୁଥିଲେ। ଖୋଦ୍ ଡିଜି ନିଦ୍ଦେର୍ଶ ଦେଲେ। ଯେତେ ଶୀଘ୍ର ପାରୁଛ ପିଲାଚୋରକୁ ଧର  ନହେଲେ ପୋଲିସ୍ ଡିପାର୍ଟମେଂଟ ବଦନାମ ହେଉଛି। ପୋଲିସ୍ କିନ୍ତୁ ନାକେଦମ୍ ହେଲାଣି, ଚୋରକୁ ବାହାର କରିପାରୁନି। ଏପରି କି ସହରର ପ୍ରାୟ ସବୁ ଗଳି କନ୍ଦିରେ ଖୋଜ ନୟାନ୍ତ ହେଲା ବୋଲି। ସଦ୍ଧାନୀ କୁକୁର ବି ଫେଲ୍ ମାରିଲା ଶେଷରେ ବାଧ୍ୟହୋଇ ୧୨ଜଣ ଡିଏସ୍‌ପି ଡିଜିଙ୍କୁ ରିପୋର୍ଟ ଦେଲେ ଯେ, ପିଲାଚୋରକୁ ଏ ପର୍ଯ୍ୟନ୍ତ ଧରିପାରିଲୁ ନାହିଁ। ଆଉ କିଛି ଦିନ ସମୟ ଦିଅନ୍ତୁ ଆମେ ନିଶ୍ଚିତ ପିଲାଚୋରକୁ ଖୋଜି ବାହାର କରିବ। ଟିଭିରେ ମଧ୍ୟ ନଜର ରଖିଥାନ୍ତି ପିଲାଚୋର ଧରାପଡ଼ିଲା କି ନାହିଁ। ଅରୁନ୍ଧତୀ ମଧ୍ୟ ବାରମ୍ୱାର ଟିଭି ଉପରେ ନଜର ରଖିଥାଏ ପୋଲିସ୍ ଆଉ ସରକାରଙ୍କର ପିଲାଚୋର ଖୋଜିବାକୁ ଆଉ କ’ଣ କ’ଣ ଅଧିକ  ଯୋଜନା କରୁଛନ୍ତି।

ଅରୁନ୍ଧତୀକୁ ଲାଗୁଥିଲା ଏସବୁ ସରକାରଙ୍କର ଗୋଟେ ଗୋଟେ ପ୍ରହସନ ଛଡ଼ା ଆଉ କିଛି ନୁହେଁ। ଦେଖିବା ପୋଲିସ ଆଉ ସରକାରଙ୍କର କେତେ ଦମ୍ ଅଛି, ପିଲାଚୋରକୁ ବାହାର କରିବ ! ପିଲାଟା ଆଣିବାର ୧୩ ଦିନ ହୋଇଗଲାଣି। ମା’ କ୍ଷୀର ନ ଖାଇ ଛୁଆଟା ବି ଶୁଖିଗଲାଣି। କେତେ ଦିନ ଏମିତି ଡବାକ୍ଷୀର ଦେଇ ପିଲାର  ଜୀବନ ବଂଚାଇବ। ପୁଣି ଡବା କ୍ଷୀର ଆଣିବାକୁ ଗଲେ ପିଲାକୁ ଘର ଭିତରେ ଚାବି ଦେଇ କେତେ ବାଗରେ ଯାଉଛି ବଜାରକୁ। କାଳେ ଧରାପଡ଼ିଯିବ। ସହରର ସବୁ ଗଳି କନ୍ଦିରେ ପୋଲିସ୍ ପଇଁତରା ମାରୁଛି। କେତେବେଳେ ବି ପୋଲିସ୍ କବଜା କରିନେଇପାରେ !

ଶେଷରେ ସରକାର ବାଧ୍ୟହୋଇ ଘୋଷଣା କଲେ-ଯଦି ୨୪ ଘଂଟା ଭିତରେ ପିଲା ଚୋରି କରିଥିବା ବ୍ୟକ୍ତି ଆତ୍ମସମର୍ପଣ କରେ, ଆଇନ୍ କାନୁନ୍ ଅନୁସାରେ ପିଲାକୁ ସମ୍ପୂର୍ଣ୍ଣ ଭାବେ ତାକୁ ପ୍ରଦାନ କରାଯିବ, କୌଣସି ପ୍ରକାର ଦଣ୍ଡ ବି ଦିଆଯିବ ନାହିଁ ଆଉ ଆତ୍ମସମର୍ପଣ କରିଥିବାରୁ ୫୦ ହଜାର ଟଙ୍କା ନଗଦ ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବ। ଏଥର ଟିଭିର ବ୍ରେକିଂ ନ୍ୟୁଜ୍ ଦେଖି ହଡ଼ବଡେ଼ଇ ଗଲା ଅରୁନ୍ଧତୀ। କ’ଣ କରିବ କିଛି ଚିନ୍ତା କରିପାରୁ ନ ଥାଏ। ଯଦି ଆତ୍ମସମର୍ପଣ କଲା, ପିଲା ସିନା ଦେଇଦେବେ କିନ୍ତୁ ସାମାଜିକ ସ୍ତରରେ ସେ ଘୃଣାର ପାତ୍ର ହୋଇଯିବ।  ଆଉ ଯଦି ଏମିତି ଲୁଚି ଲୁଚି ରହେ ବି ଆହୁରି ବେଶୀ ଟେନସନ୍। ସ୍ଥିର କଲା ପୋଲିସ୍ ପାଖେ ଆତ୍ମସମର୍ପଣ କରିବ ଆଉ କାହିଁକି ପିଲାଟିଏ ଚୋରି କରିବାକୁ ବାଧ୍ୟ ହେଲା କହିଦେବ। ହୁଏତ ସତ ଜାଣିଲା ପରେ ସରକାର ଆଉ ପୁଲିସ୍ ଏବଂ ସର୍ବସାଧାରଣ ହୃଦୟଙ୍ଗମ କରିବେ ଯେ, ପିଲାଚୋରି କରିବା ଛଡ଼ା ତା ପାଖେ ଆଉ କୌଣସି ବାଟ ନ ଥିଲା। ବଂଚିବାକୁ ସାହାରା ଦରକାର ଆଉ ସେଥିପାଇଁ ଆଉ ଜଣକ ଜନ୍ମକରା ଛୁଆକୁ ନିଷ୍ଠୁର ଭାବେ ଚୋରି କଲା। ସେଇଆ ବି କଲା। ରାତି ୯ଟାରେ ହାଜର ହେଲା ଖୋଦ୍ ଡିଜିଙ୍କ ପାଖରେ ଆଉ କହିଚାଲିଲା ନିଜର କାହାଣୀ ସବୁ କଥାରେ ଫୁଲ୍ ଷ୍ଟପ୍ ନ ପକାଇ। ଅନୁରୋଧ ଥିଲା- ଯେଉଁ ଦଣ୍ଡ ଦେବେ ସହିବି କିନ୍ତୁ ଏ ଛୁଆ ମୋ ଠାରୁ ନେବେନି। ଏଇ ୧୩ ଦିନର ମମତାରେ ମୁଁ ବାନ୍ଧିହୋଇଯାଇଛି। ମୋତେ ଏ ପିଲାଠାରୁ ଅଲଗା କରିବେନି।

ଡିଜି ସବୁ କାହାଣୀ ଶୁଣିସାରିବାବେଳକୁ ଭିଜିଯାଇଥିଲେ ଗୋଟାପଣେ ଲୁହରେ। ଥୟ ଧରିବା ପାଇଁ କହିଲେ ଅରୁନ୍ଧତୀକୁ। ପ୍ରେସ୍‌ମିଟ୍ ଡାକି ଡିଜି ଜଣାଇଦେଲେ ପିଲାଚୋରର ରହସ୍ୟ ଆଉ ନିର୍ଦ୍ଦୋଷ ବି ଘୋଷଣା କଲେ ଅରୁନ୍ଧତୀକୁ ଆଉ ସବୁ ଦୋଷ ନିଜେ ମୁଣ୍ଡାଇଲେ। ପ୍ରେସ୍‌ମିଟ୍‌ର ଠିକ୍‌ ଶେଷ ଆଡ଼କୁ କହିଲେ-ଦରକାର ପଡ଼ିଲେ ଡିଜି ପଦରୁ ମୁଁ ଇସ୍ତଫା ଦେବି। କିନ୍ତୁ କୌଣସି ପରିସ୍ଥିତି ଅରୁନ୍ଧତୀ ପ୍ରତି କାର୍ଯ୍ୟାନୁଷ୍ଠାନ କରିପାରିବି ନାହିଁ। ଏହା କହି ଏକ ମୁହାଁ ହୋଇ ଚାଲିଗଲେ ଡିଜି ମହୋଦୟ। ଅରୁନ୍ଧତୀ ଆଖିରେ ଆଖିଏ ଲୁହ। ଏ ଲୁହରେ ଦୁଃଖ ଯେତିକି ଖୁସି ବି ସେତିକି। ବାସ୍, ଛୁଆକୁ ଧରି ଚାଲିଲା ଅରୁନ୍ଧତୀ ତା ଦୁନିଆକୁ ନୂଆ ରୂପ ଦେବା ପାଇଁ।

ରାଘବପୁର, ଗେଡ଼ମା, ମଞ୍ଜୁରିରୋଡ଼, ଜିଲ୍ଲାକେନ୍ଦୁଝର୭୫୬୧୨୧

ଫୋନ୍‌୮୮୯୫୩୦୪୫୫୬

Previous ArticleNext Article

Send this to a friend