ସବୁଜ ସୁଖ

Kalamara-Kuhu-By-Badal-Mohanty

ବୟସ ଚାଳିଶ ଛୁଁ ଛୁଁ ଅଜୟର ଆଖିକୁ ଦିଶିଲା ନାହିଁ ଆଉ ସାନ ସାନ ଅକ୍ଷର। ଡ଼ାକ୍ତର କହିଲେ ଚଷମା ଲଗେଇବାକୁ। ଆଖି ଉପରେ ଚଷମା କାଚ! ପ୍ରାକୃତିକ ଶୋଭା ଦେଖିବାକୁ ଖାଲି ଆଖି ଅସମର୍ଥ?

ଭାରି ବିରକ୍ତ ଲାଗିଲା ଅଜୟକୁ। ହେଲେ ସେ ନିରୁପାୟ।

ବଂଧୁଙ୍କ ଅଯଥା ପରାମର୍ଶ, ସବୁଜିମାକୁ ଚାହଁ।

ସହରରେ ସବୁଜିମା? ପୁଣି ତାକୁ ଭୋଗିବାକୁ ସମୟ ଦେବା ଅଯଥା ନୁହେଁ ତ ଆଉ କ’ଣ? ଶୁଣିବାକୁ ତ ପଡ଼ିବ। ଅଜୟ ଶୁଣିଲା ଓ ଭୁଲିଗଲା। ଏଇ ସବୁଜିମା ଦେଖିବା କଥାରୁ ତା’ର ମନେ ପଡ଼ିଲା ଛନଛନ ନେଳିଘାସର ସ୍କୁଲ ପଡ଼ିଆ ଆଉ ସୁବିସ୍ତୃତ ନୀଳନୀଳ ଧାନ କ୍ଷେତ। ଯାହାକୁ ଦିନେ ସେ ଦେଖିବାକୁ ବାଧ୍ୟଥିଲା। ତାକୁଇ ଭୋଗିବା ବ୍ୟତୀତ ତା ପାଖରେ ଆଉ କିଛି ଉପାୟ ବି ନଥିଲା। ନେଳିନେଳି ପିଜୁଳି ଗଛର ଶାଖାରେ ଓ ହଳିଥିଲା ପିଲାବେଳର ଲୋଭ। ଯୁଆଡେ଼ ଚାହିଁଲେ ସବୁଜିମା।

ରମ୍ଭାର କପାଳରେ ସେ ଚିହ୍ନଟା ଏବେବି ଲିଭିନି। ବୋଧହୁଏ ଆଉ ଲିଭିବନି। ଗୋରା ତକତକ ଜହ୍ନ ପରି ମୁହଁଟାରେ ଗୋଟେ ଦାଗ ରହିଗଲା। ଆହା! ବିଚାରୀ ତା’ରି ପାଇଁ ଆଜି ଏ ଦଶା ଭୋଗିଲା। ଅଜୟ ନିଜ ସପକ୍ଷରେ ଯୁକ୍ତି ବାଢିଲା। ସେ କ’ଣ କରିବ ଯେ? ତିନିଦିନ ହେବ ସେ ପିଜୁଳିଟାକୁ ପତ୍ର ସନ୍ଧିରେ ବଡ଼ କାଇଦା କାରସାଦିରେ ଲୁଚେଇ ରଖିଚି। ଠିକ୍ ପାଚିଲା ଦିନ ସେ ତୋଳିବାକୁ ହାତ ବଢେଇଚି କି ନାହିଁ, ରମ୍ଭା ଆରପାଖ ଡ଼ାହିରୁ ଝାମ୍ପ ମାରି ତୋଳିନେଲା ସେଇଟାକୁ। ଅଜୟ ହିତାହିତ ଜ୍ଞାନ ଭୁଲି ଦେଲା ଗୋଟେ ନାତ ସେଇ ଗଛରେ ଥାଇ। ଧୁସ୍ କିନା ଗଳି ପଡ଼ିଲା ରମ୍ଭା ଗଛ ଉପରୁ ତଳକୁ। ଡ଼ାହାଣପାଖ ଆଖି ଉପର କପାଳରୁ ଚିରିଗଲା ଫାଳେ। ବୋଉଲୋ ମରିଗଲି ଲୋ କହି ରଡ଼ି ଛାଡ଼ି କାନ୍ଦିଲା ରମ୍ଭା। ଧାରଧାର ରକ୍ତକୁ ଦେଖି ଅଜୟର ଶନିପାତ। ଆଉ କିଛି ଉପାୟ ନପାଇ ଅଜୟ ମାର ଡ଼ିଆଁ ଭାଗ୍ । ଦିନ ତମାମ୍ ରମ୍ଭାବୋଉ ସମ୍ପିଲା ଅଜୟକୁ ତା’ ଚଉଦ ପୁରୁଷକୁ। ଅଜୟର ବଡ଼ଭାଇ ରମ୍ଭାକୁ ମେଡ଼ିକାଲ୍ ନେଲା। ଯାହା ପଇସା ଖର୍ଚ୍ଚ ହେଲା ଅଜୟର ବାପା ଦେଲେ। ଦି’ ଚାରିଦିନ ପରେ ଯେମିତି କିଛି ହିଁ ଘଟିନି, ଅଜୟ ଓ ରମ୍ଭା ଭିତରେ। ନିଷ୍କପଟ ପିଲାମନ ଭାରି ଭୁଲା। ସେ ଛୋଟ ଦୁର୍ଘଟଣାଟି ସିନା ଲିଭିଗଲା ହେଲେ ଲିଭିଲା ନାହିଁ ରମ୍ଭା କପାଳର ସେ ଦାଗ।

ପଞ୍ଚମ ଶ୍ରେଣୀରୁ ରମ୍ଭାର ପାଠରେ ଡ଼ୋରି ବନ୍ଧା ହେଲା। ଛିଟରଂଗର ମଇଳା, ଅସନା ରବର ପ୍ୟାଣ୍ଟତଳୁ ଆଉ ପିଜୁଳି ବାହାର କରି ରମ୍ଭା ବଢେଇ ଦେଲାନି ଅଜୟ ହାତକୁ, କି କହିଲାନି ପାଠ ଦେଖେଇବୁନା? ରମ୍ଭା ସହ ଲୁଡୁ, ବାଘଛେଳି, ନଈ-ନାଳ, ସଢେଇ ଖେଳ ଓ ପିଜୁଳି ତୋଳା ସବୁ ରହିଗଲା ପଛରେ। ବୟସ ସାଙ୍ଗକୁ ଦେହ ମନର ପରିବର୍ତ୍ତନ ଉଭୟଙ୍କୁ ଦୂରେଇ ଦେଲା କୋଉ ଛଟକରେ ଉଭୟେ ଜାଣି ପାରିଲେ ନାହିଁ। ପହିଲି ଯୌବନରେ ରମ୍ଭା ଦିଶିଲା ଫଳନ୍ତି ପିଜୁଳିଗଛ ପରି ସାଗୁଆ ସାଗୁଆ। ଅଜୟ ହାତ ପାଖକୁ ଆଉ ନଇଁ ଆସିଲାନି ଫଳଭର୍ତ୍ତି ପିଜୁଳି ଡ଼ାଳ। ଗୋଟେ ଅପହଞ୍ଚ ପ୍ରାକୃତିକ ଦୂରତା କ୍ରମେ ବଢି ଚାଲିଲା ଅଜୟ ଓ ରମ୍ଭା ଭିତରେ, ମନକୁ ମନ। ପାଖ ପଡ଼ିଶା ଘର ଝିଅ ରମ୍ଭା କିନ୍ତୁ କୁଆଡେ଼ ଯାଇ ପାରିଲାନି ଅଜୟକୁ ଛାଡ଼ି। ଅଜୟର ମନମାନସରେ ଛବିଟିଏ ହୋଇ ଝୁଲି ରହିଲା ରମ୍ଭା। ଯେତେ ଚେଷ୍ଟା କଲେବି ଅଜୟ ଭିତରୁ ସେ ଦୂରେଇ ଗଲାନାହିଁ ରମ୍ଭା। ଅଜୟର ସବୁତକ ସ୍ୱପ୍ନରେ ପାଚିଲା ଲୋଭନୀୟ ପିଜୁଳି ପରି ଝୁଲି ରହିଲା ରମ୍ଭା ଢେର୍ ଦିନ ଯାଏଁ। କଲେଜରେ ପଢିଲା ପରେ ଯଦିଓ ସହପାଠିନୀମାନେ ସେ ଜାଗାକୁ ମାଡ଼ି ବସିଲେ ତଥାପି ରମ୍ଭା ପ୍ରତିଦ୍ୱନ୍ଦ୍ୱିତା କଲା ତାଙ୍କ ସହ ଶୂନ୍ୟରେ, ତା’ପହିଲି ପ୍ରେମର ଅଦୃଶ୍ୟ ଅଧିକାର ନେଇ ।

ଶେଷରେ ଅସହାୟ ହେଇ ପଡ଼ିଲା ସେ। ମୁହଁ ଫେରାଇ ନେବାକୁ ବାଧ୍ୟ ହେଲା। ନିରର୍ଥକ ଶୂନ୍ୟତାକୁ ନେଇ କେତେଦିନ ବା ଚଳେଇ ହେଇଥାନ୍ତା ନିଆଁ ପ୍ରତି ଦୁର୍ବଳ ଯୌବନର ଜଉଘରକୁ? ଏଥର ରମ୍ଭା ପାଇଁ ଅଜୟ ପାଲଟି ଗଲା ଅପହଞ୍ଚ ଦୂରତାର ପାଚିଲା ପିଜୁଳି। ତାକୁ ବାଦୁଡ଼ି ଖାଉ, ସେ ଖସିପଡୁ କି ଆଉ କିଏ ନେଇଯାଉ ସେଥିରେ ଅଜୟର ନେଣଦେଣ ନାହିଁ।

ଟୁ ବାଇ ଟୁ ଏସି ବସ୍ ଧାଉଁଥିଲା ପବନ ବେଗରେ। ରାସ୍ତାକଡ଼ର ଗଛ ସବୁ ପଛରେ ରହିଯାଉଥିଲେ। ଅଜୟ ଦେଖୁଥିଲା ଚଳନ୍ତି ସବୁଜିମାକୁ। ତା’ ଆଖିପାଇଁ ଏ ଦୃଶ୍ୟ ସବୁ ନିହାତି ଆବଶ୍ୟକ। ହେଲେ ଆଖିରେ ଧରାଦେଉ ନଥିଲେ ସବୁଜିମା। ସାଏଁ ସାଏଁ ହେଇ ଦୂରେଇ ଯାଉଥିଲା ସବୁଜିମା। ବଡ଼ ବିକଳ ହେଇ ଅଜୟ ବସ୍  ଝରକାରେ ମୁହଁ ଗଳେଇ ଚାହୁଁଥିଲା ପଛକୁ।

କେତେ ଶୀଘ୍ର ଗଛସବୁ ଦୂରେଇ ଯାଉଥିଲେ ତା’ ଠୁ ? ପାଖ ସିଟ୍ ରେ ବସିଥିବା କଲେଜ ପଢୁଆ ପିଲାଟା ବିରକ୍ତ ହେଉଥିଲା ବୋଧହୁଏ ଅଜୟ ଉପରେ। କେତେ ଉଠ୍‍ପଡ଼ ହେଉଛି ଲୋକଟା? ପିଲାଟି ତା’ ଟ୍ୟାବରେ କ’ଣ ଗୋଟେ ଫିଲ୍ମ ଦେଖି ହସୁଥିଲା। ସବୁଜିମା ଭୋଗିବାର ରହସ୍ୟ ସେ ବା କୁଆଡୁ ଜାଣିବ?

ବସ୍ ରହିଲା ଭଦ୍ରକ ବନ୍ତ ଛକରେ। ଏଇଠୁ ପଚିଶ କିଲୋମିଟର ଅଜୟ ଗାଁ। ଏଇଠୁ ପରିବର୍ତ୍ତନ କରିବାକୁ ହେବ ବସ୍। ଲୋକାଲ୍ ଧତଡ଼ା ବସ୍‍କୁ ପ୍ରବଳ ଭିଡ଼। ରାସ୍ତା ତ ମରଣଯନ୍ତା। ପାଲିଙ୍କି ପରି ହଲି ଦୋହଲି ଯାଇ ଅଜୟର ଛକରେ ପହଞ୍ଚିଲା ବେଳକୁ ଅଢେଇ ଘଣ୍ଟାରୁ ତିନିଘଣ୍ଟା ଲାଗିବ। ସେଇକଥା ଭାବି ଅଜୟର ମୁହଁ ଶୁଖିଲା ଦିଶିଲା। ହେଲେ ଉପାୟ ବି କ’ଣ? ଲୋକ ରୁଣ୍ଡ ହେଇଗଲେଣି। ବସ୍ କିନ୍ତୁ ଆସିନାହିଁ। ପ୍ରାୟ ପଚିଶ ତିରିଶ ମିନିଟ୍ ପରେ ଆସିଲା କାଦିରି ଗୋଲ୍ଡେନ୍ ବସ୍। ଝରକା ବାଟେ ଅଜୟ ଗୋଟେ ସିଟ୍ ଉପରେ ପକେଇ ଦେଲା ତା’ ବ୍ୟାଗ୍ କୁ। ରକ୍ଷା। ସିଟ୍ ମିଳିଗଲା ନହେଲେ ନର୍କ ଯନ୍ତ୍ରଣା। ପେଲାପେଲି ଠେଲାଠେଲିରେ ବ୍ୟସ୍ତ ଯାତ୍ରୀମାନେ। ପାନଖିଆ ଦାନ୍ତ ଦେଖେଇ ଚିହ୍ନା କଣ୍ଡକ୍ଟର ଜଣକ କହିଲା, ଆରେ! ଅଜୟଭାଇ ଆପଣ! ଆଜି ଆସିଲେ, ଗାଁକୁ ଯିବେ? ଅଜୟ ଉତ୍ସାହିତ ହେଇ ହଁ ଟେ ମାରି ତା’ ହାତକୁ ବଢେଇ ଦେଲା ପଚାଶ ଟଙ୍କିଆ ନୋଟ୍‌‍। ନିର୍ଦ୍ଧାରିତ ଭଡ଼ା ପାଇଁ ଲୋକଙ୍କ ସାଙ୍ଗରେ ଯୁକ୍ତିତର୍କ କରୁଥିବା କଣ୍ଡକ୍ଟର କହିଲା ଥାଉ ଥାଉ ଆପଣ ରଖନ୍ତୁ। ନା ନା ଏସବୁ କି କଥା। ବେପାରରେ ଏସବୁ ଭଲ ନୁହେଁ ପ୍ରତିବାଦ କଲା ଅଜୟ। ତିରିଶ ଟଙ୍କାରୁ ଗୋଟେ ପଇସା କମ୍ ନେଉନଥିବା କଣ୍ଡକ୍ଟରଟା ତିରିଶ ଟଙ୍କା ଫେରାଇଲା ଅଜୟକୁ।

କହିଲା ଭାଇ! ସିଟ୍ ପାଇଛନ୍ତି ତ?

ଅଜୟ ମୁଣ୍ଡ ଟୁଙ୍ଗାରି ହଁ ଭରିଲା। ପନ୍ଦର ମିନିଟ୍ ବସିଲା ପରେ ବି ବସ୍‍ ଷ୍ଟାର୍ଟ ହେଉନି। ପ୍ରବଳ ଗୁଳୁଗୁଳିକୁ ବସ୍‍ ଭିତରେ ପବନ ପଶିବାକୁ ବାଟ ନାହିଁ। ଭାରି ବିରକ୍ତିକର ପରିବେଶ। ଗାଡ଼ି ଛାଡ଼ୁନ କାହିଁକି? ପଚେଇ ଦବନା କ’ଣ? ନା ଏଥିରେ ଯାଇ ହବନି ମୁଁ ଆର ବସ୍‍ରେ ଯିବି। କିଏ କହୁଥାଏ ଶଳା! ୟାଙ୍କୁ ତ ବେପାର ଲୋଭ ଲାଗିଛି ମଣିଷ ମରୁ କି ବଂଚୁ? ଏମିତି ଅନେକ କଥାକୁ ଅଭ୍ୟସ୍ତ କଣ୍ଡକ୍ଟର ଶୁଣି ନଶୁଣିଲା ପରି ଆହୁରି ଟିକେଟ କାଟି ଚାଲିଥାଏ ତ ହେଲ୍‍ପର୍ ଡ଼ାକ ଛାଡ଼ିଥାଏ ଚାନ୍ଦ…ଅଅଅ…ବାଲି ଚାନ୍ଦ..ଅଅଅ..ବାଲି। ଡ଼୍ରାଇଭରର ପାନ ଭଙ୍ଗା ଚାଲିଛି। ଠିଆ ହେଇଥିବା ଲୋକମାନେ ସିଟ୍‍ରେ ବସିଥିବା ଲୋକଙ୍କ ଉପରେ ଭରାଦେଇ ଝରକା ଆଡ଼କୁ ମୁହଁ ପାତୁଛନ୍ତି ଟିକେ ପବନ ପାଇଁ। ଯାହା ମନକୁ ଯାହା ଆସୁଛି ବକୁଛନ୍ତି। ଏଇ ସମୟରେ ଗାଡ଼ି ଷ୍ଟାର୍ଟ ହେଲା ଓ ଘଡ଼ଘଡ଼ ଶବ୍ଦ କରି ଚାଲିବାକୁ ଲାଗିଲା। ଲୋକେ ଆଶ୍ୱସ୍ତ ହେଲେ ଓ ପରସ୍ପର ପରସ୍ପରର ଚିହ୍ନା ଲୋକଙ୍କୁ ବସ୍‍ ଭିତରେ ପାଇ ପଚାରିଲେ ତୁ କୁଆଡେ଼? ଆରେ ଶ! ତୁ ବି ଏଇ ବସ୍‍ରେ? ବସ୍‍ଟା ଯେମିତି ୟାଙ୍କ ଘର କି ଗାଁ ଚଉତରା? ଅଜୟ ପରିବେଶ ସହ ଟିକେ ଅଭ୍ୟସ୍ତ ହେଇଗଲା ପରେ ତାକୁ ଭଲ ଲାଗିଲା ସମ୍ପର୍କର ଏହି ଭାବ ଦିଆନିଆ। ଭୁବନେଶ୍ୱରରେ କିଏ କାହା ସହ କଥା ହୁଏ? ସମସ୍ତେ ଯେମିତି ପରିଚୟହୀନ ଭିନ୍ନ ଗ୍ରହର ପ୍ଲାଷ୍ଟିକ୍ ମଣିଷ। ନିଜ ପଦପଦବୀ, ଅହଂକାର, ପଦ ମର୍ଯ୍ୟାଦାକୁ ନେଇ ସମସ୍ତେ ଚୁ୍ପ୍। କାଳେ କିଏ ଜାଣିଯିବ ଷ୍ଟାଣ୍ଡାର୍ଡ! ଶ ! ଅଯଥା ଭୟ ଓ ଆଶଙ୍କାରେ ଜର୍ଜରିତ ଚବିଶ ଗୁଣନ ସାତର ଜୀବନ। ତା ଦିହରେ ବି ବାହାଦୂରୀ, ବଡ଼ବଡ଼ କଥା ଫୁଟାଣି ଓ ପ୍ରବଚନ। ଶଳେ ଗଡ଼ ଜିତଛନ୍ତି ଯେମିତି। ସେମାନେ ଆଉ କାହାରିକୁ ଚିହ୍ନିବା ଆବଶ୍ୟକ ନାହିଁ। ଏବେ ଲୋକେ ତାଙ୍କୁ ଚିହ୍ନନ୍ତୁ। ପରିଚୟ ସଙ୍କଟ ରୋଗରେ ଆକ୍ରାନ୍ତ ଅସହାୟ ମଣିଷ। ହେଲେ ସେସବୁର କପଟ ଆଚାର-ବ୍ୟବହାର ନାହିଁ ଏ ବସ୍‍ରେ। ଯିଏ ଯାହାକୁ ଦେଖୁଛି ଚିତ୍କାର ଛାଡ଼ୁଛି ଏଇ ! ଏଠିକିଆ। ତଳି ପକେଇଲୁଣି? ଘର ଛପର କଲୁଣି? ତୋ ଝିଅର ଡେ଼ଲିଭରି ହବା କଥା କ’ଣ ହେଲା? ତୋ ପୁଅ କଲେଜରେ ଆଡ଼ମିଶନ୍ କଲା ନା ନାହିଁ ଇତ୍ୟାଦି ଇତ୍ୟାଦି। ନିଜର ପଣିଆର କୋଳାହଳ, ଅନ୍ୟର ସୁଖଦୁଃଖ, ଭଲମନ୍ଦ ବୁଝିବାର ଆପଣାପଣ ଭାରି ବର୍ଣ୍ଣମୟ ଲାଗୁଛି ଅଜୟକୁ । ଚିହ୍ନାଲୋକ କିଛି ତାକୁ ଚାହୁଁଚନ୍ତି ନିରେଖି ନିରେଖି। ଯେମିତି ସେ କେଉଁ ଅଜଣା ଗ୍ରହର ଲୋକ। କଥା ପଦେ ହେବାକୁ ଭରସି ପାରୁନାହାନ୍ତି। ଅଜୟର ଜିନ୍‍ପ୍ୟାଣ୍ଟ ସାଙ୍ଗକୁ ଟିସାର୍ଟ ଆଖିରେ ଚଷମା। ବସ୍‍ ଭିତରେ ସେ ନିଆରା । ବଡ଼ବାବୁ ବୋଧେ କେହି। ସେମାନଙ୍କ ଫାଲ୍‍ତୁ ଆଲୋଚନାର ବିଭିନ୍ନ ପ୍ରସଙ୍ଗରେ ଅଜୟ ଭାଗ ନେଉ ଓ ଏହାର ସମାଧାନ କହୁ ଏକଥା ସେମାନେ ତା’ଠୁ ଚାହାନ୍ତି। ଅଜୟ ଜାଣି ବି ଅଜଣା ହୁଏ ଓ ଏ ମାସର ଗୋଟେ ଇଂରାଜୀ  ପତ୍ରିକା ଖୋଲି ଧରେ। ହଜିଯାଏ ମୁଖ୍ୟ ଟପିକ୍ ଭିତରେ। ହେଲେ ରାହାଧରି କାନ୍ଦୁଥିବା ସେ କାନ୍ଦୁରା ପିଲାଟିର ବାହୁନା ବଡ଼ ବିରକ୍ତିକର। କ’ଣ କରୁଛି କି ତା’ ମା? ପଛକୁ ବୁଲି ଚାହିଁଲା ଅଜୟ । ହଠାତ୍ ତା’ର ନଜର ସ୍ଥିର ହେଇଗଲା ପିଲାଟିର ମା ଉପରେ। ଆରେ! ଇୟେ ତ ରମ୍ଭା। ରମ୍ଭା ପିଲାଟିକୁ ବୋଧ ଦେଉଦେଉ ଅଜୟକୁ ଚାହିଁ ହସିଦେଲା ଟିକେ। ଅଜୟ ବି ତା ହସର ପ୍ରତିବଦଳରେ ହସ ଖଣ୍ଡେ ଝୁଲାଇଲା ତା ଓଠରେ। ପକେଟରୁ ଚକୋଲେଟ୍ ଗୋଟେ କାଢି ପିଲାଟି ହାତରେ ଦେଲା। ପିଲାଟି ପ୍ରଥମେ ଅଚିହ୍ନା ଲୋକକୁ ଦେଖି ଲାଜ କଳଶ ଓ ପରେ ଶିଶୁସୂଲଭ ଲୋଭକୁ ସମ୍ଭାଳି ନପାରି ଅଜୟ ହାତରୁ ନେଲା ଚକୋଲେଟ୍‍ ଓ ଶାନ୍ତ ପଡ଼ିଗଲା। ବସ୍ ଟା ଫାଙ୍କା ହେଇଗଲାଣି ଟିକେ। ରମ୍ଭା ତା ବର ସହ ପରିଚୟ କରେଇ ଦେଲା।

– ଗାଁ କୁ ଯାଉଛୁ ? ପଚାରିଲା ରମ୍ଭା। ଅଜୟ ମୁଣ୍ଡ ହଲେଇ ହଁ କଲା।

– ତୁ କୁଆଡେ଼ ଯାଇଥିଲୁ କି?

– ଡ଼ାକ୍ତରଖାନା। ସଂକ୍ଷିପ୍ତ ଉତ୍ତର ଫେରାଇଲା ରମ୍ଭା।

ଅଜୟ ରମ୍ଭା କାଖରୁ ପିଲାଟିକୁ ନେଇ ଧରିଲା । ରମ୍ଭା ମୁହଁରେ କେମିତି ଗୋଟେ ଆପଣାରପଣ ଝଟକି ଆସୁଥାଏ ତା’ ସାଙ୍ଗରେ ଦୁଇଟୋପା ଲୁହ ବି ।

– କ’ଣ ହେଲା ରମ୍ଭା ? ବସୁନୁ ଏଇଠି।

ଶାଢିକାନିରେ ଆଖିପୋଛି ଅଜୟ ପାଖ ସିଟ୍ ରେ  ବସିଲା ରମ୍ଭା। ଅତିପାଖରୁ ଆଉଥରେ ଅଜୟ ଚାହିଁଲା ରମ୍ଭାର ମୁହଁକୁ। ତା କପାଳରେ ସେ ଚିହ୍ନଟା ଝଟକୁଥିଲା ସେମିତି। ପ୍ଲାଷ୍ଟିକ୍ ବାସ୍କେଟ ‍ରୁ ଦିଇଟା ପିଜୁଳି ବାହାର କରି ଅଜୟ ହାତକୁ ବଢେଇଲା ରମ୍ଭା। କହିଲା – ତୁ ତ ବଡ଼ନୋକ ହେଇଗଲୁଣି ତୋ ସହିତ କଥା ହେବାକୁ ଡ଼ର ଲାଗୁଛି। ଅଫିସର ନୋକ। ଆମେ ତ ଗାଁ ଗାଉଁଲୀ ମଣଷ। କେତେ ଦରବ ଖାଉଥିବୁ ଆମେ ବା ଆଉ କ’ଣ ଦେଇପାରିବୁ ତୋତେ? ଅଜୟ ରମ୍ଭାକୁ ସହଜ କରିବା ପାଇଁ କହିଲା – ତୁ ଡ଼ାକ୍ତରଖାନାକୁ ପିଜୁଳି ନେଇ ଯାଇଥିଲୁ ନା କଣ? ଲାଜଲାଜ ହେଇ ଅଳ୍ପ ହସି ରମ୍ଭା କହିଲା ମୋତେ ସେ ହୁଟଲ ଭାତ, ତରକାରୀ, ମତେ ମୋଟେ ଭଲ ଲାଗେନା। ତାକୁ ଦେଖିଲେ ମୋ ପେଟ ମୋଡେ଼। ଅଜୟର ଇଛା ହେଉଥିଲା କହିଥାନ୍ତା ମୋତେ ବି। ହେଲେ କହିପାରିଲାନି। ରମ୍ଭା ଓହ୍ଲେଇଲା ବସ୍ ରୁ। ତା ବର ହାତ ବଢେଇଲା । ପିଲାଟିକୁ ଧରି ଧିରେ ଧିରେ ବସ୍‍ ପାହାଚରୁ ତଳକୁ ପାଦ ବଢେଇଲା ସେ ।

ଯାଉ ଯାଉ ରମ୍ଭା  କହିଲା- ଅଜୁ! ତୋତେ ଢେର୍ ଦିନ ପରେ ଆଜି ଦେଖି ଖୁସି ଲାଗିଲା। ତୁ ଜମ୍ମା ବଦଳିନୁ ରେ। ଯେମିତି ଥିଲୁ ସେମିତି। କେତେବେଳେ ମୋ ଘର ଆଡେ଼ ଆସୁନୁ?

ଅଜୟ ହସିଲା। କହିଲା ଯିବି ଯିବି ସମୟ ହେଲେ ନିଶ୍ଚୟ ଯିବି। ତୁ ଯା ଅନ୍ଧାର ହେଲାଣି।

ରମ୍ଭା ମୁହଁ ଫେରାଇ ନେବା ବେଳକୁ ଗାଡ଼ି ଲାଇଟ୍‍ରେ ଆଉଥରେ ଚକ୍‍ଚକ୍ ଦିଶିଲା ସେ କ୍ଷତଟା। ଅଜୟ ଏଥର ବିନା ଚଷମାରେ ଭୋଗିଲା ସମ୍ପର୍କର ସବୁଜିମା। ଆପଣାପଣର ପତଳା ଚୋପା ତଳେ ସତରେ କେଡେ଼ବାଗରେ ଲୁଚି ରହିଥାଏ ସବୁଜ ସମ୍ପର୍କର ମାଂସଳ ଠିକଣା? ଠିକ୍ ରମ୍ଭାବୋଉ ବାଡ଼ିର ପିଜୁଳି ଭଳି। ବାହାରକୁ ନେଳି ନେଳି ଭିତରେ ଲାଲ୍।

ଫୋନ୍‌ ନଂ.-୯୭୭୮୦୩୫୭୬୭

Previous ArticleNext Article

Send this to a friend