ଗେରୁଆ ବସ୍ତ୍ର ପିନ୍ଧି ଆସିଥିବା ଦମ୍ପତ୍ତିଙ୍କୁ ତାଜମହଲରେ ବାରଣ ନେଇ ଝଡ଼: କ’ଣ କହିଲେ ସରକାର

saforn-1

ଲକ୍ଷ୍ନୌ: ଗେରୁଆ ବସ୍ତ୍ର ପିନ୍ଧି ଆସିଥିବା ପର୍ଯ୍ୟଟକ ଦମ୍ପତ୍ତିଙ୍କୁ ବିଶ୍ୱପ୍ରସିଦ୍ଧ ତାଜମହଲରେ ବାରଣ ନେଇ ଝଡ଼ ସୃଷ୍ଟି ହୋଇଛି। ସମ୍ପୃକ୍ତ ପର୍ଯ୍ୟଟକ ଦମ୍ପତ୍ତି  ମଡେଲ ହୋଇଥିବା ବେଳେ ଏମାନେ ବିଦେଶ ନାଗରିକ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ଏହି ଦମ୍ପତ୍ତି ତାଜମହଲ ବୁଲିବାକୁ ଯାଇଥିଲେ। ହେଲେ ସେମାନେ ‘ରାମ’ ଲେଖାଥିବା ଗେରୁଆ ବସ୍ତ୍ରକୁ ଦେହରେ ପକାଇଥିଲେ। ତେବେ ଏଭଳି ବେଶ ଦେଖି ସେଠାରେ ଥିବା ସୁରକ୍ଷା କର୍ମୀ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର କର୍ମଚାରୀମାନେ ତାଙ୍କୁ ତାଜମହଲ ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇ ନ ଥିବା ଅଭିଯୋଗ ହୋଇଥିଲା। କଥା ପ୍ରଘଟ ହୋଇଯିବା ପରେ ବଜରଙ୍ଗଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେମାନେ ଭାରତୀୟ ପ୍ରତ୍ନତତ୍ୱ ବିଭାଗର କର୍ମଚାରୀଙ୍କ ବିରୋଧରେ ନାରାବାଜି କରିଥିଲେ। ଏହି ଆନ୍ଦୋଳନ ତାଜମହଲ ସମ୍ମୁଖରେ ହୋଇଥିଲା। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପ୍ରତିକ୍ରୀୟା ରଖିଛି। ସରକାର କହିଛନ୍ତି ଯେ, ଆସିଥିବା ଅଭିଯୋଗ ଉପରେ କୌଣସି ସତ୍ୟତା ନାହିଁ। ସମ୍ପୃକ୍ତ ଦମ୍ପତ୍ତିଙ୍କୁ କେବଳ ସିଗାରେଟ ଏବଂ ଲାଇଟର ନେବାକୁ ବାରଣ କରାଯାଇଥିଲା। ହେଲେ ସେମାନଙ୍କୁ  ତାଜମହଲ ଭିତରକୁ ପ୍ରବେଶ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସେମିତି କିଛି ବାରଣ କରାଯାଇନାହିଁ।

ସେହିପରି ସେଠାରେ ନିୟୋଜିତ ଥିବା ସିଆଇଏସଏଫ ପକ୍ଷରୁ ମଧ୍ୟ କୌଣସି ବାଧା ସୃଷ୍ଟି କରାଯାଇ ନାହିଁ। ତାଜମହଲରେ ପ୍ରବେଶ ପାଇଁ ଜାତି, ବର୍ଣ୍ଣ, ଧର୍ମ ଭଳି କୌଣସି କଟକଣା ନାହିଁ ବୋଲି ସରକାର କହିଛନ୍ତି।  ଏହି ଘଟଣାରେ ସ୍ଥାନୀୟ ପୋଲିସକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି।

Previous ArticleNext Article

Send this to a friend