କାଶ୍ମୀରରେ ସେନାର ବଡ଼ ଧରଣର ଅପରେସନ୍ : ୧୧ ଆତଙ୍କବାଦୀ ସଫା, ୩ ଯବାନ ସହିଦ୍

ଜମ୍ମୁ: ଗତ ଏକ ଦଶନ୍ଧି ମଧ୍ୟରେ କାଶ୍ମୀରରେ ସେନାର ସବୁଠୁ ବଡ଼ ଅପରେସନ୍ । ଆଜି ସୋପିଆନ ଓ ଅନନ୍ତନାଗ ଜିଲ୍ଲାର ୩ଟି ସ୍ଥାନରେ ଏକସାଙ୍ଗରେ ଏନ୍‌କାଉଣ୍ଟର ହୋଇଛି । ଏଥିରେ ୧୧ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ଧରାପିଡିଛି । ଏହି ଅପରେସନରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୨ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଅନନ୍ତନାଗ ଜିଲ୍ଲାର ଦିଆଲଗାମ,ସୋପିଆନ୍ ଜିଲ୍ଲାର ଦ୍ରାଗଦ୍ ଓ କାଚିଡୋରା ତିନି ତିନିଟି ସ୍ଥାନରେ ଆଜି ଏକା ସାଙ୍ଗରେ ହୋଇଛି ଗୁଳି ବିନିମୟ। ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ଆତଙ୍କବାଦୀ ଏକତ୍ରିତ ହୋଇଥିବା ସୂଚନା ମିଳିବା ପରେ ଗତ ରାତିରେ ସେନା, ସିଆରପିଏଫ୍ ଓ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ।

ସାଧାରଣ ଲୋକଙ୍କ ଘରେ ଆତଙ୍କବାଦୀ ଲୁଚିଥିବାରୁ ସୁରକ୍ଷାକର୍ମୀଙ୍କୁ ସତର୍କତାର ସହ ଆଗେଇବାକୁ ପଡିଥିଲା । ସେନା ପକ୍ଷରୁ ଆତ୍ମସମର୍ପଣ ପାଇଁ ଆତଙ୍କବାଦୀଙ୍କୁ ଆହ୍ୱାନ ଦିଆଯାଇଥିଲା । ତେବେ ସେମାନେ  ପ୍ରଥମେ ଗୁଳିମାଡ଼ କରିବାରୁ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ସୋପିଆନ୍‌ର ଦ୍ରାଗଦରେ ୭ ଜଣ ‌ଆତଙ୍କବାଦୀ  ନିହତ ହୋଇଛନ୍ତି । ଏମାନଙ୍କ ଭିତରେ ଲେଫଟନାଣ୍ଟ ଉମର ଫୟାଜ୍‌ଙ୍କୁ ହତ୍ୟା ଘଟଣାରେ ସାମିଲ ଦୁଇ ଆତଙ୍କବାଦୀ ଥିବା ଜଣାପଡିଛି। ଦିଆଲଗାମରେ ଜଣେ ଆତଙ୍କୀ କମାଣ୍ଡର ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଧରାପଡିଛି । ତେବେ କାଚିଡୋରାରେ ସେନାକୁ କ୍ଷତି ସହିବାକୁ ପଡିଛି । ଏଠାରେ ହୋଇଥିବା ଏନ୍‌କାଉଣ୍ଟରରେ ୩ ଜଣ ଯବାନ ସହିଦ୍ ହୋଇଛନ୍ତି ।

ସେପଟେ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର ବେଳେ ସୁରକ୍ଷାକର୍ମୀଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଛି । ବିଭିନ୍ନ ସ୍ଥାନରେ ସେନା ଓ ସାଧାରଣ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଦ୍ରାଗଦ୍ ଓ କାଚିଡୋରା ଜଣେ ଲେଖାଏଁ ସାଧାରଣ ଲୋକ ନିହତ ହୋଇଛନ୍ତି।   ସେହିପରି ପେଲେଟ୍ ବାଜି ୨୫ ଜଣ ଓ ଗୁଳି ବାଜିବାରୁ ୬ ଜଣ ଲୋକ ଆହତ ହୋଇଛନ୍ତି।  ସେନା, ସିଆରପିଏଫ୍ ଓ ପୋଲିସ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁ ଏତେ ବଡ଼ ସଫଳତା ମିଳିଥିବା ସେନା ପକ୍ଷରୁ କୁହାଯାଇଛି। ଏନ୍‌କାଉଣ୍ଟର ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।  ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରି ଯାନବାହନ ଯାଞ୍ଚ କରାଯାଉଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ବନିହାଲ ଓ ଶ୍ରୀନଗର ମଧ୍ୟରେ ରେଳ ସେବାକୁ ବନ୍ଦ ରଖାଯାଇଛି । ଇଣ୍ଟରନେଟ୍ ସେବାକୁ ମଧ୍ୟ ଦକ୍ଷିଣ କାଶ୍ମୀରର କିଛି ସ୍ଥାନରେ ବନ୍ଦ ରଖାଯାଇଛି ।

Previous ArticleNext Article

Send this to a friend