୧୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆଜି ଆସିପାରେ ଚୂଡ଼ାନ୍ତ ରାୟ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ଆଜି ଏକ  ଗୁରୁତ୍ୱପୂର୍ଣ୍ଣ ରାୟ ଦେଇପାରନ୍ତି।  ୧୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲାରେ ଆଜି ହାଇକୋର୍ଟ ଚୂଡ଼ାନ୍ତ ଶୁଣାଣି କରିପାରନ୍ତି। ୫ ମାସ ଧରି ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ। ମୁଖ୍ୟବିଚାରପତି ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ୍ ଏମ ସୁନ୍ଦରଖଣ୍ଡପୀଠ ଆଜି ଦିନ ଗୋଟାଏ ବେଳେ ଏ ସମ୍ପର୍କିତ ଚୂଡ଼ାନ୍ତ ରାୟ ଦେଇପାରନ୍ତି।

ପୂର୍ବରୁ ତାମିଲନାଡ଼ୁ ବାଚସ୍ପତି ପି.ଧନପାଲ ଆନ୍ନା ଡିଏମକେ ଦିନାକରନଙ୍କ ସମର୍ଥକ ୧୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ସେମାନେ ଏହାକୁ ନେଇ  ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଥିବାରୁ ଆସ୍ଥାଭୋଟରେ ସରକାରଙ୍କୁ ବଞ୍ଚାଇବାକୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ସେମାନେ କହିଛନ୍ତି। ଏହାର ତୁରନ୍ତ ଶୁଣାଣି କରାଯାଇ ସେମାନଙ୍କୁ ନ୍ୟାୟ ଦେବାକୁ ଏହି ବିଧାୟକମାନେ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଅନ୍ୟପଟେ ପଲାନିସାମିଙ୍କ ନେତୃତ୍ୱାଧୀନ ସରକାରକୁ କେହି ରକ୍ଷା କରିପାରିବେନି ବୋଲି ଆନ୍ନାଡିଏମ୍‌କେରୁ ବହିଷ୍କୃତ ଉପମହାସଚିବ ଟିଟିଭି ଦିନାକରନ କହିଥିଲେ।

ତେବେ ଯଦି ଆଜି ୧୮ ବିଧାୟକ ଅଯୋଗ୍ୟ ହୁଅନ୍ତି ତେବେ ତାମିଲନାଡ଼ୁ ସରକାର ଭାଙ୍ଗିବନି। କାରଣ ଏହି ବିଧାୟକମାନେ ଅଯୋଗ୍ୟ ଘୋଷଣା ହେଲେ ସେ ସବୁ ସ୍ଥାନରେ ଉପନିର୍ବାଚନ ହେବ। ୨୩୪ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭା ଆସନରୁ ପଲାନିସାମିଙ୍କ ସରକାରରେ ବହୁମତ ପାଇଁ ୧୧୭ ଜଣ ଆବଶ୍ୟକ ଥିବା ବେଳେ ଏବେ ୧୧୩ ଜଣ ଅଛନ୍ତି। ସରକାରଙ୍କୁ ଆଉ ମାତ୍ର ୪ଟି ସିଟ୍‌ ଆବଶ୍ୟକ।  ଯଦି ବିଧାୟକମାନେ ଜିତିଯାଆନ୍ତି ତେବେ ଏହା ସରକାରଙ୍କ ବିପକ୍ଷରେ ରାୟ ଯାଇପାରେ।  ତେଣୁ ସରକାର ଭାଙ୍ଗିବାର ଆଶଙ୍କା ରହିଛି।

ସୂଚନାଯୋଗ୍ୟ ଯେ, ଆନ୍ନା ଡିଏମକେର ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ପରେ ଗତ ଅଗଷ୍ଟ ୨୨ରେ ଦଳର ୧୯ ବିଧାୟକ ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କୁ ସାକ୍ଷାତ କରି ସରକାରଙ୍କ ପ୍ରତି ସେମାନଙ୍କର ଆସ୍ଥା ନଥିବା କହିଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ ସେମାନେ ସମର୍ଥନ ପ୍ରତ୍ୟାହାର କରିଥିବାନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ।

Previous ArticleNext Article

Send this to a friend