ଏହି ୩ଟି କାରଣ ଯୋଗୁ ମିଡିଆକୁ ଚାଲିଆସିଲେ ସୁପ୍ରିମ୍‌କୋର୍ଟଙ୍କ ୪ ବିଚାରପତି  

“ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ସବୁ ଠିକ୍‌ଠାକ୍‌ ଚାଲିନାହିଁ। ଏହାର ପ୍ରାଶାସନିକ ବ୍ୟବସ୍ଥାରେ ଅନେକ ତ୍ରୁଟି ରହିଛି। ସୁପ୍ରିମକୋର୍ଟର ଗାରିମା ବଜାୟ ନ ରହିଲେ ଦେଶର ଗଣତନ୍ତ୍ର ବିପନ୍ନ ହେବ।”

ସୁପ୍ରିମ୍‌କୋର୍ଟଙ୍କ ୪ ବିଚାରପତି ନ୍ୟାୟପାଳିକା ବ୍ୟବସ୍ଥା ସମ୍ପର୍କରେ ଏଭଳି ଟିପ୍ପଣୀ ଦେଇ ଶୁକ୍ରବାର ଦେଶବାସୀଙ୍କୁ ଚକିତ କରି ଦେଇଛନ୍ତି। ଦେଶରେ ନ୍ୟାୟପାଳିକାରେ ଫାଟ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ଅନ୍ୟ ୪ ବରିଷ୍ଠ ବିଚାରପତିଙ୍କ ମଧ୍ୟରେ ସିଧାସଳଖ ଯୁଦ୍ଧ ଦେଶର ଇତିହାସରେ ପ୍ରଥମ ଥର ଲାଗି ଦେଖିବାକୁ ମିଳିଛି। ୪ ବରିଷ୍ଠ ବିଚାରପତି ଜଷ୍ଟିସ୍ ଜେ ଚେଲାମେଶ୍ୱର, ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିଲ ମଦନ ଲୋକୁର ଓ ଜଷ୍ଟିସ୍ କୁରିୟନ ଗଣମାଧ୍ୟମ ସମ୍ମୁଖକୁ ଆସି ଏଭଳି ମନ୍ତବ୍ୟ ଦେଇଥିବା ବେଳେ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ ରଖିଛନ୍ତି। ଆଜି ସକାଳେ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା ଲାଗି ସେମାନେ ଚେଷ୍ଟା କରି ବିଫଳ ହେବା ପରେ ବାଧ୍ୟ ହୋଇ ଗଣମାଧ୍ୟମ ସାମ୍ନାକୁ ଆସିଥିବା କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ  ମହାଭିଯୋଗ ପ୍ରସ୍ତାବ ଅଣାଯିବା ପ୍ରଶ୍ନର ଉତ୍ତରରେ ୪ ବିଚାରପତି କହିଛନ୍ତି ଯେ, ଦେଶ ତାହା ସ୍ତିର କରିବ। ଏପଟେ ସରକାର କହିଛନ୍ତି ଏହା ନ୍ୟାୟପାଳିକାର ଆଭ୍ୟନ୍ତରୀଣ ବ୍ୟାପା, ଏଥିରେ କିଛି ମନ୍ତବ୍ୟ ଦେବାର ନାହିଁ।

କ’ଣ ଥିଲା ଅଭିଯୋଗ

– ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଶୈଳୀ ଠିକ୍‌ ନୁହେଁ।

–  କାହାକୁ କେଉଁ କେସ୍ ଦିଆଯିବ ସେଥିରେ ସ୍ୱଚ୍ଛତା ରହୁନାହିଁ।

– ସୁଦୂର ପ୍ରସାରୀ ପରିଣାମ ଥିବା ଅତି ସମ୍ବେଦନଶୀଳ ମାମଲାଗୁଡିକୁ କିଛି ନିର୍ଦ୍ଦିଷ୍ଟ ଓ ଅନଭିଜ୍ଞ ବିଚାରପତିଙ୍କୁ  ଦିଆଯାଉଛି।

 କିଏ ଏହି ଅଭିଯୋଗକାରୀ ବିଚାରପତି ?

ଜଷ୍ଟିସ ଜେ.ଚେଲେମେଶ୍ୱର

ଜଷ୍ଟିସ ଜେ.ଚେଲେମେଶ୍ୱରଙ୍କ ଜନ୍ମ ୧୯୫୩ ଜୁଲାଇ ୨୩ରେ ଅନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲାରେ ହୋଇଥିଲା। ସେ ଦକ୍ଷିଣ ଭାରତର ପ୍ରତିଷ୍ଠିତ ମଦ୍ରାସ ଲୋୟଲା କଲେଜରୁ ଭୌତିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୭୬ରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ଗ୍ରହଣ କରିଥିଲେ । ୧୩ ଅକ୍ଟୋବର, ୧୯୯୫ ରେ ଅତିରିକ୍ତ ଆଡ଼ଭୋକେଟ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଗୌହାଟି ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବ ଦାୟିତ୍ୱ ତୁଲାଇବା ପରେ ୨୦୧୧ରେ ସୁପ୍ରିମକୋର୍ଟର  ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

ଜଷ୍ଟିସ ରଞ୍ଜନ ଗୋଗୋଈ

୧୯୭୮ରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ୍ ରଞ୍ଜନ ଗୋଗୋଈ। ଗୌହାଟି  ହାଇକୋର୍ଟରେ ଲମ୍ବା ସମୟର ଓକିଲାତି ପରେ ୨୮ ଫେବୃଆରୀ ୨୦୦୧ରେ ଗୌହାଟି ହାଇକୋର୍ଟରେ ଯୋଗ ଦିଅନ୍ତି ସ୍ଥାୟୀ ବିଚାରପତି ଭାବେ। ଏହାପରେ ୨୦୧୭ ସେମ୍ବେର ୯ରେ ପଂଜାବ-ହରିୟାଣା କୋର୍ଟ ହେବା ପରେ ୨୩ ଏପ୍ରିଲ ୨୦୧୨ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ ।

ଜଷ୍ଟିସ ମଦନ ଭିମରାଓ ଲୋକୁର

୩୧ ଡିସେମ୍ବର ୧୯୫୩ରେ ଜନ୍ମିତ ଜଷ୍ଟିସ ମଦନ ଭିମରାଓ ଲୋକୁର, ୧୯୭୭ରେ ଦିଲ୍ଲୀ ୟୁନିଭରସିଟିରୁ  LLBରେ ଡିଗ୍ରୀ ହାସଲ କରି ସୁପ୍ରିମକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ୧୯୮୧ରେ ସେ ସୁପ୍ରିମକୋର୍ଟରେ ଆଡଭୋକେଟ ଅନ୍ ରେକର୍ଡରେ ପଂଜୀକୃତ ହେବା ପରେ ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ  ଓକିଲ ଭାବେ ରହିଥିଲେ। ଏହି ସମୟରେ ସରକାରଙ୍କ ପକ୍ଷରୁ ଅନେକ କେସ୍ ଲଢିଥିଲେ। ୧୯୯୭ରେ ତାଙ୍କୁ ବରିଷ୍ଠ ଓକିଲ ଭାବେ ନିଯୁକ୍ତି ଦିଆଯାଇଥିଲା ଏବଂ ୪ ଜୁନ୍ ୨୦୧୨ରେ ସେ ସୁପ୍ରିମକୋର୍ଟର ଜଜ୍ ଭାବେ ନିଯୁକ୍ତି  ପାଇଥିଲେ।

ଜଷ୍ଟିସ କୁରିୟନ ଜୋସେଫ୍

୩୦ ନଭେମ୍ବର ୧୯୫୩ରେ କେରଳରେ ଜନ୍ମିତ ଜଷ୍ଟିସ୍ କୁରିୟନ୍ ଜୋସେଫ, କେରଳ ଏକାଡେମୀ ଅଫ ଲ’  କଲେଜରୁ ଆଇନ୍‌ରେ ଡିଗ୍ରୀ ପରେ ୧୯୭୮ରେ କେରଳା ବିଶ୍ୱବିଦ୍ୟାଳୟରେ ଏକାଡେମିକ କାଉନସିଲ ସଦସ୍ୟ  ଥିଲେ । ଜଷ୍ଟିସ୍ ଜୋସେଫ୍ ୧୯୭୯ରୁ କେରଳ ହାଇକୋର୍ଟରେ ଓକିଲାତି ଏବଂ ୧୯୯୪ରୁ ୧୯୯୬ ଯାଏ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୦ରୁ ୨୦୧୩ ଯାଏ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ଜଷ୍ଟିସ୍ କୁରିୟନ୍ ଜୋସେଫ। ୮ ମାର୍ଚ୍ଚ ୨୦୧୩ରେ ତାଙ୍କୁ  ମିଳିଥିଲା ସୁପ୍ରିମକୋର୍ଟର ବିଚାରପତି ଦାୟିତ୍ୱ।

Previous ArticleNext Article

Send this to a friend