ଗୋରଖପୁର ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଜାରି: ୪୮ ଘଣ୍ଟାରେ ଗଲାଣି ୪୨ଜୀବନ

Child-admitted-in-hospital

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁର ସ୍ଥିତ ବିଆର୍‌ଡି ମେଡିକାଲ୍ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଶିଶୁ ମୃତ୍ୟୁ ଜାରି ରହିଛି। ଗତ ୭୨ ଘଣ୍ଟା ମଧ୍ୟରେ ୬୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ଏଥିମଧ୍ୟରୁ ୪୨ ଜଣଙ୍କର ଗତ ୪୮ ଘଣ୍ଟାରେ ମୃତ୍ୟୁ ହୋଇଛି।

ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି, ଗତ ୨୭, ୨୮ ଓ ୨୯ ତାରିଖରେ ଏଠାରେ ମୋଟ ୬୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏନ୍‌ସେଫାଲାଇଟିସ୍ ୱାର୍ଡରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏନ୍‌ଆଇସିୟୁରେ ୨୫ ଓ ଶିଶୁ ଚିକିତ୍ସା ୱାର୍ଡରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଶିଶୁମାନେ ଏନ୍‌ସେଫାଇଲାଇଟିସ୍ ବ୍ୟତୀତ ନବଜାତ ଶିଶୁଙ୍କୁ ହେଉଥିବା ନିମୋନିଆ, ସେପ୍ସିସ୍‌ ଭଳି ଅନ୍ୟ ରୋଗରେ ପୀଡ଼ିତ ଥିଲେ।

ଏହି ଅଧିକାରୀ ଜଣଙ୍କ କହିଛନ୍ତି ଯେ ଲୋକେ ସେମାନଙ୍କ ଛୁଆମାନଙ୍କୁ ଅତି ଗମ୍ଭୀର ଅବସ୍ଥାରେ ଡାକ୍ତରଖାନାକୁ ଆଣୁଛନ୍ତି। ସେଥିପାଇଁ ସେମାନଙ୍କୁ ବଞ୍ଚାଇବା ବଡ଼ କଷ୍ଟ ହୋଇଯାଉଛି। ଏହି କାରଣରୁ ଡାକ୍ତରଖାନା ଉପରେ ବି ବହୁତ ଚାପ ରହୁଛି।

ସ୍ଥାନୀୟ ଡାକ୍ତରମାନେ କହିଛନ୍ତି ଯେ ଗୋରଖପୁର ଓ ଏହାର ଆଖପାଖ ଅଞ୍ଚଳରେ ଜୋରରେ ବର୍ଷା ହେଉଛି। ବର୍ଷା ଓ ବନ୍ୟାକୁ ଦେଖିଲେ ଆଗାମୀ ଦିନରେ ଏନ୍‌ସେଫାଲାଇଟିସ୍‌ର ପ୍ରକୋପ ବଢ଼ିବାର ଆଶଙ୍କା ରହିଛି।

ସୂଚନାଯୋଗ୍ୟ, ଏହି ମାସ ପ୍ରାରମ୍ଭରେ ବିଆର୍‌ଡି ମେଡିକାଲ୍ କଲେଜରେ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା। ଏଥିମଧ୍ୟରୁ ଅକ୍ସିଜେନ୍‌ର ଅଭାବ ଯୋଗୁଁ ୩୦ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ରାଜୀବ ମିଶ୍ରା, ତାଙ୍କ ପତ୍ନୀ ପୂର୍ଣ୍ଣିମା ଶୁକ୍ଳା, ଡାକ୍ତର କପିଲ ଖାନ, ଡାକ୍ତର ସତୀଶଙ୍କ ସମେତ ୯ ଜଣଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଥିଲା। ରାଜୀବ ମିଶ୍ରା, ତାଙ୍କ ପତ୍ନୀ ପୂର୍ଣ୍ଣିମା ଶୁକ୍ଳା ଗତକାଲି ଗିରଫ କରାଯାଇଛି। ମାମଲା ରୁଜୁ ହେବା ପରେ ସେମାନେ ଫେରାର ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ- ଡାକ୍ତର କଫିଲ କ’ଣ ଭିଲିଆନ?; ଡାକ୍ତରଖାନାରୁ ଅକ୍ସିଜେନ୍ ସିଲିଣ୍ଡର ଚୋରି କରିଥିବା ଅଭିଯୋଗ

Previous ArticleNext Article

Send this to a friend