ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି କଡ଼ା ପଦକ୍ଷେପ। ୬୫ଟି ବିମାନ ଉଡ଼ାଣକୁ ବାତିଲ କରିଛନ୍ତି ଇଣ୍ଡିଗୋ ଓ ଗୋ ଏୟାର ବିମାନ କମ୍ପାନୀ। ଗତକାଲି ଇଣ୍ଡିଗୋର ଏକ ବିମାନ ଅହମଦାବାଦରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଇଂଜିନରେ ତ୍ରୁଟି ଦେଖାଯାଇଥିଲା। ଏହାପରେ ଗତକାଲି ଡିଜିସିଏ ପକ୍ଷରୁ ୧୧ଟି ବିମାନର ଉଡାଣକୁ ବାତିଲ କରି ଦିଆଯାଇଥିଲା। ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ୧୧ଟି ବିମାନର ଉଡାଣକୁ ବାତିଲ କରିଦେବା ପରେ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି ଇଣ୍ଡିଗୋ ଓ ଗୋ ଇଣ୍ଡିଆ। ଦୁଇ ବିମାନ ସେବା ଯୋଗାଉଥିବା କମ୍ପାନୀ ପକ୍ଷରୁ ୬୫ଟି ବିମାନର ଉଡାଣକୁ ବାତିଲ କରି ଦିଆଯାଇଛି।
ଇଣ୍ଡିଗୋ ପକ୍ଷରୁ ୪୭ଟି ବିମାନ ଓ ଗୋ ଏୟାର ପକ୍ଷରୁ ୧୮ଟି ବିମାନର ଉଡାଣ ବାତିଲ ହୋଇଛି । ଏଥିଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକତା, ଭୁବନେଶ୍ୱର, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା, ଶ୍ରୀନଗର, ଅମ୍ରିତସର ଓ ଗୌହାଟି ସହରରୁ ଇଣ୍ଡିଗୋ ବିମାନର ଉଡାଣ ବାତିଲ ହୋଇଛି। ଏହାର ପ୍ରଭାବ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ପଡିଛି । ସକାଳେ ଦିଲ୍ଲୀକୁ ଉଡାଣ ଭରିବାକୁ ଥିବା ଇଣ୍ଡିଗୋର ବିମାନ 6e 701 ବାତିଲ ହୋଇଛି। ଗତକାଲି ଅହମ୍ମଦାବାଦରୁ ଉଡାଣ ଭରିଥିବା ଇଣ୍ଡିଗୋର ଏକ ବିମାନ ବୈଷୟିକ ତୃଟି ଯୋଗୁ ୪୦ମିନିଟ ପରେ ପୁଣି ଫେରି ଆସିଥିଲା।
ଆକାଶମାର୍ଗରେ ବିମାନର ଇଂଜିନରେ ଗୁରୁତର ତ୍ରୁଟି ଦେଖାଦେଇଥିଲା। ଏଥିଯୋଗୁ ଯାତ୍ରୀମାନେ ଆତଙ୍କିତ ହୋଇ ପଡିଥିଲେ । ଏହି ଘଟଣାକୁ ଗୁରୁତର ସହ ନେଇଥିଲା ବେସାମରିକ ବିମାନ ଚଳାଚଳ ବିଭାଗ। ତଦନ୍ତ ପରେ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଇଣ୍ଡିଗୋର ୮ ଟି ବିମାନ ଓ ଗୋ ଏୟାରର ୩ଟି ବିମାନର ଉଡାଣ ଉପରେ କଟକଣା ଜାରି କରିଥିଲା। ପୂର୍ବରୁ ମଧ୍ୟ ଇଣ୍ଡିଗୋର ୩ଟି A320 ବିମାନକୁ ସମାନ କାରଣ ଦର୍ଶାଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କଟକଣା ଜାରି କରାଯାଇଥିଲା।