ଦୁର୍ନୀତି ଅଭିଯୋଗରେ ବନ୍ଧା ହେଲେ କେଜ୍ରିୱାଲଙ୍କ ପୁତୁରା

vinay-bansal

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ ବନ୍ଧା ହୋଇଛନ୍ତି କେଜ୍ରିୱାଲଙ୍କ ଜଣେ ସଂପର୍କୀୟ। ମିଥ୍ୟା ବିଲ୍ ଦେଖାଇ ୧୦ କୋଟି ଟଙ୍କା ନେଇଥିବା ଅଭିଯୋଗରେ କେଜ୍ରିୱାଲଙ୍କ ଶଳାଙ୍କ ପୁଅ ବିନୟ ବଂସଲଙ୍କୁ ଗିରଫ କରିଛି ଆଣ୍ଟି କରପ୍‌ସନ ବ୍ୟୁରୋ (ଏସିବି)। ଦୁର୍ନୀତିକୁ ହିଁ ପ୍ରସଙ୍ଗ କରି ଆମ୍ ଆଦମୀରୁ ମୁଖ୍ୟମନ୍ତ୍ରୀ ହୋଇଥିବା କେଜରିଓ୍ୱାଲଙ୍କ ପାଇଁ ଏହି ଘଟଣା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି।

ଜାଲ୍ ବିଲ୍ ଦ୍ୱାରା ପୂର୍ତ୍ତ ବିଭାଗରୁ ବିନୟ ୧୦ କୋଟି ଟଙ୍କା ହାତେଇ ଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀର ବିଭିନ୍ନ ଉନ୍ନୟନମୂଳକ ନିର୍ମାଣ କାର୍ଯ୍ୟର ଟେଣ୍ଡର ନେଉଥିଲେ ବିନୟ। ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ହୋଇଥିବା ଯୋଗୁଁ ତାଙ୍କ କମ୍ପାନୀ ଏନେଇ ବେଶ୍‌ ଫାଇଦା ଉଠାଉଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀ ନିକଟସ୍ଥ ବକୁଲି ଏବଂ ଇନ୍ଦିରା ନେହେରୁ କ୍ୟାମ୍ପର ବିଭିନ୍ନ କାମର ଠିକା ନେଇଥିଲା ବଂସଲଙ୍କ କମ୍ପାନୀ। ବିନା କୌଣସି ନିର୍ମାଣ କାମରେ ଜାଲ୍ ବିଲ୍ ପୂର୍ତ୍ତ ବିଭାଗରେ ଦାଖଲ ହୋଇଥିଲା। ଯାହାର ପ୍ରାପ୍ୟ ମଧ୍ୟ ମିଳିଥିଲା ତାଙ୍କୁ। ଏ ଠକେଇକୁ ନେଇ ଏସିବି ଏବଂ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଇଞ୍ଜିନିୟର ରାହୁଲ ଶର୍ମା। ଏହାପରେ ପୂରା ମାମଲାର ଖୋଳତାଡ଼ ଆରମ୍ଭ କରିଥିଲା ଏସିବି।

ବିନୟ ଗିରଫ ହେବା ବିରୋଧୀ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ ଗିରଫଦାରୀ ପରେ ଆଣ୍ଟି କରପସନ୍‌ ବ୍ୟୁରୋର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଏସିବି କାହିଁକି ଦିଲ୍ଲୀ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛି ? ଅନ୍ୟ ଅପରାଧିକ ମାମଲାକୁ ଛାଡ଼ି କାହିଁକି ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ମାମଲାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Previous ArticleNext Article

Send this to a friend