ଶ୍ରମିକ ଶିଶୁଙ୍କୁ ପଢାଇବାକୁ ସ୍କୁଲଟିଏ

୧୭ ବର୍ଷ ତଳେ ତାଙ୍କ ଘରକୁ ଆସିଥିଲା ମୁସ୍କାନ। ହସୁଥିଲା ହେଲେ ହସିଲା ଭଳି ନୁହେଁ। କିନ୍ତୁ ତା ମୁହଁ ଦେଖି ଚନ୍ଦନ ଭାରି ଖୁସି ହୋଇଯାଇଥିଲେ। କଥା ପଦକରେ ଛୋଟ ଝିଅଟି ବେସ୍‌ ନିଜର କରି ନେଇଥିଲା ତାଙ୍କୁ। ଦେହରେ ଭଲ ଜାମା ପିନ୍ଧି ନ ଥିଲେ ବି କଥାରେ ତାର ମଇଳା ନ ଥିଲା,ଏ କଥା ସ୍ପଷ୍ଟ ବାରି ପାରିଥିଲେ ସେ।

ପଚାରିଥିଲା “ଝିଅ ସ୍କୁଲ ଯାଉନୁ”?

ମୁଣ୍ଡ ଟୁଙ୍ଗାରି ମୁସ୍କାନ ହସିଥିଲା। ଆଉ ଚନ୍ଦନଙ୍କୁ ଛୋଟିଆ ପ୍ରଶ୍ନଟିଏ ପଚାରିଥିଲା।

“ଏମିତି କିଛି ସ୍କୁଲ ଅଛି କି, ଯୋଉଠି ବାପାଙ୍କୁ ଟଙ୍କା ଦେବାକୁ ପଡିବନି, ତା ହେଲେ ମୁଁ ପଢନ୍ତି।”

ବାସ୍‌ ଏଇ କଥା ସେଦିନ ଚନ୍ଦନଙ୍କୁ କନ୍ଦେଇ ଦେଲା। ମୁସ୍କାନର ମିଛ ହସ ତଳେ ଲୁଚିଥିବା ବାସ୍ତବ ଦୁଃଖକୁ ବାରି ପାରିଥିଲେ ସେ। ଆଉ ତା ପରେ ମୁସ୍କାନ୍‌ ଚିଲ୍ଡ୍ରେନ୍‌ ସ୍କୁଲ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ଚନ୍ଦନ।

ମଧ୍ୟପ୍ରେଦଶର ହଜାରି ନିବାସୀ ଚନ୍ଦନ ସିଂହ ସେଦିନ ଘର କାମ କରିବା ପାଇଁ ଜଣେ ଶ୍ରମିକଙ୍କୁ ନେଇ ଆସିଥିଲେ। ସାଙ୍ଗରେ ତା’ର କୁନି ଝିଅ ମୁସ୍କାନ ବି ଥିଲା। ସେମାନେ ଭୋକିଲା ଥିବା ପରି ଲାଗୁଥିଲେ। କାମ କରିବାକୁ ଶ୍ରମିକ ଜଣଙ୍କ ଦେହରେ ବଳ ନ ଥିଲା। ବଡ଼ କଷ୍ଟରେ ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ ହେଉଛି, ଏଣୁ ପାଠ ପଢିବା କାଠିକର ପାଠ ବୋଲି ମୁସ୍କାନ ମୁହଁରୁ ଶୁଣିବା ପରେ କାନ୍ଦି ପକାଇଥିଲେ ଚନ୍ଦନ।

ଆଉ ତା’ପରେ ଶ୍ରମିକ ଝିଅର ସେଇ ବିକଳିଆ କଥା କେଇପଦରେ ତରଳି ଯାଇଥିଲା ତାଙ୍କ ହୃଦୟ। ସେ ମନେମନେ ସ୍ଥିର କଲେ ଶ୍ରମିକ ପିଲାମାନଙ୍କ ପାଇଁ ଏକ ସ୍କୁଲ ଖୋଲିବେ। ଯେଉଁଠାରେ ପାଠ ପଢ଼ିବାକୁ ସେମାନଙ୍କୁ ଆଉ ଫି ଦେବାକୁ ପଡ଼ିବ ନାହିଁ।

ଚନ୍ଦନଙ୍କ ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲା। ସେତେଟା ପାଠ ବି ପଢି ନ ଥିଲେ। କିନ୍ତୁ କୌଣସି ଭଲ କାର୍ଯ୍ୟ କରିବାକୁ ଗଲେ ଯେ, ବାଧା ବିଘ୍ନ ଆସେ ତାହା ଭଲକରି ଜାଣିଥିଲେ । ପେଟ ପୋଷିବ ପାଇଁ ତାଙ୍କ ପାଖରେ କେବଳ ଗୋଟିଏ ପେଣ୍ଟିଂ ଦୋକାନ ଥିଲା। ସେଥିରୁ ମାସକୁ ରୋଜଗାର ହେଉଥିଲା ମାତ୍ର ୮ ହଜାର। ସ୍ୱଳ୍ପ ରୋଜଗାରରେ ଘର ଚଳାଇବା ଓ ଏସବୁ କେମିତି ହେବ କିଛି ଭାବି ପାରୁ ନ ଥିଲେ। ଦୃଢ଼ ମନବଳ ରଖି ଆଖପାଖର ୨୦ ଜଣ ଶ୍ରମିକଙ୍କ ପିଲାଙ୍କୁ ନେଇ ମଧ୍ୟପ୍ରେଦଶରେ ଲାଲ୍ ଟିପାରାରେ ସେଇ କୁନି ଝିଅ ମୁସ୍କାନ ନାଁରେ ଆରମ୍ଭ କଲେ ମୁସ୍କାନ୍‌ ଚିଲ୍ଡ୍ରେନ୍‌ ସ୍କୁଲ। ଧିରେଧିରେ ସଂସ୍ଥା ବଢ଼ିବାକୁ ଲାଗିଲ।

୨୦୦୭ରେ ପେଣ୍ଟି କାମ ସମ୍ପୂର୍ଣ୍ଣ ବନ୍ଦ ହେବାରୁ ସ୍କୁଲ ବନ୍ଦ ହେବା ସ୍ଥିତିରେ ପହଞ୍ଚିଗଲା। ଅନେକ ଲୋକ ତାଙ୍କୁ ପାଗଳ ମଧ୍ୟ କହିଲେ। ଶେଷରେ ସ୍କୁଲ ଚଳାଇବା ପାଇଁ ଚନ୍ଦନଙ୍କ ସ୍ତ୍ରୀ ସବୁ ଗହଣା ଗାଣ୍ଠୀ ବିକ୍ରି କରିଦେଲେ। ୨୦୦୯ରେ ତାଙ୍କ ବଡ଼ ଝିଅ ଗୋଟେ କମ୍ପାନୀରେ ଆକାଉଣ୍ଟାଣ୍ଟର ଚାକିରି କଲେ। ପ୍ରଥମ ଦରମା ବାପାଙ୍କ ହାତରେ ଦେଇ ସ୍କୁଲ ଚଳାଇବାକୁ କହିଲେ। ଝିଅର ସହଯୋଗ ପାଇ ଚନ୍ଦନଙ୍କୁ ଉତ୍ସାହ ମିଳିଲା। ସ୍କୁଲ ପିଲାମାନଙ୍କୁ ଆବଶ୍ୟକତା ପୂରଣ କରିବା ପାଇଁ ସ୍କୁଲରେ ପାଠ ପଢାଇବା ପରେ ନିଜେ ଗୋଟେ ହୋଟେଲ୍‌ରେ ରାତି ଯାଏ କାମ କରିବା ଆରମ୍ଭ କଲେ। ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ଥିଲେ। ପୁଅ ବିକାଶ ଓ ଦୁଇ ଝିଅ ମିଶି ସ୍କୁଲରେ ପାଠ ପଢାଇଲେ। ଧିରେଧିରେ  ସ୍କୁଲର ପୂର୍ବସ୍ଥିତି ଫେରିଲା।

ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ୨୦୧୭ରେ ଚନ୍ଦନଙ୍କ ଏହି ମହତ୍‌ କାର୍ଯ୍ୟ ଲାଗି ସମ୍ମାନିତ କରିବା ସହିତ ଲକ୍ଷେ ଟଙ୍କାର ପୁରସ୍କାର ଦେଇଥିଲେ। ଏହି ଟଙ୍କା ସହିତ ସେ ଆଉ ୩୦ ହଜାର ଟଙ୍କା ମିଶାଇ ଦୀପାବଳୀରେ ସ୍କୁଲ ପିଲାମାନଙ୍କ ପାଇଁ ୟୁନିଫର୍ମ ତିଆରି କରିଦେଲେ।

ଏବେ ଏହି ସ୍କୁଲ୍‌ରେ ୨୫୦ ଜଣ ପିଲା  ପାଠ ପଢୁଛନ୍ତି। ସ୍କୁଲ୍‌ରେ ୧୫ ଜଣ ଶିକ୍ଷକ ବି ଅଛନ୍ତି। ସେମାନଙ୍କୁ ଦରମା ଦେଉଛି ବଲିଉଡ୍‌ ଅଭିନେତା ସଲମନ ଖାନଙ୍କ ବିଂ ହ୍ୟୁମାନ ଟ୍ରଷ୍ଟ।

Previous ArticleNext Article

Send this to a friend