ଗୋଆ, ମଣିପୁରରେ ରାଜନୈତିକ ଷଡ଼ଯନ୍ତ୍ର କରିଛି ବିଜେପି: ଚିଦାମ୍ବରମ

Chidambaram

ନୂଆଦିଲ୍ଲୀ: ରାଜନୈତିକ ଷଡ଼ଯନ୍ତ୍ର କରିଛି ବିଜେପି। ଲୋକମତକୁ ଅସମ୍ମାନ କରି ଗୋଆ ଏବଂ ମଣିପୁରରେ ଚକ୍ରାନ୍ତ କରି ବିଜେପି ଶାସନ କ୍ଷମତା ହାତେଇବାକୁ ଉଦ୍ୟମ କରିଛି। ଏଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଟ କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ପି.ଚିଦାମ୍ବରମ। ସେ ଟ୍ୱିଟ୍‌ କରି କହିଛନ୍ତି,“ଗୋଆ ଓ ମଣିପୁର ବିଧାନସଭାକୁ ବିଜେପି ଷଡ଼ଯନ୍ତ୍ର କରି ଚୋରାଇ ନେଇଛି। ଏହି ଦୁଇଟି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପିର ସରକାର ଗଠନ କରିବାର କୌଣସି ଅଧିକାର ନାହିଁ।”

ସୂଚନା ଅନୁଯାୟୀ, ଏହି ଦୁଇ ରାଜ୍ୟରେ କଂଗ୍ରେସ ଅଧିକ ଆସନ ହାସଲ କରି ଏକ ନମ୍ବରରେ ରହିଛି। ୪୦ଟି ଆସନ ବିଶିଷ୍ଟ ଗୋଆରେ ବିଜେପିକୁ ୧୩ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୧୭ଟି ଆସନ ମିଳିଛି। ସେହିପରି ୬୦ ଆସନ ବିଶିଷ୍ଟ ମଣିପୁରରେ ବିଜେପି ୨୨ଟି ଆସନ ପାଇଥିବା ବେଳେ କଂଗ୍ରେସ ୨୭ଟି ଆସନ ପାଇ ଆଗୁଆ ରହିଛି।

ମଣିପୁରରେ ସରକାର ଗଠନ ପାଇଁ ୩୧ଟି ସିଟ୍ ଆବଶ୍ୟକ ଥିଲା। ଏବେ ବିଜେପି ୩୨ ଜଣ ସଭ୍ୟ ତାଙ୍କ ସମର୍ଥନରେ ଥିବା ଦାବି କରି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଆବେଦନ କରିଛି।

ସେହିପରି ଗୋଆରେ ବିଜୟୀ ହୋଇଥିବା ୧୦ ଜଣ ସ୍ୱାଧୀନ ଓ ଅନ୍ୟ ଦଳ ବିଧାୟକଙ୍କୁ ବିଜେପି ନିଜ ସପକ୍ଷକୁ ନେବାକୁ ସକ୍ଷମ ହୋଇଛି। ଗୋଆରେ ମନୋହର ପାରିକର ବିଜେପିର ମୁଖ୍ୟମନ୍ତ୍ରୀ ହେବେ। ମନୋହର ପାରିକର ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ପଦରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଥିଲେ।

Previous ArticleNext Article

Send this to a friend