ରଙ୍ଗ ରାଜନୀତି: ଆମ୍ବେଦକର କେଉଁ ରଙ୍ଗର ଥିଲେ ନୀଳ ନା ଗେରୁଆ ?

ଦେଶର ବରପୁତ୍ରମାନେ କେଉଁ ଦଳର? ସେମାନେ ନିର୍ଦ୍ଦିଷ୍ଟ ରଙ୍ଗରେ ପରିଚିତ ହୁଅନ୍ତି କି ? ଉତ୍ତରପ୍ରଦେଶର ଏକ ଘଟଣାକୁ ନେଇ ସାଧାରଣରେ ଏମିତି ପ୍ରଶ୍ନ ଉଠିଛି। ଦୁଇ ଦିନ ଭିତରେ ସମ୍ବିଧାନ ପ୍ରଣେତା ବି. ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ରଙ୍ଗ ତିନି ଥର ବଦଳିଲାଣି। ଏବେ ଏହି କଥାକୁ ନେଇ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଛି ରଙ୍ଗ ରାଜନୀତି। ବଦାୟୁଁ ଜିଲ୍ଲା କୁଅଁର ଗାଁର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦିଆ ଯାଇଛି ନୀଳ ରଙ୍ଗ। ଗତକାଲି ସୋମବାର ଏହି ମୂର୍ତ୍ତିର ରଙ୍ଗ ଥିଲା ଗେରୁଆ।  ଏହି ଗେରୁଆ ରଙ୍ଗ ଉପରେ ଆଜି ନୀଳ ରଙ୍ଗ ଦେଇଛନ୍ତି ବିଏସ୍ପି କର୍ମୀ।

ଶନିବାର କିଛି ଦୁର୍ବୃତ୍ତ ଆମ୍ବେଦକରଙ୍କ ଏହି ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ। ଏହା ପରେ ଗତକାଲି ପ୍ରଶାସନ ପକ୍ଷରୁ ଏକ ନୂଆ ମୂର୍ତ୍ତି ସେଠାରେ ସ୍ଥାପନ କରାଯାଇଥିଲା। ମୂର୍ତ୍ତିର ସେରଓ୍ୱାନିକୁ ଗେରୁଆ ଓ ପାଇଜାମାକୁ ଧଳା ରଙ୍ଗ ଦିଆଯାଇଥିଲା। ଏହାକୁ ଜୋରଦାର ବିରୋଧ କରିଥିଲା ବିଏସ୍‌ପି। ଆମ୍ବେଦକରଙ୍କ ମୂର୍ତ୍ତିକୁ ଗେରୁଆ ରଙ୍ଗ ଦିଆଯାଇଥିବାରୁ ଯୋଗୀ ସରକାରକୁ କଡ଼ା ନିନ୍ଦା କରିଥିଲା ମାୟାବତୀଙ୍କ ଦଳ। ଏହାର ପ୍ରତିବାଦ ସ୍ୱରୂପ ବିଏସ୍‌ପି ଆଜି ଆମ୍ବେଦକରଙ୍କ ମୂର୍ତ୍ତିରେ ନୀଳ ରଙ୍ଗ ଦେଉଥିବାର ଦେଖାଯାଇଛି।

ୟୁପିର ସାହାରନପୁରରେ ମଧ୍ୟ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଇଥିଲା। ପୋଲିସ ଉପସ୍ଥିତିରେ ତା’ର ମରାମତି କରାଯାଇଛି। ଦେଶର ରାଜନେତାମାନେ ସଂକୀର୍ଣ୍ଣତାର ବସବର୍ତ୍ତି ହୋଇ ଦେଶର ବରପୁତ୍ରଙ୍କୁ ରାଜନୀତିର ଗୋଟି କରି ଖେଳୁଛନ୍ତି। ରାଜନୀତି ଚଷମାରେ ଆମ୍ବେଦକରଙ୍କୁ ଦେଖାଯାଉଛି। ମହାପୁରୁଷଙ୍କ ବିଚାରଧାରା ଓ ଆଦର୍ଶକୁ ଗ୍ରହଣ ନ କରି ଦଳଗୁଡ଼ିକ ଖାଲି ସଂକୀର୍ଣ୍ଣ ରାଜନୀତିରେ ମାତିଛନ୍ତି।

 

Previous ArticleNext Article

Send this to a friend