ରୋଜଗାରର ନୂଆ ଫନ୍ଦା: ଜୀବିତଙ୍କୁ ମରିଗଲା କହି ହଡ଼ପ କରୁଥିଲେ ଅର୍ଥ

Loot

ଜୟପୁର: ରାଜସ୍ଥାନ ଏସଓଜି ଏମିତି ଏକ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି, ଯାହାର କାରନାମା ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଏବେ ଏହି ରାକେଟ୍‌ରେ ସକ୍ରିୟ ପୋଲିସ୍‌, ସରକାରୀ ଡାକ୍ତର, ଓକିଲ ଓ ବୀମା କମ୍ପାନୀର ଏଜେଣ୍ଟଙ୍କୁ କାବୁ କରିଛି ପୋଲିସ୍‌। ଏହି ରାକେଟ୍‌ ଜୀବତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇବା ପରେ ଇନ୍ୟୁରାନ୍ସ କ୍ଲେମ କରି ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ। ଏସ୍‌ଓଜି ରାକେଟ୍‌ର ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଗିରଫମାନେ ହରିୟାଣା ବାସିନ୍ଦା ତଥା ବୀମା କମ୍ପାନୀର ଏଜେଣ୍ଟ ରଘୁରାଜ ଚୌହାନ, ଦୋସା ବାସିନ୍ଦା ଡା. ସତୀଶ କୁମାର, ଆଇନଜୀବୀ ଚତୁର୍ଭୁଜ ମୀଣା, ଏଏସ୍‌ଆଇ ରମେଶଚନ୍ଦ୍ର ଏବଂ ଦିଲ୍ଲୀ ବାସିନ୍ଦା ୟଶବନ୍ତ ସିଂହା। ରାକେଟ୍‌ର ମାଷ୍ଟରମାଇଣ୍ଡ ହେଉଛନ୍ତି ରଘୁରାଜ ଏବଂ ତାଙ୍କ ସାଙ୍ଗ ୟଶ।

କେମିତି ଜୀବିତଙ୍କୁ କରୁଥିଲେ ମୃତ

ଏସ୍‌ଓଜି ଡିଆଇଜି ସଞ୍ଜୟ ଶ୍ରୀତ୍ରିୟ କହିଛନ୍ତି, ଦୋସା ଜିଲ୍ଲାର କୋତବାଲି ଥାନାରେ ଅକ୍ଟୋବର ୧୦ ତାରିଖରେ ଏକ ମିଥ୍ୟା ତହରିର ଜରିଆରେ ଜିତେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତିଙ୍କ ନକଲି ବ୍ୟବଚ୍ଛେଦ କରାଯାଇଥିବା ମାମଲା ରୁଜୁ ହୋଇଥିଲା। ଯାଞ୍ଚ ବେଳେ ସମାନ ଧରଣର ଏକ ମାମଲା ସେହି ଦୋସା ଜିଲ୍ଲାର ରାମଗଡ଼ ପଚୱାରା ଥାନାରେ ସାମ୍ନାକୁ ଆସିଥିଲା। ଦୁଇଟି ମାମଲାରେ କୌଣସି ରାକେଟ୍‌ କାମ କରୁଥିବା ଧରାଯାଇ ଏହାର ଯାଞ୍ଚ ଏସ୍‌ଓଜିକୁ ଦିଆଯାଇଥିଲା।

ଯାଞ୍ଚ ବେଳେ ଏସ୍‌ଓଜି ଜାଣିବାକୁ ପାଇଥିଲା, ଯାଉଁ ଜିତେନ୍ଦ୍ର ସିଂହ ମୃତ ଦର୍ଶାଯାଇ ଇନ୍ୟୁରାନ୍ସ ଟଙ୍କା ଉଠାଯାଇଛି, ସେ ନିଜ ପତ୍ନୀ ସହ ଦିଲ୍ଲୀରେ ରହୁଛି ଓ ସେଠାରେ ଅଟୋ ଚଲାଇ ପରିବାର ଚଳାଉଛି। ରାକେଟ୍‌ ସଦସ୍ୟମାନେ ଜିତେନ୍ଦ୍ର ମୃତ ଦର୍ଶାଇ ଅଲଗା ଅଲଗା ବୀମା କମ୍ପାନୀରୁ ୧୬ ଲକ୍ଷ ଟଙ୍କା ହଡ଼ପ କରିନେଇଛନ୍ତି।

ଯାଞ୍ଚ ବେଳେ ଆଉ ଏକ ଘଟଣା ପଦାକୁ ଆସିଥିଲା। ଜଣେ କ୍ୟାନସର ପୀଡିତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେ ସଡ଼କ ଦୁର୍ଘଟଣାରେ ମରିଥିବା ଦର୍ଶାଇ ବୀମା ଟଙ୍କାରୁ ଅର୍ଥ ହଡ଼ପ କରିନେଇଛନ୍ତି।

ଏବେ ଅଭିଯୁକ୍ତମାନଙ୍କୁ ପଚରାଉଚରା ଚାଲିଛି। ଏହି ରାକେଟ୍‌ର ଆହୁରି ଅଧିକ କଳା କାରନାମା ପଦାକୁ ଆଶା କରାଯାଉଛି।

Previous ArticleNext Article

Send this to a friend