କାୟା ମେଲାଉଛି ବାତ୍ୟା ‘ଓଖି’: ରେଡ୍ ଆଲର୍ଟ ଜାରି, ମୃତ୍ୟୁ ସଂଖ୍ୟା ୧୭ ଛୁଇଁଲା

OKHI

ନୂଆଦିଲ୍ଲୀ: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ଓଖି’ ଲକ୍ଷାଦ୍ୱୀପ ଆଡ଼କୁ ମୁହାଁଉଛି। ଏହି ଝଡ଼ ଦୁର୍ବଳ ହେବାର ନାଁ ନେଉନି। ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଆହୁରି ଶକ୍ତିଶାଳୀ ହେବା ସମ୍ଭାବନା ରହିଛି। ଲକ୍ଷାଦ୍ୱୀପର ୧୦ଟି ସ୍ଥାନରେ ୮ ମିଟରରୁ ଅଧିକ ଉଚ୍ଚର ଜୁଆର ଉଠିପାରେ। ତେଣୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। କେରଳ ଓ ତାମିଲନାଡୁରେ ତାଣ୍ଡବ ରଚିଛି ‘ଓଖି’। ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କ ମୃତ୍ୟୁ ହୋଇଛି। ୨୦୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି।  ସମୁଦ୍ରରେ ଆଉ କେତେ ମତ୍ସ୍ୟଜୀବୀ ଫଶି ରହିଛନ୍ତି ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ନୌସେନା ଓ ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀଙ୍କ ସହ ଫୋନରେ କଥା ହୋଇଛନ୍ତି। ଆବଶ୍ୟକ ସହାୟତା ଯୋଗାଇ ଦେବାକୁ  ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଘୂର୍ଣ୍ଣିଝଡ଼ ‘ଓଖି’ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି କନ୍ୟାକୁମାରୀ ଓ ତିରୁନେଲଭେଲି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଗଛ ଗୁଡ଼ିକ ଉପୁଡ଼ି ରାସ୍ତା ଉପରେ ପଡ଼ିଛି।

ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରବଳ ବର୍ଷାକୁ ଦେଖି ଥିରୁବନନ୍ତପୁରମ ଓ କୋଲମ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଅଛି। ବିଦ୍ୟୁତ ସରବରାହ ବି ବନ୍ଦ ରହିଛି। ଏହା ସହିତ କେତେକ ଟ୍ରେନକୁ ବାତିଲ କରି ଦିଆଯାଇ ଥିବା ବେଳେ ଅନ୍ୟ କେତେକ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି।

 

Previous ArticleNext Article

Send this to a friend