ଯୋଗୀଙ୍କ ସହ ଦାଗୀ; ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ କ’ଣ କରୁଥିଲେ ଏହି ହତ୍ୟା ଅଭିଯୁକ୍ତ?

yogi

ଗୋରଖପୁର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ଗୋରଖପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସେ ରାଜ୍ୟର ଆଇନ କାନୁନ ବ୍ୟବସ୍ଥା ଉପରେ ଭାଷଣ ଦେଉଥିଲେ। ଯେଉଁମାନଙ୍କର ଆଇନ ଉପରେ ଭରସା ନାହିଁ ସେମାନେ ରାଜ୍ୟ ଛାଡ଼ି ଚାଲି ଯିବାକୁ ସେ କହିଥିଲେ। ତେବେ ସେତେବେଳେ ମଞ୍ଚ ଉପରେ ତାଙ୍କ ସହିତ ଏମିତି ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ ଯାହାଙ୍କ ବିରୁଦ୍ଧରେ ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗ ରହିଛି। ଏହି ବ୍ୟକ୍ତିଙ୍କ ନାଁ ଅମନମଣି ତ୍ରିପାଠୀ। ଅମନମଣି ହେଉଛନ୍ତି ଉତ୍ତର ପ୍ରଦେଶର ବାହୁବଳୀ ନେତା ଅମରମଣି ତ୍ରିପାଠୀଙ୍କ ପୁଅ ତଥା ନୌତନୱାଂର ସ୍ୱାଧୀନ ବିଧାୟକ।

ଗୋରଖପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତାଙ୍କ ମଧ୍ୟରେ ଅମନମଣି ମଧ୍ୟ ଉପସ୍ଥିତ ଥିଲେ ଓ ଯୋଗୀଙ୍କ ପାଦ ଛୁଇଁ ପ୍ରଣାମ ଜଣାଇଥିଲେ।

କେବଳ ଏତିକି ନୁହେଁ ଯୋଗୀଙ୍କୁ ଗୋରଖପୁରରେ ସ୍ୱାଗତ କରିବା ପାଇଁ ଅମନମଣି ଓ ଅମରମଣିଙ୍କ ତରଫରୁ ପୋଷ୍ଟର ମଧ୍ୟ ଲଗା ଯାଇଥିଲା।

କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ବାହୁବଳୀ ନେତା ଅମରମଣି ତ୍ରିପାଠୀ। ଅନ୍ୟପକ୍ଷରେ ଅମନମଣି ତାଙ୍କ ପତ୍ନୀ ସାରାଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି। ଏହି ହାଇପ୍ରୋଫାଇଲ୍ ମର୍ଡର କେସ୍‌ର ତଦନ୍ତ ସିବିଆଇ କରୁଛି।

୨୦୧୫ ଜୁଲାଇ ମାସରେ ଏକ ସଡ଼କ ଦୁର୍ଘଟଣାରେ ଅମନମଣିଙ୍କ ପତ୍ନୀ ସାରାଙ୍କ ମୃତ୍ୟୁ ଘଟିଥିଲା। ସେ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିଲେ। ତେବେ ସାରାଙ୍କ ମା’ ଏହାକୁ ମାନିବାକୁ ନାରାଜ। ତାଙ୍କ ଝିଅଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ସେ ଅଭିଯୋଗ କରିବା ପରେ ମାମଲାର ତଦନ୍ତ ଚାଲିଛି।

Previous ArticleNext Article

Send this to a friend