ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କେଜ୍ରିୱାଲଙ୍କୁ ଆଶ୍ୱସ୍ତି  

ନୂଆଦିଲ୍ଲୀ: ଦିଲ୍ଲୀ ଶାସନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ନିର୍ବାଚିତ ସରକାର ପାଖରେ ହିଁ ରହିବ ପ୍ରକୃତ କ୍ଷମତା । ମନ୍ତ୍ରୀ ପରିଷଦ ପରାମର୍ଶ ମାନିବାକୁ ଉପରାଜ୍ୟପାଳ ବାଧ୍ୟ।  ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିପାରିବେନି ଉପରାଜ୍ୟପାଳ।  ସର୍ବୋଚ୍ଚ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଦିଲ୍ଲୀରେ କେଜ୍ରିଓ୍ୱାଲ୍ ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟ ଚାଲିଥିବା ବିବାଦ ସମ୍ପର୍କିତ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି । ୫ ଜଣିଆ ଖଣ୍ଡପୀଠ ରାୟରେ କହିଛନ୍ତି ଯେ, ଯଦି କୌଣସି ପ୍ରସଙ୍ଗରେ ମତଭେଦ ଥାଏ ତାକୁ ଉଭୟ ପକ୍ଷ ଆପୋଷ ବୁଝାମଣା କରି ସମାଧାନ କରିବା ଉଚିତ ।

ଦିଲ୍ଲୀ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳଠାରୁ ଭିନ୍ନ ବୋଲି ମଧ୍ୟ କହିଛନ୍ତି ଖଣ୍ଡପୀଠ।  ତେବେ ଦିଲ୍ଲୀକୁ ପୂର୍ଣ୍ଣ  ରାଜ୍ୟ ମାନ୍ୟତା ଦେବା ସମ୍ଭବ ନୁହେଁ ବୋଲି  କହିଛନ୍ତି କୋର୍ଟ । ଦିଲ୍ଲୀର ଲୋକ ହିଁ ମୁଖ୍ୟ ଓ ଲୋକେ ବାଛିଥିବା ସରକାର ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାଳୟ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ, ଉପରାଜ୍ୟପାଳଙ୍କୁ ଦିଲ୍ଲୀର ପ୍ରଶାସନିକ ମୁଖ୍ୟ ବୋଲି ରାୟ ଦେଇଥିଲେ। ହାଇକୋର୍ଟ କହିଥିଲେ ଯେ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ ନୁହେଁ।  ସେ ନିଜ ବିବେକ ଅନୁଯାୟୀ କାର୍ଯ୍ୟ କରିପାରିବେ। ହାଇକୋର୍ଟଙ୍କ ଏହି ରାୟକୁ ଦିଲ୍ଲୀ ସରକାର ସୁପ୍ରିକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେପଟେ ସୁପ୍ରିମକୋର୍ଟଙ୍କ ଆଜିର ରାୟକୁ ଐତିହାସିକ ବୋଲି ଦର୍ଶାଇଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ।

Previous ArticleNext Article

Send this to a friend