ପୁଣି କୁହୁଳିଲା ଡୋକଲାମ ବିବାଦ: ଛକାପଞ୍ଝା ସ୍ଥିତିରେ ଚୀନ-ଭାରତ ସୈନ୍ୟ

Indian-Chinese-Soldiers

ନୂଆଦିଲ୍ଲୀ: ପୁଣି ଘନିଭୂତ ହେଲା ଡୋକଲାମ ବିବାଦ।  ଗତ ଦୁଇ ସପ୍ତାହ ତଳେ ସୀମା ବିବାଦ ଥମିଥିବା ଘୋଷଣା ହୋଇଥିବା ବେଳେ ହଠାତ ଏହି ନିଆଁ ପୁଣିଥରେ କୁହୁଳିବା ଆରମ୍ଭ ହୋଇଛି। ସୀମାର ଉଭୟପଟୁ ସୈନ୍ୟ ଜଗି  ରହିଛନ୍ତି। ଯଦିଓ ଉଭୟ ଭାରତ ଏବଂ ଚୀନ ସେନା ବିବାଦୀୟ ସ୍ଥାନରୁ ଓହରି ଯାଇଛନ୍ତି ତେବେ ଡୋକଲାମ୍‌ର ମାତ୍ର ୧୫୦ ମିଟର ଦୂରରେ ଦୁଇ ଦେଶର ସେନା ସଜାଗ ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଚୀନର ପିଏଲଏ ସୈନ୍ୟ ଡୋକଲାମ ପାଖାପାଖି ବଙ୍କର କରି ଲୁଚି ରହିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଚଳିତ  ମାସ ୮ ତାରିଖରେ ନାଥୁଲା ମାଉଣ୍ଟେନ ପାସ ନିକଟରେ  ଉଭୟ ଦେଶ ପକ୍ଷରୁ  ଫ୍ଲାଗ ମିଟିଂ ହୋଇଥିଲା। ଏଥିରେ ଭାରତୀୟ ଡିଭିଜନ କମାଣ୍ଡର ଓ ପିଏଲ୍‌ଏ ସୈନ୍ୟ ଉପସ୍ଥିତ ଥିଲେ।  ୪ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ବୈଠକରେ ଅଗଷ୍ଟ ୨୮ରେ ହୋଇଥିବା ଆଲୋଚନା ସମ୍ପର୍କରେ କଥା ଉଠାଇଥିଲା ଭାରତ। ବିବାଦୀୟ ସ୍ଥାନରୁ ପ୍ରଥମେ ଚୀନ ସେନା ହଟିବା ପାଇଁ ସେଦିନ ଆଲୋଚନା ହୋଇଥିଲା। ହେଲେ ଏହି ସର୍ତ୍ତକୁ ଚୀନ ପୁଣି ଖିଲାପ କରିଥିବା ଅଭିଯୋଗ ଉଠିଥିଲା। କିନ୍ତୁ ଆଲୋଚନା ବେଳେ ଏହି ଅଭିଯୋଗ ଉପରେ ଚୀନ ଆଦୌ ଧ୍ୟାନ ଦେଇ ନ ଥିଲା। ତେଣୁ ଏହି ଆଲୋଚନା ସେମିତି କିଛି ସଫଳ ହୋଇ ନ ଥିଲା। ଏବେ ପୁଣି ଉଭୟ ଦେଶର ସେନା ଛକାପଞ୍ଝା ସ୍ଥିତିରେ ଅଛନ୍ତି। ପୁଣି ଥରେ ଯୁଦ୍ଧ ଆଶଙ୍କା ନେଇ ପରିସ୍ଥିତି ସୃଷ୍ଟି ହୋଇଛି।

ଏଠାରେ ସୂଚନା ଯୋଗ୍ୟ ଯେ,  ସିକିମ ସୀମାରେ ଚୀନ୍‌ ବେଆଇନ ରାସ୍ତା ନିର୍ମାଣକୁ ଭାରତ ବିରୋଧ କରି ସୈନ୍ୟ ପଠାଇଥିଲା।  ଉଭୟ ଦେଶର ସୈନ୍ୟ ଏଠାରେ ଠେଲାପେଲା ବି ହୋଇଥିଲେ। ପରେ ଚୀନ୍ ସୈନ୍ୟ ଉତ୍ତରାଖଣ୍ଡର ଚାମୋଲି ଓ ଗତ ୧୫ ତାରିଖରେ ଲଦାଖର ପାନ୍‌ଗଙ୍ଗ ହ୍ରଦ ଅଞ୍ଚଳରେ ମଧ୍ୟ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।  ଭାରତୀୟ ସୈନ୍ୟ ବାଧା ଦେବାରୁ ଉଭୟ ପକ୍ଷରେ ମଧ୍ୟରେ ଟେକା ପଥର ମାଡ଼ ହୋଇ କିଛି ସୈନ୍ୟ ଆହତ ହୋଇଥିଲେ।  ଚୀନର ଅଞ୍ଚଳରୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ନକଲେ ଚରମ ପରିଣତି ଭୋଗିବାକୁ ପଡିବ ବୋଲି ବେଜିଂ ଧମକ ଦେଇଥିଲା।  ତେବେ ୭୧ ଦିନ ଧରି ଏମିତି ବିବାଦ ଲାଗି ରହିବା ପରେ କୂଟନୈତିକ ସ୍ତରରେ ସମାଧାନ ହୋଇଥିବା କୁହାଯାଇଥିଲା। ଡୋକଲାମରୁ ସେନା ହଟାଯିବା ନେଇ ଦୁଇ ପକ୍ଷ ମଧ୍ୟରେ ସହମତି ହୋଇଥିବା ଭାରତ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଚୀନ ଏହାକୁ ଗୁରୁତ୍ୱ ଦେଇ଼ ନ ଥିବା ମନେ ହେଉଛି।

ସୌଜନ୍ୟ: ଇଣ୍ଡିଆଟୁଡେ

Previous ArticleNext Article

Send this to a friend