ସାବଧାନ! ୩୦୨ ଶିକ୍ଷାନୁଷ୍ଠାନ ୪୨୦

Fake Universities

ନୂଆଦିଲ୍ଲୀ: କୌଣସି ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ  ଚାହୁଁଥିଲେ ସତର୍କତାର ସହ ନିଷ୍ପତ୍ତି ନିଅନ୍ତୁ । ନଚେତ କ୍ୟାରିୟର ମାଟି ହୋଇଯାଇ ପାରେ। କାରଣ ଦେଶରେ ୨୩ଟି ବିଶ୍ୱବିଦ୍ୟାଳୟ ଏବଂ ୨୭୯ଟି ବୈଷୟିକ ଶିକ୍ଷାନୁଷ୍ଠାନ ମୋଟ ୩୦୨ଟି ଜାଲି ବୋଲି ଜଣାପଡ଼ିଛି।  ଏହି ତାଲିକାରେ ଦିଲ୍ଲୀ ଏକ ନମ୍ବରରେ ରହିଛି। ରାଜଧାନୀ ଦିଲ୍ଲୀରେ  ଏମିତି ୬୬ଟି  ନକଲି ଶିକ୍ଷାନୁଷ୍ଠାନ ରହିଛି। ୟୁଜିସି ଏବଂ ସର୍ବଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ  ପରିଷଦ (ଏଆସିଟିଇ) ପକ୍ଷରୁ ଯାଞ୍ଚ ପରେ ଏହି ଜାଲିଆତିର ପର୍ଦ୍ଦାଫାସ ହୋଇଛି । ଏହି ନକଲି ଶିକ୍ଷାନୁଷ୍ଟାନ ଗୁଡ଼ିକର ସରକାରୀସ୍ତରରେ କୌଣସି ଅନୁମୋଦନ ନ ଥାଇ ପିଲାଙ୍କୁ ଭଣ୍ଡାଇ ଆଡମିଶନ କରୁଥିବା ୟୁଜିସ ପକ୍ଷରୁ କୁହାଯାଇଛି। ତେଣୁ ନାମ ଲେଖାଇବା ପୂର୍ବରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତା କରିବା ଉଚିତ ବୋଲି ୟୁଜିସିର ଜଣେ ଅଧିକାରୀ କହିଛନ୍ତି।

ନିକଟରେ ମାନବସମ୍ବଳ ରାଷ୍ଟ୍ରମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ଏନେଇ  ସଂସଦରେ ବିବୃତି ରଖିଥିଲେ । ସାରା ଦେଶରେ ଏମିତି କେତେଟି ନକଲି ଶିକ୍ଷାନୁଷ୍ଠାନ ବିରୋଧରେ  ଅଭିଯୋଗ ଆସୁଛି ତା’ର ରିପୋର୍ଟ ରାଜ୍ୟ ସରକାର ଦେବା ପାଇଁ କହିଛନ୍ତି । ତେବେ ଏହି ନକଲି  ବିଶ୍ୱବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ ତାଲିକା ଆପଣ www.ugc.ac.in  ଏବଂ ଏଆସଟିଇ ୱେବସାଇଟ www.aicte.india.org.ରେ ଦେଖିପାରିବେ।

Previous ArticleNext Article