ବାଦଲଫଟା ବର୍ଷା : ସ୍କୁଲ, କଲେଜ ଓ ସରକାରୀ ଅଫିସ ଛୁଟି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଯୋଗୁ ସେରାଘାଟ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଗୁରୁତର ପ୍ରଭାବିତ ହୋଇଛି । ପିଥୋରଗଡ ଅଂଚଳରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି।  ଆଜି ସକାଳେ ବାଦଲଫଟା ବର୍ଷା ଯୋଗୁ  ସେରାଘାଟ ହାଇଡ୍ରୋ  ପାୱାର ପ୍ରୋଜେକ୍ଟକୁ ଅନେକ ପରିମାଣରେ ପାଣି ପ୍ରବେଶ କରିଛି।

ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇନାହିଁ ।  ଏପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ  । ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ଧସି ଯାଇଥିବାରୁ ଯାନବାହନ ଚଳାଚଳ ଗୁରୁତର  ପ୍ରଭାବିତ ହୋଇଛି ।  ମୁନସିଆରି ଅଂଚଳରେ ଗତ ୧୨ ଘଣ୍ଟା ମଧ୍ୟରେ ୨୫୦ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।  ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିଛି  । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆହୁରି ବର୍ଷା ହେବାର ଆଶଙ୍କା  କରାଯାଉଥିବାରୁ ସ୍ଥିତି ଆହୁରି ଗମ୍ଭୀର ହେବାର ଅନୁମାନ କରାଯାଉଛି ।  ପରିସ୍ଥିତିକୁ ନଜରରେ ରଖି ସ୍କୁଲ, କଲେଜ ଓ ସରକାରୀ ଅଫିସକୁ ଛୁଟି ଘୋଷଣା କରାଯାଇଛି । ପୂର୍ବରୁ ୨୦୧୩ରେ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବା  ସହ ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

Previous ArticleNext Article

Send this to a friend