ରାମ ରହିମଙ୍କ ଇତିହାସ: ୧୭ରେ ବିବାହ,୨୩ରେ ସନ୍ନ୍ୟାସ

Baba-Ram-Rahim

ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର):୧୫ ବର୍ଷ ପୂର୍ବେ ଯୌନଶୋଷଣ ମାମଲାରେ ବାବା ଗୁରୁମିତି ରାମ ରହିମଙ୍କୁ  ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଡେରା ସଚ୍ଚା ସୌଦାର ମୁଖ୍ୟ ହେବା ପରେ  ରାମ ରହିମ ହେଉଛନ୍ତି ତୃତୀୟ ବାବା। ତେବେ ରାମରହିମଙ୍କ ଜୀବନ କାହାଣୀ ଖୁବ୍ ରୋଚକକର।  ୧୫ ଅଗଷ୍ଟ ୧୯୬୭ ମସିହାରେ ରାଜସ୍ଥାନର ଗଙ୍ଗାନଗର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ରାମ ରହିମ। ନିଜ ବାପା ମା’ର ସେ ଏକମାତ୍ର ସନ୍ତାନ ଥିଲେ।  ଗୁରମିତଙ୍କ ବାପା ଜଣେ ଜମିଦାର ଥିଲେ।  ଆଜତକର ଏକ ରିପୋର୍ଟ ଅନୁଯାୟୀ ରାମ ରହିମ୍‌ ଜଣେ ସନ୍ଥଙ୍କ ଆଶୀର୍ବାଦରୁ  ଜନ୍ମ ହୋଇଥିବା ବାବା ଦାବି କରିଥିଲେ।  ଏହି ରିପୋର୍ଟ ଅନୁଯାୟୀ, ରାମ ରହିମଙ୍କ ମାତାପିତାଙ୍କର ଦୀର୍ଘଦିନ ଧରି କୌଣସି ସନ୍ତାନସନ୍ତତି ହେଉ ନ ଥିଲା ।  ରାମ ରହିମଙ୍କ ପରିବାର ଡେରା ଅନୁଗାମୀ ଥିଲେ। ତେଣୁ ତାଙ୍କ ପିତମାତା ତ୍ରିବେଣୀ ଦାଶ ନାମକ ଜଣେ  ଡେରା ସନ୍ଥଙ୍କ ପାଖରେ  ଶରଣ ପଶିଥିଲେ।  

ତ୍ରିବେଣୀ ଦାଶଙ୍କ ପାଖରେ ସନ୍ତାନ ସନ୍ତିତି ପାଇଁ ଗୁହାରୀ କରିବାରୁ ସେ ଆଶ୍ୱସନା ଦେଲେ। ହେଲେ ସନ୍ଥ ଏଥିପାଇଁ ସର୍ତ୍ତ ରଖିଲେ।  କହିଲେ ତୁମର ନିଶ୍ଚୟ ପୁତ୍ର ସନ୍ତାନ ଜନ୍ମ ହେବ।  ହେଲେ ପୁଅ ଆପଣଙ୍କ ପାଖରେ ମାତ୍ର ୨୩ ବର୍ଷ ପର୍ଯ୍ୟନ୍ତ ରହିବ।  ଏହା ପରେ ସେ ଯେଉଁ କାମ ପାଇଁ ଏ ଦୁନିଆକୁ ଆସିଛି ତାକୁ ସେ କାର୍ଯ୍ୟ କରିବାକୁ  ପଡ଼ିବ।  ସନ୍ଥଙ୍କ ଏଭଳି ସର୍ତ୍ତରେ ରାମରହିଙ୍କ ବାପା ମା’ ରାଜି ହୋଇଥିଲେ। ଏବଂ କିଛି ମାସ ପରେ ତାଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା।  ରାମରହିମଙ୍କ ବାପା ମା’ଙ୍କୁ ଜଣାଥିଲା ପୁଅକୁ ୨୩ ବର୍ଷ ଛୁଇଁଲା ମାତ୍ରେ ସନ୍ନ୍ୟାସ ହୋଇଯିବ। ଏହି କାରଣରୁ  ୧୭ ବର୍ଷରେ ରାମ ରହିମଙ୍କୁ ତାଙ୍କ ପିତାମାତା ବିବାହ କରାଇ ଦେଇଥିଲେ। ବିବାହ ପରେ ଦୁଇ ଜଣ ଝିଅ ଏବଂ ଜଣେ  ପୁଅର ଜନକ ହୋଇଥିଲେ  ରାମ ରହିମ।  ହେଲେ ୨୩ ବର୍ଷ ପରେ ଡେରା ସାଧୁଙ୍କ ଆଦେଶ୍ରକମେ ରାମରହିମ ଘର ଛାଡ଼ିଦେଇଥିଲା।  ଆଉ ସନ୍ନାସ୍ୟ ଧର୍ମ ଗ୍ରହଣ କରିଥିଲେ।  ଆଉ ଡେରା ଆଶ୍ରମକୁ ଚାଲିଆସିଥିଲେ। ବାବାଙ୍କ କହିବା ଅନୁଯାୟୀ ସେ ଘର ଛାଡ଼ିବା ପରେ ବ୍ରହ୍ମଚର୍ଯ୍ୟପାଳନ କରିଥିଲେ।  ବାବାଙ୍କ ପୁଅର ନାମ ଜସମିତ ହୋଇଥିବା ବେଳେ ବଡ଼ଝିଅର ନାମ  ଚରଣପ୍ରିତ୍ ଏବଂ ସାନ ଝିଅର ନାମ  ଅମରପ୍ରିତ୍ ବୋଲି ଜଣାପଡ଼ିଛି। ପୁଅଝିଅ ସବୁ ବିବାହିତ। ତେବେ ରାମ ରହିମ ଆଉ ଜଣେ ଝିଅକୁ  ପୋଷ୍ୟ କନ୍ୟା ଗ୍ରହଣ କରିଥିଲେ।   ଯହାଙ୍କ ନାମ ହନିପ୍ରୀତ।  ୧୯୯୦ରେ ରାମ ରହିମ ଡେରା ସଚ୍ଚା ସୌଦାର ତୃତୀୟ ମୁଖ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। 

 ବାବାରୁ ରକ୍‌ଷ୍ଟାର

ବାବା  ସାମାଜିକ ସଂସ୍କାର କାର୍ଯ୍ୟରେ ନେତୃତ୍ୱ ନେଉଥିଲେ। ଗରିବଙ୍କୁ ସାହାଯ୍ୟ କରୁଥିଲେ।  ଧିରେ ଧିରେ ସେ  ଯୁବପିଢିଙ୍କ ଆଦର୍ଶ ବନିଯାଇଥିଲେ। ନିଜକୁ ରକ୍‌ ଷ୍ଟାର ଭାବେ ଚିତ୍ରଣ କରିଥିଲେ ବାବା। ପରେ ସେ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ବାବା ଅଭିନୟ କରିଥିବା ଚଳଚ୍ଚିତ୍ର ମଧ୍ୟରେ  ମେଷେଞ୍ଜର ଅଫ ଗଡ୍‌ ସବୁଠୁ ଚର୍ଚ୍ଚିତ ଥିଲେ। ଏହି ଫିଲ୍ମରେ ବାବା ନିଜେ କାହାଣୀ ଲେଖିଥିଲେ।  ନିଜେ ନର୍ଦ୍ଦେଶନା ବି  ଦେଇଥିଲେ। ନିକଟରେ ବାବାଙ୍କର ଜାଟ୍ଟୁ ଇଞ୍ଜିନିୟର ଚଚ୍ଚଳଚିତ୍ର ରିଲିଜ୍‌ ହୋଇଥିଲା ।  ଫିଲ୍ମ ମାଧ୍ୟମରେ ସେ ଯୁବକମାନଙ୍କୁ  ଖରାପ କାମରୁ ନିବୃତ ରହିବା ପାଇଁ ବାର୍ତ୍ତା ଦେଉଥିଲେ।

ବାବା ବିବାଦ

ବେଳେ ବେଳେ ବାବା ବିବାଦରେ ଛନ୍ଦି ହୋଇ ଯାଉଥିଲେ।  କୋଟି କୋଟି ଅନୁଗାମୀଙ୍କ ଆସ୍ଥା ବିଶ୍ୱାସକୁ ବିକି ହରିୟାଣାର ସିର୍ସାରେ ଗୁରୁ ରାମ୍ ରହିମଙ୍କ  ଆଲିସାନ୍ ଆଶ୍ରମ୍ ସବୁ କିଛି ଠିକ୍ ଠାକ୍ ଥିଲା । ୨୦୦୨ ଯାଏ ପଦାକୁ ଆସି ପାରୁ ନ ଥିଲା ବାବାଙ୍କ ବ୍ୟଭିଚାରର ଗୁମର। ଏପ୍ରିଲ୍ ୨୦୦୨ ପୂଣ୍ୟରେ ଆଳରେ ଆଶ୍ରମରେ ଚାଲିଥିବା ପାପର ପେଡ଼ି ଖୋଲିଲେ ଜଣେ ନାବାଳିକା ସାଧ୍ୱୀ।  ଇଜ୍ଜତ୍ ଲୁଟ୍ କାହାଣୀକୁ ବର୍ଣ୍ଣନା କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଲେଖିଲେ ଗୋପନ ଚିଠି। ମେ ୨୦୦୨ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ‘ସୋ ମୋଟୋ’ ମାମଲାକୁ ଗ୍ରହଣ କରି ତଦନ୍ତ ପାଇଁ ସିର୍ସା ଜିଲ୍ଲା ଓ ଦୌରା ଜଜ୍‌ଙ୍କୁ ମାମଲାର ତଦନ୍ତ ପାଇଁ ଚିଠି ଲେଖିଲେ।

ସେପ୍ଟେମ୍ବର ୨୦୦୨ ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କଲେ ହାଇକୋର୍ଟ । ଆରମ୍ଭ ହେଲା ତନାଘନା। ଡିସେମ୍ବର ୨୦୦୨  ତଦନ୍ତ ପରେ ସିବିଆଇ ଗୁରମିତ୍ ରାମ୍ ରହିମ୍ ବିରୋଧରେ ରୁଜୁ ହେଲା ବଳାତ୍କାର ମାମଲା।  ବୟାନ ରେକର୍ଡ ବେଳେ ଆଶ୍ରମର ୧୮ ସାଧ୍ୱୀଙ୍କ ମଧ୍ୟରୁ ଦୁଇ ଜଣ ସାଧ୍ୱୀ ଖୋଲିଲେ ପାପର ପେଡ଼ି।ଏହାରି ଭିତରେ ଆଶ୍ରମର ବ୍ୟଭିଚାର କାହାଣୀକୁ ପଦାକୁ ଆଣିଥିଲେ ଜଣେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତି। ଫଳରେ ସେହି ସାମ୍ବାଦିକଙ୍କୁ ହତ୍ୟା କରାଗଲା। ଏସବୁ ଭିତରେ ପାଖାପାଖି ୫ ବର୍ଷର ତନାଘନା ଜୁଲାଇ ୨୦୦୭ ସିବିଆଇ ଗୁରୁମିତ୍ ରାମ୍ ରହିମଙ୍କ ବିରୋଧରେ ଅମ୍ବାଲା କୋର୍ଟରେ ଫାଇଲ୍ କଲା।  ଚାର୍ଜସିଟ୍ ପ୍ରମାଣ ଦେଲା୧୯୯୯ରୁ ୨୦୦୨ ଭିତରେ ଦୁଇ ସାଧ୍ୱୀଙ୍କୁ ବାବା ଯୌନ ନିର୍ଯାତନା ଦେଇଛନ୍ତି। ସେପ୍ଟେମ୍ବର ୯ରୁ ୨୦୧୦ କୋର୍ଟରେ ରେକର୍ଡ ହେଲା ଅଭିଯୋଗକାରିଣୀ ଦୁଇ ସାଧ୍ୱୀଙ୍କ ବୟାନ୍। ଏପ୍ରିଲ ୨୦୧୧ ସ୍ୱତନ୍ତ୍ର ସିବିଆଇ କୋର୍ଟ ଅମ୍ବାଲାରୁ ପଞ୍ଚକୁଲାକୁ ସ୍ଥାନାନ୍ତର ହେବା ପରେ ଡେରା ମୁଖ୍ୟଙ୍କ ମାମଲା ବି ଆସିଲା ପଞ୍ଚକୁଲା।

ଡେରା ସାମ୍ରାଜ୍ୟର ଇତିହାସ

ଡେରା ସାମ୍ରାଜ୍ୟର ଚେର ବିଦେଶ ପର୍ଯ୍ୟନ୍ତ ଲମ୍ବିଛି। ଆମେରିକା, ଇଂଲଣ୍ଡ, କାନାଡ଼ା, ଅଷ୍ଟ୍ରେଲିଆରେ ଡେରା ଆଶ୍ରମ ରହିଛି।  ଡେରା ସଚ୍ଚା ସୌଦାର ସଂସ୍ଥାପନ ୧୯୪୮ ମସିହାରେ ହୋଇଥିଲା। ପାକିସ୍ତାନର ବେଲୁଚିସ୍ଥାନରେ ରହୁଥିବା ‘ମସ୍ତାନା ବଲୁଚିସ୍ଥାନୀ’ ନାମକ ଜଣେ ବାବା ଏହାର ପ୍ରତିଷ୍ଠା କରିଥିଲେ।  ତେବେ ସେହି ବର୍ଷ ତାଙ୍କର ମୃତ୍ୟୁ ଘଟିବା ପରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ କଳହ ଲାଗିଲା । ପରେ ଏହି ସଙ୍ଗଠନ ଭାଗ ଭାଗହୋଇଗଲା।  ସେହି ଅନୁଯାୟୀ  ଗୋଟିଏ ଗୋଷ୍ଠୀ ୧୯୪୮ ମସିହାରେ ହରିୟାଣାରେ ଡେରା ଆଶ୍ରମ ସ୍ଥାପନ  କଲେ। ଇତି ମଧ୍ୟରେ ଏହି ସଂସ୍ଥାର ମୁଖିଆ ଭାବେ ୩ ଜଣ ଗଲେଣି। ରାମ ରହିମଙ୍କ ପୂର୍ବରୁ  ଶେଷଥର ପାଇଁ ୧୯୯୦ ସୁଦ୍ଧା  ‘ସାହ ସତନାମଜୀ ମହାରାଜ’ ନାମକ ମୁଖ୍ୟ ଦାୟିତ୍ୱରେ ଥିଲେ।  ଯେତେବଳେ ରାମ ରହିମଙ୍କୁ ୭ ବର୍ଷ ହୋଇଥିଲା ସାହ ସତ୍‌ନାମଜୀ ମହାରାଜ ଗୁରମିତଙ୍କ ନାମ ଗୁରୁମିତ ରାମ ରହିମ ସିଂହ ରଖିଥିଲେ। ୧୯୯୦ ମସିହାରେ ସାହ ସତନାମଜୀ ମହାରାଜ ରାମ ରହିମଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।  ଡେରାଙ୍କ ଅନୁଗାମୀ ମୁଖ୍ୟତ‍ ହିନ୍ଦୁ ଏବଂ ଶିଖ୍ ଧର୍ମର ।  ବାବାଙ୍କ ଦାବି ଅନୁଯାୟୀ ସମଗ୍ର ବିଶ୍ୱରେ ୫ କୋଟି ଡେରା ଅନୁଗାମୀ ଅଛନ୍ତି।  ସମଗ୍ର ଦେଶରେ ୫୦ରୁ ଊର୍ଦ୍ଧ୍ୱ ଡେରା ଅଶ୍ରମ ରହିଛି। ପଞ୍ଜାବ, ହରିୟାଣା  ଏବଂ ରାଜସ୍ଥାନର ସବୁଠୁ ଅଧିକ ଡେରା ସମର୍ଥକ ଅଛନ୍ତି। ହରିୟାଣାର ସୀର୍ସାରେ ଡେରାର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଏହି ଆଶ୍ରମ ଭିତରେ ଷ୍ଟାଡିୟମ, ସ୍କୁଲ, ସିନେମା ହଲ ଏବଂ ସଭାସ୍ଥଳ ଆଦି ସୁବିଧା ରହିଛି।  ୭ ଏକର ଜମିରେ ଗଢି ଉଠିଥିବା ଏହି ସମ୍ପତ୍ତିର ମୂଲ୍ୟ ୫ ହଜାର କୋଟି ଟଙ୍କାରୁ ଅଧିକ ହେବ ।

ସୌଜନ୍ୟ: ଆଜତକ୍‌

ବିଦ୍ର: ବିଭିନ୍ନ ସୂତ୍ରରୁ ‘ଆଜତକ୍‌’ ପକ୍ଷରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି

Previous ArticleNext Article

Send this to a friend