ଭାରତୀୟ ମୁଦ୍ରାର ଇତିହାସ ଓ ବର୍ତ୍ତମାନ: ଜାଣନ୍ତୁ କ’ଣ ରହିଛି ରୋଚକ ତଥ୍ୟ

ପୂର୍ବକାଳରେ ଲୋକେ ଜିନିଷ ବଦଳରେ ଜିନିଷ ଦେଇ ନେଣଦେଣ କରୁଥିଲେ। ଏବେ କିନ୍ତୁ ଜୀବନଧାରଣ ମାନରେ ବିକାଶ ହେବା ସହ ସବୁଥିରେ ପରିବର୍ତ୍ତନ ଦେଖାଦେଇଛି। ପରିବର୍ତ୍ତିତ ସମାଜରେ ଏବେ କାରବାର ମୁଖ୍ୟ ମାଧ୍ୟମ ସାଜିଛି ଟଙ୍କା। ଜିନିଷ ଅଦଳ ବଦଳ ପରିବର୍ତ୍ତେ ଏବେ ଦ୍ରବ୍ୟ କିଣିବାକୁ ଟଙ୍କା ଦେବାକୁ ପଡୁଛି। ମୁଦ୍ରା କ୍ଷେତ୍ରରେ ଦେଶରେ ଅନେକ ପରିବର୍ତ୍ତନ ବି ଆସିଛି। ବିଭିନ୍ନ ସମୟରେ ଟଙ୍କା ଛପା ଯାଇଛି, ଅଚଳ ମଧ୍ୟ ହୋଇଛି। ସମୟ ସମୟରେ ଟଙ୍କାର ରୂପରଙ୍ଗରେ ବି ପରିବର୍ତ୍ତନ ଆସିଛି। ଦେଶରେ ଟଙ୍କାର ପ୍ରଚଳନ କେବେ ହେଲା ଓ ଟଙ୍କା କେଉଁଠାରେ ଛପାଯାଏ ଇତ୍ୟାଦି ଅନେକ କଥାକୁ ନେଇ ଓଡ଼ିଶା ରିପୋର୍ଟର ଏହି ବିଶେଷ ଉପସ୍ଥାପନା।

ଦେଶରେ ଟଙ୍କାର ପ୍ରଚଳନ: ସେର୍‌ ଶାହ ସୁରୀ ତାଙ୍କ ଶାସନ କାଳ (୧୪୮୬–୧୫୪୫)ରେ ପ୍ରଥମେ ଭାରତରେ ଋପୟା ଶବ୍ଦର ବ୍ୟବହାର କରିଥିଲେ। ସେବେଠାରୁ ଟଙ୍କାର ପ୍ରଚଳନ ଭାରତରେ ଆରମ୍ଭ ହୋଇଥିଲା। ଏବେ ନୋଟ୍‌ ଛାପିବା କାର୍ଯ୍ୟ ରିଜର୍ଭ ବ୍ୟାଙ୍କ କରୁଥିବା ବେଳେ କଏନ୍ ବା ମୁଦ୍ରା ତିଆରି କରିବାର କାର୍ଯ୍ୟ ଭାରତ ସରକାର କରନ୍ତି। ଦେଶର ୱାଟର ମାର୍କ ଥିବା ଟଙ୍କା ୧୮୬୧ରେ ଛପାଯାଇଥିଲା।

୧୦ ହଜାର,  ୫ ହଜାର ଓ ହଜାରେ ଟଙ୍କିଆ ନୋଟ୍‌ର ପ୍ରଚଳନ: ଦେଶରେ ପ୍ରଥମ କରି ୧୯୫୪ ମସିହାରେ ୧୦ ହଜାର, ୫ ହଜାର ଓ ହଜାରେ ଟଙ୍କିଆ ନୋଟ୍‌ର ପ୍ରଚଳନ ହେଲା। କଳାଧନ ରୋକିବା ଉଦ୍ଦେଶ୍ୟରେ ୧୯୭୮ ମସିହାରେ ସରକାର ଏହି ସବୁ ନୋଟ୍‌କୁ ବନ୍ଦ କରିଦେଇଥିଲେ। ଏହାର ୨୨ ବର୍ଷ ପରେ ପୁଣିଥରେ ସରକାର ୨୦୦୦ ମସିହାରେ ପୁଣି ଥରେ ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିଥିଲେ।

ଭାରତୀୟ ମୁଦ୍ରାରେ ହିନ୍ଦି ଓ ଇଂରାଜୀ ବ୍ୟତୀତ ଅନ୍ୟ ୧୫ଟି ଭାଷା ବ୍ୟବହାର କରାଯାଇଛି। ଏହାସହ ଭାରତ ସହିତ ୮ଟି ଦେଶର ଟଙ୍କାକୁ ‘ରୁପିୟା’ କୁହାଯାଇଥାଏ।

କେଉଁଥିରେ ତିଆରି ହୁଏ ଭାରତୀୟ ଟଙ୍କା: ରିଜର୍ଭ ବ୍ୟାଙ୍କ ଟଙ୍କା ତିଆରି ପାଇଁ କଟନ୍‌ରେ ତିଆରି କାଗଜ ଓ ବିଷେଶ ଧରଣରେ କାଳି ବ୍ୟବହାର କରିଥାଏ। ଏଥିରୁ କିଛି କାଗଜ ମହାରାଷ୍ଟ୍ରର ‘କରେନ୍‌ସି ନୋଟ୍‌ ପ୍ରେସ୍‌’ ଓ ଅଧିକାଂଶ କାଗଜ ମଧ୍ୟପ୍ରଦେଶର ହୋସାଙ୍ଗାବାଦ୍‌ ପେପର୍‌ ମିଲ୍‌ରୁ ଆସିଥାଏ। ଏହାଛଡ଼ା ଭାରତୀୟ ମୁଦ୍ରା ପାଇଁ ଅନ୍ୟ ୪ଟି ଦେଶରୁ କାଗଜ ଆସିଥାଏ। ଟଙ୍କା ଛାପିବା ପାଇଁ ଦୁଇ ପ୍ରକାର କାଳି ବ୍ୟବହୃତ ହୋଇଥାଏ। ଏଥିରେ ବ୍ୟବହୃତ ହେଉଥିବା ଅଫ୍‌ସେଟ୍‌ କାଳି ମଧ୍ୟପ୍ରଦେଶର ଦେୱାସ୍ ବ୍ୟାଙ୍କନୋଟ୍‌ ପ୍ରେସ୍‌ରେ ତିଆରି କରାଯାଇଥାଏ। ଅନ୍ୟ କାଳିଟି ସିକିମ୍‌ର ସୁଇସ୍‌ ଫାର୍ମରେ ତିଆରି କରାଯାଇଥାଏ।

୪ଟି ଦେଶରେ ତିଆରି ହୁଏ ଭାରତୀୟ ନୋଟ୍‌ ପାଇଁ କାଗଜ: ଭାରତୀୟ ନୋଟ୍‌ ତିଆରି ପାଇଁ ଦେଶର ଦୁଇଟି ଜାଗାରୁ କାଗଜ ଆସୁଥିବା ବେଳେ ଅନ୍ୟ ୪ଟି ଦେଶର କମ୍ପାନୀ ମଧ୍ୟ ଏହି କାଗଜ ତିଆରି କରିଥାନ୍ତି। ଏମାନେ ହେଲେ ଫ୍ରାନ୍ସର ଉର୍ଜା ଅର୍ଗୋ ଭିଗିଜ୍, ଆମେରିକା ପୋର୍ଟାଲ, ସ୍ୱିଡେନ୍‌ର ଗେନ୍‌, ପେପର୍ ଫେବ୍ରିକସ୍ ଲୁସେଣ୍ଟଲ।

ଦେଶରେ କେଉଁଠି ରହିଛି ଟଙ୍କା ଛାପାଖାନା: ଦେଶରେ ୪ଟି ନୋଟ୍‌ ଛାପାଖାନା, ୪ଟି ଟଙ୍କାଶାଳ ଓ ଗୋଟିଏ ପେପର୍‌ ମିଲ ରହିଛି। ନୋଟ୍‌ ଛାପାଖାନା ମଧ୍ୟପ୍ରଦେଶର ଦେୱାସ, ମହାରାଷ୍ଟ୍ରର ନାସିକ, ପଶ୍ଚିମବଙ୍ଗର ସାଲ୍‌ବୋନି ଓ କର୍ଣ୍ଣାଟକ୍‌ର ମୋସୁରୀଠାରେ ରହିଛି। ଦେୱାସ୍‌ରେ ବାର୍ଷିକ ୨୬୫ କୋଟି ଟଙ୍କାର ଟଙ୍କା ଛପା ଯାଇଥାଏ। ଯେଉଁଥିରେ ୨୦, ୫୦, ୧୦୦ ଓ ୫୦୦ ଟଙ୍କିଆ ନୋଟ୍ ଛପାଯାଇଥାଏ। ୫୦୦ ଟଙ୍କିଆ ନୋଟ୍‌ ଅଚଳ ହେବା ପରେ ଏହି ନୋଟ୍ ଛପା ବନ୍ଦ ହୋଇଯାଇଛି।

ସେହିଭଳି ନାସିକ୍‌ରେ ୧୯୯୧ରୁ ୧, ୨, ୫, ୧୦, ୫୦, ୧୦୦ ଟଙ୍କା ଛପାଯାଉଛି। ପ୍ରଥମେ ଏଠାରେ କେବଳ ୫୦ ଓ ୧୦୦ ଟଙ୍କିଆ ନୋଟ୍‌ ଛପା ଆରମ୍ଭ ହୋଇଥିଲା। ନୋଟ୍‌ବନ୍ଦି ପରେ ବଜାରକୁ ନୂଆକରି ଆସିଥିବା ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଏଠାରେ ଛପା ଯାଉଛି। ମହୀଶୂରରେ ୧୦୦୦ ଟଙ୍କିଆ ଛପା ଯାଉଥିଲା। ଯାହା ନୋଟ୍‌ବନ୍ଦି ପରେ ବନ୍ଦ ରହିଛି।

ଭାରତୀୟ ନୋଟ୍‌ ଛାପିବାର ପ୍ରକ୍ରିୟା:  ନୋଟ୍‌ ଛାପିବା ପାଇଁ ଆସୁଥିବା କାଗଜକୁ ସାୟମଣ୍ଟନ୍‌ ନାମକ ଏକ ବିଶେଷ ଧରଣର ମେସିନ୍‌ରେ ରଖାଯାଉଥିଏ। ଏହା ପରେ ଅନ୍ୟ ଏକ ମେସିନ୍‌ ଇଣ୍ଟାବ୍ୟୁରେ ରଙ୍ଗ ଦିଆଯାଇଥାଏ। ଏହାପରେ ପେପର୍‌ ସିଟ୍‌ ଉପରେ ଟଙ୍କା ଛାପି ଯାଇଥାଏ। ପରେ ଭଲ ଓ ଖରାପ ନୋଟ୍ ବାଛି ଅଲଗା କରାଯାଏ। ଗୋଟିଏ ପେପର୍‌ ସିଟ୍‌ରେ ପାଖାପାଖି ୩୨ରୁ ୪୮ ନୋଟ୍‌ ତିଆରି ହୋଇଥାଏ। ଏହାପରେ ଚମକୁ ଥିବା କାଳିରେ ନୋଟ୍‌ର ସଂଖ୍ୟା (ଅର୍ଥାତ ୫ ଟଙ୍କା କି ୧୦ ଟଙ୍କା) ମୁଦ୍ରଣ କରାଯାଇଥାଏ।

କଟି, ଫାଟି ଯାଇଥିବା ନୋଟ୍‌କୁ କଣ କରେ ରିଜର୍ଭ ବ୍ୟାଙ୍କ: ନୋଟ୍‌ ବ୍ୟବହାର ଯୋଗ୍ୟ ନ ରହିଲେ ରିଜର୍ଭ ବ୍ୟାଙ୍କ ଏହାକୁ ବ୍ୟାଙ୍କ ମାଧ୍ୟମରେ ଏକତ୍ରିତ କରେ। ପୂର୍ବରୁ ଏହି ନୋଟ୍‌କୁ ଜଳାଇ ଦିଆଯାଉଥିଲା। ହେଲେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ଆଉ ଜଳାଯାଉନାହିଁ। ବିଦେଶରୁ ୯ କୋଟି ଟଙ୍କା ବ୍ୟୟରେ ଏକ ମେସିନ ଅଣାଯାଇଛି। ଏହି ମେସିନରେ ଅଦରକାରୀ ନୋଟ୍‌କୁ ଛୋଟ ଛୋଟ ଟୁକୁରା କରାଯାଇ ୱେଷ୍ଟ କରାଯାଇ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଉଛି।

Previous ArticleNext Article

Send this to a friend