ପୁଣି ଏକ ଟ୍ରେନ୍‌ ଦୁର୍ଘଟଣା: ଟ୍ରାକରୁ ବାହାରି ଗଲା କୈଫିୟତ ଏକ୍ସପ୍ରେସ୍‌ର ୧୦ ବଗି, ୫୦ ଆହତ

kaifiyat_express

ଲକ୍ଷ୍ନୌ/ନୂଆଦିଲ୍ଲୀ: ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ଘଟଣାକୁ ଦିନ କେଇଟା ବିତି ନାହିଁ ପୁଣି ଏକ ଦୁର୍ଘଟଣା ଘଟିଛି। କାନପୁର ଓ ଇଟାୱା ମଧ୍ୟ ଔରିୟାରେ କୈଫିୟତ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଔରିୟା ଲେଭଲ କ୍ରସିଂରେ ରାତି ପ୍ରାୟ ୨ଟା ୫୦ ମିନିଟରେ ଟ୍ରେନ୍‌ଟି ଏକ ଡମ୍ଫରକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ଟି ଆଜମଗଡ଼ରୁ ଦିଲ୍ଲୀ ଯାଉଥିଲା।

ଉତ୍ତର-ମଧ୍ୟ ରେଲୱେର ସିପିଆରଓ ବିଜୟ କୁମାର କହିଛନ୍ତି- “ଦୁର୍ଘଟଣାରେ ଆହତ ୧୪ ଜଣଙ୍କୁ ଔରିୟା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କାହାର ମୃତ୍ୟୁ ଘଟିଥିବା ସୂଚନା ମିଳିନାହିଁ। ଦୁର୍ଘଟଣା ଖବର ମିଳିବା ମାତ୍ରେ ଦିଲ୍ଲୀରୁ ଏକ ମେଡିକାଲ ରିଲିଫ ଟ୍ରେନ୍‌କୁ ଘଟଣା ସ୍ଥଳକୁ ତୁରନ୍ତ ପଠାଯାଇଥିଲା। ଏହାସହ ରେଳ ବିଭାଗର ବଡ଼ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ।

ସୂଚନାଯୋଗ୍ୟ, ଗତ ଶନିବାର ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ ପୁରୀରୁ ହରିଦ୍ୱାର ଯାଉଥିବା ଉତ୍କଳ ଏକ୍ସପ୍ରେସ୍‌ର ୧୪ଟି ବଗି ଲାଇନଚ୍ୟୁତ ହୋଇ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଟ୍ରାକ୍‌ କାମ କରାଯାଉଥିବା ବେଳେ ସତର୍କତା ଅବଲମ୍ବନ କରା ନଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଟ୍ରେନ୍‌ ଆସିବାର କିଛି ସମୟ ଆଗରୁ ଉକ୍ତ ଟ୍ରାକ୍‌ରେ କାମ ହେଉଥିଲା। ରେଳ କର୍ମଚାରୀମାନେ ହଠାତ କାମ ବନ୍ଦ କରି ରେଳ ଧାରଣରାରୁ ପଳାଇ ଯାଇଥିଲେ। ଏହାର କିଛି ସମୟ ପରେ ଏହି ଭୟଙ୍କର ଦୁର୍ଘଟଣା ଘଟି ୨୧ ଜଣଙ୍କ ଜୀବନ ଚାଲିଯାଇଥିଲା।

Previous ArticleNext Article

Send this to a friend