କର୍ଣ୍ଣାଟକ କନ୍‌ଫ୍ୟୁଜନ୍‌ : ସରକାର ଗଠନ ନେଇ ଛକାପଞ୍ଝା, ଜେଡିଏସ୍‌କୁ ସମର୍ଥନ ଘୋଷଣା କଲା କଂଗ୍ରେସ

ବେଙ୍ଗାଲୁରୁ: ରୋଚକ ସ୍ଥିତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଭୋଟ ଗଣତି ଜାରି ରହିଥିବା ବେଳେ ରାଜ୍ୟରେ କିଏ ସରକାର ଗଢ଼ିବ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଦୁଇ ବିରୋଧୀକୁ ପଛରେ ପକାଇ ବିଜେପି ଆଗେଇ ଚାଲିଥିଲେ ମଧ୍ୟ ଜେଡିଏସ୍‌ ଓ କଂଗ୍ରେସ ମେଣ୍ଟ ହୋଇ ସରକାର ଗଢ଼ିବାର ସମ୍ଭାବନା ଦେଖାଦେଇଛି।

ବର୍ତ୍ତମାନ ସୁଦ୍ଧା ବିଜେପି ୧୦୬ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୭୭ଟି ଓ ଜେଡିଏସ୍‌ ୩୭ଟି ଆସନ ପାଇଛି। ଅନ୍ୟାନ୍ୟ ୨ ରହିଛି। କର୍ଣ୍ଣାଟକରେ ମୋଟ ୨୨୪ ଆସନରୁ ୨୨୨ ଆସନରେ ନିର୍ବାଚନ ହୋଇଥିଲା। ଏଥିପାଇଁ ୧୧୨ ଥିଲା ମ୍ୟାଜିକ୍‌ ନମ୍ବର। କିନ୍ତୁ କୌଣସି ଦଳ ଏହି ମ୍ୟାଜିକ୍‌ ନମ୍ବର ହାସଲ କରିପାରି ନାହାଁନ୍ତି। ଏପରି ସ୍ଥଳେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ କଂଗ୍ରେସ ନୂଆ ଚାଲ୍‌ ଖେଳିଛି। ରାଜ୍ୟରେ ଜେଡିଏସ୍‌ ସରକାର ଗଢ଼ିଲେ ନିସର୍ତ୍ତରେ ସମର୍ଥନ ଦେବାକୁ କଂଗ୍ରେସ କହିଛି। ଏନେଇ ଜେଡିଏସ୍ ନେତାଙ୍କ ସହ କଥାବାର୍ତ୍ତା ଶେଷ ହୋଇଥିବା ବେଳେ କଂଗ୍ରେସ ପ୍ରସ୍ତାବକୁ ଜେଡିଏସ୍ ସ୍ୱୀକାର କରିଥିବା ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ।

ଏପଟେ କିନ୍ତୁ ବିଜିୟକୁ ହାତଛଡ଼ା ନ କରିବାକୁ ଜୋରସୋରରେ ଲାଗିପଡ଼ିଛି ବିଜେପି। ବିଜେପି ସରକାର ଗଠନ କରିବାକୁ ୩ ପ୍ରମୁଖ କେନ୍ତ୍ରୀୟ ବିଜେପି ନେତା କର୍ଣ୍ଣାଟକ ଗସ୍ତ କରିଛନ୍ତି। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ, ଜେପି ନଡ୍ଡା ଓ ପ୍ରକାଶ ଜାଭଡ଼େକର। ଏମାନେ କର୍ଣ୍ଣାଟକରେ ବିଜେପି ସରକାର ଗଠନ ପାଇଁ ନେଇ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି। ସେହିପରି କଂଗ୍ରେସର ଏପରି ଉଦ୍ୟମକୁ ସମାଲୋଚନା କରିଛି ବିଜେପି। କଂଗ୍ରେସ ପଛଦ୍ୱାର ଦେଇ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି ବୋଲି ବିଏସ୍‌ ୟେଦୁରାପ୍ପା କହିଛନ୍ତି।

Previous ArticleNext Article

Send this to a friend