ଭୁଲ ହୋଇଗଲା ମୋଦି-ମେହେବୁବାଙ୍କ ମେଣ୍ଟ ଗଣିତ: ଜାଣନ୍ତୁ କାଶ୍ମୀର ରାଜନୀତି ପଛର ପୂରା କାରଣ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ବିଜେପି ଓ ପିଡିପି ମେଣ୍ଟ ଶେଷରେ ଭାଙ୍ଗିଯାଇଛି।  ୩ ବର୍ଷ ଧରି ବିଜେପି ଓ ପିଡିପି ମେଣ୍ଟ ହୋଇ ଜାମ୍ମୁକାଶ୍ମୀରରେ ଶାସନ କରୁଥିଲେ। କିନ୍ତୁ ଉଭୟ ଦଳ ମଧ୍ୟରେ ସବୁବେଳେ ଛକାପଞ୍ଝା ଲାଗି ରହୁଥିଲା। ମନ୍ତ୍ରିମଣ୍ଡଳ ଅଦଳବଦଳ ଏବଂ ଅସ୍ତ୍ରବିରତି ଉଲ୍ଳଙ୍ଘନ ନିଷ୍ପତ୍ତି ଉଭୟଙ୍କ ମଧ୍ୟରେ ଦୂରତା ବଢ଼ାଇଥିଲା। ଶାସନ କାର୍ଯ୍ୟରେ ପରସ୍ପରର ମନ ମିଶୁ ନ ଥିବାରୁ ଏକ ଔପଚାରିକ ଭାବେ ଶାସନ କାର୍ଯ୍ୟ ଚାଲୁଥିଲା। ଏହି ମନୋମାଳିନ୍ୟ ବେଶୀ ଦିନ ତିଷ୍ଟି ପାରିଲା ନାହିଁ। ପରିଣାଣସ୍ୱରୂପ ଦୁଇ ଦଳ ଅଲଗା ହୋଇଗଲେ। ବିଜେପି ପଡିପିଠାରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ସରକାର ଭାଙ୍ଗିଗଲା। ବିଜେପିର ସମସ୍ତ ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବା ସହିତ ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତି ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। କିନ୍ତୁ ମେଣ୍ଟ ଭାଙ୍ଗିଯିବାକୁ ସହଜରେ ଗ୍ରହଣ କରିପାରୁ ନାହିଁ ପିଡିପି। ତେଣୁ ମେଣ୍ଟରୁ ବିଜେପି ଓହରିଯିବାକୁ ଦୁର୍ଭାଗ୍ୟଜନକ ବୋଲି ପିଡିପି କହିଛି।

ମେଣ୍ଟ ଭାଙ୍ଗିବା ପୂର୍ବରୁ ବିଜେପିର ବୈଠକ

ଏହା ପୂର୍ବରୁ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଦିଲ୍ଲୀ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଶାହ ଜାମ୍ମୁ ଓ କାଶ୍ମୀରର ବରିଷ୍ଠ ବିଜେପି ନେତା ଓ ମୁଫ୍‌ତି ସରକାରରେ ସାମିଲ ଥିବା ବିଜେପିର କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ମେଣ୍ଟରୁ ଓହରିଯିବା ପାଇଁ ଦଳ ନିଷ୍ପତ୍ତି ନେଇଥିଲା। ମେଣ୍ଟରୁ ଅଲଗା ହେବା ସହ ପିଡିପିର କାର୍ଯ୍ୟଶୈଳୀକୁ ତୀକ୍ଷ୍ମ ସମାଲୋଚନା କରିଥିଲା ବିଜେପି। ଏଥିସହିତ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ ବୋଲି ଦଳ ଦାବି କରିଥିଲା।

ଅଜିତ ଡୋଭାଲଙ୍କ ସହ ଆଲୋଚନା ମହଙ୍ଗା ପଡ଼ିଲା !

ଅମିତ ଶାହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ କରିବା ପରେ ବିଜେପି-ପିଡିପି ମେଣ୍ଟ ଭାଙ୍ଗିଥିବା ଚାରିଆଡ଼େ ଚର୍ଚ୍ଚା ହେଉଛି। ଆଜି ସକାଳେ ଅଜିତ ଡୋଭାଲ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଦିଲ୍ଳୀ ବାସଭବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ମେଣ୍ଟ ଭାଙ୍ଗିବାକୁ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ଜାମ୍ମୁ ଓ କାଶ୍ମୀରର ସୁରକ୍ଷାକୁ ନେଇ ଅଜିତ ଡୋଭାଲ ଓ ଅମିତ ଶାହଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ବୋଲି କୁହାଯାଉଛି।

କାହିଁକି ବଢ଼ିଲା ଦୂରତା

ବିଭିନ୍ନ କାରଣରୁ ପିଡିପି ଓ ବିଜେପି ମଧ୍ୟରେ ବେଶ୍ କିଛି ଦିନ ଧରି ମତ୍ତଭେଦ ଦେଖା ଦେଇଥିଲା। ସରକାରର ତିନି ବର୍ଷ ପୂର୍ତ୍ତି ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କଥାକୁ ନେଇ ଦୁଇ ଦଳ ମଧ୍ୟରେ ମନାନ୍ତର ଆରମ୍ଭ ହୋଇଥିଲା। ଏହା ଧୀରେ ଧୀରେ ଏତେ ବଢ଼ିଯାଇଥିଲା ଯେ, ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଅବସରରେ ବିଜେପି ପ୍ରଚାର କରୁଥିବା ବେଳେ ସମାଲୋଚନା କରିଥିଲେ ପିଡିପି ନେତା। କଟାକ୍ଷ କରି କହିଥିଲେ, ଜମ୍ମୁ ଓ କାଶ୍ମୀରର ଉନ୍ନତି ପାଇଁ କେନ୍ଦ୍ର ସରକାର ବିଶେଷ ଧ୍ୟାନ ଦେଉଛନ୍ତି।

ଅନ୍ୟପକ୍ଷରେ ରମଜାନ୍ ପରେ ଅସ୍ତ୍ରବିରତି କଟକଣାକୁ ନ ବଢ଼ାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ପିଡିପି ଓ ବିଜେପି ମଧ୍ୟରେ ବଢ଼ିଥିଲା ଦୂରତା। ଏପରିକି ବରିଷ୍ଠ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ପରେ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲା ବିଜେପି।

ଅପରେସନ ଅଲ୍‌ଆଉଟ୍‌କୁ ନେଇ ମଧ୍ୟ ଦୁଇ ଦଳ ମଧ୍ୟରେ ମତାନ୍ତର ହୋଇଥିଲା। ଆଉ ଏକ କଥା ହେଲା ପିଡିପି ଚାହୁଁଥିଲା ଯେ, କେନ୍ଦ୍ର ସରକାର ହୁରିୟତ ସମେତ ସମସ୍ତ ବିଚ୍ଛିନ୍ନତାବାଦୀ ନେତାଙ୍କ ସହ ବୁଝାମଣା କରୁ। କିନ୍ତୁ ବିଜେପି ଏଥିରେ ରାଜି ହୋଇ ନ ଥିଲା।

ରାଜ୍ୟପାଳ ଶାସନ ଲାଗୁ ହେବାର ସମ୍ଭାବନା:

ଏପଟେ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଏନ୍‌ଏନ୍‌ ଭୋରାଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିଲା । କିନ୍ତୁ ତାଙ୍କ କାର୍ଯ୍ୟକାଳକୁ ଆହୁରି ୩ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେଣୁ ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳଙ୍କ ଶାସନ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ବିଜେପି ମେଣ୍ଟରୁ ଓହରିବା ପରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ନ୍ୟାସନାଲ୍ କନ୍‌ଫରେନ୍ସର ଅଧ୍ୟକ୍ଷ ତଥା ପୂର୍ବତନ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା। ରାଜ୍ୟରେ କୌଣସି ଦଳ ପାଖରେ ମ୍ୟାଜିକ୍ ନମ୍ବର ନ ଥିବାରୁ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସେ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି।

ଆସନ୍ତୁ ଜାଣିବା କାହା ପାଖରେ କେତେ ସିଟ୍‌ ଥିଲା:

ଜାମ୍ମୁ-କାଶ୍ମୀରରେ ମୋଟ ୮୭ ଆସନରୁ ୨୦୧୪ ନିର୍ବାଚନରେ କାହାକୁ ବି ବହୁମତ ମିଳି ନ ଥିଲା। ପିଡିପି ପାଖରେ ଥିଲା ୨୮ ଟି ଆସନ , ବିଜେପି ପାଖରେ ୨୫ ଟି ଆସନ ଥିଲା। ସେହିପରି ଉମର ଅବଦୁଲ୍ଲାଙ୍କ ଦଳ ନ୍ୟାସନାଲ କନ୍‌ଫରେନ୍ସ ପାଖରେ ୧୫ଟି ଓ କଂଗ୍ରେସ ପାଖରେ ୧୨ଟି ଆସନ ଥିବା ବେଳେ ଅନ୍ୟାନ୍ୟ ଦଳ ୭ଟି ଆସନ ପାଇଥିଲେ। ଏଥିରେ ବିଜେପି ଓ ପିଡିପି ସର୍ବାଧିକ ଆସନ ହାତେଇଥିବାରୁ ଦୁଇ ଦଳ ମିଶି ସରକାର ଗଠନ କରିଥିଲେ।

ମେଣ୍ଟ ଭାଙ୍ଗିଯିବା ପରେ ପ୍ରତିକ୍ରିୟା:

ବିଜେପି ଓ ପିଡିପି ଦଳର ମେଣ୍ଟ ସରକାର ଭାଙ୍ଗିଯିବା ପରେ ଜାମ୍ମୁ-କାଶ୍ମୀରରେ ଏବେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି। ଏହାକୁ ନେଇ ସରଗରମ ହୋଇଛି ଦେଶର ରାଜନୀତି। କାଶ୍ମୀର ଭାଗ୍ୟ କେଉଁ ଆଡ଼େ ଯିବ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ନାନା ସମ୍ଭାବନା ଦେଖା ଦେଉଛି। ଏମିତିରେ ରାଜନେତାମାନେ ସମସ୍ତେ ନିଜ ନିଜର ମନ୍ତବ୍ୟ ଦେଉଛନ୍ତି। ଆସନ୍ତୁ ଜାଣିବା କିଏ କ’ଣ କହିଛନ୍ତି।

ବିଜେପି ନେତା ରାମ ମାଧବ: ମେଣ୍ଟ ଭାଙ୍ଗିଯିବା ନେଇ ବିଜେପି ଦୁଇଟି ମୁଖ୍ୟ କାରଣ କହିଥିଲା। ୧. ଜାମ୍ମୁ ଓ କାଶ୍ମୀର ଅଞ୍ଚଳ ମଧ୍ୟରେ ସରକାର ଭେଦଭାବ କରୁଥିଲେ। ୨. ସୀମାରେ ମଧ୍ୟ ଅଶାନ୍ତି ବଢ଼ୁଥିଲା, ତେଣୁ ବେଶୀ ସମୟଧରି ସରକାରରେ ରହିବା ଉଚିତ୍‌ ନଥିଲା ବୋଲି ବିଜେପି ନେତା ରାମ ମାଧବ କହିଥିଲେ।

ମେହେବୁବା ମୁଫ୍‌ତି:  ଜାମ୍ମୁ-କାଶ୍ମୀରରେ ବାହୁବଳି ନୀତି ଚାଲିବା ନାହିଁ ବୋଲି ମେହେବୁବା କହିଥିଲେ। ଏଥିସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବା ଓ ପାକିସ୍ତାନ ସହିତ ଭଲ ସମ୍ପର୍କ ରଖିବା ଆମର ଉଦ୍ଦେଶ୍ୟ ଥିଲା। ଗତ ୩ ବର୍ଷ ଧରି ଏହା ଆମେ କରିଆସୁଥିଲୁ। ଏଠି କିନ୍ତୁ ବିଜେପିର ଡରାଇବା ଓ ଧମକାଇବା ଭଳି ଇଚ୍ଛା ପୂରଣ ନ ହେବାରୁ ସେ ସମର୍ଥନ ପ୍ରତ୍ୟାହାର କଲା ବୋଲି ମୁଫ୍‌ତି କହିଥିଲେ।

କଂଗ୍ରେସ: ବିଜେପି-ପିଡିପି ସରକାରରେ ସର୍ବାଧିକ ଯବାନ ସହିଦ ହୋଇଛନ୍ତି। ଅଧିକ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି। ଅଧିକ ଆତଙ୍କବାଦୀ ଆକ୍ରମଣ ମଧ୍ୟ ହୋଇଛି। ତେଣୁ ସବୁ ଘଟଣା ଘଟାଇ ଏଭଳି ଦାୟୀତ୍ୱହୀନ ଭାବେ ଏଇ ସରକାର ଯାଇ ପାରିବ ନାହିଁ ବୋଲି ଗୁଲାମନବୀ କହିଛନ୍ତି। ସେହିପରି ପିଡିପି ସହିତ ମିଶି କଂଗ୍ରେସ ସରକାର ଗଠନ କରିବ ନାହିଁ ବୋଲି ସେ ସ୍ପଷ୍ଟ ମନା କରିଦେଇଥିଲେ।

ଉମର ଅବଦୁଲ୍ଲା:  ଆମକୁ କେହି ମେଣ୍ଟ ପାଇଁ ଯୋଗାଯୋଗ କରି ନାହାଁନ୍ତି। କାହାରି ପାଖରେ ବହୁମତ ନ ଥିବାରୁ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହେବା ନିହାତି ଆବଶ୍ୟକ ବୋଲି ଉମର କହିଥିଲେ।

ପ୍ରକାଶ ଥାଉକି, ୨୦୧୪ ମସିହାରେ ହୋଇଥିବା ନିର୍ବାଚନରେ ମୁଫ୍‌ତି ମହମ୍ମଦ ସଇଦଙ୍କ ପିପୁଲ୍‌ସ ଡେମୋକ୍ରାଟିକ୍‌ ପାର୍ଟି(ପିଡିପି) ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା। ସେତେବେଳେ ମେଣ୍ଟ ସରକାରରେ ମୁଫ୍‌ତି ମହମ୍ମଦ ସଇଦ୍‌ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଜାନୁଆରୀ ୭ ତାରିଖ ୨୦୧୬ ମସିହାରେ ତାଙ୍କର ନିଧନ ହେବାରୁ ତାଙ୍କ ଝିଅ ମେହେବୁବା ମୁଫ୍‌ତି ମୁଖ୍ୟମନ୍ତ୍ରୀ ହୋଇଥିଲେ।

 

 

Previous ArticleNext Article

Send this to a friend