ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲାର ହୋଇପାରିଲା ନାହିଁ ନିଷ୍ପତ୍ତି, ଶୁଣାଣି କରିବେ ତୃତୀୟ ଜଜ୍‌

Madras-High-Court

ଚେନ୍ନାଇ: ତାମିଲନାଡୁର ୧୮ ଏଆଇଏଡିଏମ୍‌କେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ମାମଲାରେ ହୋଇପାରିଲା ନାହିଁ ନିଷ୍ପତ୍ତି। ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଅଲଗା ଅଲଗା ରାୟ ଦେବାରୁ ଆଉ ଜଣେ ତୃତୀୟ ବିଚାରପତିଙ୍କୁ ଏହି ମାମଲା ରେଫର୍ କରାଯାଇଛି। ମୁଖ୍ୟ ବିଚାରପତି ବାଚସ୍ପତିଙ୍କ ନିଷ୍ପତ୍ତିକୁ ଠିକ୍ ବୋଲି କହିଥିବା ବେଳେ ଅନ୍ୟ ବିଚାରପତି ଜଣକ ଏହା ଭୁଲ ବୋଲି କହିଥିଲେ। ତେଣୁ ତୃତୀୟ ବିଚାରପତିଙ୍କ କୋର୍ଟରେ ଏହାର ଚୂଡ଼ାନ୍ତ ଫଇସଲା ହେବ। ବର୍ତ୍ତମାନ ପାଇଁ ୧୮ ବିଧାୟକଙ୍କ ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅର୍ଥାତ ସେମାନେ ଅଯୋଗ୍ୟ ଘୋଷିତ ହୋଇ ରହିବେ। ଏହାଦ୍ୱାରା ରାଜ୍ୟ ସରକାର ଆଶ୍ୱସ୍ତ ହୋଇଛନ୍ତି। ସରକାର ପ୍ରତି କୌଣସି ବିପଦ ନାହିଁ। କିନ୍ତୁ ନିର୍ବାଚନ କମିଶନ ଉପନିର୍ବାଚନ ମଧ୍ୟ ଘୋଷଣା କରାଯାଇପାରିବ ନାହିଁ। ଚୂଡ଼ାନ୍ତ ରାୟ ଆସିବା ପରେ ହିଁ ଯାହା କିଛି ହେବ।

ଆଶା, ଆଶଙ୍କାରେ ପଲାନିସ୍ୱାମୀଙ୍କ ସରକାର

ଟିଭି ଦିନାକରଣଙ୍କ ସମର୍ଥକ ଭାବେ ପରିଚିତ ଏହି ୧୮ ବିଧାୟକ ଗତବର୍ଷ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ପଲାନିସ୍ୱାମୀଙ୍କ ବଦଳରେ ଆଉ ଜଣକୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଥିଲେ। ଏମାନେ କିନ୍ତୁ ଏଆଇଏଡିଏମ୍‌କେରୁ ସମର୍ଥନ ପ୍ରତ୍ୟାହାର କରୁ ନାହାନ୍ତି। ଏହା ପରେ ଦଳ ବଦଳ ନିରୋଧ ଆଇନ ଲାଗୁ କରି ୧୮ ଜଣଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି। ଏହା ବିରୋଧରେ ବିଧାୟକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ପରେ ହିଁ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀ ଆସ୍ଥାଭୋଟରେ ବିଜୟୀ ହୋଇଥିଲେ। ମାମଲାର ଚୂଡ଼ାନ୍ତ ଫଇସଲା ଆସି ନଥିବାରୁ ବର୍ତ୍ତମାନ ସରକାର ପ୍ରତି କୌଣସି ବିପଦ ନାହିଁ। ଏବେ ବାଚସ୍ପତିଙ୍କୁ ଛାଡ଼ି ଏଆଇଏଡିଏମ୍‌କେରେ ୧୧୬ ଜଣ ବିଧାୟକ ଅଛନ୍ତି। ୩ ଜଣ ବିଧାୟକ ଦିନାକରଣଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଅର୍ଥାତ ଏଆଇଏଡିଏମ୍‌କେର ବିଧାୟକ ସଂଖ୍ୟା ୧୧୩କୁ ଖସି ଆସିଛି। ଯାହାକି ବହୁମତଠାରୁ ୪ କମ୍।  ଡିଏମ୍‌କେର ୮୯ ବିଧାୟକ ଥିବା ବେଳେ ଶଶିକଳାଙ୍କ ପୁତୁରା ଦିନାକରନ ହେଉଛନ୍ତି ଏକମାତ୍ର ସ୍ୱାଧୀନ ବିଧାୟକ। ବିଧାନସଭାର ମୋଟ ଆସନ ସଂଖ୍ୟା ହେଉଛି ୨୩୪।  ଯଦି ହାଇକୋର୍ଟଙ୍କ ଫଇସଲା ବିଦ୍ରୋହୀ ୧୮ ବିଧାୟକଙ୍କ ସପକ୍ଷରେ ଯାଏ, ତେବେ ପଲାନିସ୍ୱାମୀ ସରକାର ଭାଙ୍ଗିଯିବାର ଆଶଙ୍କା ରହିଛି।

Previous ArticleNext Article

Leave a Reply

Send this to a friend