ମଦ ପିଇଲେ ବେଦି ମାଟି ମାଡିବି ନାହିଁ: “ବରବେଶରେ ମଶାଣି” ଖବରର ଦିନକ ପରେ ଦେଖିବା ଜଣେ ଜିଦି ବରର କାହାଣୀ

liquior_01

ବେଦୀ ନୁହେଁ ଜୁଇରେ ବସିଲା ବର । ଜୀବନସାଥୀ ସହ ପଡି ପାରିଲାନି ତା ହାତଗଣ୍ଠି। କାରଣ ସେ ଅଜଣାତରେ ଧରି ସାରିଥିଲା ମୃତ୍ୟୁର ହାତ। ରୋଷଣୀରେ ଯିବା ପୂର୍ବରୁ ମଶାଣିର ବାଟ ଧରିଥିଲା ସେ। ଗତକାଲି ଏମିତି ଏକ ଛାତିଥରା କାହାଣୀ ଗଣମାଧ୍ୟମର ହେଡ୍‌ଲାଇନ୍‌ସ ପାଲଟିଥିଲା।  ଭଦ୍ରକ ଜିଲ୍ଲା ତିହିଡି ଅଂଚଳରୁ ଆସିଥିଲା ଏହି ଛାତିଥରା ଖବର। ବିବାହର ଦିନକ ପୂର୍ବରୁ କାର୍ତ୍ତିକ ନାମକ ଜଣେ ଯୁବକଙ୍କୁ ମୃତ୍ୟୁର ଜାଲରେ ପକାଇ ଦେଇଥିଲା ବିଷାକ୍ତ ମଦ।

       ହେଲେ ଏହି ଘଟଣାର ଦିନକ ପରେ ମଧ୍ୟପ୍ରଦେଶରୁ ଆସିଛି ଏହାର ଓଲଟା ଖବର। ଯେଉଁଠି ମଦକୁ ବିରୋଧ କରୁଛି ବର। 

ବାହାଘର ହେଉଥିବ ଆଉ ମଦ ନଥିବ, ଏକଥା ଆଦୌ ସମ୍ଭବପର ନୁହେଁ। ଯେପରି ଶୋଷ ହେଲେ ପାଣି ଦରକାର ସେହିପରି ବାହାଘରରେ ମଦ ଟିକେ ଦରକାର। ମଦ ନ ହେଲେ ପାଦ ଉଠେନି ବରଯାତ୍ରୀଙ୍କର। ମାତ୍ର ମଧ୍ୟପ୍ରଦେଶର ଜଗଦୀଶ ଏ କ୍ଷେତ୍ରରେ ଟିକିଏ ଅଲଗା।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ଜିଲ୍ଲା ମୁଖ୍ୟାଳୟରେ ଜଗଦୀଶଙ୍କ ବିବାହ ହେବାର ଥିଲା। ଗାଁରେ ବେଦୀ ଓ ମଣ୍ଡପ ସାଜସଜ୍ଜା ମଧ୍ୟ ସରିଥିଲା। ପୁଅ ବାହାଘର ଖୁସିରେ ମଦ ପାଇଁ ମଧ୍ୟ ବରାଦ ଦିଆ ସରିଥିଲା। ହେଲେ ଜଗଦୀଶ ବାହାଘରରେ ମଦ ଆସୁଥିବା ଖବର ଜାଣିବା ପରେ  ଜିଲ୍ଲା ମୁଖ୍ୟାଳୟରେ ଆଗରେ ମହିଳାମାନେ କରୁଥିବା ମଦ ବିରୋଧୀ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲା। ଆନ୍ଦୋଳନରୁ ଉଠି ଆସିବାକୁ ଜଗଦୀଶଙ୍କୁ ଗାଁ ଲୋକ, ସାଙ୍ଗସାଥୀ ,ପରିବାର ଲୋକ ଯେତେ ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଗାଁ ଲୋକ, ସାଙ୍ଗସାଥୀ ଓ ପରିବାରବର୍ଗ  ଯଦି ତା ବାହାଘରରେ ମଦ ନ ପିଇବାକୁ ଶପଥ ନେବେ ତେବେ ସେ ଧାରଣାରୁ ଉଠିବ ନହେଲେ ବାହା ହେବନି ବୋଲି ଜିଦ୍ କରିଥିଲା। ଶେଷରେ ଜଗଦୀଶଙ୍କ ଜିଦି ଆଗରେ ହାର ମାନିଥିଲେ ସମସ୍ତେ ଓ ବାହାଘରରେ ମଦ ନ ପିଇବାକୁ ଶପଥ ନେଇଥିଲେ। ଏଭଳି କାର୍ଯ୍ୟ କରି ମଧ୍ୟପ୍ରଦେଶରେ ଜଗଦୀଶ ଖୁବ ଚର୍ଚ୍ଚିତ।

Previous ArticleNext Article

Send this to a friend