ଲିଫ୍ଟରେ ଲିଭିଗଲା ଜୀବନ: ୧୧ ତାଲାରୁ ଖସି ସୁରକ୍ଷାକର୍ମୀଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧ ତାଲାରୁ ଖସି ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି।  ମୃତକ ଜଣଙ୍କ ହେଉଛନ୍ତି ରାଧାଶ୍ୟାମ ହରିଜନ। ବୟସ ୬୦। ବାନ୍ଦ୍ରାର ହିଲ୍‌ ରୋଡ ସ୍ଥିତ ଏଭ୍‌ରେଷ୍ଟ ସୋସାଇଟିରେ ସେ କାମ କରନ୍ତି। ଗତକାଲି ସକାଳ ୮.୪୫ ବେଳକୁ ସେ ସୋସାଇଟିରେ ରହୁଥିବା ଜଣେ ବ୍ୟକ୍ତିଙ୍କ କାର ଚାବି ଆଣିବା ପାଇଁ ତାଙ୍କ ରୁମ୍‌କୁ ଯାଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ  ରୁମ୍‌ ବିଲ୍ଡିଂର ୧୧ନଂ ଫ୍ଲୋରରେ ଥିଲା। ରାଧାଶ୍ୟାମ ୧୧ନଂ ଫ୍ଲୋରକୁ ଯାଇ ସେହି ବ୍ୟକ୍ତିଙ୍କ ଘର ଠକ୍‌ ଠକ୍‌ କରିଥିଲେ। କିନ୍ତୁ କେହି କବାଟ ନ ଖୋଲିବାରୁ ସେ ତଳକୁ ଆସିବା ପାଇଁ ଲିଫ୍ଟ ବ୍ୟବହାର କରିଥିଲେ। ସେ ସମୟରେ ଲିଫ୍ଟ ୧୭ନଂ ଫ୍ଲୋରରେ ଥିଲା। କିନ୍ତୁ ୧୧ନଂ ଫ୍ଲୋରରେ ଲିଫ୍ଟ ଭିତରକୁ ଯିବା ପାଇଁ କବାଟ ଖୋଲି ଯାଇଥିଲା।  ଭିତରେ କ୍ୟାବିନ୍‌ ଅଛି କି ନାହିଁ ନ ଦେଖି ରାଧାଶ୍ୟାମ ଲିଫ୍ଟ ଭିତରେ ପାଦ ରଖି ଦେଇଥିଲେ ।

ଫଳରେ ସେ ୧୧ମହଲା ତଳକୁ ଖସି ପଡିଥିଲେ।  ରାଧାଶ୍ୟାମଙ୍କ ସହକର୍ମୀ ମାନେ ଲିଫ୍ଟ ଭିତରେ ଜୋର ଶବ୍ଦ ଶୁଣି ସୋସାଇଟି ମ୍ୟାନେନେଜରଙ୍କୁ ଜଣାଇଥିଲେ। ସୋସାଇଟି ମ୍ୟାନେଜର ପୋଲିସ ଏବଂ ଦମକଳ ବାହିନୀଙ୍କୁ ଡକାଇ ରାଧାଶ୍ୟାମଙ୍କୁ ଉଦ୍ଧାର କରିଥିଲେ। ପୋଲିସ ତଳ ଫ୍ଲୋରରେ ଥିବା ଏକ ପୁଲ୍‌ରୁ ରାଧାଶ୍ୟାମଙ୍କୁ ରକ୍ତାକ୍ତ ଅବସ୍ତାରେ ଉଦ୍ଧାର କରିଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ରାଧାଶ୍ୟାମଙ୍କ ପ୍ରକୃତ ଘର ଉତ୍ତରପ୍ରଦେଶରେ। ଗତ ୧୦ବର୍ଷ ହେବ ସେ ସେହି ସୋସାଇଟିରେ ରହି କାମ କରୁଥିଲେ। ସୋସାଇଟି ୧୫ବର୍ଷ ପୁରୁଣା ହେବ। ଲିଫ୍ଟ କାମ ଆଉଟ୍‌ ସୋର୍ସକୁ ଦିଆଯାଇଥିଲା। ଯାହାର କଣ୍ଟ୍ରାକ୍ଟ ଗତ ମାସରେ ସରିଯାଇଛି। ଯଦି ଲିଫ୍ଟରେ କିଛି ସମସ୍ୟା ଥିବା କଥା ଜଣାପଡ଼େ ତେବେ ମେଣ୍ଟେନାନ୍ସ ଫାର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

Previous ArticleNext Article

Send this to a friend