ପୋଲିସ୍‌ଠାରୁ ବନ୍ଧୁକ ଛଡ଼ାଇ ନେଲେ ଆତଙ୍କବାଦୀ

ଶ୍ରୀନଗର: ରମଜାନ ମାସରେ ଜମ୍ମୁ ଓ କାଶ୍ମୀରରେ ଅପରେସନ୍ ନ କରିବାକୁ କେନ୍ଦ୍ର ସରକାର ସେଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ ଯେପରି ମୁସଲମାନ ଭାଇଭଉଣୀମାନେ ପବିତ୍ର ରମଜାନ ମାସକୁ ପାଳନ କରିପାରିବେ ସେହି ଉଦ୍ଦେଶ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି। ତେବେ ଲଗୁଛି ଆତଙ୍କବାଦୀମାନଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିନି। କାରଣ ରମଜାନ ମାସର ପ୍ରଥମ ଦିନରେ ଶ୍ରୀନଗରରେ କିଛି ପୋଲିସ୍ କର୍ମଚାରୀଙ୍କଠାରୁ ଛଡ଼ାଇ ନିଆଯାଇଛି। ଏହା କିଛି ସନ୍ଦିଗ୍ଧ ଆତଙ୍କବାଦୀଙ୍କ କାମ ବୋଲି କୁହାଯାଉଛି।

ଶ୍ରୀନଗରର ଏକ ହୋଟେଲରେ ମୁତୟନ ହୋଇଥିବା ପୋଲିସ କର୍ମଚାରୀଙ୍କଠାରୁ ତିନିଟି ବନ୍ଧୁକ ଛଡ଼ାଇ ନିଆଯାଇଛି। ପୋଲିସ୍‌ର  କହିବା ଅନୁସାରେ, ସନ୍ଦିଗ୍ଧ ଆତଙ୍କବାଦୀମାନେ  ହିଲ୍ସକାର୍ଟ ହୋଟେଲରେ ମୁତୟନ ପୋଲିସ୍ କର୍ମଚାରୀଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲେ ଓ ସେମାନଙ୍କ ପାଖରେ ଥିବା ତିନିଟି ଇନ୍‌ସାସ୍ ରାଇଫଲ୍ ଛଡ଼ାଇ ନେଇଥିଲେ। ଜଣେ ପୋଲିସ୍‌ କର୍ମଚାରୀଙ୍କ କହିବା ଅନୁସାରେ,  ୬ରୁ ୭ଜଣ ଯୁବକ ବାଇକ୍‌ରେ ଆସିଥିଲେ ଓ ବନ୍ଧୁକ ଛଡ଼ାଇ ନେଇଥିଲେ।

ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ସବୁଠୁ ବଡ଼ କଥା ହେଉଛି ଏହି ଘଟଣାଟି  ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଘର ନିକଟରେ ଘଟିଛି।

ଗତ ବୁଧବାର ମଧ୍ୟ ସମାନ ଘଟଣା ଘଟିଥିଲା। ଆତଙ୍କବାଦୀମାନେ କାଶ୍ମୀର ବିଶ୍ୱବିଦ୍ୟାଳୟର ଜଣେ ଗାର୍ଡଙ୍କଠାରୁ ଏକ ବନ୍ଧୁକ ଛଡ଼ାଇ ନେଇଥିଲେ। ଗୁରୁବାର ଦିନ ସକାଳେ ବାନ୍ଦିପୋରା ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କୁହାଯାଉଛି ଯେ ତାଙ୍କୁ ଆତଙ୍କବାଦୀମାନେ ଘରୁ ଅପହରଣ କରି ଆଣିବା ପରେ ମାରି ଫିଙ୍ଗି ଦେଇଥିଲେ।

ସୂଚନାଯୋଗ୍ୟ, ରମଜାନ ମାସରେ ଜମ୍ମୁ ଓ କାଶ୍ମୀରରେ ଅପରେସନ୍ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ସ୍ଥିତିକୁ ଦେଖି ସୁରକ୍ଷାକର୍ମୀମାନେ ନିଷ୍ପତ୍ତି ନେଇପାରିବେ। ଯଦି କୌଣସି ସ୍ଥାନରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ ହୁଏ ତା’ହେଲେ ସେମାନେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ସେହିଭଳି ଆବଶ୍ୟକ ପଡ଼ିଲେ ନିରୀହ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ସୁରକ୍ଷାକର୍ମୀମାନେ ଅପରେସନ୍ କରିପାରିବେ।

 

Previous ArticleNext Article

Send this to a friend