ପ୍ରକୃତିର ତାଣ୍ଡବ: ପ୍ରଳୟଙ୍କରୀ ଧୂଳିଝଡ଼ରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଲା

ପ୍ରକୃତିର ତାଣ୍ଡବ ଆଗରେ ସବୁକିଛି ଛାରଖାର। ଉତ୍ତର ଓ ପଶ୍ଚିମ ଭାରତରେ ଗତକାଲି ସନ୍ଧ୍ୟାରେ ପ୍ରକୃତିର ଆଉ ଏକ କରାଳ ରୂପ ଦେଖିବାକୁ ମିଳିଛି। ଅପରାହ୍ନରେ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ସହ ଧୂଳି ଝଡ ଆରମ୍ଭ ହୋଇଥିଲା। ଚାହୁଁ ଚାହୁଁ ପବନର ବେଗ ବଢିଥିଲା। କିଛି ସ୍ଥାନରେ ଘଣ୍ଟାପ୍ରତି ୧୦୦କିଲୋମିଟର ବେଗରେ ପବନ ବହିଥିଲା। ପ୍ରାୟ ଦୁଇ ଘଣ୍ଟାରେ ୪୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିଲା। ଏପରିକି ବିଦ୍ୟୁତ ଖୁଣ୍ଟ ବି ଏଥିରୁ ବାଦ ପଡି ନଥିଲା। ବହୁ ସ୍ଥାନରେ ଘରର ଛପର ଉଡି ଯାଇଥିଲା। ପ୍ରଳୟଙ୍କାରୀ ଧୂଳିଝଡରେ ଉତ୍ତରପ୍ରଦେଶରେ ପ୍ରାୟ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଆଗ୍ରା ଜିଲ୍ଳା।

କେବଳ ଉତ୍ତରପ୍ରଦେଶ ନୁହେଁ ରାଜସ୍ଥାନରେ ମଧ୍ୟ ଧୂଳିଝଡର ପ୍ରଭାବ ଦେଖିବାକୁ ମିଳିଥିଲା। ଧୋଲପୁର, ଅଲୱାର, ଭରତପୁର ଜିଲ୍ଲାରେ ଭୀଷଣ ଧୂଳିଝଡ ହୋଇଥିଲା। ଏହାର ପ୍ରଭାବରେ ପାଖାପାଖି ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ସ୍ଥାନରେ କାନ୍ଥ ପଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାଖାପାଖି ୨୦୦ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏବେ ବି କାନ୍ଥ ଚାପି ହୋଇ କିଛି ଲୋକରହିଥିବା ଅନୁମାନ କରାଯାଉଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

ଦିଲ୍ଲୀରେ ଧୂଳିଝଡ ଯୋଗୁ ଟ୍ରାଫିକ ଗୁରୁତର ପ୍ରଭାବିତ ହୋଇଥିଲା। ଖରାପ ପାଗ ଯୋଗୁ ୧୫ଟି ବିମାନ ଅବତରଣ କରି ପାରି ନଥିଲା। ପଂଜାବ ଓ ହରିଆଣାରେ ମଧ୍ୟ ଧୂଳିଝଡର ପ୍ରଭାବ ଅନୁଭୂତ ହୋଇଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୂଳିଝଡରେ ମୃତ ପରିବାରକୁ ସମବେଦନା ଜଣାଇବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଭାବିତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

Previous ArticleNext Article

Send this to a friend