ମୁମ୍ବାଇରେ ସୁଡ଼ଙ୍ଗ ଖୋଳି ବ୍ୟାଙ୍କ ଲୁଟ୍‌ କରୁଥିଲା ଗଞ୍ଜାମର ଗ୍ୟାଙ୍ଗଷ୍ଟର୍‌: ଫିଟିଲା ଗୁମର, ଦେଖନ୍ତୁ ଭିଡିଓ

k-111

ମୁମ୍ବାଇ,(ସୁରେଶ ଦାଶ): ୫ ମାସ ଧରି ୫ ଜଣଙ୍କ ସିକ୍ରେଟ ମିଶନ୍।  କେହି ଯେମିତି କୌଣସି ସୁରାଗ୍ ନପାଇବେ, ସେଥିପାଇଁ ତିଆରି ହୋଇଥିଲା ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ।  ମାସ ମାସ ଧରି ଚାଲିଲା ସିନ୍ଧିଖୋଳା । ମାଟିରୁ ତଳକୁ ୧୨ ଫୁଟ୍ ଏବଂ ୩ ଫୁଟ୍ ଚଉଡ଼ାର ସୁଡ଼ଙ୍ଗ ଖୋଳି ବ୍ୟାଙ୍କର ଲକର୍ ନିକଟକୁ ପହଞ୍ଚିଲା ଗ୍ୟାଙ୍ଗ।  ଆଉ ଲୁଟି ନେଲା କୋଟି କୋଟି ଟଙ୍କାର ସୁନାଗହଣା।  ନଭି ମୁମ୍ବାଇର ଜୁଇନଗର ସ୍ଥିତ ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ହୋଇଥିବା ସିନ୍ଧିଚୋରୀର ଏଭଳି ତଥ୍ୟକୁ ସାମ୍ନାକୁ ଆଣିଛି ପୋଲିସ।  ସବୁଠୁ ଚାଞ୍ଚଲ୍ୟକର ଖବର ହେଉଛି, ଘଟଣା ପଛର ମାଷ୍ଟରପ୍ଲାନର ଜଣେ ଓଡ଼ିଆ ଗ୍ୟାଙ୍ଗଷ୍ଟର ଅଛନ୍ତି।

ଫିଟିଲା ଗୁମର

ନଭି ମୁମ୍ବାଇ ଜୁଇନଗର ସ୍ଥିତ ବ୍ୟାଙ୍କ ଅଫ୍ ବରୋଦା ଶାଖା ସୁଡଙ୍ଗର ଫିଟିଲା ଗୁମର।  ୨୦ ଦିନ ପରେ ପର୍ଦ୍ଦାଫାସ୍ ହେଲା ଧୂର୍ତ୍ତଚୋରଙ୍କ କଳାକାରନାମା । ଯେଉଁମାନେ ଲକର୍ ଭିତରେ ପଶି ବୁଲାଇଦେଇଥିଲେ କଳାକନା।  ଲୁଟି ନେଇଥିଲେ କୋଟି କୋଟି ଟଙ୍କାର ସୁନା ଆଉ ରୂପାର ଗହଣା।  ଆଉ  ଏହି ଲୁଟ୍‌ରାଜ୍ ପଛର ମୁଖ୍ୟ ସୁତ୍ରଧର ହେଉଛି ଗଂଜାମ ଜିଲ୍ଲା ବ୍ରହ୍ମପୁରର ଅଂଜନ ଆନନ୍ଦ ମହାନ୍ତି ଓରଫ୍ ରଂଜନ । ଯିଏ ପ୍ରାୟ ୧୦ ବର୍ଷ ହେଲା ନଭି ମୁମ୍ବାଇର ବିକ୍ରୋଲିରେ ରହି ଲୁଟ୍‌ ସାମ୍ରାଜ୍ୟ ବିଛାଇଥିଲା । ପୁଣେ, ଗୁଜରାଟ, କର୍ଣ୍ଣାଟକ ସମେତ ଅନ୍ୟାନ୍ୟ ରାଜ୍ୟରେ ତା ନାଁରେ ରହିଛି ପାଖାପାଖି ୨ଶହ ମାମଲା । ଏଥିପାଇଁ ପୁଣେର ୟେରୱାଡା ଜେଲରେ ୭ ବର୍ଷର ସଜା ବି କାଟିଛି ରଂଜନ। ତେବେ ସୁଡ଼ଙ୍ଗ ଖୋଳି ଏହି ଶାଖାର ଲକର୍ ରୁମ୍‌ରୁ ଲୁଟିବା ଥିଲା କ୍ୟାରିୟରର ଲାଷ୍ଟ କ୍ରାଇମ୍।  କାରଣ ବୟସ୍କ ହୋଇଯାଇଥିବାରୁ ଏଭଳି କାମରୁ ଅବସର ନେବାକୁ ଚାହୁଁଥିଲା ରଂଜନ।  ହେଲେ ଶେଷରେ ପୋଲିସ ହାବୁଡ଼ରେ ପଡ଼ିଗଲା ରଂଜନ।

କେମିତି ଥିଲା ଅପରେସନ୍

ତେବେ କେମିତି ଥିଲା ଏହି ଅପରେସନ୍ ? ଅଂଜନ ମହାନ୍ତି ଓରଫ୍ ରଂଜନ୍ ସହ ଗ୍ୟାଙ୍ଗରେ ଆଉ କିଏ ଥିଲେ ସଦସ୍ୟ ? ମାସେ କି ଦୁଇ ମାସ ନୁହେଁ, ଅପରେସନର୍ ସମୟ ଥିଲା ୫ ମାସ।  ପ୍ରଥମେ ବ୍ୟାଙ୍କକୁ ଲାଗି ରହିଥିବା ଦୋକାନ ଘରକୁ ଭଡ଼ାରେ ନେଇ ବ୍ୟାଙ୍କର ଲକର ପର୍ଯ୍ୟନ୍ତ ସୁଡ଼ଙ୍ଗ ଖୋଳିଥିଲା ଏହି ଗ୍ୟାଙ୍ଗ । ଆଉ ୨୩୭ଟି ଲକର୍ ମଧ୍ୟରୁ ୩୦ଟି ଲକରକୁ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟି ନେଇଥିଲେ ୩ କୋଟି ୪୩ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା । ଅଭିଯୋଗ ପରେ ଏହାକୁ ଆଧାର କରି ପୋଲିସ ୧୪ଟି ଟିମ୍ ଗଠନ କରିବା ସହ ଆରମ୍ଭ କରିଥିଲା ଧରପଗଡ଼।  ଆଉ ଘଟଣାର ୨୦ ଦିନ ପରେ ଅପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଥିଲା ପୋଲିସ।

ଲୁଟ୍ ସୁନା ଗହଣା ଜବତ

ପୋଲିସ ଏହି ଗ୍ୟାଙ୍ଗ ଠାରୁ ଲୁଟ୍ ହୋଇଥିବା ସୁନା, ରୂପାର ଗହଣା ଏବଂ ବ୍ୟବହୃତ ଗାଡ଼ି ଗୁଡ଼ିକୁ ଜବତ କରିଛି।  ତାସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।  ସେହିପରି ଏହି ଗ୍ୟାଙ୍ଗ ଆଉ କେଉଁ କେଉଁ ଘଟଣାରେ ସଂପୃକ୍ତ ସେନେଇ ମଧ୍ୟ ଖୋଳତାଡ଼ କରୁଛି।

ନିମ୍ନରେ ଦେଖନ୍ତୁ ଭିଡିଓ

 

Previous ArticleNext Article

Send this to a friend