ମୋଦିଙ୍କ ଝୁଲାରେ ମୁସଲମାନ ଭୋଟ୍‌; ରାହୁଲଙ୍କ ପାଇଁ ମନ୍ଦିର ବୁଲିବା କାଳ ହେଲା କି ?

modi

ଅହମ୍ମଦାବାଦ: ଗୁଜରାଟରେ ଷଷ୍ଠ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଦଳକୁ ବହୁମତ ଠାରୁ ୭ଟି ସିଟ୍‌ ଅଧିକ ମିଳିଛି। ଏଥିରୁ ୧୦ରୁ ୧୨ଟି ସିଟ୍‌ ଏମିତି ଅଛି ଯେଉଁଠି ମୁସଲମାନଙ୍କ ଭୋଟ୍‌ ବିଜେପିକୁ ଜିତାଇବାରେ ସହାୟକ ହୋଇଛି। ଯଦି ଏହି ଭୋଟ୍‌ ବିଜେପି ବଦଳରେ କଂଗ୍ରେସ୍‌କୁ ଚାଲି ଯାଇଥାନ୍ତି ତେବେ ଗୁଜରାଟ ଫଳାଫଳ ଅନ୍ୟ ପ୍ରକାର ହୋଇଥାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ନିର୍ବାଚନରେ ବିଜେପି ଜଣେ ହେଲେ ମୁସଲମାନଙ୍କୁ ଟିକେଟ ଦେଇ ନଥିଲା। ଏହାସତ୍ତ୍ୱେ ଦଳକୁ ୧୮ରୁ ୨୨ ପ୍ରତିଶତ ମୁସଲମାନ ଭୋଟ ମିଳିଛି।

ଅହମ୍ମଦାବାଦରେ ମୁସଲମାନ ଭୋଟରଙ୍କ ପ୍ରଥମ ପସନ୍ଦ କଂଗ୍ରେସ ରହିଥିବା ବେଳେ ଅନ୍ୟ କ୍ଷେତ୍ର ଗୁଡିକରେ ବିଜେପିକୁ ଭଲ ଭୋଟ୍‌ ମିଳିଛି। ମୁସଲମାନ ବହୁଳ ଧୋଲକା, ୱାଗରା, ଲିମ୍ବାୟତ, ସୁରତର ମଙ୍ଗରୋଲ, କଡି, ଭୁଜ, ଭରୁଚ ଓ ଉମରେଠ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ହୋଇଛି।

ଧୋଲକା ବିଧାନସଭା ସିଟ୍‌ରେ ବିଜେପି ପ୍ରାର୍ଥୀ ଭୁପେନ୍ଦ୍ର ସିଂହ ଚୁଡାସମା ମାତ୍ର ୩୨୭ ଭୋଟରେ ବିଜୟୀ ହୋଇଛନ୍ତି। ଏହି ସିଟ୍‌ରେ ୧୫ ପ୍ରତିଶତ ମୁସଲମାନ ଭୋଟ୍‌ ବିଜେପି ଆଡକୁ ଯାଇଛି। ସେହିପରି ୱାଗରା ସିଟ୍‌ରେ ଅରୁଣ ସିଂହ ରାଣା ୨୬୨୮ ଭୋଟ୍‌ରେ ଆଗୁଆ ରହି ଜିତିଛନ୍ତି। ଏଠାରେ ପ୍ରାୟ ୨୪ ପ୍ରତିଶତ ମୁସଲମାନଙ୍କ ଭୋଟ୍‌ ଅରୁଣଙ୍କ ସପକ୍ଷରେ ଯାଇଛି। ଲିମ୍ବାୟତ ବିଧାନସଭା ଆସନରେ ସଙ୍ଗୀତାବେନ୍‌ ପାଟିଲ ବିଜୟୀ ହୋଇଛନ୍ତି। ଏହି କ୍ଷେତ୍ରରେ ମୁସଲମାନଙ୍କ ୩୫ ପ୍ରତିଶତ ଭୋଟ୍‌ ତାଙ୍କ ସପକ୍ଷରେ ଯାଇଛି।

ସୁରତର ମଙ୍ଗରୋଲ ଆସନରେ ଗଣପତି ସିଂହ ବାସବାଙ୍କୁ ମୁସଲମାନ ଭୋଟ୍‌ରଙ୍କ ସମର୍ଥନ ଦେଖିବାକୁ ମିଳିଥିଲା। ସେହିପରି କଡି, ଭୁଜ, ଭରୁଚ, ଉମରେଠ ଆସନରେ ମୁସଲମାନ ଭୋଟରଙ୍କ ଯୋଗୁଁ ବିଜେପି ପ୍ରାର୍ଥୀଙ୍କ ବିଜୟ ହୋଇପାରିଛି।

Rahul-gandhiରାହୁଲଙ୍କ ପାଇଁ ମନ୍ଦିର ବୁଲିବା କାଳ ହେଲା କି ?

ମୁସଲମାନଙ୍କ ଭୋଟ୍‌ କଂଗ୍ରେସର ପାରମ୍ପରିକ ଭୋଟ୍‌ ବୋଲି କୁହାଯାଇଥାଏ। ଏହା ସତ୍ତ୍ୱେ ଗୁଜରାଟରେ ବିଜେପିକୁ ମୁସଲମାନ ବହୁ ମାତ୍ରାରେ ଭୋଟ୍‌ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ରାହୁଲ ଗାନ୍ଧିଙ୍କ ହିନ୍ଦୁତ୍ୱ କାର୍ଡ ଏଥିପାଇଁ ଦାୟୀ କି ?

ନିର୍ବାଚନ ପ୍ରଚାର ସମୟରେ ରାହୁଲ ମନ୍ଦିରରୁ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ମୁସଲମାନ ବହୁଳ ଅଞ୍ଚଳରେ ତାଙ୍କର ପ୍ରଚାର ଅଭିଯାନ ବହୁତ କମ୍‌ ଥିଲା। ପୂର୍ବ ନିର୍ବାଚନ ତୁଳନାରେ କଂଗ୍ରେସ ଏଥର ମୁସଲମାନ ଧର୍ମସ୍ଥାଳଠାରୁ ନିଜକୁ ଦୂରେଇ ରଖିଥିବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ବିଜେପି ନିଜ ସଂଖ୍ୟାଲଘୁ ନେତାମାନଙ୍କୁ ନିର୍ବାଚନ ପ୍ରଚାରକୁ ଓହ୍ଲାଇ ଥିଲା। ଏହି ନେତାମାନେ ଘରକୁ ଘର ବୁଲି ମୁସଲମାନ ଭୋଟରଙ୍କୁ ବିଜେପି ସପକ୍ଷରେ ମତଦାନ କରିବାକୁ ବୁଝାଇବାରେ ସଫଳ ହୋଇଥିଲେ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି।

Previous ArticleNext Article

Send this to a friend