ମୋଦି ସରକାରଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା, କ’ଣ ହେବ ବିଜେଡିର ଆଭିମୁଖ୍ୟ ?

ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ YSR କଂଗ୍ରେସ। ଏହାପରେ TDP ଦେଇଥିବା ଅନାସ୍ଥା ନୋଟିସ୍ ଆସିବା ସମ୍ଭାବନା ରହିଛି। ଉଭୟ ଦଳ ସହ ତିକ୍ତତା ସତ୍ତ୍ୱେ ଅନାସ୍ଥା ନୋଟିସକୁ ସମର୍ଥନ କରିଛି କଂଗ୍ରେସ, ମମତା ବାନାର୍ଜୀଙ୍କ TMC ଓ ବାମମେଣ୍ଟ ସମେତ ଆଉ କିଛି ଦଳ । ଏପଟେ ମୋଦି ସରକାର ବିରୋଧରେ ଦିଆଯାଇଥିବା ଅନାସ୍ଥା ନୋଟିସ୍‌କୁ  ନେଇ ଦୋ ଛକିରେ ବିଜେଡି ଦଳ ।

ସମଦୂରତା ବଜାୟ ରଖିବ ନା ନୋଟିସ୍‌କୁ ସମର୍ଥନ କରିବ ତାକୁ ନେଇ ଦ୍ୱନ୍ଦ୍ୱ । କାରଣ ପୋଲାଭାରମ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଏବେ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ । ସେହିପରି ଇଷ୍ଟକୋଷ୍ଟ ରେଲେଓ୍ୱର ବିଶାଖାପାଟଣା ଡିଭିଜନ ପ୍ରସଙ୍ଗ ନୂଆ ବିବାଦକୁ ଜନ୍ମ ଦେଇଛି । ଏପରି ସ୍ଥିତିରେ କଣ ହୋଇପାରେ ବିଜେଡିର ବିକଳ୍ପ । ବିଜେପିକୁ ବିରୋଧ ଦୃଷ୍ଟିରୁ ଦଳ ଅନାସ୍ଥା ନୋଟିସକୁ ସମର୍ଥନ କରିବ କି? ନା ଜାତୀୟ ରାଜନୀତିର ସମୀକରଣ ଦୃଷ୍ଟିରୁ ଏନ୍‌ଡିଏକୁ ସମର୍ଥନ ଦେବ ? ଅନ୍ୟ ବିକଳ୍ପ ଭାବେ ସମ ଦୂରତା ବଜାୟ ରଖି ଦଳ ଗୃହରେ ଅନୁପସ୍ଥିତ ରହିବ କି, ତାକୁ ନେଇ ଚର୍ଚ୍ଚା।

ଅନ୍ୟପଟେ ଦେଖିବାକୁ ଗଲେ ଲୋକସଭାରେ ବର୍ତ୍ତମାନ ବିଜେପି ପାଖରେ ୨୭୪ ଜଣ ସାଂସଦ ଅଛନ୍ତି। କିନ୍ତୁ ସରକାର ଗଠନ ପାଇଁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ଲାଗି ୨୭୩ ସିଟ୍‌ ଆବଶ୍ୟକ। ଏଥିସହ ଅନ୍ୟ କିଛି ଦଳର ମଧ୍ୟ ସମର୍ଥନ ରହିଛି। ସେ ଦୃଷ୍ଟିରୁ ସରକାରଙ୍କ ପାଇଁ ବିପଦ ନଥିଲେ ମଧ୍ୟ ଯଦି କେହି ଦଳୀୟ ସାଂସଦ ଯଦି ଘୋଡ଼ା ବେପାରରେ ଶିକାର ହୁଅନ୍ତି ତେବେ ଚିତ୍ର ବଦଳି ଯାଇପାରେ।  ପୂର୍ବରୁ ଟିଡିପି ସମର୍ଥନ ପ୍ରତ୍ୟାହାର କରିନେଇଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଖରେ ରହିଛି ୪୮ ଜଣ, ସେହିପରି ଏଆଇଏଡିଏମ୍‌କେର ୩୭, ଟିଏମ୍‌ସିର ୩୪, ବିଜେଡିର ୨୦, ଶିବସେନାର ୧୮, ଟିଡିପିର,୧୬ ଜଣ ସାଂସଦ, ଟିଆର୍‌ ଏସ୍‌ ୧୧, ସିପିଏମ୍ ୯, ୱାଇଏସ୍‌ଆର କଂଗ୍ରେସ ୯, ସମାଜବାଦୀ ପାର୍ଟିର ୭ ଜଣ ସାଂସଦଙ୍କ ସହିତ ଅନ୍ୟ ୨୫ଟି ଦଳର ୫୬ ଜଣ ସାଂସଦ ଅଛନ୍ତି। ଲୋକସଭାରେ ୫ଟି ସିଟ୍‌ ଖାଲି ପଡ଼ିଛି।

 

Previous ArticleNext Article

Send this to a friend